Categories
ଆଞ୍ଚଳିକ

ବାଣପୁରକୁ ରାଜସ୍ୱ ଉପଖଣ୍ଡ ଦାବି: ଆରମ୍ଭ ହେଲା ଯୁବ ସମାଜସେବୀଙ୍କ ସଚିବାଳୟ ଅଭିମୁଖେ ପଦଯାତ୍ରା

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ପ୍ରସ୍ତୁତ ହୋଇଛନ୍ତି। ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ ଆଜି ମା’ ଭଗବତୀ ମନ୍ଦିରରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି।

ଆଜି ପୂର୍ବାହ୍ନରେ ସେ ମା’ ଭଗବତୀଙ୍କ ଦର୍ଶନ କରି ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରିଥିଲେ। ଏହାପରେ ପୋଲିସ ଥାନା ନିକଟସ୍ଥ ଗୋଦାବରୀଶ ମିଶ୍ର ଏବଂ ମେଡିକାଲ ନିକଟସ୍ଥ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବାଣପୁର ତହସିଲରେ ପହଞ୍ଚିଥିଲେ।  ସେଠାରେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରି ସେଠାରୁ ଗମ୍ଭାରିମୁଣ୍ଡା ଦେଇ ନାଚୁଣୀରେ ପହଞ୍ଚିବେ। ନାଚୁଣୀରୁ ଚିଲିକା ତହସିଲ ଯାଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ତାଙ୍କ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିବ।

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଶେଷଦେବ ସଚିବାଳୟ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ। ତେବେ ଉକ୍ତ ପଦଯାତ୍ରାକୁ ଶତାଧିକ ବାଣପୁରବାସି ସମର୍ଥନ ଜଣାଇବା ସହ ଶେଷଦେବଙ୍କ ସହ ସମସ୍ତେ ସ୍ୱଳ୍ପ ବାଟ ଚାଲିଥିବାର ଦେଖିବାକୁ ମିଳିଛି।