Categories
ଆଜିର ଖବର ଜାତୀୟ ଖବର

ହଙ୍ଗେରୀରୁ ଶେଷ ବ୍ୟାଚ୍ ଭାରତୀୟଙ୍କ ସହ ସ୍ଵଦେଶ ଫେରିଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ହଙ୍ଗେରୀରୁ ଭାରତ ଫେରିଛନ୍ତି। ଅପରେସନ୍ ଗଙ୍ଗା ଅଧୀନରେ ସେ ହଙ୍ଗେରୀର ବୁଡାପେଷ୍ଟରୁ ୬ ହଜାର ୭୧୧ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଏହି ଭାରତୀୟମାନଙ୍କର ଶେଷ ବ୍ୟାଚ୍ ସହିତ ସେ ଆଜି ଭାରତ ଫେରିଛନ୍ତି।

ଟ୍ୱିଟରରେ ଖୁସି ବ୍ୟକ୍ତ କରି କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ, ‘ବୁଡାପେଷ୍ଟର ୬ ହଜାର ୭୧୧ ଜଣ ଛାତ୍ରଙ୍କ ସହିତ ଆମର ଶେଷ ବ୍ୟାଚ୍ ଦିଲ୍ଲୀରେ ପହଞ୍ଚିଥିବାରୁ ମୁଁ ବହୁତ ଖୁସି। ଯେତେବେଳେ ଏହି ଯୁବକମାନେ ନିଜ ଘରେ ପହଞ୍ଚି ନିଜ ପିତାମାତା ଏବଂ ପରିବାର ସହିତ ରହିବେ, ସେତେବେଳେ ସେମାନଙ୍କ ଘରେ ସୁଖ, ଉତ୍ସାହ ଏବଂ ଆରାମର ପରିବେଶ ରହିବ।

ଉଲ୍ଲେଖ ଯୋଗ୍ୟ ଯେ, ୟୁକ୍ରେନରେ ବହୁ ସଂଖ୍ୟକ ଭାରତୀୟ ଫସି ରହିଥିଲେ। ସେଠାରେ ଅବସ୍ଥା ବିଗିଡିଯିବାରୁ କେନ୍ଦ୍ର ସରକାର ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ‘ଅପରେସନ୍ ଗଙ୍ଗା’ ଆରମ୍ଭ କରିଥିଲେ। ଏହା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଜଣ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ସିଂ ପୁରୀ, କିରେନ ରିଜିଜୁ ଏବଂ ଭି.କେ ସିଂଙ୍କୁ ହଙ୍ଗେରୀ, ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡକୁ ପଠାଇଥିଲେ। ଏହି ଦେଶଗୁଡ଼ିକ ୟୁକ୍ରେନ ସହିତ ଲାଗି ରହିଛି। ଏହି ମନ୍ତ୍ରୀମାନଙ୍କର ଦାୟିତ୍ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବା। ଭି.କେ. ସିଂ ପୋଲାଣ୍ଡରେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ହରଦୀପ ସିଂ ପୁରୀ ହଙ୍ଗେରୀରେ ଦାୟିତ୍ଵ ନେଇଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଆ ପାଇଁ ଦାୟିତ୍ଵରେ ଥିବାବେଳେ କିରେନ ରିଜିଜୁ ସ୍ଲୋଭାକିଆରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରୁଥିଲେ।

ୟୁକ୍ରେନରେ ଫସିରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ବାୟୁସେନାର ସାହାଯ୍ୟ ମଧ୍ୟ ନିଆଯାଇଥିଲା। ଭାରତୀୟ ବାୟୁସେନାର ହିନ୍ଦନ ଏୟାରବେସରୁ ସ୍ୱତନ୍ତ୍ର ବିମାନ ପଠାଇ ଭାରତୀୟମାନଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି।