ରାଜ୍ୟ ସରକାରଙ୍କ ଦ୍ଵାରା  ଅନଲକ ୪.୦ ର ଗାଇଡଲାଇନ ଜାରି: ହଟିବ ରାତ୍ରୀକାଳୀନ କର୍ଫ୍ୟୁ

Published: Aug 31, 2020, 9:13 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ତରଫରୁ ସେପ୍ଟେମ୍ବର ମାସ ପାଇଁ ଅନଲକ ୪.୦ ର  ଗାଇଡଲାଇନ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ସପ୍ତାହନ୍ତ ସଟଡାଉନକୁ ହଟାଯାଇଥିବା ବେଳେ ରାତ୍ରୀକାଳୀନ କର୍ଫ୍ୟୁ କଟକଣାକୁ ମଧ୍ୟ କୋହଳ କରାଯାଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ଲାଗୁ ରହିବ। ତେବେ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନକୁ ବାଦ ଦେଲେ ଅନ୍ୟ ସବୁ ଅଞ୍ଚଳରେ ଲକଡାଉନ କଟକଣା ରହିବ ନାହିଁ।

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ। ସେହିପରି ସିନେମା ହଲ, ସୁଇମିଙ୍ଗ ପୁଲ, ଥିଏଟର, ଅଡିଟୋରିୟମ ବନ୍ଦ ରହିବା ପାଇଁ ଗାଇଡଲାଇନ ଜାରି ହୋଇଥିବା ବେଳେ ସେପ୍ଟେମ୍ବର ୨୧ ତାରିଖ ଠାରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ମିଳିଛି। ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରହିବ। ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ କୌଣସି ବଡ ଜନ ସମାବେଶ ବନ୍ଦ ରହିବ।

ବାହାଘର କାର୍ଯ୍ୟକ୍ରମରେ ୫୦ ଜଣଙ୍କୁ ଅନୁମତି ମିଳିଥିବା ବେଳେ  ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ୨୦ଜଣଙ୍କୁ ଅନୁମତି ମିଳିଛି। ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରକୁ ଯିବା ଆସିବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ସେହିପରି ଘରୋଇ ଯାନବାହାନ ଏବଂ ମାଲ ପରିବହନ ପାଇଁ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ। ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ବସ ଚଳାଚଳକୁ ଅନୁମତି ଦିଆଯାଇଛି।

ବୟଷ୍କ, ରୋଗୀ, ପ୍ରସୂତି, ୧୦ ବର୍ଷର କମ ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କାର୍ଯ୍ୟକ୍ରମ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଥିବା ବେଳେ କେବଳ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଏବଂ ଖାତା ମୂଲ୍ୟାୟନ କାର୍ଯ୍ୟ ଜାରି ରହିବ। ଅନଲାଇନ ପାଠପଢା ଚାଲୁ ରହିବ। ବିଦ୍ୟାଳୟକୁ ୫୦ ପ୍ରତିଶତ ଶିକ୍ଷକ, କର୍ମଚାରୀ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୨୧ ତାରିଖ ପରେ ଆଇଟିଆଇ, ଟ୍ରେନିଂ ଇନଷ୍ଟିଚ୍ୟୁଟ ଖୋଲାଯାଇପାରିବ। ସେଥିପାଇଁ ଜାରି ହେବ ଏସ ଓ ପି।

Related posts