Categories
ବିଶେଷ ଖବର

ଅଗ୍ନିପଥ ଯୋଜନାକୁ ବିରୋଧ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା, ଦେଶର ଅନେକ ସ୍ଥାନରେ କରିବ ପ୍ରଦର୍ଶନ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ଚାଲିଛି। ଏହି ସମୟରେ, କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ବିରୋଧ କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ବର୍ତ୍ତମାନ ଅଗ୍ନିପଥ ଯୋଜନା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇବା ପାଇଁ ଘୋଷଣା କରିଛି। କୃଷକ ସଂଗଠନ ସହ ଜଡିତ ଲୋକମାନେ ଆଜି ଦେଶର ଅନେକ ସ୍ଥାନରେ ଏହି ଯୋଜନା ବିରୋଧରେ ପ୍ରଦର୍ଶନ କରିବେ।

ପ୍ରଥମେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଅନେକ ସ୍ଥାନରେ ହିଂସା ମଧ୍ୟ ହୋଇଥିଲା। ତା’ପରେ ରାଜନୈତିକ ଦଳମାନେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ବର୍ତ୍ତମାନ କୃଷକ ସଂଗଠନ ସହ ଜଡିତ ଲୋକମାନେ ଅଗ୍ନିପଥ ଯୋଜନା ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। କୃଷକମାନଙ୍କ ସହ ଜଡିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ସାରା ଦେଶରେ ପ୍ରଦର୍ଶନ କରିବେ। ଏହା ହେଉଛି ସମାନ ସଂଗଠନ ଯାହାର ନେତୃତ୍ୱରେ କୃଷି ସଂଶୋଧନ ଆଇନକୁ ବିରୋଧ କରାଯାଇଥିଲା।

କୃଷକ ନେତା ରାକେଶ ଟିକାଏତ ଜୁନ୍ ୨୦ ତାରିଖରେ କହିଥିଲେ ଯେ, ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲା ତଥା ତହସିଲ ମୁଖ୍ୟାଳୟରେ ଅଗ୍ନିପଥ ଯୋଜନା ବିରୋଧରେ ପ୍ରଦର୍ଶନ କରିବ। ଏହି ପ୍ରତିବାଦକୁ ସଫଳ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଯୁବକ, ରାଜନୈତିକ ଦଳ ଏବଂ ସାଧାରଣ ଲୋକଙ୍କୁ ଏହି ବିରୋଧରେ ଯୋଗଦେବାକୁ ନିବେଦନ କରିଛନ୍ତି। ଜୁନ ୩୦ ତାରିଖରେ ଅଗ୍ନିପଥ ଯୋଜନା ବିରୋଧରେ ପ୍ରଦର୍ଶନ ଲାଗି ଆହ୍ଵାନ ଦିଆଯାଇଛି।

ଅନ୍ୟପକ୍ଷରେ, ଅଗ୍ନିପଥ ଯୋଜନା ବିରୋଧରେ ବିରୋଧୀ ମଧ୍ୟ ଏକଜୁଟ ହୋଇଛନ୍ତି। ଦୁଇ ଦିନ ପୂର୍ବେ ପାଟନାରେ ମହାମେଣ୍ଟ ରାସ୍ତାରେ ଯାଇ ଏହାକୁ ସରକାର ଫେରାଇ ନେବାକୁ ଦାବି କରିଥିଲେ। ଏଥି ସହିତ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଛାଡିବାକୁ ମନୋବୃତ୍ତିରେ ନାହିଁ। ଜନ୍ତର ମନ୍ତରରେ କଂଗ୍ରେସ ନିରନ୍ତର ସତ୍ୟାଗ୍ରହ କରୁଛି। ଆଉ ଏବେ ଛତିଶଗଡ କଂଗ୍ରେସ ମଧ୍ୟ ଏହି ପ୍ରତିବାଦ ପାଇଁ ପ୍ରସ୍ତୁତ ହୋଇଛି।

