Categories
ବିଶେଷ ଖବର ରାଜ୍ୟ ଖବର

ଯୁବ ସମାଜ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ପ୍ରଚାର ପ୍ରସାର କରିବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ଏକ ବ୍ୟକ୍ତିସତ୍ତା ନୁହେଁ ବଂର ଏକ ଚିରଞ୍ଜିବୀ ଚେତନା। ଏହି ନାମ ଏକ ଅତୁଳନୀୟ ଆଦର୍ଶ ଓ ଆଧ୍ୟତ୍ମିକତା ମାଧ୍ୟମରେ ଜୀବନବୋଧକୁ ଉପଲବ୍ଧି କରିବାର ପବିତ୍ର ଓଁକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଯୁବ ଦିବସ ପାଳନ ଅବସରରେ କହିଛନ୍ତି।

ଭୁବନେଶ୍ୱର ରାମକୃଷ୍ଣ ମିଶନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ବିବେକାନନ୍ଦଙ୍କ ଛବି ଆଜି ପର୍ଯ୍ୟନ୍ତ ଜଣେ ତେଜସ୍ୱୀ, ବାଗ୍ମୀ ଓ ମହାନ୍ ସଂଗ୍ରାମୀ ସନ୍ୟାସୀ ଭାବେ ଅମଳିନ ରହିଛି। ବିବେକାନନ୍ଦ ଥିଲେ ଜଣେ ଯୁବ ସନ୍ୟାସୀ ଯିଏ କି ଭାରତର ଯୁବ ସମାଜକୁ ନିଜର ଅସ୍ମିତା ଉପରେ ଗର୍ବ କରିବାକୁ ଶିଖାଇଥିଲେ।

ସେ ପୁଣି କହିଥିଲେ ଆଜି ଆମେ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଯୁବ ଦିବସ ଭାବେ ପାଳନ କରୁଛୁ। ଆମର ଯୁବ ସମାଜ ଯେତେ ଉନ୍ନତି କରୁ, ଯେତେ ସଫଳ ହେଉ ଜଣେ ଭାରତୀୟ ଭାବରେ ପ୍ରଥମେ ଗର୍ବ ଅନୁଭବ କରିବା ଏବଂ ଭାରତୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ଦର୍ଶନ ତତ୍ତ୍ୱକୁ ଜାଣିବା ଓ ଏହାର ପ୍ରଚାର ପ୍ରସାର କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାମୀ ବିବେକାନନ୍ଦଙ୍କର ଚିକାଗୋ ଧାର୍ମିକ ସଭାରେ ଅଭିଭାଷଣ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା। ଏହା ମାଧ୍ୟମରେ ଭାରତର ଧାର୍ମିକ ଓ ଦର୍ଶନ ତତ୍ତ୍ୱ ସମ୍ପର୍କରେ ବିଶ୍ୱ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିଥିଲା ଏବଂ ଆମେ ଆମ ଧାର୍ମିକ ଓ ଦର୍ଶନ ତତ୍ତ୍ୱର ମହତ୍ତ୍ୱକୁ ବୁଝିଥିଲୁ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ଆମ ଯୁବ ସମାଜର। ଯୁବ ସମାଜକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଦେଶ ତଥା ରାଜ୍ୟର ଅର୍ଥନୈତିକ ସମୃଦ୍ଧି ପାଇଁ ଉଦ୍ୟମ କରିବା ସହିତ ଆମ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ଆସନ୍ତୁ ଏହି ଦିବସ ଅବସରରେ ସଂକଳ୍ପନେବା।

ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କହିଥିଲେ ଯେ, ଭାରତୀୟ ଯୁବ ସମାଜ ପାଇଁ ଏକ ଅଦ୍ୱିତୀୟ ପ୍ରେରଣା ହେଉଛନ୍ତି ସ୍ୱାମୀ ବିବେକାନନ୍ଦ । ସ୍ୱାମୀ ବିବେକାନନ୍ଦ ଭାରତବର୍ଷର ଆତ୍ମାକୁ ଜାଗରିତ କରିଥିଲେ। ଭାରତ ବର୍ଷକୁ ନେଇ ସ୍ୱାମୀଜୀଙ୍କ ଅଭିମାନ ଓ ସ୍ୱାଭିମାନ ଥିଲା ଅତୁଳନୀୟ । ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କମ୍ ବୟସରୁ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ପରାମର୍ଶ ଦେଇ ସେ କହିଥିଲେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଯଦି ଆମେ ଅନୁପାଳନ କରିବା ତେବେ ଆମ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବ।

ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ କହିଥିଲେ ଯେ, ସ୍ୱାମୀ ବିବେକାନନ୍ଦ ଥିଲେ ଭାରତୀୟ ଯୁବ ସମାଜର ପ୍ରତୀକ। ଚିକାଗୋରେ ସ୍ୱାମୀଜୀଙ୍କ ତିନି ମିନିଟର ବକ୍ତବ୍ୟ ତାଙ୍କୁ ବିଶ୍ୱବିଖ୍ୟାତ କରିଦେଇଥିଲା। ଭାରତର ଯୁବ ନେତୃତ୍ୱକୁ ସେ ପ୍ରତିପାଦିତ କରିଥିଲେ ଚିକାଗୋରେ। ଆମ ଭାରତୀୟ ମାନଙ୍କ ଚିନ୍ତାଧାରା ହେଉଛି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ। ଆଜିର ଦିବସ ହେଉଛି ଏ ଦେଶକୁ ବିଶ୍ୱ ମାନଚିତ୍ରରେ ଶ୍ରେଷ୍ଠ ଦେଶ କରିବା ପାଇଁ ସଂକଳ୍ପବଦ୍ଧ ହେବାର ଦିବସ। ମୋ ଦେଶ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ର ହେବ ଏହି ଚିନ୍ତାଧାରା ନେଇ ଆମକୁ ଆଗକୁ ବଢିବାକୁ ପଡିବ ବୋଲି ସେ କହିଥିଲେ।

ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଡି.ଏ.ଭି ପୋଖରୀପୁଟର ଛାତ୍ର ଜଗଦୀଶ ଆଚାର୍ଯ୍ୟ ସ୍ୱାମୀଜୀଙ୍କ ସ୍ୱଦେଶ ମନ୍ତ୍ର ସମସ୍ତଙ୍କୁ ପାଠ କରାଇଥିଲେ।

କାର୍ଯ୍ୟକ୍ରମରେ ରାମକୃଷ୍ଣ ମିଶନର ସମ୍ପାଦକ ତଥା ଅଧ୍ୟକ୍ଷ ସ୍ୱାମୀ ଆତ୍ମା ପ୍ରଭାନନ୍ଦଜୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶ୍ରୀ ବ୍ରଜ କିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଛଟ୍ ମହାପର୍ବର ରୀତିନୀତି ଦେଶବାସୀଙ୍କୁ ନୂତନ ଶକ୍ତି ଓ ଉତ୍ସାହରେ ଭରି ଦେଇଥାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ଅର୍ଘ୍ୟର ପବିତ୍ର ପର୍ବ ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଏହି ମହାପର୍ବର ଚାରି ଦିନିଆ ରୀତିନୀତି ନାଗରିକମାନଙ୍କୁ ନୂତନ ଶକ୍ତି ଏବଂ ଉତ୍ସାହରେ ଭରି ଦେଇଥାଏ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଛଟ୍ ମହାପର୍ବର ଚାରି ଦିନିଆ ରୀତିନୀତିରେ ପ୍ରକୃତି ଏବଂ ସଂସ୍କୃତିର ଯେଉଁ ଝଲକ ଦେଖିବାକୁ ମିଳିଛି, ତାହା ଦେଶବାସୀଙ୍କ ମଧ୍ୟରେ ଏକ ନୂତନ ଶକ୍ତି ତଥା ଉତ୍ସାହ ଭରିବାକୁ ଯାଉଛି। ସକାଳ ଅର୍ଘ୍ୟର ଏହି ପବିତ୍ର ପର୍ବ ଅବସରରେ ଦେଶବାସୀଙ୍କୁ ବହୁତ ଶୁଭକାମନା।”

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏବଂ ଓଡ଼ିଶା ମଧ୍ୟରେ ବୁଝାମଣା ଚୁକ୍ତିପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ନୂଆଦିଲ୍ଲୀ, ଆଜାଦ ଭବନ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ରାଜ୍ୟ ସରକାରଙ୍କ ପକ୍ଷରୁ ସାଂସ୍କୃତିକ, କଳା ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟକୁ ନେଇ ଭାରତ ସରକାରଙ୍କ ସହିତ ଏକ ଚୁକ୍ତିପତ୍ର (MOU) ସ୍ୱାକ୍ଷର କରିଛନ୍ତି । ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR), ଭାରତ ସରକାରଙ୍କ ପକ୍ଷରୁ ଅଞ୍ଜୁ ରଂଜନ, ଡେପୁଟି ଡାରେକ୍ଟର ଜେନେରାଲ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ।

ପୂର୍ବରୁ ୨୦୨୨ ମସିହା ନଭେମ୍ବର ୧୧ ତାରିଖରେ “ଭାରତୀୟ ରାଜ୍ୟ ଗୁଡିକର ସାଂସ୍କୃତିକ ସମ୍ମେଳନ” (Bharat Ke Rajyon Ka Sanskrutic Sammelan)”ରେ ଦେଶର ୨୧ ଗୋଟି ରାଜ୍ୟ ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ସହିତ ଏହି ଚୁକ୍ତିନାମା ସ୍ୱାକ୍ଷର କରିସାରିଛନ୍ତି ।

ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଓଡ଼ିଶା ସରକାର ତା.୨୭.୦୯.୨୦୨୪ ରିଖରେ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ଯାହାଦ୍ୱାରା କି ICCR ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହେବା ସହିତ ବିଦେଶରେ ସରକାରଙ୍କର ସାଂସ୍କୃତିକ ଏବଂ କୁଟନୀତିଜ୍ଞ ସମ୍ପର୍କର ଅଭିବୃଦ୍ଧି ଘଟିବ । ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଭାରତ ସହିତ ବିଦେଶରେ ଓଡ଼ିଶାର ଅନନ୍ୟ ସାଂସ୍କୃତିକ ପରମ୍ପରା ଓ ପର୍ଯ୍ୟଟନର ବିନିମୟ ହେବା ସହିତ ଅର୍ଥନୀତିର ଅଭିବୃଦ୍ଧି ଘଟିବ ।

ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ICCR) ଏବଂ ଓଡ଼ିଶା ସରକାର ମିଳିତ ଭାବରେ ବିଭିନ୍ନ ଏକାଡେମିକ୍‌, ସାଂସ୍କୃତିକ ଏବଂ କଳା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଦେଶ ତଥା ବିଦେଶରେ ଆୟୋଜନ ଓ ପରିଚାଳନା କରିପାରିବେ । ଯାହା ଦ୍ୱାରା କି, ଓଡ଼ିଶାର ସମୃଦ୍ଧ କଳା ସଂସ୍କୃତି ଦେଶବିଦେଶରେ ପ୍ରଚାର ପ୍ରସାର ହୋଇପାରିବ ।

ବିଦେଶରେ ଓଡ଼ିଆ ଅସ୍ମିତା ବହନ କରୁଥିବା ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିର ପରିପ୍ରକାଶ, ପ୍ରଚାର ପ୍ରସାର ଏବଂ ବିକାଶ କ୍ଷେତ୍ରରେ ପ୍ରଥମଥର ପାଇଁ ଭାରତ ସରକାରଙ୍କ ସହିତ ଓଡ଼ିଶା ସରକାର ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

‘ଗୁହାରି ୨୦୨୪’ କାର୍ଯ୍ୟକ୍ରମର ଉଦ୍‍ଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର ନୈବେଦ୍ୟ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ଗୁହାରି ୨୦୨୪ର ଶୁକ୍ରବାର ଥିଲା ଉଦ୍‍ଯାପନୀ ସଂଧ୍ୟା। ପୁରୀର ଶ୍ରୀମନ୍ଦିର ମୁକ୍ତିର ମାର୍ଗ ପ୍ରଦର୍ଶକ। ଏ ମନ୍ଦିର ଏକ ଅପୂର୍ବ ରହସ୍ୟମୟ ମନ୍ଦିର। ଶ୍ରୀବତ୍ସ ଖଣ୍ଡଶାଳ ପ୍ରସ୍ତରରେ ଗଠିତ ମନ୍ଦିରର ଗର୍ଭଗୃହ, ମୁଖଶାଳା, ଭୋଗ ମଣ୍ଡପ, ନାଟ୍ୟ ମଣ୍ଡପ ତଥା ବିଜେ ମଣ୍ଡପ ଅନିନ୍ଦ୍ୟ ଓ ଅପରୂପ ସୌନ୍ଦର୍ଯ୍ୟର ପରିପାଟୀରେ ସର୍ବାଦୌ ଅନତିକ୍ରମଣୀୟ।

ଉଦ୍‍ଯାପନୀ ସଂଧ୍ୟାର ପ୍ରଥମ କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ, ସେ ପରିବେଷଣ କରିଥିଲେ ବିଶ୍ୱମ୍ବରଙ୍କ ରଚନାରୁ ଦୁଃଖ ନାସନ ଗରୁଡ଼ାସନ ଓ କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ରଚିତ ସବୁଥିରୁ ବଞ୍ôଚତ କରି। ପରେ ପରେ ସ୍ୱାଗତ ମହାପାତ୍ର ବନମାଲୀଙ୍କ ରଚିତ ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଓ ମଣିମା ହେ ଏତିକି ମାଗୁଣୀ ମୋର ଗାୟନ କରିଥିଲେ।

ପରବର୍ତ୍ତୀ ଗାୟିକା ଥିଲେ ଅମ୍ରିତା ନାୟକ, ସେ ପରିବେଷଣ କରିଥିଲେ ଥକାମନ ଚାଲ ଯିବା ଓ ଶ୍ରୀକୃଷ୍ଣ ବଂଶୀ ଧ୍ୱନୀ ଶୁଣି। ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ସୁଶାନ୍ତ କୁମାର ପାଣି, ସେ ଦୀନକୃଷ୍ଣଙ୍କ ରଚିତ ଜୟ ଜଗବନ୍ଧୁ ହେ ଯଦୁମଣି ଓ ଆହେ ନିଳାଦ୍ରୀ ବିହାରୀ ଗାୟନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ପରେ ଗୀତାମଞ୍ଜରୀ ବେହେରା ଗାୟନ କରିଥିଲେ ରାସେ ହରିମିହ ବିହିତ ବିଳାସମ୍‍ ଓ ମହାବାହୁ ହେ ଏହି କଥାରେ ମୋ ମନ। ତାଙ୍କ ପରେ ତନ୍ମୟ କୁମାର ହୋତା ଜଗବନ୍ଧୁ ପରି ଜଣେ ସାମନ୍ତ ଓ କର ନିଷ୍କାମ ଭକ୍ତି ସ୍‍ବଚିତ୍ତେ ହୋ ଗାୟନ କରିଥିଲେ।

ପରବର୍ତ୍ତୀ ଗାୟିକା ଥିଲେ ଭାରତୀ ଜେନା, ସେ ବନମାଳୀଙ୍କ ରଚିତ ଦୁଃଖ ନାସନ ହେ, ସୁଖ ନପାଇଲି ଦିନେ ଓ ତୁମ ପରି ମୋତେ କାଠ କରିଦିଅ ପରିବେଷଣ କରିଥିଲେ। ପରେ ପରେ ଅର୍ପିତା ଚୌଧୁରୀ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ମାନ ଉଦ୍ଧାରଣ ଓ ବନମାଳୀଙ୍କ ଦ୍ୱାରା ରଚିତ ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ ଗାୟନ କରିଥିଲେ।

ଶେଷରେ ଗଗନବିହାରୀ ସ୍ୱାଇଁ କହ କହ ପ୍ରଭୁ କେଉଁ ପରି ତୁମେ ଓ ମନ ମନ୍ଦିର ମୋ ମୁକୁଳା ରଖିଛି। ସମସ୍ତ କଣ୍ଠଶିଳ୍ପୀ ଜଗନ୍ନାଥଙ୍କ ଉପରେ ସଙ୍ଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ସେମାନଙ୍କୁ ତବଲାରେ ବିଭୂପ୍ରସାଦ ନନ୍ଦ, ଢୋଲକରେ ମନୀଷ ରାଜ ନନ୍ଦ, ବଂଶୀରେ ଶ୍ୟାମ ରାଓ, ଅକ୍‍ଟୋପ୍ୟାଡ଼ରେ ଅନିଲ ଦାସ, କିବୋର୍ଡ଼ରେ ପରମାନନ୍ଦ ସାହୁ ଏବଂ ହାରମୋନିୟମ୍‍ରେ ବିବେକାନନ୍ଦ ରାଉତ ସହଯୋଗ କରିଥିଲେ।

ଉଦ୍‍ଯାପନୀ ଉତ୍ସବଟିକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‍ଘାଟନ କରିଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ ସ୍ୱାଇଁ; ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ଡ଼କ୍ଟର ବସନ୍ତ ପଣ୍ଡା; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁରୁ ସିକତା ଦାସ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ବିଶ୍ଵଜିତ ବଳିଆରସିଂହ।

Categories
ବିଶେଷ ଖବର

ସାଂସଦଙ୍କ ଯୁକ୍ତି: ପ୍ରେମ ବିବାହ, ଲିଭ୍‍ ଇନ୍‍ରୁ ନଷ୍ଟ ହେଉଛି ବଂଶ ଓ ସଂସ୍କୃତି

ନୂଆଦିଲ୍ଲୀ: ଦେଶରେ ଲିଭ୍ ଇନ୍ ରିଲେସନ୍ ସିପ୍‍କୁ ନିଷିଦ୍ଧ କରିବା ପାଇଁ ସରକାର ଆଇନ ପ୍ରଣୟନ କରନ୍ତୁ ଏବଂ ପ୍ରେମ ବିବାହରେ ପିତାମାତାଙ୍କ ସହମତି ବାଧ୍ୟତାମୂଳକ କରାଯାଉ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ସାଂସଦ ଲୋକସଭାରେ ଦାବି ଉଠାଇଛନ୍ତି। ଏହା ବେଆଇନ ବୋଲି ସାଂସଦ ଦାବି କରିଛନ୍ତି।

ହରିୟାଣାର ଭିଓ୍ଵାନି-ମହେନ୍ଦ୍ରଗଡ଼ରୁ ବିଜେପିର ଲୋକସଭା ସଦସ୍ୟ ଧର୍ମବୀର ସିଂହ ଲୋକସଭାରେ ଶୂନ୍ୟକାଳରେ କହିଛନ୍ତି ଯେ ଦେଶରେ ପ୍ରେମ ବିବାହ ବୃଦ୍ଧି ଯୋଗୁଁ ଛାଡ଼ପତ୍ର ମାମଲା ବୃଦ୍ଧି ପାଇଛି ଏବଂ ‘ଲିଭ୍ ଇନ୍’ ସମ୍ପର୍କ ଦେଶର ସଂସ୍କୃତିକୁ ନଷ୍ଟ କରୁଛି। ଆରେଞ୍ଜ ମ୍ୟାରେଜ୍ ସପକ୍ଷରେ ସେ ଯୁକ୍ତି ବାଢ଼ିଥିଲେ।

ସିଂହ କହିଛନ୍ତି ଯେ, ଭାରତୀୟ ସମାଜରେ ପାରମ୍ପରିକ ଭାବରେ ପୁଅ ଓ ଝିଅଙ୍କ ସହମତିରେ ପରିବାର ଦ୍ୱାରା ବିବାହ ଆୟୋଜନ କରାଯାଏ। ଏଭଳି ସମ୍ପର୍କରେ ପରିବାରର ପୃଷ୍ଠଭୂମିକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି। ସେ ଦାବି କରିଛନ୍ତି ଯେ ଗତ କିଛିବର୍ଷ ମଧ୍ୟରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ଭଳି ଆମ ଦେଶରେ ଛାଡ଼ପତ୍ର ମାମଲା ବୃଦ୍ଧି ପାଇଛି ଏବଂ ଏହାର ଏକମାତ୍ର କାରଣ ହେଉଛି ପ୍ରେମ ବିବାହ।

