ସଟଡ଼ାଉନରେ ଦୋକାନ ଖୋଲିବା ପଡିଲା ମହଙ୍ଗା: ବାଣପୁରରେ ୭ଦିନ ପାଇଁ ସିଲ୍ ହେଲା ୨ଟି ଦୋକାନ

Published: May 22, 2021, 5:59 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ସପ୍ତାହନ୍ତ ସଟଡ଼ାଉନ ସମୟରେ ଦୋକାନ ଖୋଲିବା ମହଙ୍ଗା ପଡିଛି। ସ୍ଥାନୀୟ ପ୍ରଶାସନ ଏନେଇ ଦୁଇଟି ଦୋକାନକୁ ସିଲ୍ କରିଛି। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ ଏଭଳି ଘଟଣା ଘଟିଯାଇଛି।

ଗତକାଲି ସନ୍ଧ୍ୟାସମୟରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ସହରର ବିଭିନ୍ନ ଅଞ୍ଚଳ ପଇଁତରା ମାରୁଥିବାବେଳେ ପଲଟନ ପଡିଆ ଛକ ନିକଟରେ ଏକ ଦୋକାନ ଖୋଲା ଥିବା ଦେଖିବାକୁ ପାଇଥିଲେ। ତେବେ ଏହା ଦେଖି ଶ୍ରୀ ମହାନ୍ତି ସମ୍ପୃକ୍ତ ଦୋକାନୀଙ୍କୁ ଜରିମାନା ଦେବାପାଇଁ କହିବାରୁ ଜନୈକ ଦୋକାନୀ ଏହାକୁ ବିରୋଧ କରିବା ସହ ପ୍ରଶାସନକୁ ଅବମାନନା କରିଥିବାର ଅଭିଯୋଗ ହୋଇଛି।

ଅନୁରୂପ ଭାବେ ଆଜି ସପ୍ତାହନ୍ତ ସଟ ଡ଼ାଉନ ଥିବାରୁ ମେଡ଼ିସିନକୁ ଛାଡିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିବା କଥା। କିନ୍ତୁ ଆଜି ପୁଣି ସମ୍ପୃକ୍ତ ଅଞ୍ଚଳର ଆଉ ଗୋଟେ ଦୋକାନ ଖୋଲାଥିବାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେଖିବାକୁ ପାଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଣପୁର ପୋଲିସର ଉପସ୍ଥିତିରେ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଦୁଇ ଗୋଟି ଦୋକାନକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀସିଲ୍ କରିଛନ୍ତି।

ବାଣପୁରରେ କରୋନା ଗ୍ରାଫ ବଢୁଥିବାବେଳେ ଅମାନିଆଙ୍କ ଲାଗି ଏହା ଘାତକ ସାବ୍ୟସ୍ତ ହେଉଛି। ଅନେକ ଦୋକାନୀ କୋଭିଡ ଗାଇଡଲାଇନକୁ ଅବମାନନା କରି ଦୋକାନ ଖୋଲୁଥିବାର ଅଭିଯୋଗ ହେଉଛି।

ତେବେ ଆସନ୍ତା ସୋମବାରଠାରୁ ଯେଉଁ ଦୋକାନୀମାନେ ଗାଇଡ଼ଲାଇନ ଅବମାନନା କରିବେ, ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Related posts