Categories
ଆଜିର ଖବର ରାଜ୍ୟ ଖବର

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ଖୋର୍ଦ୍ଧା ଜିଲ୍ଲା ଗସ୍ତ

ଖୋର୍ଦ୍ଧା: ଆଜି ଉପମୁଖ୍ୟମନ୍ତ୍ରୀ, ପ୍ରଭାତୀ ପରିଡା ଏବଂ ଶିକ୍ଷା, କ୍ରୀଡା, ଯୁବସେବା ଓଡିଆ ଭାଷା ସାହିତ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଯଥା ବରୁଣେଇ, ଖୋର୍ଦ୍ଧାଗଡ, ଏବଂ ଅଟ୍ରୀ ଓ ହାଟକେଶ୍ଵର ମନ୍ଦିର ପରିଦର୍ଶନ କରି ଏହାର ଉନ୍ନୟନ ପାଇଁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବୈଠକରେ ଯୋଗ ଦେଇ ପର୍ଯ୍ୟଟନ ସ୍ଥଳଗୁଡିକର ସମୀକ୍ଷା କରାଯାଇଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସ୍ଵତନ୍ତ୍ର ସଚିବ ବାଳମୁକୁନ୍ଦ ଭୂୟାଁ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସଚିବ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ, ସିଭିଲ ସପ୍ଲାଏ ଅଧ୍ୟକ୍ଷ ସୁଦୀପ୍ତ ରାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଖୋର୍ଦ୍ଧା ରୁପଶ୍ରୀରାଣୀ ଗୁମାନସିଂହ, ପୌର ପରିଷଦ ଅଧ୍ୟକ୍ଷା ଖୋର୍ଦ୍ଧା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲାପାଳ ଖୋର୍ଦ୍ଧା ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠି ବିଭାଗୀୟ ଅଧିକାରୀ, ରାଜନୈତିକ ଦଳର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ଆଜି ପର୍ଯ୍ୟଟନ ବିଭାଗ ଓ ଓଡିଆ ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଭବିଷ୍ୟତରେ ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶା ରେ ଯେଉଁ ଋଦ୍ଧିମନ୍ତ ପରମ୍ପରା ଥିଲା ତାହାର ପୁନଃ ସ୍ଥାପିତ କରିବା ଓଡିଆ ଅସ୍ମିତାକୁ ଆଉଥରେ ପ୍ରତିଷ୍ଠା କରିବା ପାଇଁ ଏକ ଯୁଗପୋଯୋଗୀ ପଦକ୍ଷପ ନେବାକୁ ସମୀକ୍ଷା କରାଯାଇଛି। ଏହି ପ୍ରକଳ୍ପରେ ଯାହା ସ୍ଥିରୀକୃତ ହୋଇଥିଲା ତାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗେଇନେବେ ଯାହାକି ସମଗ୍ର ଭାରତ ବର୍ଷକୁ ଏକ ସୁନ୍ଦର ଖୋର୍ଦ୍ଧା ଗଡର ବାର୍ତ୍ତା ପ୍ରଦାନ କରିବ।

ଇଣ୍ଡିଆନ ଅଏଲର ୧୯୫ କୋଟି ପାଣ୍ଠି ସରକାରଙ୍କର ପ୍ରୋତ୍ସାହନର ସ୍ୟୁକୃତି ଅଛି ଯାହାର ପାଣ୍ଠି ଆହୁରି ବଢାଯିବ ଏବଂ ଏହାକୁ ଏକ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଚେଷ୍ଟା କରାଯିବ ପର୍ଯ୍ୟଟନ ଭିତ୍ତିଭୂମି ରାଣୀପୋଖରୀର ପୁନରୁଦ୍ଧାର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସମସ୍ତଙ୍କର ସହଯୋଗରେ ସମ୍ଭବ ହୋଇପାରିବ ବୋଲି କହିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା।

Categories
ବିଶେଷ ଖବର

ଜି – ୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି – ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ସହର ତାଙ୍କ ସଂସଦୀୟ କ୍ଷେତ୍ର ହୋଇ ଥିବାରୁ ଏଠାରେ ଜି- ୨୦ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେଉ ଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । କାଶୀକୁ ଅନ୍ୟତମ ପୁରାତନ ଜୀବନ୍ତ ସହର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିକଟସ୍ଥ ସାରନାଥ ସହର ବିଷୟରେ କହିଥିଲେ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଧର୍ମୋପଦେଶ ଦେଇଥିଲେ। “କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଅତିଥି ମାନଙ୍କୁ ଗଙ୍ଗା ଆରତୀ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ, ସାରନାଥ ପରିଦର୍ଶନ କରିବା ପାଇଁ ଏବଂ କାଶୀର ବ୍ୟଞ୍ଜନର ସ୍ୱାଦ ଚାଖିବା ପାଇଁ ପରାମର୍ଶ ଦେଇଥିଲେ।

ସଂସ୍କୃତିର ଅନ୍ତର୍ନିହିତ ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି – ୨୦ ସଂସ୍କୃତି ମନ୍ତ୍ରୀ ଗୋଷ୍ଠୀର କାର୍ଯ୍ୟ ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତରେ ଆମେ ଆମର ଚିରସ୍ଥାୟୀ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ। ଆମେ ଆମର ଦୃଶ୍ୟମାନ / ସ୍ଥାୟୀ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ବହୁତ ଗୁରୁତ୍ୱ ଦେଉଛୁ” ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ ଭାରତ ଏହାର ଐତିହ୍ୟସ୍ଥଳୀ ଗୁଡ଼ିକର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ କଠିନ ପରିଶ୍ରମ କରୁଛି। ଦେଶର ସାଂସ୍କୃତିକ ସମ୍ପତ୍ତି ଓ କଳାକାର ମାନଙ୍କୁ ଜାତୀୟ ସ୍ତରରେ ତଥା ଗ୍ରାମ ସ୍ତରରେ ମାନଚିତ୍ରଣ କରିବା ପାଇଁ ସେ ଉଲ୍ଲେଖ କରିଥିଲେ।

ସେ ଭାରତର ସଂସ୍କୃତିକୁ ପାଳନ କରିବା ପାଇଁ ଅନେକ କେନ୍ଦ୍ର ନିର୍ମାଣ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ଆଦିବାସୀ ସଂଗ୍ରହାଳୟ, ଯାହା ଭାରତର ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ସଂସ୍କୃତିକୁ ପ୍ରଦର୍ଶିତ କରେ ତାହାର ଉଦାହରଣ ଦେଇଥିଲେ। ନୂଆଦିଲ୍ଲୀ ଠାରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ଏହା ଏକ ପ୍ରକାରର ପ୍ରୟାସ। ସେ “ୟୁଗେ ଯୁଗେ ଭାରତ’ ଜାତୀୟ ସଂଗ୍ରହାଳୟର ବିକାଶ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ସମ୍ପୂର୍ଣ୍ଣ ହେବା ପରେ ଭାରତର ୫,୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା ବିଶ୍ୱର ସର୍ବବୃହତ ସଂଗ୍ରହାଳୟ ଭାବରେ ଠିଆ ହେବ। ୨୦୧୪ ମସିହାରୁ ଭାରତ ଏଭଳି ଶତାଧିକ କଳାକୃତିକୁ ଫେରାଇ ଆଣିଛି ଯାହା ଏହାର ପ୍ରାଚୀନ ସଭ୍ୟତାର ଗୌରବକୁ ପ୍ରଦର୍ଶିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଜୀବନ୍ତ ଐତିହ୍ୟ ତଥା ‘କଲଚର୍ ଫର ଲାଇଫ୍’ ପ୍ରତି ଅବଦାନକୁ ସେ ପ୍ରଶଂସା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଂସ୍କୃତିକ ଐତିହ୍ୟ କେବଳ ପଥରରେ ଖୋଦେଇ କରାଯାଏ ନାହିଁ, ବରଂ ପରମ୍ପରା, ରୀତିନୀତି ଏବଂ ପର୍ବପର୍ବାଣୀ ଗୁଡିକୁ ମଧ୍ୟ ପର ପିଢ଼ିକୁ ପ୍ରଦାନ କରାଯାଏ। କାର୍ଯ୍ୟକାରୀ ଗୋଷ୍ଠୀର ପ୍ରୟାସ ନିରନ୍ତର ଅଭ୍ୟାସ ଏବଂ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିବିଧତା ପାଇଁ ଐତିହ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଏବଂ ଏହା ଭାରତର ‘ବିକାଶ ଭି , ବିରାସତ ଭି’ (ବିକାଶ ସହିତ ଐତିହ୍ୟ ମଧ୍ୟ) ମନ୍ତ୍ରରେ ପ୍ରତିଫଳିତ ହୋଇଛି , ଯାହାର ଅର୍ଥ ହେଉଛି ବିକାଶ ସହିତ ଐତିହ୍ୟର ସଂରକ୍ଷଣ। ପ୍ରାୟ ୩,୦୦୦ ଅନନ୍ୟ କଳାକୃତି ଏବଂ ହସ୍ତଶିଳ୍ପ ସହିତ ୨,୦୦୦ ବର୍ଷର ପରୁଣା ଶିଳ୍ପକାରିଗରୀ ଐତିହ୍ୟ ପାଇଁ ଭାରତ ଗର୍ବିତ” ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯାହା ଏକା ସାଙ୍ଗରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଭାରତୀୟ ଶିଳ୍ପକାରିଗରୀର ସ୍ୱତନ୍ତ୍ରତାକୁ ପ୍ରଦର୍ଶିତ କରେ।

ସାଂସ୍କୃତିକ ଏବଂ ସୃଜନଶୀଳ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଜି- ୨୦ ରାଷ୍ଟ୍ର ଗୁଡ଼ିକର ପ୍ରୟାସ ଗଭୀର ଗୁରୁତ୍ୱ ବହନ କରୁଛି କାରଣ ଏହା ସାମଗ୍ରିକ ଅର୍ଥନୈତିକ ବିକାଶରେ ସହାୟକ ହେବ ଏବଂ ସୃଜନଶୀଳତା ଏବଂ ନବସୃଜନକୁ ସମର୍ଥନ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଆସନ୍ତା ମାସରେ ଭାରତ ୧.୮ ବିଲିୟନ ଡଲାରର ପ୍ରାରମ୍ଭିକ ବ୍ୟୟରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହା ପାରମ୍ପରିକ କାରିଗର ମାନଙ୍କ ପାଇଁ ସମର୍ଥନର ଏକ ପରିବେଶ ସୃଷ୍ଟି କରିବ ଏବଂ ସେମାନଙ୍କୁ ସେମାନଙ୍କ ଶିଳ୍ପକଳାରେ ଉନ୍ନତି ଆଣିବାରେ ସକ୍ଷମ କରିବ ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣରେ ଯୋଗଦାନ କରିବ ବୋଲି ସେ କହିଥିଲେ।

ସଂସ୍କୃତିକୁ ପାଳନ କରିବାରେ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ଜାତୀୟ ଡିଜିଟାଲ ଜିଲ୍ଲା ଭଣ୍ଡାର ବିଷୟରେ ଉଲ୍ଲେଖ କରିଥିଲେ, ଯାହା ସ୍ୱାଧୀନତା ସଂଗ୍ରାମର କାହାଣୀକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରୁଛି। ସାଂସ୍କୃତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ଅଧିକ ପର୍ଯ୍ୟଟନ ଅନୁକୂଳ କରିବା ସହିତ ଏହାର ସାଂସ୍କୃତିକ ଐତିହ୍ୟ ଗୁଡ଼ିକର ଉତ୍ତମ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଭାରତର ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଯେ ଜି – ୨୦ ସଂସ୍କୃତି ମନ୍ତ୍ରୀଙ୍କ କାର୍ଯ୍ୟକାରୀ ଗୋଷ୍ଠୀ ‘କଲଚର୍ ୟୁନାଇଟ୍ସ ଅଲ୍’ (ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରେ) ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ବସୁଧୈବ କୁଟୁମ୍ବକମ୍ – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ର ଭାବନାକୁ ଦର୍ଶାଯାଇଛି। ଜି – ୨୦ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସଂସ୍କୃତି, ସୃଜନଶୀଳତା, ବାଣିଜ୍ୟ ଏବଂ ସହଯୋଗ ଭଳି ଚାରୋଟି ସି (C ) ର ମହତ୍ତ୍ୱକୁ ଆପଣଙ୍କ କାର୍ଯ୍ୟ ପ୍ରତିଫଳିତ କରୁଛି। ଏହା ଆମକୁ ଏକ ଦୟାଶୀଳ, ସମାବେଶୀ ଏବଂ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ସଂସ୍କୃତିର ଶକ୍ତିକୁ ଉପଯୋଗ କରିବାରେ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ପ୍ରଖ୍ୟାତ ପ୍ରତ୍ନତତ୍ବବିତ୍ ପଦ୍ମଭୂଷଣ ବି ବି ଲାଲଙ୍କ ୧୦୧ ବର୍ଷ ବୟସରେ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଆଜି ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ବି ବି ଲାଲଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଲାଲ ଭାରତ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଥିଲେ। ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ହେଉଥିବା ଅଯୋଧ୍ୟା ସ୍ଥାନରେ ଖନନ ସମୟରେ ମନ୍ଦିର ସ୍ତମ୍ଭ ସେ ପାଇଥିଲେ।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଲାଲ ଜଣେ ମହାନ ବୁଦ୍ଧିଜୀବୀ ଭାବରେ ସ୍ମରଣୀୟ ହୋଇ ରହିବେ। “ଶ୍ରୀ ବି ବି ଲାଲ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଥିଲେ। ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କୁ ଜଣେ ମହାନ ବୁଦ୍ଧିଜୀବୀ ଭାବରେ ସ୍ମରଣ କରାଯିବ ଯିଏ ଆମର ସମୃଦ୍ଧ ଅତୀତ ସହିତ ଆମର ସମ୍ପର୍କକୁ ଆହୁରି ଗଭୀର କରିଥିଲେ।  ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ସମବେଦନା। ଓମ୍ ଶାନ୍ତି।

ସେହିପରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ ଦେଶ ଏକ ଉଜ୍ଜ୍ୱଳ ତାରକା ହରାଇଛି। ସେ କହିଛନ୍ତି ଲାଲ ଭାରତର ପ୍ରତ୍ନତାତ୍ତ୍ୱିକ ଖନନ ଏବଂ ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ଚାରି ଦଶନ୍ଧି ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ ତାଲିମ ଦେଇଛନ୍ତି।

ଭାରତ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏକ ଟୁଇଟ୍‌ରେ କହିଛି, “ପ୍ରତ୍ନତତ୍ତ୍ୱରେ ପଦ୍ମଭୂଷଣ ପ୍ରଫେସର ବି ବି ଲାଲଙ୍କ ଅବଦାନ ଅତୂଳନୀୟ। ତାଙ୍କର 101 ବର୍ଷର ଜୀବନକୁ ଏହି ପ୍ରତ୍ନତତ୍ବ ବିଷୟ ପାଇଁ ଉତ୍ସର୍ଗ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟର ସାଂସ୍କୃତିକ ଦଳଙ୍କ ପାଇଁ ଅନ ଲାଇନ ପରିଚାଳନା ବ୍ୟବସ୍ଥାର ହେଲା ଶୁଭାରମ୍ଭ

ଭୁବନେଶ୍ୱର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂସ୍କୃତି ଭବନରେ ଅନ ଲାଇନ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ଯେ କଳାକାର ଓ ସାଂସ୍କୃତିକ ଦଳମାନଙ୍କର ବହୁଦିନର ଆକାଂକ୍ଷା ଆଜି ପୂର୍ଣ୍ଣ ହୋଇଛି। କଳାକାର ଓ ସାଂସ୍କୃତିକ ଦଳମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର ଓ ବିଭାଗ ସବୁବେଳେ ଚେଷ୍ଟା କରିଆସିଛି। ତା’ର ସଦ୍ୟତମ ପ୍ରମାଣ ହେଉଛି ଏହି ବ୍ୟବସ୍ଥାର ଶୁଭାରମ୍ଭ।

ପ୍ରଯୁକ୍ତିବିଦ୍ୟାପ୍ରସୂତ ଏହି ବ୍ୟବସ୍ଥା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସାଂସ୍କୃତିକ ଦଳମାନଙ୍କର ବିବିଧ କାର୍ଯ୍ୟଗୁଡ଼ିକୁ ସହଜ ଓ ସୁବିଧାରେ କରିବା ପାଇଁ ସିଟିଏମ୍‌ଏସ୍‌ ଆପ୍ଲିକେସନ୍‌କୁ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଶେଷ ସମୟରେ ଉପୁଜୁଥିବା ଅସୁବିଧାଗୁଡ଼ିକୁ ଏଡ଼ାଇ ଦିଆଯିବା ସହିତ ସମସ୍ତଙ୍କୁ କଳା ପରିବେଷଣ କରିବାକୁ ସମାନ ସୁଯୋଗ ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି।

ଅନୁଷ୍ଠାନମାନଙ୍କ ଅନୁରୋଧ ଆଧାରରେ ବିଭିନ୍ନ ପର୍ବୋତ୍ସବମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ବିଭାଗ ତରଫରୁ ସେମାନଙ୍କୁ ପ୍ରେରଣ କରାଯାଇଥାଏ। ଏହି ପ୍ରକି୍ରୟାକୁ ସହଜ, ସୁଗମ୍ୟ ତଥା ତ୍ୱରାନ୍ୱିତ କରିବାକୁ ବିଭାଗ ପକ୍ଷରୁ ଏକ େୱବ୍‌ସାଇଟ୍‌ ପ୍ରସ୍ତୁତ କରାଯାଇଛି । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଅନୁଷ୍ଠାନମାନେ ଆସନ୍ତା ଜୁନ୍‌ ୧୫, ୨୦୨୨ ସୁଦ୍ଧା ଆବଶ୍ୟକୀୟ ସୂଚନା ସହ ctms-ollc.in ମାଧ୍ୟମରେ ନିଜକୁ ପଂଜୀକୃତ କରିନେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଅନୁରୋଧ କରିଛନ୍ତି।

କଳା, ସଂସ୍କୃତି ଓ ପରମ୍ପରା ଗୋଟିଏ ଜାତିର ପରିଚୟ କହିଲେ ଅତୁ୍ୟକ୍ତି ହେବ ନାହିଁ । କଳାକାର ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ଉନ୍ନତି ପାଇଁ ସୁଚିନ୍ତିତ ମତାମତ ପତ୍ର କିମ୍ବା ଇମେଲ୍‌ ମାଧ୍ୟମରେ ବିଭାଗକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି।

ଓଡ଼ିଆ ଭାଷା ପ୍ରତିଷ୍ଠାନର ପରାମର୍ଶଦାତା ଡ. ଫନିନ୍ଦ୍ର ଭୂଷଣ ନନ୍ଦ, ଲୁମିନସ୍‌ ଇନ୍‌ଫୋେୱଜ୍‌ର ମୁଖ୍ୟ ଶ୍ରୀ ତନ୍ମୟ ମହାନ୍ତି ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଶୁଭାରମ୍ଭ ସମୟରେ ଉପସ୍ଥିତ ରହି ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ନେଇ ଆମ ସମସ୍ତଙ୍କୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ମତପ୍ରକାଶ କରିଥିଲେ।