ବିଜେପି ସାଂସଦ କହିଛନ୍ତି ଯେ ଏଭଳି ସମ୍ପର୍କରେ ପରବର୍ତ୍ତୀ ସମୟରେ ଝଗଡ଼ା ବଢ଼ିଯାଏ ଏବଂ ଉଭୟ ପକ୍ଷର ବଂଶବାଦ ନଷ୍ଟ ହୋଇଯାଏ। ପ୍ରେମ ବିବାହ ମାମଲାରେ ପୁଅ ଓ ଝିଅର ପିତାମାତା ଏବଂ ଉଭୟ ପକ୍ଷର ସହମତି ବାଧ୍ୟତାମୂଳକ କରାଯାଉ ବୋଲି ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ଲିଭ୍ ଇନ୍ ରିଲେସନ୍ ସିପ୍ ଭଳି ସାମାଜିକ କୁସଂସ୍କାର ବୃଦ୍ଧି ପାଉଛି, ଯାହାର ପରିଣାମ ଭୟଙ୍କର ହୋଇଥାଏ। ଏହା ଆମ ସଂସ୍କୃତିକୁ ନଷ୍ଟ କରୁଛି।

ଏଭଳି ଚାଲିଲେ ଯେଉଁ ସଭ୍ୟତା ଓ ସଂସ୍କୃତି ପାଇଁ ଆମେ ପରିଚିତ, ତାହା ଦିନେ ଲୋପ ପାଇବ ବୋଲି ସେ କହିଛନ୍ତି। ସିଂ କହିଛନ୍ତି ଯେ ଲିଭ୍ ଇନ୍ ସମ୍ପର୍କକୁ ରୋକିବା ପାଇଁ ଦେଶରେ ଏକ ଆଇନ ପ୍ରଣୟନ କରାଯିବା ଉଚିତ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି ସିନେମା

ଭାରତର ସିନେମା ପରମ୍ପରାକୁ ସଂରକ୍ଷିତ ରଖିବା ପ୍ରୟାସକୁ ଭାରତୀୟ ଅଭିନେତା, ନିର୍ଦ୍ଦେଶକଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସିନେମା କେବଳ ମନୋରଞ୍ଜନ ନୁହେଁ; ଏହା ଏକ ଦେଶର ସଂସ୍କୃତି, ଇତିହାସ ଏବଂ ସାମାଜିକ ବିକାଶର ପ୍ରତିଫଳନ। ଭାରତ ଭଳି ବିବିଧ ଓ ସାଂସ୍କୃତିକ ସମୃଦ୍ଧ ଦେଶରେ ସିନେମା ଐତିହ୍ୟ ସଂରକ୍ଷଣର ଗୁରୁତ୍ୱକୁ ଅଣଦେଖା କରାଯାଇ ପାରିବ ନାହିଁ। କିନ୍ତୁ କିମ୍ବଦନ୍ତୀ ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ନିର୍ମିତ ଏହି ସିନେମା ରତ୍ନଗୁଡ଼ିକ ମଧ୍ୟରୁ ଅନେକ ଚଳଚ୍ଚିତ୍ର ମୁଦ୍ରଣର ଅବନତି ଏବଂ ଉପଯୁକ୍ତ ସଂରକ୍ଷଣ ଅଭାବରୁ ସମୟ ସହିତ ଏହା ନଷ୍ଟ ହେବାର ଆଶଙ୍କା ରହିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନର ଏକ ଅଂଶ ଭାବରେ ପୁରୁଣା କ୍ଲାସିକଗୁଡ଼ିକର ପୁନରୁଦ୍ଧାର ଏବଂ ସଂରକ୍ଷଣ ପାଇଁ କରିଥିବା ପ୍ରୟାସକୁ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନେ ପ୍ରଶଂସା କରିଛନ୍ତି, ଯେଉଁମାନେ ବିଶ୍ୱ ସିନେମା ଦିବସ ଅବସରରେ ଭାଷଣ ଦେଇ ଭାରତର ପୁନରୁଦ୍ଧାର ହୋଇଥିବା ରତ୍ନ ଦେଖିବାର ଅଭିଜ୍ଞତା ବଖାଣିଥିଲେ ଏବଂ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ତଥା ଦାଦା ସାହେବ ଫାଲକେ ପୁରସ୍କାର ୨୦୨୩ ଗ୍ରହଣ କରିଥିବା ୱାହିଦା ରେହମାନ, ରେଶମା ଓର ଶେରା, ଗାଇଡ୍, ଚୌଦଭି କା ଚାନ୍ଦ ଭଳି କ୍ଲାସିକ୍ ଚଳଚ୍ଚିତ୍ର ପାଇଁ ଜଣାଶୁଣା, ପୁନରୁଦ୍ଧାର ହୋଇଥିବା କ୍ଲାସିକ୍ ଦେଖିବାର ଅନୁଭୂତି ବାଣ୍ଟି କହିଛନ୍ତି, “ମୁଁ ମୋର ନିଜ ପିକ୍‌ଚର (ଚଳଚ୍ଚିତ୍ର) ଦେଖିବାକୁ ପସନ୍ଦ କରେ ନାହିଁ, କାରଣ ଏଥିରେ ସମସ୍ତ ପ୍ରକାର ତ୍ରୁଟି ଦେଖାଯାଏ, କିନ୍ତୁ ମୁଁ ଗାଇଡ୍ ର ପୁନରୁଦ୍ଧାର ସଂସ୍କରଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ୬୦ ବର୍ଷ ପରେ, ଏହା ଏକ ଉତ୍କୃଷ୍ଟ ଏବଂ ପରିପକ୍ୱ ଚିତ୍ର ହୋଇ ରହିଛି ଯାହା ବହୁତ ମନୋରଞ୍ଜନକାରୀ ମଧ୍ୟ ଅଟେ। ମୋ ପାଖରେ ମୋ ଝିଅ ସହିତ ବଡ଼ ପରଦାରେ ଏହାକୁ ଦେଖିବା ଏକ ସ୍ୱତନ୍ତ୍ର ରୋମାଞ୍ଚ ଥିଲା। ମୁଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ସେମାନେ ଏହି ଚଳଚ୍ଚିତ୍ର ଗୁଡ଼ିକର ପୁନରୁଦ୍ଧାର କରିଛନ୍ତି ଏବଂ ଭବିଷ୍ୟତ ପିଢ଼ି ଉପଭୋଗ କରିବା ପାଇଁ ଏହାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଗୋବିନ୍ଦ ନିହଲାନୀ କହିଛନ୍ତି, ‘ମୋ ଫିଲ୍ମ ‘ଅଘାତ’ର ପୁନରୁଦ୍ଧାର ହୋଇଥିବା ସଂସ୍କରଣ ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ଶବ୍ଦ ଗୁଣବତ୍ତା, କଲର ସଂଶୋଧନ, ଗ୍ରେନ୍ ମ୍ୟାନେଜମେଣ୍ଟ; ସବୁକିଛି ଉତ୍କୃଷ୍ଟ ଥିଲା। ମୁଁ ଖୁସି ଯେ ଏମଆଇବି ଏବଂ ଏନଏଫଡିସି-ଏନଏଫଏଆଇ ମୋର ୩୫ ମିଲିମିଟର ଚଳଚ୍ଚିତ୍ର ଅଘାତକୁ ପୁନରୁଦ୍ଧାର କରିଛନ୍ତି।

ବାସ୍ତବରେ, ଏନଏଫଡିସି-ଏନଏଫଏଆଇ ଭାରତର ସିନେମା ସମ୍ପଦର ସୁରକ୍ଷା ଏବଂ ସଂରକ୍ଷଣ ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହା ସୁନିଶ୍ଚିତ କରିଛି ଯେ ଭବିଷ୍ୟତ ପିଢ଼ି ଭାରତୀୟ ସିନେମାର ସମୃଦ୍ଧ ଟେପେଷ୍ଟ୍ରିକୁ ପ୍ରବେଶ କରିପାରିବେ ଏବଂ ପ୍ରଶଂସା କରିପାରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ ଏକ ସରକାରୀ ପଦକ୍ଷେପ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ବିଶାଳ ସିନେମା ଐତିହ୍ୟର ସଂରକ୍ଷଣ, ସଂରକ୍ଷଣ ଏବଂ ଡିଜିଟାଇଜ୍ କରିବା। ଏନ୍ଏଫ୍ଏଚ୍ଏମ୍ ହେଉଛି ଏକ ବିଶାଳ ଉଦ୍ୟୋଗ ଯାହା ଚଳଚ୍ଚିତ୍ର ସଂରକ୍ଷଣର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରେ, ଯେଉଁଥିରେ ଖରାପ ହେଉଥିବା ଚଳଚ୍ଚିତ୍ରଗୁଡ଼ିକର ପୁନରୁଦ୍ଧାର, ଚଳଚ୍ଚିତ୍ର ପ୍ରିଣ୍ଟର ଡିଜିଟାଇଜେସନ୍, ଡକ୍ୟୁମେଣ୍ଟେସନ୍ ଏବଂ ପ୍ରତିଷେଧକ ସଂରକ୍ଷଣ ଅନ୍ତର୍ଭୁକ୍ତ, ଯାହା ଏନଏଫଡିସି-ଏନଏଫଏଆଇର ପୁନେ କ୍ୟାମ୍ପସରେ ଅତ୍ୟାଧୁନିକ ପୁନରୁଦ୍ଧାର ଏବଂ ଡିଜିଟାଇଜେସନ ସୁବିଧାରେ କରାଯାଇଥାଏ। ନିର୍ଦ୍ଦେଶକ ବିଜୟ ଆନନ୍ଦଙ୍କ ପୁଅ ତଥା ଅଭିନେତା ଦେବ ଆନନ୍ଦଙ୍କ ପୁତୁରା ବୈଭବ ଆନନ୍ଦ, ଯିଏ କି ନିକଟରେ ତାଙ୍କ ଦାଦା ଦେବ ଆନନ୍ଦଙ୍କ ଚଳଚ୍ଚିତ୍ରର ସ୍କ୍ରିନିଂ ଦେଖିବା ପାଇଁ ଏବଂ ଦେବ ଆନନ୍ଦଙ୍କ ଚଳଚ୍ଚିତ୍ରର ମୂଳ ପୋଷ୍ଟରର ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ, କହିଛନ୍ତି, “ଏନଏଫଡିସି-ନ୍ୟାସନାଲ ଫିଲ୍ମ ଆର୍କାଇଭ୍ ଅଫ୍ ଇଣ୍ଡିଆ ଏବଂ ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ ଅଧୀନରେ ଏହା ଏକ ମହାନ ପଦକ୍ଷେପ। ପୁନେସ୍ଥିତ ଏନଏଫଡିସି-ଏନଏଫଏଆଇରେ ଅନ୍ତର୍ଜାତୀୟ ଏବଂ ଭାରତୀୟ ଜ୍ଞାନକୌଶଳ ଏବଂ ଦକ୍ଷତାର ମିଶ୍ରଣ ମାଧ୍ୟମରେ ଭାରତର ଚଳଚ୍ଚିତ୍ରଗୁଡ଼ିକର ଲାଇବ୍ରେରୀ ପୁନରୁଦ୍ଧାର ଏବଂ ସଂରକ୍ଷଣ କରାଯାଉଛି।

ଏହି ପ୍ରଗତିଶୀଳ ପଦକ୍ଷେପ ପାଇଁ ମୁଁ ଭାରତ ସରକାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ବାସ୍ତବରେ ବିଭିନ୍ନ ମହାନ ଚଳଚ୍ଚିତ୍ର ନିର୍ମାତାଙ୍କ ପରିବାର ସଦସ୍ୟ ମାନେ ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରିଛନ୍ତି। ଶ୍ରୀ ଭରତ ଭୂଷଣଙ୍କ ନାତୁଣୀ ବିଷ୍ଣୁପ୍ରିୟା ପଣ୍ଡିତ କହିଛନ୍ତି, ଜଣେ ସିନେପ୍ରେମୀ ଏବଂ ଉତ୍ସାହୀ ସିନେମା ପ୍ରେମୀ ହିସାବରେ ଭାରତୀୟ ସିନେମାର ସୁବର୍ଣ୍ଣ ଇତିହାସକୁ ନବୀକରଣ କରିବା ପାଇଁ ଏନ୍ଏଫଡିସି-ଏନ୍ଏଫ୍ଏଆଇ ଦ୍ୱାରା ନିଆଯାଇଥିବା ପ୍ରୟାସକୁ ମୁଁ ପ୍ରକୃତରେ ପ୍ରଶଂସା କରୁଛି। ନାତୁଣୀ ହିସାବରେ ମୋ ଜେଜେବାପା ଶ୍ରୀ ଭରତ ଭୂଷଣଙ୍କୁ ରୂପେଲି ପରଦାରେ ଦେଖିବା ଏକ ଜୀବନବ୍ୟାପୀ ଇଚ୍ଛା ଥିଲା ଏବଂ ଏହାକୁ ଥିଏଟରରେ ଅନୁଭବ କରିବା ଏକ ଅତ୍ୟନ୍ତ ଆନନ୍ଦର ବିଷୟ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ‘ବରସାତ କି ରାତ’ର ପୁନରୁଦ୍ଧାର କରିଥିବାରୁ ମୁଁ ଏନଏଫଡିସି-ଏନଏଫଏଆଇକୁ ଧନ୍ୟବାଦ ଜଣାଉଛି ଯେ ସେମାନେ ଏହି ଚଳଚ୍ଚିତ୍ରକୁ ରୂପେଲି ପରଦାରେ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ଅନୁଭୂତି ମୋ ସହିତ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିବ।

ଆଗାମୀ ମାସଗୁଡ଼ିକରେ, ଏନଏଫଏଚଏମର ଏକ ଅଂଶ ଭାବରେ ବିଭିନ୍ନ ଭାଷାରେ ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ପୁନରୁଦ୍ଧାର କରାଯାଉଛି, ଯେଉଁଥିରେ ଅନେକ ଭାରତୀୟ ଭାଷାର ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ଯାହା ଭାରତୀୟ ସିନେମାର ସମୃଦ୍ଧ ଇତିହାସର ଅଂଶ ଅଟେ। ଚଳଚ୍ଚିତ୍ର ପୁନରୁଦ୍ଧାର ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟା ବିଷୟରେ ଏନଏଫଡିସିର ଏମଡି ପୃଥୁଲ କୁମାର କହିଛନ୍ତି, “ଏନଏଫଏଚଏମର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କ୍ଲାସିକ ଫିଲ୍ମର ପୁନରୁଦ୍ଧାର। ସମୟ ଅତିବାହିତ ହେବା, ଅନୁପଯୁକ୍ତ ସଂରକ୍ଷଣ ଏବଂ ବିଭିନ୍ନ ପରିବେଶଗତ କାରଣରୁ ଅନେକ ପୁରୁଣା ଚଳଚ୍ଚିତ୍ର ପ୍ରିଣ୍ଟ ଖରାପ ଅବସ୍ଥାରେ ରହିଛି। ଏହି ସିନେମାଗୁଡ଼ିକୁ ସତର୍କତାର ସହ ସଂରକ୍ଷଣ କରା ନ ଗଲେ ସବୁଦିନ ପାଇଁ ହଜିଯିବାର ଆଶଙ୍କା ରହିଛି। ପୁରୁଣା ଏବଂ ଖରାପ ପ୍ରିଣ୍ଟଗୁଡ଼ିକୁ ସତର୍କତାର ସହ ପୁନରୁଦ୍ଧାର କରାଯାଏ, ଯାହା ସୁନିଶ୍ଚିତ କରେ ଯେ ଚଳଚ୍ଚିତ୍ରର ମୂଳ ଗୁଣବତ୍ତା ବଜାୟ ରହିବ। ଏନଏଫଏଚଏମ୍ ର ଅନ୍ୟତମ ପ୍ରମୁଖ ଉପାଦାନ ହେଉଛି ଚଳଚ୍ଚିତ୍ରର ଡିଜିଟାଇଜେସନ୍। ଏହି ପ୍ରକ୍ରିୟାରେ ଆନାଲଗ ଫିଲ୍ମ ପ୍ରିଣ୍ଟଗୁଡିକୁ ସ୍କାନିଂ କରିବା ଏବଂ ଡିଜିଟାଲ ଫର୍ମାଟରେ ରୂପାନ୍ତରିତ କରିବା ଅନ୍ତର୍ଭୁକ୍ତ, ଯାହା କେବଳ ସେମାନଙ୍କର ଦୀର୍ଘକାଳୀନ ସଂରକ୍ଷଣକୁ ସୁନିଶ୍ଚିତ କରେ ନାହିଁ ବରଂ ଏହାକୁ ବ୍ୟାପକ ଦର୍ଶକଙ୍କ ପାଇଁ ଉପଲବ୍ଧ କରିଥାଏ। ଡିଜିଟାଇଜେସନ୍ ପ୍ରକ୍ରିୟା କ୍ଲାସିକ୍ ଚଳଚ୍ଚିତ୍ରଗୁଡ଼ିକର ପୁନରୁଦ୍ଧାର ଏବଂ ବିତରଣକୁ ସହଜରେ ଉପଲବ୍ଧ କରାଇଥାଏ, ଯାହା ଭବିଷ୍ୟତ ପିଢ଼ି ପାଇଁ ଅଧ୍ୟୟନ ଏବଂ ଉପଭୋଗ ପାଇଁ ଉପଲବ୍ଧ କରାଇଥାଏ। ଏହି ପ୍ରୟାସ ମାଧ୍ୟମରେ, ଏନଏଫଡିସି-ଏନଏଫଏଆଇ ସୁନିଶ୍ଚିତ କରେ ଯେ ବିଗତ ଦିନର ସିନେମା ରତ୍ନଗୁଡିକ ସମୟର ବିପର୍ଯ୍ୟୟରେ ଯେପରି ହଜିନଯିବ। ‘ବରସାତ୍ କି ରାତ’, ‘ସି.ଆଇ.ଡି’ (୧୯୫୬), “ଗାଇଡ୍” (୧୯୬୫), “ଜୁଏଲ୍ ଥିଫ୍” (୧୯୬୭), “ଜନି ମେରା ନାମ” (୧୯୭୦), “ବିସ୍ ସାଲ ବାଦ” (୧୯୬୨), ‘ଆଘାତ’ (୧୯୮୫) ଭଳି ସିନେମା ଏବଂ ଆହୁରି ଅନେକ ଙ୍କୁ ମୁକ୍ତିଲାଭର ଦଶନ୍ଧି ପରେ ୪କେ ରିଜୋଲ୍ୟୁସନରେ ରୂପେଲି ପରଦାକୁ ଅଣାଯାଇଛି।

ଏନଏଫଡିସିଏନଏଫଏଆଇ ବିଷୟରେ:

ପୁନେରେ ମୁଖ୍ୟାଳୟ ଥିବା ଏନଏଫଡିସି-ଏନଏଫଏଆଇ ଭାରତ ଏବଂ ସମଗ୍ର ବିଶ୍ୱରୁ ଚଳଚ୍ଚିତ୍ର ସଂଗ୍ରହ, ତାଲିକାକରଣ ଏବଂ ସଂରକ୍ଷଣ ପାଇଁ ଦାୟୀ। ସାଇଲେଣ୍ଟ କ୍ଲାସିକ୍, ଡକ୍ୟୁମେଣ୍ଟାରୀ, ଫିଚର ଫିଲ୍ମ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ସମେତ ୩୦,୦୦୦ ରୁ ଅଧିକ ଚଳଚ୍ଚିତ୍ର ଟାଇଟଲର ଏକ ବିଶାଳ କଲେକ୍‌ସନ ସହିତ, ଏନଏଫଏଆଇ ଭାରତର ସିନେମା ଇତିହାସର ରକ୍ଷକ ଭାବରେ କାର୍ଯ୍ୟ କରେ।

ଚଳଚ୍ଚିତ୍ର ସଂରକ୍ଷଣ ପାଇଁ ଏନଏଫଏଆଇର ପ୍ରତିବଦ୍ଧତା ସହିତ ଏହାର ଅତ୍ୟାଧୁନିକ ଚଳଚ୍ଚିତ୍ର ସଂରକ୍ଷଣ ସୁବିଧା, ତାପମାତ୍ରା ନିୟନ୍ତ୍ରିତ ଭଲ୍ଟ ଏବଂ ବିଶେଷଜ୍ଞ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ , ଯେଉଁମାନେ ଚଳଚ୍ଚିତ୍ର ରିଲ୍ ର ଯତ୍ନ ପାଇଁ ଉତ୍ସର୍ଗୀକୃତ ଅଟନ୍ତି। ଏନଏଫଏଚଏମ ଅଧୀନରେ ଏନଏଫଡିସି-ଏନଏଫଏଆଇ ଚଳଚ୍ଚିତ୍ର ପୁନରୁଦ୍ଧାର ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି, ଯାହାର ଲକ୍ଷ୍ୟ ଖରାପ ହେଉଥିବା ଚଳଚ୍ଚିତ୍ରଗୁଡ଼ିକୁ ସେମାନଙ୍କର ମୂଳ ଗୌରବକୁ ଫେରାଇ ଆଣିବା। ଏନଏଫଡିସି-ଏନଏଫଏଆଇ ସିନେମା କ୍ଷେତ୍ରରେ ଗବେଷଣା ଏବଂ ଶିକ୍ଷାର ଏକ କେନ୍ଦ୍ର ଭାବରେ ମଧ୍ୟ କାର୍ଯ୍ୟ କରେ। ସ୍କଲାର, ଚଳଚ୍ଚିତ୍ର ନିର୍ମାତା ଏବଂ ସିନେପ୍ରେମୀମାନେ ଶିକ୍ଷାଗତ ଏବଂ ସୃଜନଶୀଳ ଉଦ୍ଦେଶ୍ୟରେ ଏହାର ସମ୍ବଳ ବ୍ୟବହାର କରିପାରିବେ। ଏହା କେବଳ ଭାରତର ସିନେମା ଇତିହାସକୁ ଗଭୀର ଭାବରେ ବୁଝିବାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଅତୀତରୁ ପ୍ରେରଣା ନେଇ ନୂତନ କୃତି ସୃଷ୍ଟି କୁ ମଧ୍ୟ ପ୍ରୋତ୍ସାହିତ କରେ। ଚଳଚ୍ଚିତ୍ରଗୁଡ଼ିକର ସଂରକ୍ଷଣ ଏବଂ ଡିଜିଟାଇଜେସନ୍, ମାଧ୍ୟମର ପ୍ରଶଂସା କୁ ପ୍ରୋତ୍ସାହିତ କରିବା ଏବଂ ସିନେମା କ୍ଷେତ୍ରରେ ଗବେଷଣା ଏବଂ ସୃଜନଶୀଳତାକୁ ସମର୍ଥନ କରି, ଏନଏଫଡିସି-ଏନଏଫଏଆଇ ସୁନିଶ୍ଚିତ କରେ ଯେ ଭବିଷ୍ୟତ ପିଢ଼ି ଭାରତର ବିବିଧ ସିନେମା ଇତିହାସ ସହିତ ଯୋଡ଼ି ହୋଇପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ‘ଜି-୨୦’ ସମ୍ମିଳନୀ, କେବେ ଏବଂ କେଉଁ ବିଷୟରେ ହେବ ଆଲୋଚନା

ଭୁବନେଶ୍ବର: ଓଡିଶାରେ ହେବ ଅନ୍ତର୍ଜାତୀୟ ଜି-୨୦ ବୈଠକ। ଏଥିରେ ଜି-୨୦ର ସଦସ୍ୟ ଥିବା ୨୦ଟି ରାଷ୍ଟ୍ରର ପ୍ରତିନିଧି ଓଡିଶା ଆସି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିପାଇଁ ଓଡିଶା ସରକାର ବର୍ତ୍ତମାନଠାରୁ ତତ୍ପରତା ପ୍ରକାଶ କରିଛନ୍ତି। ହକି ପରି ଅନ୍ତର୍ଜାତୀୟ ମ୍ୟାଚକୁ ସଫଳତାର ସହିତ ପରିଚାଳନା କରିଥିବାରୁ ଏହାକୁ ମଧ୍ୟ ସଫଳ କରିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଠା ଆରମ୍ଭ କରିଛନ୍ତି।

ଜି-୨୦ କାର୍ଯ୍ୟକ୍ରମ ସୂଚନା ଅନୁଯାୟୀ ଓଡିଶାରେ ଦୁଇଟି ବିଷୟରେ ଆଲୋଚନା ହେବ ବୋଲି ନିଷ୍ପତି ହୋଇଛି। ତାହା ହେଲା ‘ସଂସ୍କୃତି’ ଏବଂ ‘ଶିକ୍ଷା’। ଆସନ୍ତା ଏପ୍ରିଲ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଉପରେ ଆଲୋଚନା କରାଯିବ। ସେହିପରି ସଂସ୍କୃତି ଉପରେ ଆଲୋଚନା ମେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ। ସମସ୍ତ ପ୍ରତିନିଧି ମେ ୧୬ ତାରିଖରେ କୋଣାର୍କ ପରିଭ୍ରମଣରେ ଯିବେ ବୋଲି ନିର୍ଦ୍ଧାରିତ ହୋଇଛି।

ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ସଂସ୍କୃତି ବିଷୟରେ ଯେଉଁ ବୈଠକ ହେବ ତାହାକୁ ବିଶ୍ବ ଐତିହ୍ୟ କୋଣାର୍କରେ ଆୟୋଜନ କରାଯିବ। ହେଲେ କେନ୍ଦ୍ର ସରକାର ସମସ୍ତ ବୈଠକକୁ ଭୁବନେଶ୍ବରରେ କରିବା ପାଇଁ ପରାମର୍ଶ ଦେଇଥିବାରୁ ତାହାକୁ ବାତିଲ କରାଯାଇଛି।

ଏ ନେଇ ରାଜ୍ୟ ସରକାର ଶିଳ୍ପ ବିଭାଗକୁ ନୋଡାଲ ଏଜେନସି ଭାବେ ମନୋନିତ କରିଛନ୍ତି। ଏହି ବିଭାଗ ସମସ୍ତ ବୈଠକକୁ ପରିଚାଳନା କରିବେ। ତେବେ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଅନ୍ୟ ସ୍ଥାନରେ କିପରି ହେଉଛି ସେ ନେଇ ରାଜ୍ୟର ବରିଷ୍ଠ ଅଧିକାରୀମାନେ ବର୍ତ୍ତମାନ ଚାଲିଥିବା ବୈଠକରେ ଯୋଗଦେଇ ଅନୁଧ୍ୟାନ କରିବେ ବୋଲି ନିଷ୍ପତି ହୋଇଛି। ଏଥିସହିତ ମୁଖ୍ୟ ଶାସନ ସଚିବ ଏ ନେଇ ପ୍ରସ୍ତୁତି ବୈଠକ କରିବେ। ଏହି ବୈଠକରେ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବେ।

ଜି-୨୦ ସଦସ୍ୟ ରାଷ୍ଟ୍ରର ପ୍ରତିନିଧୀଙ୍କୁ ଓଡିଶା ଉପରେ ଏକ ଭଲ ଛବି ସୃଷ୍ଟି କରିବା ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ମଧ୍ୟ ପଦକ୍ଷେପ ଆରମ୍ଭ କରିଛି। ନିକଟରେ ହକି ଚମ୍ପିୟାନସିପରେ ଯେପରି ଭୁବନେଶ୍ବରୁ ସଜେଇ ଦିଆଯାଇଥିଲା, ପୁଣି ଥରେ ସେହିପରି କରାଯିବ ବୋଲି ଜଣାପଡିଛି। ଏ ନେଇ କେତେକ ଅଧିକାରୀ ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିସାରିଛନ୍ତି।

ଜି-୨୦ ର ବିଭିନ୍ନ ସମ୍ମିଳନୀ ବର୍ତ୍ତମାନ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଛି। ଏଥିରେ ପରିବେଷ ପରିବର୍ତ୍ତନ, ଅର୍ଥନୈତିକ ସ୍ଥିତି, ଶିଳ୍ପ, ବାଣିଜ୍ୟ, କୃଷି, ସ୍ବାସ୍ଥ୍ୟ ପରି ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେଉଛି। ଏହି ଜି-୨୦ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଇୟୁ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଏବଂ ଆମେରିକା ସଦସ୍ୟ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ପର୍ଯ୍ୟଟନ କେବଳ ମନୋରଞ୍ଜନ, ସଂସ୍କୃତି ଏବଂ ଐତିହ୍ୟକୁ ଜାଣିବାର ବିଷୟ ନୁହେଁ ବରଂ ପର୍ଯ୍ୟଟନ ଏକ ଅର୍ଥନୈତିକ ପ୍ରସଙ୍ଗ। ପର୍ଯ୍ୟଟନ ମାଧ୍ୟମରେ ଆମ ଦେଶର ଆର୍ଥିକ ଶକ୍ତି ଆହୁରି ମଜଭୂତ୍ ହେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଐତିହାସିକ ଲାଲକିଲ୍ଲାର ପ୍ରାଙ୍ଗଣରେ ‘ଭାରତ ପର୍ବ ୨୦୨୩’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ପର୍ବ ଲୋକଙ୍କ ଉତ୍ସାହ ଓ ଦେଶ ପ୍ରତି ଲୋକଙ୍କର ଥିବା ଶ୍ରଦ୍ଧାକୁ ପ୍ରତିଫଳିତ କରୁଛି। ଦେଶର ସାଂସ୍କୃତିକ ଓ ପର୍ଯ୍ୟଟନକୁ ଉଲ୍ଲେଖ କରିବାକୁ ଯାଇ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ଅନେକ ବିଷୟରେ ନିଜ ଅଭିଭାଷଣରେ ପ୍ରଦାନ କରିଛନ୍ତି। ଦେଶରେ ରାମ ମନ୍ଦିର ନିର୍ମାଣ ହେଉଛି, କାଶୀ ବିଶ୍ୱନାଥ କୋରିଡର ହୋଇଛି, ମହାକାଳଲୋକ ନୂଆ ରୂପ ନେଇଛି। ଦେଶର ଅନେକ ପ୍ରାନ୍ତରେ ଐତିହ୍ୟ କ୍ଷେତ୍ରରେ ନୂଆ ରୂପ ଆସିଛି। କରୋନାର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ସାଧାରଣ ନାଗରିକମାନେ ଏହି ପର୍ଯ୍ୟଟନ ସୁବିଧାର ଆନନ୍ଦ ନେଉଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟକୁ ଆଜି ଅଭିଭାଷଣରେ ଉଲ୍ଲେଖ କରି ଦେଶର ଗୌରବ ବଢାଇଥିବାରୁ ରାଷ୍ଟ୍ରପତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଭାରତ ପର୍ବର ସଫଳତା ପାଇଁ ପର୍ଯ୍ୟଟନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଭାରତ ପର୍ବରେ ବିକ୍ରି ହେଉଥିବା ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ। ସେ କହିଥିଲେ ଲୋକମାନେ ଆମର ସ୍ୱଦେଶୀ ସାମଗ୍ରୀ କିଣିଲେ ଭାରତର କଳା ବଞ୍ଚିବ ଓ ଗରିବ ଘରେ ସମ୍ପନ୍ନତା ପହଞ୍ଚିବ। ଭାରତର କୁଶଳୀ କାରିଗରୀ, ବୁଣାକାର ମଧ୍ୟ ଆମ ଅର୍ଥନୀତିର ଆଉ ଏକ ମେରୁଦଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶକୁ ନୂଆ ରୂପ ଓ ଆର୍ଥିକ ଶକ୍ତି ବନାଇବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡିର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା କେବେ ପ୍ରଭାବିତ ହୋଇନାହିଁ- କଳାହାଣ୍ଡି ବିକାଶ ପରିଷଦ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡିର ଧର୍ମ, କଳା, ସଂସ୍କୃତି ଅନନ୍ୟ ଓ ସ୍ବତନ୍ତ୍ର। ଏଠାକାର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା ଅନ୍ୟ ଠାରୁ ପ୍ରଭାବିତ ହୋଇନାହିଁ। ପ୍ରସ୍ତର ଯୁଗରୁ କଳାହାଣ୍ଡିର ବିକାଶ ହୋଇଥିବା ଏବଂ ଏଠାରେ ଏକ ଅସ୍ତ୍ର ଶସ୍ତ୍ର କାରଖାନା ଥିବା ଐତିହାସିକ ସ୍ଥଳ ରେ ହୋଇଥିବା ଖନନସ୍ଥଳ ରୁ ମିଳିଥିବା ତଥ୍ୟ ରୁ ଜଣାପଡେ। ଏହି ଅଞ୍ଚଳ ର ମଣିଷ ଯାହା କରିପାରିଲା ତାକୁ ବିଜ୍ଞାନ ର ଆଖ୍ୟା ଦେଲା ଏବଂ ଯାହା କରିପାରିଲା ନାହିଁ ତାକୁ ଦୈବୀ ଶକ୍ତି ବୋଲି କହିଲା। ଯେଉଁ ସବୁ କରିପାରିଲା ସେସବୁ ଯେପରି ପରପିଢୀ ଜାଣିପାରିବେ ସେଥିପାଇଁ ବିଭିନ୍ନ ପଥର ଖୋଦେଇ କରି ଚିତ୍ର ଆଙ୍କୁ ଥିଲା।

ଗୁଡାହାଣ୍ଡି, ଦେବଗିରି, ଗୁରୁ ଡଙ୍ଗରି, ଯୋଗୀମଠ ଆଦି ସ୍ଥାନର ପଥର ଖୋଦେଇ ଚିତ୍ର ଏହାର ପ୍ରମାଣ। ମୋହନଗିରି, ଅମାଠ, ବେଳଖଣ୍ଡି, ମାରାଗୁଡା, ବୁଧିକୋମନା, ଗୁଡହାଣ୍ଡି ଆଦି ସ୍ଥାନର ଭଗ୍ନାଂଶ, ପ୍ରାଚୀନ ନଗର ଜୁନାଗଡ଼ରେ ଥିବା ଗଡଖାଇ ମଧ୍ୟରେ ବସତି ସ୍ଥାପନ, ସାପଗରଣ୍ଡା ତଥା ଜୋଙ୍କ ନଦୀ ପାର୍ଶ୍ବରେ ବଡ ଶିବ ଲିଙ୍ଗ, ଅବିଭକ୍ତ କଳାହାଣ୍ଡି ଜିଲ୍ଲାସାରା ଅନେକ ମଠ ମନ୍ଦିର ମାନଙ୍କରେ ନିର୍ମାଣ ଶୈଳୀ କଳାହାଣ୍ଡିର ଶିଳ୍ପୀ ମାନଙ୍କ ନିର୍ମାଣ କୌଶଳ ଉଚ୍ଚ କୋଟିର ଥିବାର ସ୍ପଷ୍ଟ ପ୍ରମାଣ ମିଳେ।

ଏପରିକି ଛୋରିଆଗଡ, ଜୁନାଗଡ, ମାଣିକ ଗଡ, ଅସୁରଗଡ, କୋମାନଗଡ ଠାରେ ମଧ୍ୟ ଆମ ଐତିହ୍ୟ ପରିଦୃଶ୍ୟ ହୁଏ । ସ୍ଥାନ ନ ଥିଲେ ଇତିହାସ ଲେଖି ହେବ ନାହି। ଇତିହାସ ସହ ଭୂଗୋଳ ର ସମ୍ପର୍କ ରହିଛି। ଭୌଗୋଳିକ ସ୍ଥିତି ଉପରେ ସଂସ୍କୃତି ଓ ବିକାଶ ନିର୍ଭର କରେ। କଳାହାଣ୍ଡିର ସଂସ୍କୃତି ଆଦିମ ସଂସ୍କୃତି ଯାହାକି ଆଦିବାସୀ ସଂସ୍କୃତି ନାମରେ ପରିଚିତ। ୧୮୫୩ ପୂର୍ବରୁ କଳାହାଣ୍ଡି ରାଜ ପରିବାର ରେ ଆଦିବାସୀ କନ୍ୟା କୁ ବିବାହ କରି ବୋହୂ କରି ଥିବାବେଳେ ୧୭୭୫ ପୂର୍ବରୁ ଖରିଆର ରାଜ ପରିବାର ର କନ୍ୟାକୁ ଜଣେ ଗଣ୍ଡ ସମ୍ପ୍ରଦାୟ ର ବ୍ୟକ୍ତିକୁ ବିବାହ କରାଇଥିଲେ।

ଏଥିରୁ ବୁଝାପଡ଼େ ଯେ, କଳାହାଣ୍ଡିର ସଂସ୍କୃତି ଓ ପରମ୍ପରା କେବେ କାହା ଦ୍ବାରା ପ୍ରଭାବିତ ହୋଇନାହିଁ। ବରଂ ଏଠାକୁ ଯିଏ ଆସିଛି ସିଏ ପ୍ରଭାବିତ ହୋଇଛି ବୋଲି କଳାହାଣ୍ଡି ବିକାଶ ପରିଷଦ ଦ୍ବାରା ଧର୍ମଗଡ ଠାରେ ଅଯୋଜିତ ଅବିଭକ୍ତ କଳାହାଣ୍ଡିର ସଂସ୍କୃତି ର ସୁରକ୍ଷା ରେ ଲେଖକ ଓ କଳାକାରଙ୍କର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ଯୋଗ ଦେଇ ଐତିହାସିକ ଫଣିନ୍ଦମ ଦେଓ ପ୍ରକାଶ କରିଥିଲେ।

ଲୋକଙ୍କ ଜୀବନଧାରା ଓ ଦୃଷ୍ଟିଭାଙ୍ଗିର ପ୍ରଥା ହେଉଛି ଲୋକ ନାଚ, ଲୋକ କଥା, ଲୋକ ଗୀତ,ଲୋକ ସଂସ୍କୃତି, ଗାଁ ଗହଳିରେ ଗଢି ଉଠିଥିବା ଦେବାଦେବୀ ଗୁଡ଼ି, ମନ୍ଦିର ତଥା ଗ୍ରାମ୍ୟ ସାହିତ୍ୟ ,ଯାହାକି କଳାହାଣ୍ଡିର ପରିବେଶ ଓ ପରିପାର୍ଶ୍ବ ରେ ସୁଦୃଢ ହୋଇଛି। ଏଣୁ କଳାହାଣ୍ଡିର କଳା ସଂସ୍କୃତିକୁ ବୁଝିବାକୁ ହେଲେ ଏ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପରିସ୍ଫୁଟନଶୀଳତାକୁ ବିଶ୍ଳେଷଣ କରିବା ଗୁରୁତ୍ବପୂର୍ଣ୍ଣ। ଯେଉଁ ଅଞ୍ଚଳର ଲିଖିତ ଇଟିହାସ ନାହି ସେହି ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନଧାରା ଯେପରି ଲିଖିତ ଭାବେ ଇତିହାସରେ ସ୍ଥାନ ପାଏ ସେଥିପ୍ରତି ଲେଖକ, ଐତିହାସିକ, କଳାକାର ମାନେ ସଜାଗ ହେବା ଉଚିତ ବୋଲି ଆଲୋଚନକ୍ରମରେ ଶ୍ରୀ ସିଂ ଦେଓ ପ୍ରକାଶ କରିଥିଲେ ଏବଂ ସେଥିପ୍ରତି ଗୁରୁତ୍ବ ଦେଇ ଏହାର ସୁରକ୍ଷା ପାଇଁ ଆଗେଇ ଆସିଥିବାରୁ କଳାହାଣ୍ଡି ବିକାଶ ପରିଷଦ କୁ ସାଧୁବାଦ ଜଣାଇଥିଲେ।

କଳାହାଣ୍ଡିର କଳା ଓ ସଂସ୍କୃତି କେବଳ ନିଜ ଅଞ୍ଚଳର ପରିପ୍ରକାଶ ନୁହେଁ ବରଂ ମହାନ ଧରୋହର ଏବଂ ଜାତୀୟ ସଂସ୍ମୃତି, ପରମ୍ପରା ଓ ଅର୍ଥନୈତିକ ଉତ୍ସ ଏବଂ ପରସ୍ପର ପରିପୂରକ। କଳାହାଣ୍ଡିର କଳା ସଂସ୍କୃତି ବିକାଶ ପ୍ରସ୍ତର ଯୁଗର ଅବଶେଷର ଅନ୍ବେଷଣ ଓ ଅଧ୍ୟୟନ ଦ୍ବାରା ଚିହ୍ନଟ ହୋଇଛି। ତେଲ ନଦୀ ତଟରେ ଥିବା ଛିଲପା, ଯୋଙ୍କ ନଦୀ ତତ୍ର ମାରାଗୁଡା ଠାରେ ପ୍ରସ୍ତର ଯୁଗର ହାତ ହତିଆର ତିଆରି ହେଉଥିବାର ସୂଚନା ମିଳିଛି। ଗୁଡାହାଣ୍ଡି, ଯୋଗୀମଠ, ଗୁରୁଡଙ୍ଗର,ର ପ୍ରାକୃତିକ ପଥର ଗୁମ୍ଫା ମାନଙ୍କ ରେ ପ୍ରାକ ଐତିହାସିକ ଆକର୍ଷଣୀୟ ଅଙ୍କିତ ଚାବି, ବିବିଧ ରଙ୍ଗର ବ୍ୟବହାର ପ୍ରସ୍ତର ଯୁଗର ସୃଜନଶୀଳ ପରିପ୍ରକାଶ ର ମୂଳ ସାକ୍ଷୀ। ଏତେ ସବୁ ସମୃଦ୍ଧ ରେ ଭରପୁର ଥିବା କଳାହାଣ୍ଡି ଆଜି ବିଶ୍ବ ଦରବାରରେ କଙ୍କାଳ ରୂପରେ ଚିତ୍ରଣ କରାଯାଉଛି। ଯାହାକି କଳାହାଣ୍ଡି ଜନ ମାନସ ରେ ନିନ୍ଦନୀୟ ହେବା ଉଚିତ୍।

ଏସବୁର ସତ୍ୟତାକୁ ଉପସ୍ଥାପନା କରିବାକୁ ଆଜି ଏଭଳି କର୍ମଶାଳାର ଆୟୋଜନ କରି ଏହାକୁ ଲୋକଭିମୁଖୀ କରିବାର ପ୍ରଯତ୍ନ କରାଯାଇଥିବାର କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷା ଡ; ସୁନିତି ମୁଣ୍ଡ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରକାଶ କରିଥିଲେ। ସ୍ଥାନୀୟ ପଂଚାୟତ କଲେଜର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ, ଅଧ୍ୟାପକ ଲିଙ୍ଗରାଜ ପତ୍ର, ନିର୍ମଳ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ବହୁ ଲେଖକ, ସାହିତ୍ୟିକ, ଲୋକ କବି, କଳାକାର ଏହି କାର୍ଯ୍ଯ କ୍ରମରେ ଯୋଗ ଦେଇଥିଲେ।

Categories
ଜୀବନ ଶୈଳୀ ଧର୍ମ ବିଶେଷ ଖବର ସଂସ୍କୃତି

ସକାଳୁ ଶେଯରୁ ଉଠିବା ପରେ ପ୍ରଥମେ କଣ ଦେଖିଲେ ଦିନ ସାରା ହୋଇଥାଏ ଶୁଭ, ଜାଣନ୍ତୁ

ନୂଆଦିଲ୍ଲୀ: ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ।

ସକାଳେ କେଉଁ ଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ:

୧- ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ।

୨- ଆପଣଙ୍କ ଦିନ ଆପଣଙ୍କ ଦେବୀଙ୍କ ଉପରେ ଧ୍ୟାନ କରି ଆରମ୍ଭ କରନ୍ତୁ। ଯଦି ସୁବିଧା ଅଛି ତେବେ ଦେବୀ ଦର୍ଶନ କରନ୍ତୁ। ଏହା ଆପଣଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିବ। ଆହୁରି ମଧ୍ୟ ଆପଣଙ୍କ ଦିନଟି ଭଲ ହେବ।

୩- ଯଦି ଆପଣ ସକାଳେ ଉଠିବା ମାତ୍ରେ ଶଙ୍ଖ କିମ୍ବା ମନ୍ଦିରର ଘଣ୍ଟି ଶୁଣନ୍ତି, ଏହା ଆପଣଙ୍କ ଭିତରେ ସକରାତ୍ମକ ଶକ୍ତି ଆଣିଥାଏ। ବିଛଣାରୁ ଉଠିବା ପରେ ପ୍ରଥମେ ଆପଣ ଆପଣଙ୍କ ପାପୁଲିକୁ ଦେଖିବା ଉଚିତ। ଏହା କରିବା ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ ଏବଂ ଏହି କାର୍ଯ୍ୟ ମଧ୍ୟ କିଛି ଲୋକଙ୍କ ନିୟମିତ ରୁଟିନ୍ ର ଏକ ଅଂଶ।

୪- ସକାଳେ ଏହି ଚିତ୍ର ଦେଖନ୍ତୁ ଯାହା ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଯେପରିକି ନଡିଆ, ଶଙ୍ଖ, ମୟୂର, ହଂସ କିମ୍ବା ଫୁଲ ଇତ୍ୟାଦି।

Categories
ଜାତୀୟ ଖବର ଜୀବନ ଶୈଳୀ ଧର୍ମ ବିଶେଷ ଖବର ସଂସ୍କୃତି

ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଥିଲେ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏଭଳି କାମ

ନୂଆଦିଲ୍ଲୀ: ଯେତେବେଳେ ଜଣେ ବ୍ୟକ୍ତି ନିଜର ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରେ ଏବଂ ନିଜ ଦାୟିତ୍ଵକୁ ସଠିକ୍ ଭାବରେ ପୂରଣ କରେ, ସେତେବେଳେ ସେ ସଫଳତା ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ପାଇଥାଏ।

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ପାଇବାକୁ ଚାହାଁନ୍ତି। ସଫଳତା ହାସଲ କରିବାକୁ, ଜଣେ ବ୍ୟକ୍ତି କଠିନ ପରିଶ୍ରମ କରେ, ସଂଘର୍ଷ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ବିଭିନ୍ନ ଚ୍ୟାଲେଞ୍ଜର ସମଧ୍ୟ ମ୍ମୁଖୀନ ହୁଏ। ସଫଳତା ବିଷୟରେ କୁହାଯାଏ ଯେ, ଏହା ସହଜରେ ହାସଲ ହୁଏ ନାହିଁ। ସଂଘର୍ଷ ଏବଂ କଠିନ ପରିଶ୍ରମ ଦ୍ୱାରା ମିଳିଥିବା ସଫଳତା ଦୀର୍ଘ ସମୟ ଧରି ରହିଥାଏ। ଏହିପରି ସଫଳତା ବ୍ୟକ୍ତିର ଆତ୍ମବିଶ୍ୱାସ ବଢାଇଥାଏ।

ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଲଲେ ସଫଳତା ପୂର୍ଣ୍ଣ ହୋଇଥାଏ। ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ବିବେଚନା କରାଯାଏ। ଏହା ସହିତ ଲକ୍ଷ୍ମୀ ମାତାଙ୍କୁ ମଧ୍ୟ ସୁଖ ଏବଂ ସମୃଦ୍ଧିର ଦେବୀ ବୋଲି ବର୍ଣ୍ଣନା କରାଯାଇଛି। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ହିଁ ଜଣେ ବ୍ୟକ୍ତିଙ୍କ ଜୀବନକୁ ସରଳ ଏବଂ ସହଜ କରିଥାଏ। ତେଣୁ, ଲକ୍ଷ୍ମୀ ମାତାଙ୍କର ଆଶୀର୍ବାଦ ପାଇବାକୁ ହେଲେ ଜଣେ ବ୍ୟକ୍ତି କିଛି ଜିନିଷର ବିଶେଷ ଯତ୍ନ ନେବା ଉଚିତ୍-

୧- ଲୋଭ ତ୍ୟାଗ କରନ୍ତୁ- ସଫଳତାର ଚାବି କହେ ଯେ, ମାତା ଲକ୍ଷ୍ମୀ ଲୋଭୀ ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ନାହିଁ। ମାତା ଲକ୍ଷ୍ମୀ ଅନ୍ୟର ଧନ ପାଇଁ ଲୋଭୀ ବ୍ୟକ୍ତିଙ୍କୁ କେବେବି ଆଶୀର୍ବାଦ ଦିଅନ୍ତି ନାହିଁ। ଲୋଭୀ ବ୍ୟକ୍ତି ମଧ୍ୟ ସମ୍ମାନ ପାଏ ନାହିଁ। ଗୀତାରେ ମଧ୍ୟ ଭଗବାନ କୃଷ୍ଣ ଲୋଭକୁ ଏକ ଖରାପ ବୋଲି ବର୍ଣ୍ଣନା କରିଛନ୍ତି। ତେଣୁ ଆପଣ ଏଥିରୁ ଦୂରରେ ରହିବା ଉଚିତ୍।

୨- ଆୟଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିବା- ସଫଳତାର ଚାବି କହୁଛି ଟଙ୍କା ସଞ୍ଚୟ ହେବା ଉଚିତ୍। ଅର୍ଥର ସୁରକ୍ଷା ପାଇଁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି। ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତିଙ୍କର ଖରାପ ସମୟ ଥାଏ, ଜମା ହୋଇଥିବା ଧନ ତାଙ୍କୁ ପ୍ରକୃତ ବନ୍ଧୁ ପରି ରକ୍ଷା କରିଥାଏ। ତେଣୁ ଟଙ୍କା ଅତି ଯତ୍ନର ସହିତ ଖର୍ଚ୍ଚ କରାଯିବା ଉଚିତ। ଯେଉଁ ଲୋକମାନେ ସେମାନଙ୍କର ଆୟଠାରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି, ସେମାନେ ସର୍ବଦା ଅର୍ଥ ଅଭାବରୁ ଅସୁବିଧାରେ ପଡ଼ନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର ସଂସ୍କୃତି

ବଦଳୁଥିବା ସମ୍ପର୍କର ପରିଭାଷା: ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌

ଭୁବନେଶ୍ବର: ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ନେଇ ଆଜିର ଯୁବ ସମାଜ ବେଶ୍‌ ସକାରାତ୍ମକ। ରାଇଟ୍‌ ଟୁ ଲାଇଫ୍‌ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍‌ ସହ ବଞ୍ଚିବାରେ ମସ୍‌ଗୁଲ୍‌। ତେବେ ଭାରତ ପରି ଏକ ସଂସ୍କୃତିସମ୍ପନ୍ନ ଦେଶରେ ଏହି ସମ୍ପର୍କକୁ ନେଇ ଏବେବି ଦ୍ଵିଧା ରହିଛି। ପାରମ୍ପରିକ ବିଧିବ୍ୟବସ୍ଥା ତଥା ଆମ ଭାରତୀୟ ସାମାଜିକ ବ୍ୟବସ୍ଥା ଏହି ସମ୍ପର୍କକୁ ଏବେବି ଭିନ୍ନ ଚକ୍ଷୁରେ ଦେଖୁଛି। ଭାରତରେ ସମ୍ପର୍କକୁ ନେଇ ଏକ ଭିନ୍ନ ସଂଜ୍ଞା ନିରୂପଣ କରାଯାଇଥାଏ। ବିଶେଷକରି ପୁଅ ଝିଅର ସର୍ମ୍ପକକୁ ଏଠି ଏକ ମାପକାଠି ଭିତରେ ରଖାଯାଇଥାଏ।

ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରା ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ଗ୍ରହଣ କରାଯିବା ପରେ ବି ଭାରତୀୟ ସମାଜରେ ଏହାକୁ ସଠିକ୍‌ ରୂପେ ଗ୍ରହଣ କରାଯାଇପାରୁନାହିଁ। ବର୍ତ୍ତମାନର ଯୁବପିଢି ଆଉ ସେ ପୁରୁଣାକାଳିଆ ସଂସ୍କୃତିକୁ ଅନ୍ଧ ଭାବେ ଆପଣେଇବାକୁ ଚାହେଁନାହିଁ। ଏବେର ଯୁବସମାଜ ଜଣକୁ ସଂପୂର୍ଣ୍ଣ ଆପଣେଇବା ଆଗରୁ ଉଭୟ ଉଭୟଙ୍କୁ ପରଖିବାକୁ ପସନ୍ଦ କରୁଛନ୍ତି। ତେବେ ଏହା ଏବେକାର ନିୟମ ନୁହେଁ। ଭାରତରେ ବହୁ ଆଦିବାସୀ ତଥା ଜନଜାତି ସମୁଦାୟରେ ଏହାର ପ୍ରଭାବ ବହୁଳ ଦେଖିବାକୁ ମିଳେ। ସେମାନେ ବିବାହ ପୂର୍ବରୁ ଉଭୟ ଉଭୟଙ୍କୁ ପସନ୍ଦ କରନ୍ତି ଓ ତା’ପରେ ନିଜର ଜୀବନସାଥୀ ବାଛନ୍ତି।  ତା ପରେ ସେମାନେ ତା’ ସହ ଜୀବନ ସାରା ରହି ପାରିବେ କି ନା ସେ ନେଇ ଆରାମରେ ନିଷ୍ପତ୍ତି ନିଅନ୍ତି ।

ତେବେ ଆଜିର ଏଇ ଲିଭ୍‌–ଇନ୍‌–ରିଲେସନ୍‌ସିପ୍‌ରେ ଆଇନତଃ ଏକାଠି ରହିବାର କୌଣସି କଣ୍ଟ୍ରାକ୍ଟରେ ଦସ୍ତଖତ ନ କରି ମଧ୍ୟ ଏକାଠି ରହି ଉଭୟ ଉଭୟଙ୍କୁ ଜାଣିବାର ସୁଯୋଗ ରହିଛି। ଏବଂ ଯଦି କୌଣସି କାରଣବଶତଃ ମନୋମାଳିନ୍ୟ ହୁଏ ଏବଂ ସମାଧାନର ବାଟ ନ ବାହାରେ ତେବେ ସେମାନେ କୋର୍ଟର ଦ୍ଵାରସ୍ଥ ନ ହୋଇ ସେମାନେ ସ୍ଵଇଚ୍ଛାରେ ପରସ୍ପରଠୁ ଅଲଗା ହୋଇ ରହିପାରିବେ। ଏଥିରେ କୌଣସି ପ୍ରକାରର ଧରାବନ୍ଧା ନିୟମ ନ ଥାଏ। କେହି କାହାର ସ୍ଵାଧୀନତା ଉପରେ ହସ୍ତକ୍ଷେପ କରନ୍ତି ନାହିଁ।

ସୁପ୍ରିମକୋର୍ଟରେ ଇନ୍ଦିରା ଶର୍ମା ବନାମ ଭି କେ ଭି ଶର୍ମା ମାମଲାରେ ଏଇ ଲିଭ ଇନ ରିଲେଶନସିପ୍‌କୁ ନେଇ ସୁପ୍ରିମ୍‌କୋର୍ଟ  ଏକାଠି ରହିବାର ସବୁଠୁ ସହଜ ସମ୍ପର୍କ ବୋଲି ଦର୍ଶାଯାଇଥିଲା। ବିବାହିତ ବ୍ୟକ୍ତି ଏବଂ ଜଣେ ଅବିବାହିତ ମହିଳାଙ୍କ ମଧ୍ୟରେ ସହାବସ୍ଥାନ ଏବଂ ଜଣେ ଅବିବାହିତ ବ୍ୟକ୍ତି ସହ ଜଣେ ବିବାହିତ ମହିଳାଙ୍କ ସହାବସ୍ଥାନକୁ ଯଦିଓ ଜଟିଳ ସମ୍ପର୍କର ଆାଖ୍ୟା ଦିଆଯାଇଛି ତଥାପି ଏନେଇ ସୁପ୍ରିମକୋର୍ଟ କୌଣସି ପ୍ରକାରର ଦଣ୍ଡବିଧାନର ପ୍ରାବଧାନ କରିନାହାନ୍ତି। ଜାଣିଶୁଣି ଜଣେ ଅବିବାହିତ ମହିଳା ଏବଂ ଜଣେ ବିବାହିତ ପୁରୁଷ ମଧ୍ୟରେ ସମ୍ପର୍କକୁ ନେଇ ଆଇନତଃ ଦଣ୍ଡବିଧାନ ପ୍ରଣୟନ କରାଯାଇଛି।

ତେବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନାରୀଟିଏ ଯେଉଁ ପ୍ରକାର ସମ୍ପର୍କରେ ଥାଉ ନା କାହିଁକି ଭାରତୀୟ କୋର୍ଟ ଅନୁଚ୍ଛେଦ ୧୨୫ ଅନୁଯାୟୀ  ନାରୀଙ୍କ ପାଇଁ ଭରଣପୋଷଣର ବ୍ୟବସ୍ଥା କରାଯାଇଛି ।  ସେହିପରି ନାରୀ ଯେଉଁ ସମ୍ପର୍କରେ ରହିଲେ ମଧ୍ୟ ଘରୋଇ ହିଂସା ଆଇନ ଲାଗୁ ହୋଇପାରିବାର ପ୍ରାବଧାନ ରହିଛି। ସେହିପରି ତାଙ୍କଠାରୁ ଜନ୍ମିତ ସନ୍ତାନ ମଧ୍ୟ ଆଇନତଃ ବୈଧ ଏବଂ ଦାୟିତ୍ଵ ଉଭୟ ନେବାକୁ ବାଧ୍ୟତାମୂଳକ କରିଛନ୍ତି କୋର୍ଟ।

ଆମେ ଆମ ସମ୍ପର୍କକୁ କିପରି ରଖିବା ତାହା ସମ୍ପୂର୍ଣ୍ଣ ଭାବରେ ଆମ ଉପରେ ନିର୍ଭର କରେ। ପ୍ରଚଳିତ ବିଧିବ୍ୟବସ୍ଥାରେ ସର୍ମ୍ପକକୁ ସ୍ଵୀକାର କରିବା ପାଇଁ ବାଧ୍ୟ କରାଯାଇଥାଏ। କିନ୍ତୁ ଏହି ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ସର୍ମ୍ପକ ପାଇଁ କୌଣସି ପ୍ରକାରର ବାଧ୍ୟବାଧ୍ୟକତା ନାହିଁ। ସମ୍ପର୍କ ସହ ନୈତିକତାକୁ ଆମେ ପ୍ରାଧାନ୍ୟ ଦେଇ ପାରିଲେ ଆମ ପାଇଁ ସବୁ ପ୍ରକାର ସମ୍ପର୍କ ସହଜମୟ ହୋଇପାରିବ।

ତେବେ ଲିଭ-ଇନ-ରିଲେଶନସିପରେ ଏକାଠି ରହିବାକୁ ହେଲେ ଏକ ବିସ୍ତୃତ ବୁଝାମଣାର ଆବଶ୍ୟକତା ରହିଛି, ଯାହା ଆମ ଭାରତରେ ପ୍ରାୟତଃ ଦେଖା ଯାଉନାହିଁ। ତଥାପି ସବୁ ସମ୍ପର୍କରେ କିଛି ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ରହିଛି। ଯେହେତୁ ଆମର ଯୁବପିଢି ଏହାର ସକାରାତ୍ମକତାକୁ ଆପଣେଇବାକୁ ଆଗଭର ହେଉଛନ୍ତି ସେଥିପାଇଁ ସମାଜ ଏହାକୁ ଧୀରେଧୀରେ ଆପଣେଇ ନେବ ବୋଲି ଆଶା କରାଯାଉଛି।