Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନବଜାତ ଶିଶୁର ଶରୀରରୁ ବିରଳ ଟ୍ୟୁମରକୁ ଅସ୍ତ୍ରୋପଚାର ଜରିଆରେ ଅଲଗା କଲେ ସମ୍ ସର୍ଜନ୍

ଭୁବନେଶ୍ୱର: ନବଜାତ ଶିଶୁର ଶରୀରର ନିମ୍ନ ଭାଗରେ ଯୋଡି ହୋଇ ରହିଥିବା ମୁଣ୍ଡ ଆକୃତିର ଟ୍ୟୁମରକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରି ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ୍।

ଖୋର୍ଦ୍ଧା ଅଂଚଳର ଜନୈକ ଦମ୍ପତିଙ୍କର ଶିଶୁ ପୁତ୍ର ଜନ୍ମ ହେବା ସମୟରେ ତା’ର ମଳଦ୍ୱାର ନିକଟରେ ଏକ ମୁଣ୍ଡ ଆକୃତିର ଟ୍ୟୁମର ଯୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହି ଟ୍ୟୁମର ଅର୍ଥାତ୍ ମାସଂପିଣ୍ଡୁଳା ଟି ମୁଣ୍ଡ ସଦୃଶ ହୋଇଥିବା ବେଳେ ସେଥିରେ ଚର୍ମ, କାନ ଓ କେଶ ମଧ୍ୟ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଏଭଳି ଅବସ୍ଥା ଦେଖି ଶିଶୁପୁତ୍ରର ପରିବାର ତାକୁ ସମ୍ ହସ୍ପିଟାଲ୍‌କୁ ଆଣି ଭର୍ତି କରାଇଥିଲେ। ନବଜାତ ଶିଶୁରୋଗ ବିଭାଗର ଡାକ୍ତର ପ୍ରଥମେ ଶିଶୁଟିର ପରୀକ୍ଷା ନିରୀକ୍ଷା କରିଥିବା ବେଳେ ପରବର୍ତୀ ସମୟରେ ଶିଶୁଶଲ୍ୟ ଡାକ୍ତର ଅସ୍ତ୍ରୋପଚାର ମାଧ୍ୟମରେ ଏହି ଟ୍ୟୁମରଟିକୁ କାଢ଼ିବାର ନିଷ୍ପତି ନେଇଥିଲେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ପରାମର୍ଶଦାତା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ସମ୍ ହସ୍ପିଟାଲ୍‌ର ଶିଶୁଶଲ୍ୟ ବିଭାଗର ବରିଷ୍ଠ ଖ୍ୟାତିସମ୍ପନ୍ନ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଶିଶୁଟି ଭର୍ତି ହେବାର ୪ ଦିନ ମଧ୍ୟରେ ଅସ୍ତ୍ରୋପଚାର କରାଯାଇଥିଲା।

ଏହା ଏକ ବିରଳ ଅସ୍ତ୍ରୋପଚାର ଓ ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ ଜାଏଂଟ ସାକ୍ରୋକକିଜିଏଲ୍ ଟେରାଟୋମା କୁହାଯାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ଏହା ଏକ ଜନ୍ମଗତ ତ୍ରୁଟି। ମା ଗର୍ଭବତୀ ହେବାର ୧୫ ରୁ ୩୦ ଦିନ ମଧ୍ୟରେ ଶିଶୁର ଶରୀରରେ ପ୍ରଥମେ ଏକ ଟ୍ୟୁବ୍ ଆକାରର ମେରୁଦଣ୍ଡ ସୃଷ୍ଟି ହୋଇଥାଏ ଯାହାକୁ ନ୍ୟୁରାଲ ଟ୍ୟୁବ କୁହାଯାଏ। ଏହି ନ୍ୟୁରାଲ ଟ୍ୟୁବ୍‌ରେ ଯଦି ମସ୍ତିଷ୍କ, ମାଂସପେଶୀ ଓ ହାଡର ଟିସ୍ୟୁ ଏକାଠି ହୋଇଯାଏ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଏହି ଶିଶୁଟିର ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରର ଆକାର ୩୫ ସେମି ଓ ଓଜନ ଏକ କେଜି ଥିଲା ବୋଲି ସେ କହିଛନ୍ତି।

ଏହି ଜଟିଳ ଅପରେସନ୍ ନିମନ୍ତେ ପ୍ରାୟ ଦୁଇ ରୁ ତିନି ଘଂଟା ସମୟ ଲାଗିଥିଲା ବୋଲି ସମ୍ ହସ୍ପିଟାଲ୍‌ର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ସୌଭାଗ୍ୟ ପାଣିଗ୍ରାହୀ କହିଛନ୍ତି।

ବିଏସ୍‌କେୱାଇ ଯୋଜନା ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଥିବା ସେ ଜଣାଇଛନ୍ତି।
ସେହିପରି ସମ୍‌ର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ରାମଚନ୍ଦ୍ର ଦେଓ କହିଥିଲେ ଯେ ନବଜାତ ଶିଶୁରୋଗ ବିଭାଗର ଆଇସିୟୁ ଓ ନିଶ୍ଚେତକ ଟିମ୍‌ଙ୍କର ଏହି ଅସ୍ତ୍ରୋପଚାରକୁ ସଫଳ କରିବାରେ ଅନେକ ସହଯୋଗ ରହିଥିଲା।

ଏହି ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେବା ନିମନ୍ତେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିଶ୍ଚେତକ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ପ୍ରେରଣା ବିଶ୍ୱାଳ ଉପସ୍ଥିତ ଥିଲେ।

ଶିଶୁର ଅସ୍ତ୍ରୋପଚାର ପରେ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କୁ ତା’ର ପିତାମାତା କୃତଜ୍ଞତା ଜଣାଇଛନ୍ତି।