ଏଥି ସହିତ ବିହାରରେ ଶାସକ ଦଳ ବିଜେପି ଏବଂ ଜେଡିୟୁ ମଧ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଲାଗି ରହିଛି। ଅଗ୍ନିପଥ ଯୋଜନା ସମ୍ପର୍କରେ ବିହାରର ଶକ୍ତି ମନ୍ତ୍ରୀ ବିଜନ୍ଦ୍ର ଯାଦବ କହିଛନ୍ତି ଯେ ବିଜେପି ସହ ଆମର ମିଳିତମେଣ୍ଟ ଅଛି, ଆମେ ସେମାନଙ୍କର ଗୁଲାମି ନୁହଁ। ଗତ କିଛି ଦିନ ଧରି ବହୁ ସଂଖ୍ୟାରେ ଛାତ୍ର ଅଗ୍ନିପଥ ଯୋଜନା ବିରୁଦ୍ଧରେ ବିରୋଧ କରିଥିଲେ। ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଓ ହିଂସା ଘଟଣା ମଧ୍ୟ ଘଟିଥଲା।

Categories
ଆଜିର ଖବର ରାଜ୍ୟ ଖବର

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭୁବନେଶ୍ୱରରେ ବିଜୟ ଉତ୍ସବ ପାଳନ

ଭୁବନେଶ୍ୱର: ଐତିହାସିକ କୃଷକ ଆନ୍ଦୋଳନର ଅଦ୍ଭୁତପୂର୍ବ ବିଜୟ ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ବିଜୟ ଉତ୍ସବ ପାଳନ ହୋଇଯାଇଛି। ଏହି ବିଜୟ ସଭାରେ କୃଷକ ଏବଂ ଶ୍ରମିକ ନେତାମାନେ ସମବେତ ହୋଇ ବକ୍ତବ୍ୟ ରଖି କହିଥିଲେ ଯେ, ଜନ ଆନ୍ଦୋଳନର ଚାପ ଆଗରେ ମୋଦି ସରକାର ମୁଣ୍ଡ ନୁଆଁଇ ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି।

କୃଷକ ବିରୋଧୀ କର୍ପୋରେଟ ସପକ୍ଷବାଦୀ ତିନି କୃଷି ଆଇନକୁ ସଂସଦରେ ରଦ୍ଦ କରିବା ପାଇଁ ବାଧ୍ୟ ହୋଇଛନ୍ତି। ଏହା ସହିତ ସବୁ ଫସଲର ଏମ୍‌ଏସ୍‌ପି ପାଇଁ ଆଇନଗତ ଗ୍ୟାରେଣ୍ଟି କରିବା, ଜନବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୦କୁ ପ୍ରତ୍ୟାହାର କରିବା, ଆନ୍ଦୋଳନରତ କୃଷକମାନଙ୍କ ଉପରେ ହୋଇଥିବ ମୋକଦ୍ଦମା ଗୁଡ଼ିକୁ ପ୍ରତ୍ୟାହାର କରିବା, ଦିଲ୍ଲୀ ପାଶ୍ୱର୍ବର୍ତ୍ତୀ ରାଜ୍ୟମାନଙ୍କରେ ନଡ଼ା ଜାଳିବା ପାଇଁ ଚାଷୀମାନଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ଆଇନକୁ ପ୍ରତ୍ୟାହାର କରିବା ଇତ୍ୟାଦି ଦାବିଗୁଡ଼ିକୁ ପୂରଣ କରିବା ନିମନ୍ତେ ଭାରତ ସରକାର ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଏକ ଚିଠିରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଲିଖିତ ପ୍ରତିଶ୍ରୁତିକୁ ଆଧାର କରି କୃଷକ ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ଏବଂ ଦିଲ୍ଲୀ ସୀମାନ୍ତରୁ ଚାଷୀମାନେ ନିଜ ନିଜ ଗାଁକୁ ଫେରିବା ଆରମ୍ଭ କରିଛନ୍ତି। ପୁଣି ସଂଯୁକ୍ତ କିଷାନ ମୋର୍ଚ୍ଚାର ପରବର୍ତ୍ତୀ ବୈଠକ ଜାନୁୟାରୀ ୧୫ ତାରିଖରେ ଅନୁଷ୍ଠିତ ହୋଇ ଆନ୍ଦୋଳନର ସମୀକ୍ଷା କରିବା ସହିତ ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା କରାଯିବ।

ଆଜି ସାରା ଦେଶରେ ବିଜୟ ଦିବସ ପାଳନ ଅବସରରେ ଆନ୍ଦୋଳନକାରୀ କୃଷକ ଏବଂ ଲଗାତର ଭାବେ ସମର୍ଥନ ଦେଇଥିବା ଶ୍ରମିକ, ମହିଳା, ଯୁବଛାତ୍ର ଓ ଗଣତାନ୍ତ୍ରିକ ଶକ୍ତିମାନଙ୍କୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ସ୍ପଷ୍ଟ ଭାବରେ କହିଛି ଯେ, କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭବିଷ୍ୟତର ଆନ୍ଦୋଳନ ପାଇଁ ସଂଯୁକ୍ତି କିଷାନ ମୋର୍ଚ୍ଚାର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ।

ଆଜି ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ଶ୍ରୀକାନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ରାଉତ, ଜଗନ୍ନାଥ ମିଶ୍ର, ସନ୍ତୋଷ ରଥ, ରାଧାକାନ୍ତ ସେଠି, ନାରାୟଣ ରେଡ଼ି, ପୁଷ୍ପା ଦାସ, ମହେନ୍ଦ୍ର ପରିଡ଼ା, ମହମ୍ମଦ ସୁକ୍ରୁ, ଡଃ ଶ୍ରୀଚରଣ ବେହେରା, ରମେଶ ଜେନା, ଦେବପ୍ରସାଦ ରାୟ ମହାପାତ୍ର, ନିରଞ୍ଜନ ମହାନ୍ତି, ଅରୁଣ ଜେନା, ହେନା ବାରିକ, ବିଶ୍ୱପ୍ରିୟ କାନନୁଗୋ, ପ୍ରଶାନ୍ତ ପାଇକରାୟ, ଦୁର୍ଗାପ୍ରସାଦ ଦାସ, ସୁଦର୍ଶନ ପ୍ରଧାନ, ପ୍ରଭାସ ମହାପାତ୍ର, ଅଶୋକ ସାହୁ, ପ୍ରଭାତ ପାଣିଗ୍ରାହୀ, ମାନସ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ପାଢୀ, ଚାମ୍ବୁର ସୋରେନ, ରବୀନ୍ଦ୍ର ଟୁଡ଼ୁ ପ୍ରମୁଖ ବହୁ ନେତୃତ୍ୱ ବକ୍ତବ୍ୟ ଦେଇଥିଲେ। ନରେନ୍ଦ୍ର ମହାନ୍ତି ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏମଏସପି ପ୍ରସଙ୍ଗରେ ଆଲୋଚନା ଲାଗି କୃଷକ ସଂଗଠନ ଠାରୁ ପାଞ୍ଚଟି ନାମ ମାଗିଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ଏମଏସପି ସମେତ ଅନେକ ପ୍ରସଙ୍ଗରେ କମିଟି ଗଠନ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଠାରୁ ପାଞ୍ଚଟି ନାମ ମାଗିଛନ୍ତି। କୃଷକ ସଂଗଠନଗୁଡ଼ିକ ସହିତ ସରକାର ଏମଏସପି ବିଷୟରେ ଆଲୋଚନା କରିବେ। ସୂତ୍ରରୁ ପ୍ରକାଶ ଯେ, କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ଶୀଘ୍ର ସମାପ୍ତ କରିପାରନ୍ତି। ସମସ୍ତଙ୍କ ସହମତିରେ ଡିସେମ୍ବର ୪ ତାରିଖରେ ଆନ୍ଦୋଳନ ଶେଷ କରିବାକୁ କୃଷକ ସଂଗଠନ ଏକ ତାରିଖ ଦେଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ।

କୃଷକ ନେତା ସତନାମ ସିଂ ଅଜନାଲା କହିଛନ୍ତି ଯେ, ଏମଏସପି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କମିଟି ଗଠନ ପାଇଁ ସରକାର ୫ଟି ନାମ ମାଗିଛନ୍ତି। ଆସନ୍ତାକାଲି ସୁଦ୍ଧା ୫ ଟି ନାମ ସ୍ଥିର କରାଯାଇ ସରକାରଙ୍କ ନିକଟକୁ ପଠାଯିବ।

ଆସନ୍ତାକାଲି ହରିୟାଣା ସରକାରଙ୍କ ସହ କୃଷକଙ୍କ ବୈଠକ:

ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ହରିୟାଣା ସରକାର ଚାଷୀଙ୍କ ସହ ଏକ ବୈଠକ କରିବେ। ଏହି ସମୟ ମଧ୍ୟରେ ସରକାର ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର ଉପରେ ଆଲୋଚନା କରିବେ। ଉଲ୍ଲେଖ ଯୋଗ୍ୟ ଯେ, ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ମଧ୍ୟ ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲାର ତାଲିକା ମାଗିଛନ୍ତି।

କୃଷକ ସଂଗଠନର ଦାବି କ’ଣ?:

କୃଷି ଆଇନ ପ୍ରତ୍ୟାହାର ପରେ ମଧ୍ୟ କୃଷକ ସଂଗଠନ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ସରକାର ଏମଏସପି ଗ୍ୟାରେଣ୍ଟିର ଏକ ଆଇନ ପ୍ରଣୟନ କରନ୍ତୁ, ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରନ୍ତୁ, ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି କୃଷକ ସଂଗଠନ ଦାବି କରୁଛନ୍ତି। ଏହା ବ୍ୟତୀତ କୃଷକ ସଂଗଠନ ମଧ୍ୟ ଲକ୍ଷ୍ମୀପୁର ଖେରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ପିତା ତଥା ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବି କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାରତ ବନ୍ଦରେ ବିକ୍ଷୋଭ କରି ‘ଆମ ଅଧିକାର’ କର୍ମୀ ଗିରଫ

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦକୁ ସମର୍ଥନ କରି ଆଜି ଆମ ଅଧିକାର ପକ୍ଷରୁ ନବୀନ ନିବାସ, ରାଜମହଲ ଛକ ଓ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଳା କୃଷି ନୀତି ବାତିଲ ଦାବିରେ ‘ଆମ ଅଧିକାର’ର କର୍ମକର୍ତ୍ତାମାନେ ଫରେଷ୍ଟ ପାର୍କସ୍ଥିତ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ। ଅଧାବାଟରେ ପୋଲିସ୍ ବାଧା ଦେବାରୁ ପୋଲିସ୍ ସହ ସେଠାରେ ଧସ୍ତାଧସ୍ତି ହୋଇଥିଲା। ପରେ ଶୋଭଯାତ୍ରା ରାଜମହଲ ଛକରେ ପହଞ୍ôଚ ସେଠାରେ ରାସ୍ତାରୋକ କରାଯାଇଥିଲା।

ଆମ ଅଧିକାରର ଆନ୍ଦୋଳନକୁ ସମର୍ଥନ ଜଣାଇ ଶ୍ରମିକ ସଂଗଠନ ‘ବିଟୁ’ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଏଜିଛକ ଅଭିମୁଖେ ଯାତ୍ରା କରିଥିଲା। ସେଠାରୁ ସଚିବାଳୟମାର୍ଗ ଦେଇ ଶୋଭଯାତ୍ରା ଯାଉଥିବା ସମୟରେ ପୋଲିସ୍ ରାସ୍ତା ଅବରୋଧ କରିବାରୁ କର୍ମୀମାନେ ରାସ୍ତାରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା, ମାନସ ସାହୁ ଏବଂ ବିଟୁ ପକ୍ଷରୁ ବିକ୍ରମ ନାୟକ ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇ ଆନ୍ଦୋଳନରତ କୃଷକମାନଙ୍କୁ ସମର୍ଥନ ଜ୍ଞାପନ କରିଥିଲେ।

କୃଷକ ବିରୋଧୀ କୃଷିନୀତି ସମ୍ପୂର୍ଣ୍ଣ ବାତିଲ ନହେବା ଯାଏ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଘୋଷଣା କରିଥିଲେ। ସଞ୍ଜୟ ପରିଡ଼ା, ଜଗନ ସାହୁ, ସୁବାଷ କୁମାର ତାରଣିଆଁ, କ୍ରିଷ୍ଣା ଶତପଥୀ, ରାହୁଲ ମହାପାତ୍ର ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ପୋଲିସ୍ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଥିଲା।