Categories
ଆଞ୍ଚଳିକ

ବାଣପୁରର ବିଶିଷ୍ଟ ସମାଜସେବୀଙ୍କ ବିୟୋଗରେ ଶୋକସନ୍ତପ୍ତ ପରିବାରକୁ ଭେଟିଲେ ପୁରୀ ସାଂସଦ, ଆଇନ ମନ୍ତ୍ରୀ

ବାଣପୁର: ଆଜି ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ଯୁବ ସାମ୍ବାଦିକ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ବଡଦାଦା ସ୍ୱର୍ଗତ ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ବାସଭବନକୁ ପୁରୀ ସାଂସଦ ସମ୍ବିତ ପାତ୍ର, ଓଡ଼ିଶା କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ଏହି ଅବସରରେ ସାଂସଦ ଶ୍ରୀ ପାତ୍ର ଏବଂ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ବର୍ଗତ ଅଗ୍ରୱାଲଙ୍କ ବିୟୋଗରେ ଗଭୀର ଦୁଃଖପ୍ରକାଶ କରିବା ସହ ତାଙ୍କ ଫୋଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତତସହିତ ତାଙ୍କ ପରିବାରବର୍ଗଙ୍କ ସହ କିଛି ସମୟ ଅତିବାହିତ କରିବା ସହ ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ।

ସ୍ବର୍ଗତ ଅଗ୍ରୱାଲ ବାଣପୁର ଅଞ୍ଚଳର ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ ଏବଂ ସମାଜର ଉନ୍ନତି କ୍ଷେତ୍ରରେ ତାଙ୍କର ବହୁ ଅବଦାନ ଥିବା ଉପସ୍ଥିତ ରାଜନେତା ମାନେ ପ୍ରକାଶ କରିଥିଲେ।  ସୂଚନା ଥାଉକି ସ୍ବର୍ଗତ ଶ୍ରୀ ଅଗ୍ରୱାଲ ବାଣପୁର ସତସଙ୍ଗ ବିହାରର ପୂର୍ବତନ ସଭାପତି ଥିବା ସହ ବହୁ ଧାର୍ମିକ ଏବଂ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ତାଙ୍କର ଚଳିତ ସେପ୍ଟେମ୍ବର ୧ ତାରିଖରେ ଦେହାନ୍ତ ହୋଇଥିଲା।