Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସଂସ୍କୃତି

କୋମଣ୍ଡ ଡଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହ ପାଇଁ ଦାରୁ ଛେଦନ

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଶ୍ରୀଶ୍ରୀ ଡଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ ପ୍ରକ୍ରିୟା ଶେଷ ହୋଇଛି। ନାମ ସଂକୀର୍ତ୍ତନ ସାଙ୍ଗକୁ ହୋମଯଜ୍ଞ ଓ ବ୍ରାହ୍ମ ଙ୍କ ବେଦପାଠ ମଧ୍ୟରେ ରୀତିନୀତି ଅନୁଯାୟୀ ଦାରୁ ଛେଦନ କରାଯାଇଥିଲା। ପୁରୀ ମୁକ୍ତିମଣ୍ଡପ ପଣ୍ଡିତଙ୍କ ପରାମର୍ଶ କ୍ରମେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ ଦାରୁ ଚିହ୍ନଟ ହୋଇ ଦାରୁ ଦେବତାଙ୍କ ସ୍ଥାନରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

କୋମଣ୍ଡ ନିକଟସ୍ଥ ପଣସଖୋଲ ଠାରେ ଚିହ୍ନଟ ହୋଇଥିବା ଦାରୁ ସ୍ଥଳରେ ଅନୁଷ୍ଠିତ ପୂଜାରେ କୋମଣ୍ଡ ଗ୍ରାମର କୁମର ପ୍ରଧାନ କର୍ତ୍ତା ଭାବେ ପୂଜା ସମାପନ କରିଥିଲେ। ପୂଜାର୍ଚ୍ଚନା ପରେ ଅପରାହ୍ନ ସମୟରେ ଦାରୁ ଛେଦନ କରାଯିବା ସହ ଶଗଡ଼ ଯୋଗେ ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ନାମ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିଥିଲେ। ପରେ ଠାକୁରଙ୍କ ଦାରୁକୁ ଡଙ୍କନାଶନ ମନ୍ଦିର ପର୍ଯ୍ୟନ୍ତ ଟାଣି ଆଣିଥିଲେ। ଦାରୁ ବୃକ୍ଷର ଅବଶିଷ୍ଟ ଅଂଶ ପାତାଳି କରାଯାଇଛି।

ପୂଜା ସ୍ଥଳରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଟ୍ରଷ୍ଟର କର୍ମକର୍ତ୍ତା ସମେତ କୋମଣ୍ଡ ଗ୍ରାମର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ପୂର୍ଣ୍ଣ ସହଯୋଗ କରିଥିବା ବେଳେ କୋମଣ୍ଡ ପଥର ଖଣି ଆସୋସିଏସନ ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ପ୍ରକାଶ ଥାଉକି ଗତ ୧୧ ତାରିଖରେ ମନ୍ଦିର ଗର୍ଭ ଗୃହରେ ନିଆଁ ଲାଗି ଠାକୁରଙ୍କ ବିଗ୍ରହ ଜଳିଯାଇଥିଲା।