ଏମଏସପି ପ୍ରସଙ୍ଗରେ ଆଲୋଚନା ଲାଗି କୃଷକ ସଂଗଠନ ଠାରୁ ପାଞ୍ଚଟି ନାମ ମାଗିଲା କେନ୍ଦ୍ର ସରକାର

Published: Nov 30, 2021, 7:17 pm IST

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ଏମଏସପି ସମେତ ଅନେକ ପ୍ରସଙ୍ଗରେ କମିଟି ଗଠନ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଠାରୁ ପାଞ୍ଚଟି ନାମ ମାଗିଛନ୍ତି। କୃଷକ ସଂଗଠନଗୁଡ଼ିକ ସହିତ ସରକାର ଏମଏସପି ବିଷୟରେ ଆଲୋଚନା କରିବେ। ସୂତ୍ରରୁ ପ୍ରକାଶ ଯେ, କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ଶୀଘ୍ର ସମାପ୍ତ କରିପାରନ୍ତି। ସମସ୍ତଙ୍କ ସହମତିରେ ଡିସେମ୍ବର ୪ ତାରିଖରେ ଆନ୍ଦୋଳନ ଶେଷ କରିବାକୁ କୃଷକ ସଂଗଠନ ଏକ ତାରିଖ ଦେଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ।

କୃଷକ ନେତା ସତନାମ ସିଂ ଅଜନାଲା କହିଛନ୍ତି ଯେ, ଏମଏସପି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କମିଟି ଗଠନ ପାଇଁ ସରକାର ୫ଟି ନାମ ମାଗିଛନ୍ତି। ଆସନ୍ତାକାଲି ସୁଦ୍ଧା ୫ ଟି ନାମ ସ୍ଥିର କରାଯାଇ ସରକାରଙ୍କ ନିକଟକୁ ପଠାଯିବ।

ଆସନ୍ତାକାଲି ହରିୟାଣା ସରକାରଙ୍କ ସହ କୃଷକଙ୍କ ବୈଠକ:

ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ହରିୟାଣା ସରକାର ଚାଷୀଙ୍କ ସହ ଏକ ବୈଠକ କରିବେ। ଏହି ସମୟ ମଧ୍ୟରେ ସରକାର ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର ଉପରେ ଆଲୋଚନା କରିବେ। ଉଲ୍ଲେଖ ଯୋଗ୍ୟ ଯେ, ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ମଧ୍ୟ ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲାର ତାଲିକା ମାଗିଛନ୍ତି।

କୃଷକ ସଂଗଠନର ଦାବି କ’ଣ?:

କୃଷି ଆଇନ ପ୍ରତ୍ୟାହାର ପରେ ମଧ୍ୟ କୃଷକ ସଂଗଠନ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ସରକାର ଏମଏସପି ଗ୍ୟାରେଣ୍ଟିର ଏକ ଆଇନ ପ୍ରଣୟନ କରନ୍ତୁ, ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରନ୍ତୁ, ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି କୃଷକ ସଂଗଠନ ଦାବି କରୁଛନ୍ତି। ଏହା ବ୍ୟତୀତ କୃଷକ ସଂଗଠନ ମଧ୍ୟ ଲକ୍ଷ୍ମୀପୁର ଖେରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ପିତା ତଥା ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବି କରୁଛନ୍ତି।

Related posts