Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ଡିବିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ କରିଛନ୍ତି । ଏହି ଏନଏପିଏସ ଅଧୀନରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣରେ ଡିବିଟି ପ୍ରଚଳନକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଆସିବା ପରେ ପାରଦର୍ଶୀ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପରେ ନଗଦ ଅର୍ଥକୁ ଲାଭାର୍ଥୀଙ୍କ ସିଧାସଳଖ ବ୍ୟାଙ୍କ ଖାତାରେ ଦେବା ପାଇଁ ଯୋଜନା ହୋଇଛନ୍ତି । ଏହି ସଂସ୍କାର ଦ୍ୱାରା ମୁଦ୍ରା ଯୋଜନା, ପିଏମ କିଷାନ ସମ୍ମାନ ନିଧି ଭଳି ଅନେକ ଯୋଜନାରେ ଲାଭାର୍ଥୀମାନେ ସିଧାସଳଖ ଟଙ୍କା ପାଇ ବିଶେଷ ଲାଭବାନ ହୋଇଛନ୍ତି । ତେଣୁ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ । ଏହି ଯୋଜନା ଆମର ଯୁବବର୍ଗଙ୍କ ପାଇଁ ଆପ୍ରେଣ୍ଟିସ-ସିପ୍ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଷ୍ଟାଇପେଣ୍ଡ୍ ବିତରଣରେ ସ୍ୱଚ୍ଛତା ବା ପାରଦର୍ଶୀକୁ ସୁନିଶ୍ଚିତ କରିବ ।

ପାଠପଢା ସହ ରୋଜଗାର କରିବା ଦିଗରେ ଏହା ଏକ ପାଇଲଟ ଆରମ୍ଭ । ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଯୁବକ ଯୁବତୀମାନେ ଏହାର ଲାଭାର୍ଥୀ ହୋଇଥିବା ବେଳେ ଚଳିତବର୍ଷ ଅତିରିକ୍ତ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଏଥିରେ ଯୋଡିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ଅନେକ ଶିଳ୍ପ ସଂସ୍ଥା ଯୋଡି ହୋଇଥିବା ବେଳେ ସେମାନେ ମଧ୍ୟ ପିଲାମାନଙ୍କ ମନୋବଳ ବଢାଇଛନ୍ତି । ଭାରତ ସରକାରଙ୍କ ଆପ୍ରଣ୍ଟିସସିପ ଆକ୍ଟକୁ ବଦଳାଇବା ଦ୍ୱାରା ଅନେକ କାର୍ଯ୍ୟ ସହଜ ହୋଇଛି । ଏହାବ୍ୟତିତ ବର୍ତ୍ତମାନର ପରିବର୍ତ୍ତିତ ଟେକ୍ନୋଲୋଜି ସମୟରେ ପାଠପଢା ସହ ରୋଜଗାର ତଥା ଡିଗ୍ରୀ- ଦକ୍ଷତା ବୃଦ୍ଧିର ଦୁନିଆ ବଦଳୁଛି । ଆମକୁ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭାରତୀୟ ବିଜ୍ଞାନ ସଂସ୍ଥା (ଆଇଆଇଏସସି), ବେଙ୍ଗାଲୁର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବା ପାଇଁ ପଥ ପରିଷ୍କାର କରୁଥିବା ଜାତୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ୍‌)ର ଆଧିକାରିକ ନିର୍ଦ୍ଦେଶ ପତ୍ରର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ବିଜ୍ଞାନ ସଂସ୍ଥା, ବେଙ୍ଗାଲୁରୁ ସହ ଜଡ଼ିତ ସିଭି ରମଣ, ଡ଼. ହୋମି ଭାବା, ବିକ୍ରମ ସାରାଭାଇ, ଡ଼ା. ଏପିଜେ ଅବଦୁଲ କଲାମଙ୍କ ଭଳି ଅନେକ ପ୍ରତିଭାବାନ ବ୍ୟକ୍ତି ଦେଶର ଭାଗ୍ୟ ପରିବର୍ତ୍ତନ କରିଛନ୍ତି। ଏଭଳି ଏକ ସ୍ଥାନରେ ଆମର ଭବିଷ୍ୟତର ଦସ୍ତାବିଜକୁ ଶୁଭାରମ୍ଭ କରିବା ଗୌରବର ବିଷୟ। ଯଦି ଜାତୀୟ ଶିକ୍ଷା ନୀତି ହେଉଛି ସିଦ୍ଧାନ୍ତ ତେବେ ଜାତୀୟ ପାଠ୍ୟକ୍ରମ ରୂପରେଖ ବା ଏନସିଏଫ ହେଉଛି ପଥ ପ୍ରଦର୍ଶକ ଏବଂ ଆଜି ଉନ୍ମୋଚିତ ହୋଇଥିବା ଆଧିକାରିକ ନିର୍ଦ୍ଦେଶ ପତ୍ର ହେଉଛି ଏହାର ସମ୍ବିଧାନ ଯାହା ଆମ ଭବିଷ୍ୟତର ସଭ୍ୟତା ଉପରେ ସକରାତ୍ମକ ପ୍ରଭାବ ପକାଇବ। ଏହି ଆଧିକାରିକ ନିର୍ଦ୍ଦେଶାବଳି ଜାତୀୟ ପାଠ୍ୟକ୍ରମ ରୂପରେଖକୁ ବିକଶିତ କରିବାରେ ସାହାଯ୍ୟ କରିବ। ଶିଶୁଙ୍କ ସାମଗ୍ରିକ ବିକାଶ କରିବା ଦକ୍ଷତା ଉପରେ ଗୁରୁତ୍ୱ ଦେବ। ସେହିପରି ଶିକ୍ଷକଙ୍କ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା, ମାତୃଭାଷାରେ ଶିକ୍ଷାଲାଭ ଏବଂ ସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବ।

ଏହି ଆଧିକାରିକ ନିର୍ଦ୍ଦେଶ ପତ୍ର ଆବଶ୍ୟକୀୟ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଉପନିବେଶୀକରଣ କରିବାରେ ଏକ ବିଶେଷ ପଦକ୍ଷେପ। ଜାତୀୟ ପାଠ୍ୟକ୍ରମ ରୂପରେଖ ସର୍ବସମ୍ମତ ଏବଂ ବୈଜ୍ଞାନିକ ଫ୍ରେମୱାର୍କ ; ଯାହା ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କ୍ରିଟିକାଲ ଥିଙ୍କିଂକୁ ବିକଶିତ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି ମାତୃଭାଷା ଏବଂ ଆଂଚଳିକ ଭାଷାରେ ଶିକ୍ଷା ଲାଭ କରିବାକୁ ଗୁରୁତ୍ୱ ଦେଉଅଛି। ସମସ୍ତ ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ଆମକୁ ଏକ ଇକୋସିଷ୍ଟମ ତିଆରି କରିବାକୁ ପଡ଼ିବ। ଜାତୀୟ ପାଠ୍ୟକ୍ରମ ରୂପରେଖକୁ ବିକଶିତ କରିବା ନିରନ୍ତର ପ୍ରକ୍ରିୟା ଏବଂ ଏହା ସମାଜର ଦସ୍ତାବିଜ। ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ଆଧାରିତ ଏହି ଡକ୍ୟୁମେଂଟ୍ ବିଶ୍ୱର ପ୍ରଗତିଶୀଳ ଅର୍ଥନୀତି ପାଇଁ ଏକ ବେଂଚ୍ ମାର୍କ ସ୍ଥାପନ କରିବ। ଏକ ଗତିଶୀଳ ଓ ପ୍ରଗତିଶୀଳ ନୀତି ବିକଶିତ କରିବା, ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଦେଶର ନାଗରିକଙ୍କ ମତାମତ କିପରି ଦେବେ ସେ ନେଇ ଏକ ଆପ୍ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆଧିକାରିକ ନିର୍ଦ୍ଦେଶ ପତ୍ର ଦ୍ୱାରା ଜାତୀୟ ପାଠ୍ୟକ୍ରମର ରୂପରେଖ ଏନସିଏଫ୍ ବିକଶିତ କରାଯିବ। ଏନସିଏଫକୁ ଏକ ସହଯୋଗୀ ଏବଂ ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ କରାଯାଉଛି, ଯାହା ଜିଲ୍ଲାରୁ ଆରମ୍ଭ ହୋଇ ରାଜ୍ୟ ସ୍ତର ଏବଂ ପୁନଶ୍ଚ ଜାତୀୟ ସ୍ତର ପର୍ଯ୍ୟନ୍ତ ହେବ। ଜାତୀୟ ପାଠ୍ୟକ୍ରମର ରୂପରେଖର ବିକାଶ ପାଇଁ ସ୍ଥିତି ପତ୍ରର ଗାଇଡଲାଇନ୍ ଏହି ଆଧିକାରିକ ନିର୍ଦ୍ଦେଶ ପତ୍ରର ଏକ ଅଭିନ୍ନ ଅଙ୍ଗ ଅଟେ।

ଏହି ଅବସରରେ ଜାତୀୟ ପାଠ୍ୟକ୍ରମ ରୂପରେଖର ଜାତୀୟ ସଂଚାଳନ ସମିତିର ଅଧ୍ୟକ୍ଷ ଡା. କେ. କସ୍ତୁରିରଙ୍ଗନ, କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡା. ଅଶ୍ୱଥନାରାୟଣ ସି.ଏନ., କର୍ଣ୍ଣାଟକର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଡା. ବି.ସି. ନାଗେଶ, ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଅନିତା କରୱାଲ୍ ଏବଂ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ର ନିର୍ଦ୍ଦେଶକ ପ୍ରଫେସର ଡି.ପି. ସକଲାନି ପ୍ରମୁଖ ଉପସ୍ଥିତ ରହିଥିଲେ।

Categories
ବିଶେଷ ଖବର

ଇଂରାଜୀ ନବବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ-୨୦୨୨ ଅବସରରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ଅନ୍ତର୍ଗତ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ନାଗରିକ ବିଶେଷ ଭାବରେ ଯୁବପିଢ଼ିଙ୍କୁ ‘ବହି ପଢ଼ିବା’କୁ ନିତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଆହ୍ୱାନ କରିଛନ୍ତି।

ରାଷ୍ଟ୍ରୀୟ ଶିକ୍ଷା ନୀତିରେ ପିଲାମାନଙ୍କୁ ନିଜ ବୟସ ଅନୁସାରେ ନିଜ ମାତୃଭାଷା ବା ଆଂଚଳିକ ଭାଷାରେ ବହି ପଢ଼ିବା ପାଇଁ ପ୍ରୋତ୍ସାହନ ଦେବାକୁ ଗୁରୁତ୍ୱ ଦିଆଯାଇଛି। ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାରା ଜୀବନ ଶିକ୍ଷା ଗ୍ରହଣକୁ ବିକଶିତ କରିବା ଦିଗରେ ପୁସ୍ତକ ପଢ଼ିବାର ବିଶେଷତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଳ୍ପ ବୟସରୁ ପୁସ୍ତକ ପଢ଼ିବା ଅଭ୍ୟାସ କଲେ ଏହା ଶିଶୁଙ୍କ ମାନସିକ ବିକାଶ କରିବ। ସେମାନଙ୍କ ସୃଜନଶୀଳତାକୁ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଏକ ସୁସ୍ଥ ବାତାବରଣ ତିଆରି କରିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ବହି ପଢ଼ିବା ଏକ ଭଲ ଅଭ୍ୟାସ ଏବଂ ଜ୍ଞାନ, ଭାଷା ଏବଂ ସାମାଜିକ ଦକ୍ଷତାର ବିକାଶ କରିବାରେ ଏକ ଭଲ ଉପାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକଙ୍କୁ ନିୟମିତ ପୁସ୍ତକ ପଢ଼ିବା ପାଇଁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରେରଣାରେ ପୁସ୍ତକ ପଢ଼ିବାକୁ ସାରା ଜୀବନ ଅଭ୍ୟାସରେ ପରିଣତ କରିବା ନେଇ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

‘ପଢ଼େ ଭାରତ’ ଅଭିଯାନ ଅନ୍ତର୍ଗତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୫ଟି ପୁସ୍ତକ ପଢ଼ିବା ଆରମ୍ଭ କରିଛନ୍ତି। ଏଥିରେ ୨ଟି ଓଡ଼ିଆ ପୁସ୍ତକ କବିବର ରାଧାନାଥ ରାୟଙ୍କ ‘ଚିଲିକା’, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ପ୍ରାୟଶ୍ଚିତ’ ରହିଛି।

ସେହିପରି ଅନ୍ୟ ତିନୋଟି ପୁସ୍ତକ ଜେମ୍ସ କ୍ଲିୟରଙ୍କ ‘ଆଟୋମିକ୍ ହାବିଟ’୍ସ, ରସକିନ୍‌ ବଣ୍ଡଙ୍କ ‘ଏ ଲିଟିଲ୍ ବୁକ୍ ଅଫ୍ ହାପିନେସ୍‌’, ସ୍ୱାମୀ ବିବେକାନନ୍ଦଙ୍କ ‘ରିଫ୍ଲେକ୍ସନ୍ସ’ ମଧ୍ୟ ରହିଛି।

ଏହି ଅଭିଯାନ ଅନ୍ତର୍ଗତ ପାଠକ ପାଠକାମାନେ ନିଜେ ପଢ଼ୁଥିବା ପୁସ୍ତକ ସହ ଆଗକୁ କେଉଁ ପୁସ୍ତକ ପଢିବା ଉଚିତ୍‌, ସେ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ତାଙ୍କ ମତାମତ ଦେବାକୁ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ପଢ଼େ ଭାରତ’ ଅଭିଯାନରେ ସମସ୍ତଙ୍କ ମଧ୍ୟରେ ପୁସ୍ତକ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏହି ଅଭିନବ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍ ଏବଂ ସମାଜ ସମେତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ସମାଜର ଅଂଶୀଦାରଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବାବ ଏହାର ଉଦ୍ଦେଶ୍ୟ।

୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀ ମାନଙ୍କର ପାଠ ପଢିବାର ଉନ୍ନତି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ବାଲ୍ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ଅଭିଯାନର ଭାଗୀଦାରୀ ହେବେ। ପଠନ ଅଭିଯାନ ୧ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇ ୧୦ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ୧୦୦ ଦିନ ବା ୧୪ ସପ୍ତାହ ଧରି ଆୟୋଜନ କରାଯିବ।

ଛାତ୍ରଛାତ୍ରୀ ତଥା ଲୋକଙ୍କ ମଧ୍ୟରେ ପୁସ୍ତକ ପଢ଼ିବାକୁ ଆଗ୍ରହ ସୃଷ୍ଟି କରିବା ଏବଂ ଏହାକୁ ଉପଭୋଗ କରିବା ପାଇଁ ଏହି ଚଉଦ ସପ୍ତାହ ମଧ୍ୟରେ ଗଠନ ହୋଇଥିବା ପ୍ରତିଟି ଗ୍ରୁପ କାର୍ଯ୍ୟକ୍ରମ କରିବେ।