Categories
ଆଜିର ଖବର ରାଜ୍ୟ ଖବର

୯୯ ତମ ଅନ୍ତର୍ଜାତୀୟ ସମବାୟ ଦିବସରେ ପୁନର୍ଗଠନ ପାଇଁ ସହଭାଗିତାକୁ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ୱର,  ଉତ୍ତମ ପୁନର୍ଗଠନ ପାଇଁ ସମବାୟ ମାଧ୍ୟମରେ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ଆନୁକୂଲ୍ୟରେ ୯୯ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବରେ ଯୋଗଦେଇ ସେ ଏହା କହିଲେ।

ମନ୍ତ୍ରୀ ଆହୁରି କହିଲେ ଯେ ଚଳିତ ବର୍ଷର ଅନ୍ତର୍ଜାତୀୟ ସମବାୟ ଦିବସର ବିଷୟବସ୍ତୁ ଉତ୍ତମ ପୁନର୍ଗଠନ ପାଇଁ ସହଭାଗିତା ଆଧାରରେ ସମବାୟ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ। କରୋନା ବିପତ୍ତିକୁ ମୁକାବିଲା କରିବା ପାଇଁ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ । କୋଭିଡ୍‌-୧୯ ସ୍ଥିତିରେ କୃଷିକାର୍ଯ୍ୟକୁ ଗତିଶୀଳ କରିବାରେ ସମବାୟ ସଂସ୍ଥା ପ୍ରମୁଖ ଭୂମିକା ନିର୍ବାହ କରି ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛି ।

ସମବାୟ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସେବା ଯୋଗାଇଦେବା ପାଇଁ ଯେଉଁ ଦାୟିତ୍ୱ ରହିଛି ତାହାକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବା ନିମନ୍ତେ ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।