Categories
ଆଜିର ଖବର ଜାତୀୟ ଖବର

ଆଦିତ୍ୟ ଏଲ୍ ୧ ମିଶନ ଆଭ୍ୟନ୍ତରୀଣ ଯାଞ୍ଚ ଶେଷ: ଶ୍ରୀହରିକୋଟାରୁ ଆରମ୍ଭ ହେବ ଏହି ମିଶନ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବୁଧବାର କହିଛି ଯେ ଆଦିତ୍ୟ ଏଲ୍ ୧ ମିଶନକୁ ଉତକ୍ଷେପଣ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଗାଡ଼ିର ଆଭ୍ୟନ୍ତରୀଣ ଯାଞ୍ଚ ଶେଷ ହୋଇଛି। ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟା ୫୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି ଏକ୍ସଏଲ ରକେଟ ଜରିଆରେ ଆଦିତ୍ୟ ଏଲ୧ କୁ ଉତକ୍ଷେପଣ କରାଯିବ।

ପ୍ରାୟ ୪ ମାସ ମଧ୍ୟରେ ଏହା ପୃଥିବୀଠାରୁ ୧.୫ ନିୟୁତ କିଲୋମିଟର ଦୂର ଲଙ୍ଗରେଞ୍ଜ ପଏଣ୍ଟ-୧ ଅର୍ଥାତ୍ ଏଲ୍ ୧ ପଏଣ୍ଟରେ ପହଞ୍ଚିବ। ଆଦିତ୍ୟ ମହାକାଶଯାନ ଏଲ୍ ୧ ବିନ୍ଦୁ ପରିକ୍ରମା କରି ସୂର୍ଯ୍ୟଉପରେ ଉଠୁଥିବା ଝଡ଼କୁ ବୁଝିବ। ଏହାବ୍ୟତୀତ ଚୁମ୍ବକୀୟ କ୍ଷେତ୍ର ଓ ସୌର ପବନ ଭଳି ଜିନିଷ ଉପରେ ଅଧ୍ୟୟନ କରାଯିବ। ଆଦିତ୍ୟ ପାଖରେ ବ୍ୟବହାର ପାଇଁ ୭ଟି ପେଲୋଡ୍ ରହିଛି।

କାହିଁକି ଆଦିତ୍ୟ ଗାଡ଼ିକୁ କେବଳ ଏଲ୧ ପଏଣ୍ଟକୁ ପଠାଯିବ

ଆଦିତ୍ୟକୁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏକ ହାଲୋ କକ୍ଷପଥରେ ରଖାଯିବ। ଏଲ୍ ୧ ବିନ୍ଦୁ ଚାରିପଟେ ଥିବା କକ୍ଷପଥକୁ ହାଲୋ ଅର୍ବିଟ୍ କୁହାଯାଏ। ଇସ୍ରୋ କହିଛି ଯେ ଏଲ୍ ୧ ବିନ୍ଦୁ ଚାରିପଟେ ହାଲୋ କକ୍ଷପଥରେ ରଖାଯାଇଥିବା ଉପଗ୍ରହ ବିନା କୌଣସି ଗ୍ରହଣରେ ସୂର୍ଯ୍ୟଙ୍କୁ କ୍ରମାଗତଭାବେ ଦେଖିପାରିବ।

ଏହା ରିୟଲ ଟାଇମ ସୌର ଗତିବିଧି ଏବଂ ମହାକାଶ ପାଣିପାଗ ଉପରେ ନଜର ରଖିବାରେ ସକ୍ଷମ ହେବ। ଆଦିତ୍ୟ ଏଲ୍-୧ର ପେଲୋଡ୍ କୋରୋନାଲ ହିଟିଂ, କୋରୋନାଲ ମାସ୍ ଇଜେକ୍ସନ, ପ୍ରି-ଫ୍ଲେୟାର ଏବଂ ଫ୍ଲେୟାର କାର୍ଯ୍ୟକଳାପର ବୈଶିଷ୍ଟ୍ୟ, କଣିକାର ଗତିବିଧି ଏବଂ ମହାକାଶ ପାଣିପାଗକୁ ବୁଝିବା ପାଇଁ ସୂଚନା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଏଲ୍ ୧ କ’ଣ?

ଇଟାଲି-ଫ୍ରାନ୍ସ ଗଣିତଜ୍ଞ ଜୋସେଫି-ଲୁଇ ଲଙ୍ଗରେଞ୍ଜଙ୍କ ନାମରେ ଲଙ୍ଗରେଞ୍ଜ ପଏଣ୍ଟର ନାମକରଣ କରାଯାଇଛି। ଏହାକୁ ସାଧାରଣତଃ ଏଲ୍ -୧ ବୋଲି କୁହାଯାଏ। ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଏପରି ପାଞ୍ଚଟି ବିନ୍ଦୁ ଅଛି, ଯେଉଁଠାରେ ସୂର୍ଯ୍ୟ ଏବଂ ପୃଥିବୀର ଗୁରୁତ୍ୱାକର୍ଷଣ ବଳ ସନ୍ତୁଳିତ ହୋଇଥାଏ ଏବଂ କେନ୍ଦ୍ରୀୟ ବଳ ସୃଷ୍ଟି ହୁଏ।

ଏଭଳି ପରିସ୍ଥିତିରେ ଯଦି କୌଣସି ବସ୍ତୁକୁ ଏହି ସ୍ଥାନରେ ରଖାଯାଏ ତେବେ ଏହା ଉଭୟଙ୍କ ମଧ୍ୟରେ ସହଜରେ ସ୍ଥିର ରହିଥାଏ ଏବଂ ଶକ୍ତି ମଧ୍ୟ କମ୍ ଦେଖାଯାଏ। ପ୍ରଥମ ଲାଗ୍ରାଞ୍ଜ ବିନ୍ଦୁ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ୧.୫ ନିୟୁତ କିଲୋମିଟର। ସରଳ ଭାଷାରେ କହିବାକୁ ଗଲେ, ଏଲ୍ -୧ ହେଉଛି ଏକ ବିନ୍ଦୁ ଯେଉଁଠାରେ କୌଣସି ବସ୍ତୁ ସୂର୍ଯ୍ୟ ଏବଂ ପୃଥିବୀଠାରୁ ସମାନ ଦୂରତାରେ ସ୍ଥିର ରହିପାରେ।

Categories
ଆଜିର ଖବର ଜାତୀୟ ଖବର

ଆଦିତ୍ୟ-ଏଲ୧: ସେପ୍ଟେମ୍ବର ୨ରେ ଉତକ୍ଷେପଣ ହେବ ଇସ୍ରୋର ସୂର୍ଯ୍ୟ ଅଭିଯାନ

ନୂଆଦିଲ୍ଲୀ: ଆସନ୍ତା ମାସରେ ସୂର୍ଯ୍ୟ ଆଦିତ୍ୟ-ଏଲ୍-୧ ଉପରେ ଅଧ୍ୟୟନ କରିବା ପାଇଁ ଭାରତ ନିଜର ପ୍ରଥମ ଅଭିଯାନ ଆରମ୍ଭ କରିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅନୁଯାୟୀ, ଆଦିତ୍ୟ-ଏଲ୧କୁ ସେପ୍ଟେମ୍ବର ୨, ୨୦୨୩ ପୂର୍ବାହ୍ନ ୧୧ଟା ୫୦ରେ ଉତକ୍ଷେପଣ କରାଯିବ।

ସୋମବାର ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଦିତ୍ୟ ଏଲ୍ ୧ ହେଉଛି ପ୍ରଥମ ମହାକାଶ ଭିତ୍ତିକ ଭାରତୀୟ ପରୀକ୍ଷାଗାର ଯିଏ ସୂର୍ଯ୍ୟଉପରେ ଅଧ୍ୟୟନ କରିବ। ସୂର୍ଯ୍ୟଙ୍କ ଚାରିପଟେ ସୃଷ୍ଟି ହେଉଥିବା କରୋନାର ରିମୋଟ୍ ପର୍ଯ୍ୟବେକ୍ଷଣ ପାଇଁ ଏହାକୁ ଡିଜାଇନ୍ କରାଯାଇଛି।

ସୂର୍ଯ୍ୟ-ପୃଥିବୀର ଲାଗ୍ରାଙ୍ଗିଆନ୍ ବିନ୍ଦୁରେ ରହି ଆଦିତ୍ୟ ୟାନ୍ ସୂର୍ଯ୍ୟ ଉପରେ ଉଠୁଥିବା ଝଡ଼କୁ ବୁଝିପାରିବ । ଏହି ବିନ୍ଦୁ ପୃଥିବୀଠାରୁ ପ୍ରାୟ ୧୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ପହଞ୍ଚିବା ପାଇଁ ପ୍ରାୟ ୧୨୦ ଦିନ ଅର୍ଥାତ୍ ୪ ମାସ ସମୟ ଲାଗିବ।
ଶ୍ରୀହରିକୋଟାର ଗ୍ୟାଲେରୀରୁ ଆଦିତ୍ୟ-ଏଲ୧ ମିଶନର ଉତକ୍ଷେପଣ ଦେଖିବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ଇସ୍ରୋ ପଞ୍ଜୀକରଣ କରିବ। ଖୁବ୍ ଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ।

Categories
ବିଶେଷ ଖବର

ଚଳିତ ସପ୍ତାହରେ ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ଶୁଭାରମ୍ଭ କରାଯିବ: କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ଶୁଭାରମ୍ଭ କରାଯିବ। ଏହି ଅଭିଯାନର ସଫଳତା ସହିତ ଚନ୍ଦ୍ର ପୃଷ୍ଠରେ ମହାକାଶଯାନ ଅବତରଣ କରାଇବାରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏକ ସମାଚାର ସରବରାହ ସଂସ୍ଥାକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ଡକ୍ଟର ସିଂ କହିଛନ୍ତି ଯେ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ମହାକାଶ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଯେଉଁ ଦେଶରେ ଭାରତର ବହୁ ପୂର୍ବରୁ ମହାକାଶ ଅଭିଯାନ ଆରମ୍ଭ କରିଥିଲେ, ଆଜି ସେମାନେ ଭାରତକୁ ଏକ ସହଯୋଗୀ ଭାବେ ଦେଖୁଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ ମହାକାଶ କ୍ଷେତ୍ରରେ ଏତେ ବ୍ୟାପକ ପ୍ରଗତି ପରେ ଭାରତ ଚନ୍ଦ୍ରପୃଷ୍ଠ ଦିଗରେ ଅଭିଯାନ ଆରମ୍ଭ କରିବା ଲାଗି ଆଉ ଅଧିକ ଦିନ ଅପେକ୍ଷା କରିପାରିବ ନାହିଁ କିମ୍ବା ଅନ୍ୟମାନଙ୍କ ଠାରୁ ପଛରେ ରହିବ ନାହିଁ।

ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ପରବର୍ତ୍ତୀ ଅଭିଯାନ ଏବଂ ଚନ୍ଦ୍ର ପୃଷ୍ଠରେ ମହାକାଶଯାନର ସଫଳ ଅବତରଣ ଏହାର ଲକ୍ଷ୍ୟ। ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଆବଶ୍ୟକ ପ୍ରାକ୍ ଶେଷ ହୋଇଛି। ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରିବା ପରେ ସେଥିରୁ ୬ଟି ଚକ ଲାଗିଥିବା ରୋଭର୍‌ ବା ଚନ୍ଦ୍ର ପୃଷ୍ଠରେ ଘୂରି ବୁଲିବାକୁ ଥିବା ଯାନ ବାହାରକୁ ଆସିବ। ଏହି ରୋଭର ୧୪ ଦିନ ଧରି ଚନ୍ଦ୍ର ପୃଷ୍ଠରେ କାମ କରିବ ବୋଲି ଆଶା କରାଯାଉଛି। ରୋଭରରେ ଏକାଧିକ କ୍ୟାମେରା ଲଗାଯାଇଛି ଯାହାକି ଚନ୍ଦ୍ର ପୃଷ୍ଠର ଫଟୋ ପୃଥିବୀକୁ ପଠାଇବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ ମହାକାକାଶ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଅନୁକୂଳ ପରିବେଶ ଯୋଗାଇ ଦେବା ସହିତ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିଲେ। ଏହାର ଉଦାହରଣ ଦେଇ ସେ କହିଥିଲେ ଯେ ମହାକାଶ କ୍ଷେତ୍ରକୁ ସରକାରୀ ଘରୋଇ ଭାଗିଦାରୀ (ପିପିପି) ପାଇଁ ଖୋଲାଯିବା ଫଳରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ଏହି କ୍ଷେତ୍ରରେ ଭାରତର ଅର୍ଥବ୍ୟବସ୍ଥା ୧ ଟ୍ରିଲିୟନ ଡଲାରରେ ପହଞ୍ଚିଛି।

ଚନ୍ଦ୍ରଯାନ -୩ ଅଭିଯାନ ସମ୍ପର୍କରେ ଅଧିକ ସୂଚନା ଦେଇ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ, ଏହି ମିଶନର ତିନୋଟି ଉଦ୍ଦେଶ୍ୟ ରହିଛି – ୧) ଚନ୍ଦ୍ର ପୃଷ୍ଠରେ ମହାକାଶଯାନର ସୁରକ୍ଷିତ ଓ ମୃଦୁ ଅବତରଣ, ୨) ଚନ୍ଦ୍ର ପୃଷ୍ଠରେ ରୋଭର ବୁଲିବାକୁ ପ୍ରଦର୍ଶିତ କରିବା ଏବଂ ୩)ବୈଜ୍ଞାନିକ ଅନ୍ୱେଷଣ କରିବା।

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ସ୍ମରଣ କରାଇ ଦେଇ କହିଥିଲେ ଯେ, ଚନ୍ଦ୍ରଯାନ ୧ ଅଭିଯାନ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତିକୁ ଆବିଷ୍କାର କରିଥିଲା ଏବଂ ଦୁନିଆ ପାଇଁ ଏହା ଏକ ନୂଆ ତଥ୍ୟ ଥିଲା। ଆମେରିକୀୟ ମହାକାଶ ସଂସ୍ଥା ନାସା ମଧ୍ୟ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋର ଏହି ସଫଳତାକୁ ପ୍ରଶଂସା କରିଥିଲା। ଚନ୍ଦ୍ରଯାନ-୩ରେ ଇସ୍ରୋ ଦ୍ୱାରା ବିକଶିତ ଉତକ୍ଷେପଣ ଯାନକୁ ବ୍ୟବହାର କରାଯିବ।

ସେ ଆହୁରି କହିଛନ୍ତି, ଚନ୍ଦ୍ରଯାନ-୩ର ଉଦକ୍ଷେପଣକୁ ନେଇ ଦେଶରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି। ଅବତରଣ ଯାନର ଦୃଢ଼ତା ବଢ଼ାଇବା ଲାଗି ଚନ୍ଦ୍ରଯାନ-୨ର ପରବର୍ତ୍ତୀ ପିଢ଼ି ଚନ୍ଦ୍ରଯାନ-୩ରେ କେତେକ ପରିବର୍ତ୍ତନ କରାଯାଇଛି। ବିଭିନ୍ନ ସ୍ତରର ପରୀକ୍ଷା ପରେ ଏସବୁ ପରିବର୍ତ୍ତନକୁ ଗ୍ରହଣ କରାଯାଇଛି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବା ଅବତରଣ ଯାନ ଏବଂ ରୋଭର ବା ପୃଷ୍ଠରେ ଭ୍ରମଣ କରିବାକୁ ଥିବା ଯାନକୁ ଏପରି ପେଲୋଡ୍‌ ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଚନ୍ଦ୍ରପୃଷ୍ଠର ମୃତ୍ତିକା ଏବଂ ମାଟିର ବିଭିନ୍ନ ଉପାଦାନ ଉପରେ ବୈଜ୍ଞାନିକ ସମୁଦାୟକୁ ସୂଚନା ଦେବା ସହିତ ଏହାର ରାସାୟନିକ ଏବଂ ଉପାଦାନ ମିଶ୍ରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ।