Categories
ଆଜିର ଖବର ଆଞ୍ଚଳିକ

ସଟଡ଼ାଉନରେ ଦୋକାନ ଖୋଲିବା ପଡିଲା ମହଙ୍ଗା: ବାଣପୁରରେ ୭ଦିନ ପାଇଁ ସିଲ୍ ହେଲା ୨ଟି ଦୋକାନ

ସୀତାରାମ ଅଗ୍ରୱାଲ

ବାଣପୁର: ସପ୍ତାହନ୍ତ ସଟଡ଼ାଉନ ସମୟରେ ଦୋକାନ ଖୋଲିବା ମହଙ୍ଗା ପଡିଛି। ସ୍ଥାନୀୟ ପ୍ରଶାସନ ଏନେଇ ଦୁଇଟି ଦୋକାନକୁ ସିଲ୍ କରିଛି। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ ଏଭଳି ଘଟଣା ଘଟିଯାଇଛି।

ଗତକାଲି ସନ୍ଧ୍ୟାସମୟରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ସହରର ବିଭିନ୍ନ ଅଞ୍ଚଳ ପଇଁତରା ମାରୁଥିବାବେଳେ ପଲଟନ ପଡିଆ ଛକ ନିକଟରେ ଏକ ଦୋକାନ ଖୋଲା ଥିବା ଦେଖିବାକୁ ପାଇଥିଲେ। ତେବେ ଏହା ଦେଖି ଶ୍ରୀ ମହାନ୍ତି ସମ୍ପୃକ୍ତ ଦୋକାନୀଙ୍କୁ ଜରିମାନା ଦେବାପାଇଁ କହିବାରୁ ଜନୈକ ଦୋକାନୀ ଏହାକୁ ବିରୋଧ କରିବା ସହ ପ୍ରଶାସନକୁ ଅବମାନନା କରିଥିବାର ଅଭିଯୋଗ ହୋଇଛି।

ଅନୁରୂପ ଭାବେ ଆଜି ସପ୍ତାହନ୍ତ ସଟ ଡ଼ାଉନ ଥିବାରୁ ମେଡ଼ିସିନକୁ ଛାଡିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିବା କଥା। କିନ୍ତୁ ଆଜି ପୁଣି ସମ୍ପୃକ୍ତ ଅଞ୍ଚଳର ଆଉ ଗୋଟେ ଦୋକାନ ଖୋଲାଥିବାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେଖିବାକୁ ପାଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଣପୁର ପୋଲିସର ଉପସ୍ଥିତିରେ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଦୁଇ ଗୋଟି ଦୋକାନକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀସିଲ୍ କରିଛନ୍ତି।

ବାଣପୁରରେ କରୋନା ଗ୍ରାଫ ବଢୁଥିବାବେଳେ ଅମାନିଆଙ୍କ ଲାଗି ଏହା ଘାତକ ସାବ୍ୟସ୍ତ ହେଉଛି। ଅନେକ ଦୋକାନୀ କୋଭିଡ ଗାଇଡଲାଇନକୁ ଅବମାନନା କରି ଦୋକାନ ଖୋଲୁଥିବାର ଅଭିଯୋଗ ହେଉଛି।

ତେବେ ଆସନ୍ତା ସୋମବାରଠାରୁ ଯେଉଁ ଦୋକାନୀମାନେ ଗାଇଡ଼ଲାଇନ ଅବମାନନା କରିବେ, ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏହି ଜିଲ୍ଲାର ସମଗ୍ର ଅଞ୍ଚଳରେ ଲାଗୁ ହେଲା ସପ୍ତାହନ୍ତ ସଟଡ଼ାଉନ

ଭୁବନେଶ୍ବର: ସମଗ୍ର ଜଗତସିଂହପୁର ଜିଲ୍ଲାରେ ସପ୍ତାହନ୍ତ ସଟଡ଼ାଉନ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ଜିଲ୍ଲାର ସବୁ ବଜାର କମିଟି ଏନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା। କମିଟିର ଅନୁରୋଧକ୍ରମେ ଜିଲ୍ଲା ପ୍ରଶାସନ ସପ୍ତାହନ୍ତ ସଟଡ଼ାଉନ କରିବାକୁ ନିଷ୍ପତ୍ତି ନେଇଛି। ଜିଲ୍ଲାରେ ଉଭୟ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି କଟକଣା ଲାଗୁ କରାଯିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଟଡାଉନ ସମୟରେ ଚୋରାରେ ବିଦେଶୀ ମଦ କାରବାର: ଗାଡି ଜବତ, ଜଣଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ୍

