Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶ୍ରମିକ କାର୍ଡରେ ଟଙ୍କା ଆସିବାକୁ କହି ଅଭିନବ ଠକେଇ: ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା

ରେଢାଖୋଲ: ଶ୍ରମିକ କାର୍ଡରେ ଟଙ୍କା ଆସିବାକୁ କହି ଅଭିନବ ଉପାୟରେ ଲୋକଙ୍କ ଠାରୁ  ଜନୈକ ବ୍ୟକ୍ତି ଠକୁଥିବା ବେଳେ ପୋଲିସ ହାତରେ ଧରାପଡିଛି। ଅଭିଯୁକ୍ତ ଜଣଙ୍କ ବିଭିନ୍ନ ଆଧାର କାର୍ଡ ନେଇ ଇ -ସ୍କାନରରେ ଟିପ ଚିହ୍ନ ଦ୍ଵାରା ଲୋକମାନଙ୍କ ଠାରୁ ହଜାର ହଜାର ଟଙ୍କା ପ୍ରଲୋଭନ ଦେଖାଇ ଲୁଟୁଥିବା ବେଳେ ଚାରମାଳ ପୋଲିସ୍ ହାତରେ ଧରା ପଡିଛି। ଅଭିଯୁକ୍ତ ଜଣଙ୍କ ହେଲେ ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଆଶିଷ କୁମାର ପ୍ରଧାନ ବୋଲି ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ଆଶିଷ କୁମାର ପ୍ରଧାନ ଭରତାପୁର ଅଂଚଳର ବହୁ ଜଣଙ୍କଠାରୁ ଠକି ନେଇଥିଲା। ଭରତାପୁର ଗ୍ରାମର ମହିଳା ସୁଷମା ଧଳ ଏହି ଠକ ହାବୁଡରେ ପଡି ମଧ୍ୟ ହଜାର ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାରୁ କଟିଯାଇଥିଲା। ସୁଷମା ଧଳ ଚାରମାଳ ଥାନାରେ ଏ ନେଇ ଗତ ତା ୬/୧୧/୨୦୨୧ ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଚାରମାଳ ପୋଲିସ୍ ଅଭିଯୋଗ ଗ୍ରହଣ କରିବା ପରେ ଏହାର ତଦନ୍ତ ମଧ୍ୟ କରିଥିଲା।

ଚାରମାଳ ଥାନା ଭରତାପୁର ଅଂଚଳର କେତୋଟି ଗ୍ରାମକୁ ଯାଇ ଇ ଶ୍ରମ କାର୍ଡ, ଆଧାର କାର୍ଡ, ବିଡି କାର୍ଡ, ନିର୍ମାଣ ଶ୍ରମିିକ କାର୍ଡ ଆଦିରେ ବହୁ ପ୍ରକାର ସୁବିଧା ଥିବା କଥା କହି ଲୋକମାନଙ୍କୁ ପ୍ରଲୋଭନ ଦେଖାଇ ଇ ସ୍କାନର ମାଧ୍ୟମରେ ଟିପଚିହ୍ନ ଦେଇ ଲୋକମାନଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେବାରେ ସକ୍ଷମ ହୋଇଥିଲା।

ଭରତାପୁର ଗ୍ରାମର ଗୁରୁବାରୀ, ଘିବାଲାଙ୍କ ବ୍ୟାଙ୍କ ଖାତାରୁ ୬ହଜାରଟଙ୍କା, ସୁଷମା ଧଳଙ୍କ ବ୍ୟାଙ୍କ ଖାତାରୁ ୬ ହଜାର ଟଙ୍କା, ସାନା ସେଠୀଙ୍କ ବ୍ୟାଙ୍କ ଖାତାରୁ ୮ ହଜାର ଟଙ୍କା ଉଠାଣ ହୋଇଥିବା ମଧ୍ୟ ଜାଣିବାକୁ ପାଇଥିଲେ। ଏହି ମହିଳା ତ୍ରୟ ମଧ୍ୟଅଭିଯୁକ୍ତଙ୍କ ପ୍ରଲୋଭନରେ ନିଜ କାର୍ଡ ମାଧ୍ୟମରେ ଟଙ୍କା ଆସିବା  ଲୋଭରେ ପଡି ଯାଇଥିଲେ। ସେମାନଙ୍କୁ ମଧ୍ୟ ଏଇ ଯୁବକ ଇସ୍କାନରରେ ଟିପ ଚିହ୍ନ ନେଇ ବ୍ୟାଙ୍କ ଖାତାରୁ ଟଙ୍କା ଲୁଟି ନେବାରେ ସଫଳ ହୋଇଥିଲା।

ପୋଲିସ୍ ସୂଚନା ଅନୁଯାୟୀ, ଆଶିଷ କୁମାର ପ୍ରଧାନ ଭରତାପୁର, ରତ୍ନାବଡମାଳ, ବଡଖୋଲ ଆଦି ଗ୍ରାମର ୮ ଜଣ ମହିଳାଙ୍କୁ ଇସ୍କାନର ମାଧ୍ୟମରେ ଠକି ୬୦, ୫୦୦ ଟଙ୍କା ଲୁଟି ନେଇଥିଲା। ମହିଳାଙ୍କ ଅଭିଯୋଗ କ୍ରମେ ଚାରମାଳ ପୋଲିସ୍ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଆଶିଷ କୁମାର ପ୍ରଧାନ ନାମରେ ଚାରମାଳ ଥାନା କେସ୍ ନଂ ୧୬୦/୨୧ରେ ୟୁ/ଏସ୍‌୪୨୦/୪୧୯ଆଇପିସି/୬୬ସି/୬୬ଡି  ଆଇଟି ଆକ୍ଟ ୨୦୦୮ ରେ  ଆଜି ବ୍ରାହ୍ମଣୀପାଲି ଗ୍ରାମରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ପ୍ରକାଶ କରିଛନ୍ତି।

ଅଭିଯୁକ୍ତ ଠକ ପାଖରୁ ୫୨୦୦ଟଙ୍କା , ଗୋଟେ ମୋବାଇଲ୍, ଲାପଟପ୍, ଫିଙ୍ଗର ସ୍କାନର ଯନ୍ତ୍ର, ଦୁଇଟି ଫୋନ୍ ପେ କାର୍ଡ ସ୍କାନର, ଖାତା ସହ ଏଟିମ୍ କାର୍ଡ ଜବତ କରିଛି। ଏହାର ଏକ ତଦନ୍ତ କରାଗଲେ ଆହୁରି ଏହି କାମରେ କିଏ କିଏ ସଂଶ୍ଳିଷ୍ଟ ଅଛନ୍ତି ଜଣା ପଡନ୍ତା ବୋଲି ମତପ୍ରକାଶ ପାଇଛି।