Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଗ୍ୟାରେଜ କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ୪ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଧ ଭାବେ ଆକ୍ରମଣ କରିବା ଦ୍ୱାରା ଯୁବକ ଜଣକ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ହୋଇଛି। ଅଭିଯୋଗ କରିଛନ୍ତି ସାନସିରେଇପୁର ଗ୍ରାମର ଅଭିମନ୍ୟୁ ଜେନା।

ଅଭିମନ୍ୟୁଙ୍କ ଅଭିଯୋଗ ମୁତାବକ ତାଙ୍କ ପୁତ୍ର ତପନ ଜେନା (୩୫) ପ୍ରତିଦିନ ପରି ଆଜି ମା’ ମେଘାମ୍ବରୀ ମନ୍ଦିର ନିକଟରେ ଥିବା ଏକ ଗ୍ୟାରେଜକୁ କାମ କରିବାକୁ ଯାଇଥିଲେ। ହେଲେ କାମ କରିବା ସମୟରେ ସିଲୁ ପ୍ରଧାନ ନାମକ ଯୁବକ ଏବଂ ଅନ୍ୟମାନେ ତପନଙ୍କୁ ମାରଣାସ୍ତ୍ର ସହ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ପରବର୍ତ୍ତୀ ସମୟରେ ତପନଙ୍କ ମସ୍ତିଷ୍କକୁ ପଛପଟୁ ସିଲୁ ଏକ ହାତୁଡି ଦ୍ୱାରା ଶକ୍ତ ପ୍ରହାର କରିଥିଲେ। ସଙ୍ଗେସଙ୍ଗେ ତପନ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ। ଗ୍ୟାରେଜ କର୍ମଚାରୀମାନେ ତପନଙ୍କ ପରିବାରବର୍ଗକୁ ସୂଚନା ଦେବା ସହ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବାଣପୁର ମେଡିକାଲକୁ ନେଇଥିବା ବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିଦେଇଥିଲେ।

କିନ୍ତୁ ବ୍ରହ୍ମପୁରରେ ଚିକିତ୍ସା ସମ୍ଭବ ହୋଇନପାରିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ବର୍ତ୍ତମାନ ତପନ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ବାଣପୁର ପୋଲିସ କେଶ ନମ୍ବର ୬୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ସିଲୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାକି ମାଗିବାରୁ ବଚସା: ଦୋକାନୀର ଘରେ ପଶି ହତ୍ୟା କଲେ ଦୁର୍ବୃତ୍ତ

ହେମାଙ୍ଗ ପ୍ରସାଦ ରାଉଳ

କୁକୁଡାଖଣ୍ଡି: ପ୍ରଥମେ ଦୋକନରୁ ବାକିରେ ଖାଇଲେ ପଇସା ମାଗିବାରୁ ସଂଘବଦ୍ଧ ହୋଇ ଆସି ଘରେ ପଶି ହତ୍ୟା କଲେ। ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି କୁକୁଡାଖଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଅନ୍ତଗତ ନୁଆ ଅନନ୍ତେଇ ଗ୍ରାମରେ। ହତ୍ୟାର ଶିକାର ହୋଇଛନ୍ତି ୪୦ ବର୍ଷୀୟ ଦୁଷ୍ମନ୍ତ ବେହେରା।

ଘଟଣାରୁ ପ୍ରକାଶ ଯେ, ରବିବାର ରାତ୍ର ୯ଟା ସମୟରେ ଦୁଷ୍ମନ୍ତ କରିଥିବା ପାନ ଦୋକାନକୁ ଦୁଇ ଜଣ ବ୍ୟକ୍ତି ଯାଇ ପାଣି ଓ ସିଗାରେଟ ମାଗିଥିଲେ। ପଇସା ମାଗିବାରୁ ବାକିରେ ଦେବାକୁ କହିଥିଲେ। ସେଠାରେ ସାମାନ୍ୟ ବଚସା ହୋଇଥିଲା। ପରେ ଦୁଷ୍ମନ୍ତ ଦୋକାନ ବନ୍ଦକରି ଘରକୁ ଚାଲିଯାଇଥିଲେ। ବାକି ମାଗିଥିବା ଦୁଇ ଯୁବକଙ୍କ ସହ ୧୦ ଜଣରୁ ଊର୍ଦ୍ଧ୍ଵ ବ୍ୟକ୍ତି ଆସି ଘରେ ପଶି ଦୁଷ୍ମନ୍ତଙ୍କୁ ଲୁହା ରଡ ଓ ଖଣ୍ଡାରେ ଆକ୍ରମଣ ସହ ପଥର ଛେଚି ଦେଇଥିଲେ।

ଏହା ଦେଖି ତାଙ୍କ ଭାଇ ବିକ୍ରମ ଚୌଧୁରୀ ଛଡାଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଉଭୟକୁଂ ଛଡାଇବାକୁ ଯାଇ ତାଙ୍କ ମା ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ଦୁଇ ଭାଇ ଆହାତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ  ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠା, ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁରମୁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ମା ସାତଭଉଣୀ ମନ୍ଦିର କାମକୁ ନେଇ ଆକ୍ରମଣକାରୀ ଦୁର୍ବୃତ୍ତ ଓ ଦୁଷ୍ମନ୍ତଙ୍କ ମଧ୍ୟରେ ଶତୃତା ଲାଗିରହିଥିଲା। ଦୁଷ୍ମନ୍ତ ଏକ ରାଜନୈତିକ ଦଳର କର୍ମୀ ଥିବା ବେଳେ ଆକ୍ରମଣକାରୀ ଦୁର୍ବୃତ୍ତମାନେ ଉକ୍ତ ଦଳର ହୋଇଥିବା ସୂଚନା ମିଳିଛି।

ପୂର୍ବରୁ ଉକ୍ତ ଅଞ୍ଚଳର ଚାଞ୍ଚଡାପଲ୍ଲୀ ଗ୍ରାମରେ ଜଣେ ଯୁବକ ବଚନ ସ୍ବାଇଁକୁ ତାସ ଖେଳ ଲାଗିଥିବା ବେଳେ ସଂଘବଦ୍ଧ ଆକ୍ରମଣ କରି ମାରିଥିଲେ। ଉକ୍ତ ଘଟଣାରେ ପୋଲିସ ଦୁଇଜଣକୁଂ ଗିରଫ କରିଥିଲା। ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ବଢାଇବା ପାଇଁ ଦାବି କରିଛନ୍ତି।