ଚାନ୍ଦପୁର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଜାରି ରହିଛି। ଏହି ସମୟରେ ଲୋକେ ଘରେ ରହୁଥିବା ବେଳେ ମଦ ମାଫିଆ ମାନେ ଏହାର ସୁଯୋଗ ନେଉଛନ୍ତି। ଏଥିରେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳ ମଧ୍ୟ ବାଦ ପଡିନି।

ଏହି ଅଞ୍ଚଳରେ ବେଆଇନ ଚୋରା ମଦ କାରବାର ହେଉଥିବା ଖବର ପାଇ ଚାନ୍ଦପୁର ପୋଲିସ ଚଢାଉ କରିଛି। ଏହି ଚଢାଉ ସମୟରେ ପୋଲିସ ବିଦେଶ ମଦ ସହ ବୋଲେରୋ ପିକ୍ ଅପ୍ ଭ୍ୟାନକୁ ଜବତ କରିଛି। ଏହା ସହ ମଦ ଚୋରା କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମୟୁର ଝାଲିଆ ପଂଚାୟତ ହରିହରପୁର ଗ୍ରାମ ଜଙ୍ଗଲରେ ଚୋରା ମଦ କାରବାର ହେଉଥିବା ଖବର ପାଇ ଚାନ୍ଦପୁର ପୋଲିସ ଆଜି ଚଢାଉ କରିଛି। ଚଢାଉ ବେଳେ ୪୩ ଲିଟର ବିଦେଶୀ ମଦ ସହ ବୋଲେରୋ ପିକ୍ ଅପ୍ ଭ୍ୟାନ ପୋଲିସ ଜବତ କରିଛି। ଏହା ସହ ଚୋରା ମଦ କାରବାର ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ବିଜୟ କେଶରୀ ପ୍ରଧାନ ବୋଲି ଜଣା ପଡିଛି। ତେବେ ଅଭିଯୁକ୍ତଙ୍କ ନାମରେ କେସ ନଂ ୬୪/୨୧ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସପ୍ତାହନ୍ତ ସଟଡ଼ାଉନ ସମୟରେ ଘଣ୍ଟାଏ କୋହଳ: ସକାଳ ୫ ଟାରୁ ୬ ଟା ଯାଏଁ କଟକଣା ମୁକ୍ତ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ସପ୍ତାହନ୍ତ ସଟଡ଼ାଉନ ଆରମ୍ଭ ହେଉଛି। ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ଏହି ସଟଡ଼ାଉନ ଲାଗୁ ରହିବ। ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ କଟକଣାକୁ ସାରା ରାଜ୍ୟରେ କଡାକଡି କରାଯିବ। ହେଲେ ଏହି ଦୁଇ ଦିନ ସକାଳେ ଘଣ୍ଟାଏ ଲେଖାଏଁ ଲୋକଙ୍କୁ କୋହଳ ମିଳିବ। ମର୍ଣ୍ଣିଂ ୱାକ୍ ଏବଂ ସାଇକ୍ଲିଙ୍ଗ ପାଇଁ ଘଣ୍ଟାଏ କୋହଳ ହେବ। ସକାଳ ୫ ଟାରୁ ୬ ଟା ଯାଏଁ ଘଣ୍ଟାଏ କୋହଳ କରାଯିବ। ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦ୍ଵିତୀୟ ଡୋଜ ପରେ ସଂକ୍ରମଣ ଆଶଙ୍କା କମ ରହିଛି: ବିଜୟ ପାଣିଗ୍ରାହୀ

ଭୁବନେଶ୍ବର: ମେ’ ୧ ତାରିଖରୁ ଘରୋଇ ହସ୍ପିଟାଲ ଉପ୍ତାଦକଙ୍କ ଠାରୁ ସିଧାସଳଖ ଟୀକା କିଣିବେ। କେନ୍ଦ୍ର ସରକାର ଅନୁଯାୟୀ ଟୀକା ଦର ଧାର୍ଯ୍ୟ ହେବ। ଟୀକା ନେବା ପାଇଁ ପଞ୍ଜୀକରଣ ସମୟରେ ଟୀକାର ଦର ଦେଖିପାରିବେ।

ଆଜି ରାଜ୍ୟରେ ୭ ଶହ କେନ୍ଦ୍ରରେ ଟୀକାକରଣ ଜାରି ରହିଛି। ଏଯାବତ ରାଜ୍ୟରେ ୫୪ ଲକ୍ଷ ୪୧ ହଜାର ୪୭୮ ଜଣ ଟୀକା ନେଇଛନ୍ତି। ଟୀକା ନେବା ପରେ ମାତ୍ର ୫୦ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଦ୍ଵିତୀୟ ଡୋଜ ପରେ ସଂକ୍ରମଣ ସଂଖ୍ୟା ବହୁତ କମ ଅଛି। ସପ୍ତାହରେ ୫ ଦିନ ଟୀକାକରଣ ଚାଲିବ। ସପ୍ତାହନ୍ତ ସଟଡାଉନ ଯୋଗୁଁ ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ଏବଂ ଏହି ଦୁଇ ଦିନ ଟୀକା କେନ୍ଦ୍ରକୁ ବିଶୋଧନ କରାଯିବ।

ତେବେ ରାଜ୍ୟରେ ଏଯାଏଁ ଟ୍ରିପଲ ମ୍ୟୁଟାଣ୍ଟ ଭାରିଏଣ୍ଟ ଚିହ୍ନଟ ହୋଇନି। ଏହି ଭାରିଏଣ୍ଟ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ସମସ୍ତଙ୍କୁ ସତର୍କ ରହିବା ଜରୁରୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଦ୍ଵାରା  ଅନଲକ ୪.୦ ର ଗାଇଡଲାଇନ ଜାରି: ହଟିବ ରାତ୍ରୀକାଳୀନ କର୍ଫ୍ୟୁ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ତରଫରୁ ସେପ୍ଟେମ୍ବର ମାସ ପାଇଁ ଅନଲକ ୪.୦ ର  ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ସପ୍ତାହନ୍ତ ସଟଡାଉନକୁ ହଟାଯାଇଥିବା ବେଳେ ରାତ୍ରୀକାଳୀନ କର୍ଫ୍ୟୁ କଟକଣାକୁ ମଧ୍ୟ କୋହଳ କରାଯାଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ଲାଗୁ ରହିବ। ତେବେ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନକୁ ବାଦ ଦେଲେ ଅନ୍ୟ ସବୁ ଅଞ୍ଚଳରେ ଲକଡାଉନ କଟକଣା ରହିବ ନାହିଁ।

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ। ସେହିପରି ସିନେମା ହଲ, ସୁଇମିଙ୍ଗ ପୁଲ, ଥିଏଟର, ଅଡିଟୋରିୟମ ବନ୍ଦ ରହିବା ପାଇଁ ଗାଇଡଲାଇନ ଜାରି ହୋଇଥିବା ବେଳେ ସେପ୍ଟେମ୍ବର ୨୧ ତାରିଖ ଠାରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ମିଳିଛି। ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ। ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ କୌଣସି ବଡ ଜନ ସମାବେଶ ବନ୍ଦ ରହିବ।

ବାହାଘର କାର୍ଯ୍ୟକ୍ରମରେ ୫୦ ଜଣଙ୍କୁ ଅନୁମତି ମିଳିଥିବା ବେଳେ  ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ୨୦ଜଣଙ୍କୁ ଅନୁମତି ମିଳିଛି। ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରକୁ ଯିବା ଆସିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ସେହିପରି ଘରୋଇ ଯାନବାହାନ ଏବଂ ମାଲ ପରିବହନ ପାଇଁ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ। ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ବସ ଚଳାଚଳକୁ ଅନୁମତି ଦିଆଯାଇଛି।

ବୟଷ୍କ, ରୋଗୀ, ପ୍ରସୂତି, ୧୦ ବର୍ଷର କମ ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କାର୍ଯ୍ୟକ୍ରମ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଥିବା ବେଳେ କେବଳ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଏବଂ ଖାତା ମୂଲ୍ୟାୟନ କାର୍ଯ୍ୟ ଜାରି ରହିବ। ଅନଲାଇନ ପାଠପଢା ଚାଲୁ ରହିବ। ବିଦ୍ୟାଳୟକୁ ୫୦ ପ୍ରତିଶତ ଶିକ୍ଷକ, କର୍ମଚାରୀ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୨୧ ତାରିଖ ପରେ ଆଇଟିଆଇ, ଟ୍ରେନିଂ ଇନଷ୍ଟିଚ୍ୟୁଟ ଖୋଲାଯାଇପାରିବ। ସେଥିପାଇଁ ଜାରି ହେବ ଏସ ଓ ପି।