ଭାରତ ବନ୍ଦରେ ବିକ୍ଷୋଭ କରି ‘ଆମ ଅଧିକାର’ କର୍ମୀ ଗିରଫ

Published: Mar 26, 2021, 8:48 pm IST

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦକୁ ସମର୍ଥନ କରି ଆଜି ଆମ ଅଧିକାର ପକ୍ଷରୁ ନବୀନ ନିବାସ, ରାଜମହଲ ଛକ ଓ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଳା କୃଷି ନୀତି ବାତିଲ ଦାବିରେ ‘ଆମ ଅଧିକାର’ର କର୍ମକର୍ତ୍ତାମାନେ ଫରେଷ୍ଟ ପାର୍କସ୍ଥିତ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ। ଅଧାବାଟରେ ପୋଲିସ୍ ବାଧା ଦେବାରୁ ପୋଲିସ୍ ସହ ସେଠାରେ ଧସ୍ତାଧସ୍ତି ହୋଇଥିଲା। ପରେ ଶୋଭଯାତ୍ରା ରାଜମହଲ ଛକରେ ପହଞ୍ôଚ ସେଠାରେ ରାସ୍ତାରୋକ କରାଯାଇଥିଲା।

ଆମ ଅଧିକାରର ଆନ୍ଦୋଳନକୁ ସମର୍ଥନ ଜଣାଇ ଶ୍ରମିକ ସଂଗଠନ ‘ବିଟୁ’ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଏଜିଛକ ଅଭିମୁଖେ ଯାତ୍ରା କରିଥିଲା। ସେଠାରୁ ସଚିବାଳୟମାର୍ଗ ଦେଇ ଶୋଭଯାତ୍ରା ଯାଉଥିବା ସମୟରେ ପୋଲିସ୍ ରାସ୍ତା ଅବରୋଧ କରିବାରୁ କର୍ମୀମାନେ ରାସ୍ତାରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା, ମାନସ ସାହୁ ଏବଂ ବିଟୁ ପକ୍ଷରୁ ବିକ୍ରମ ନାୟକ ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇ ଆନ୍ଦୋଳନରତ କୃଷକମାନଙ୍କୁ ସମର୍ଥନ ଜ୍ଞାପନ କରିଥିଲେ।

କୃଷକ ବିରୋଧୀ କୃଷିନୀତି ସମ୍ପୂର୍ଣ୍ଣ ବାତିଲ ନହେବା ଯାଏ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଘୋଷଣା କରିଥିଲେ। ସଞ୍ଜୟ ପରିଡ଼ା, ଜଗନ ସାହୁ, ସୁବାଷ କୁମାର ତାରଣିଆଁ, କ୍ରିଷ୍ଣା ଶତପଥୀ, ରାହୁଲ ମହାପାତ୍ର ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ପୋଲିସ୍ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଥିଲା।

Related posts