Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନବଜାତ ଶିଶୁର ଶରୀରରୁ ବିରଳ ଟ୍ୟୁମରକୁ ଅସ୍ତ୍ରୋପଚାର ଜରିଆରେ ଅଲଗା କଲେ ସମ୍ ସର୍ଜନ୍

ଭୁବନେଶ୍ୱର: ନବଜାତ ଶିଶୁର ଶରୀରର ନିମ୍ନ ଭାଗରେ ଯୋଡି ହୋଇ ରହିଥିବା ମୁଣ୍ଡ ଆକୃତିର ଟ୍ୟୁମରକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରି ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ୍।

ଖୋର୍ଦ୍ଧା ଅଂଚଳର ଜନୈକ ଦମ୍ପତିଙ୍କର ଶିଶୁ ପୁତ୍ର ଜନ୍ମ ହେବା ସମୟରେ ତା’ର ମଳଦ୍ୱାର ନିକଟରେ ଏକ ମୁଣ୍ଡ ଆକୃତିର ଟ୍ୟୁମର ଯୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହି ଟ୍ୟୁମର ଅର୍ଥାତ୍ ମାସଂପିଣ୍ଡୁଳା ଟି ମୁଣ୍ଡ ସଦୃଶ ହୋଇଥିବା ବେଳେ ସେଥିରେ ଚର୍ମ, କାନ ଓ କେଶ ମଧ୍ୟ ଲାଗି ରହିଥିବା ଦେଖିବାକୁ ମିଳିଥିଲା। ଏଭଳି ଅବସ୍ଥା ଦେଖି ଶିଶୁପୁତ୍ରର ପରିବାର ତାକୁ ସମ୍ ହସ୍ପିଟାଲ୍‌କୁ ଆଣି ଭର୍ତି କରାଇଥିଲେ। ନବଜାତ ଶିଶୁରୋଗ ବିଭାଗର ଡାକ୍ତର ପ୍ରଥମେ ଶିଶୁଟିର ପରୀକ୍ଷା ନିରୀକ୍ଷା କରିଥିବା ବେଳେ ପରବର୍ତୀ ସମୟରେ ଶିଶୁଶଲ୍ୟ ଡାକ୍ତର ଅସ୍ତ୍ରୋପଚାର ମାଧ୍ୟମରେ ଏହି ଟ୍ୟୁମରଟିକୁ କାଢ଼ିବାର ନିଷ୍ପତି ନେଇଥିଲେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ପରାମର୍ଶଦାତା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ସମ୍ ହସ୍ପିଟାଲ୍‌ର ଶିଶୁଶଲ୍ୟ ବିଭାଗର ବରିଷ୍ଠ ଖ୍ୟାତିସମ୍ପନ୍ନ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଶିଶୁଟି ଭର୍ତି ହେବାର ୪ ଦିନ ମଧ୍ୟରେ ଅସ୍ତ୍ରୋପଚାର କରାଯାଇଥିଲା।

ଏହା ଏକ ବିରଳ ଅସ୍ତ୍ରୋପଚାର ଓ ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ ଜାଏଂଟ ସାକ୍ରୋକକିଜିଏଲ୍ ଟେରାଟୋମା କୁହାଯାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ଏହା ଏକ ଜନ୍ମଗତ ତ୍ରୁଟି। ମା ଗର୍ଭବତୀ ହେବାର ୧୫ ରୁ ୩୦ ଦିନ ମଧ୍ୟରେ ଶିଶୁର ଶରୀରରେ ପ୍ରଥମେ ଏକ ଟ୍ୟୁବ୍ ଆକାରର ମେରୁଦଣ୍ଡ ସୃଷ୍ଟି ହୋଇଥାଏ ଯାହାକୁ ନ୍ୟୁରାଲ ଟ୍ୟୁବ କୁହାଯାଏ। ଏହି ନ୍ୟୁରାଲ ଟ୍ୟୁବ୍‌ରେ ଯଦି ମସ୍ତିଷ୍କ, ମାଂସପେଶୀ ଓ ହାଡର ଟିସ୍ୟୁ ଏକାଠି ହୋଇଯାଏ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଏହି ଶିଶୁଟିର ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରର ଆକାର ୩୫ ସେମି ଓ ଓଜନ ଏକ କେଜି ଥିଲା ବୋଲି ସେ କହିଛନ୍ତି।

ଏହି ଜଟିଳ ଅପରେସନ୍ ନିମନ୍ତେ ପ୍ରାୟ ଦୁଇ ରୁ ତିନି ଘଂଟା ସମୟ ଲାଗିଥିଲା ବୋଲି ସମ୍ ହସ୍ପିଟାଲ୍‌ର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ସୌଭାଗ୍ୟ ପାଣିଗ୍ରାହୀ କହିଛନ୍ତି।

ବିଏସ୍‌କେୱାଇ ଯୋଜନା ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଥିବା ସେ ଜଣାଇଛନ୍ତି।
ସେହିପରି ସମ୍‌ର ନ୍ୟୁରୋ ସର୍ଜରୀ ବିଭାଗର ପ୍ରଫେସର ରାମଚନ୍ଦ୍ର ଦେଓ କହିଥିଲେ ଯେ ନବଜାତ ଶିଶୁରୋଗ ବିଭାଗର ଆଇସିୟୁ ଓ ନିଶ୍ଚେତକ ଟିମ୍‌ଙ୍କର ଏହି ଅସ୍ତ୍ରୋପଚାରକୁ ସଫଳ କରିବାରେ ଅନେକ ସହଯୋଗ ରହିଥିଲା।

ଏହି ଅସ୍ତ୍ରୋପଚାର ସମ୍ପର୍କରେ ସୂଚନା ଦେବା ନିମନ୍ତେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିଶ୍ଚେତକ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ପ୍ରେରଣା ବିଶ୍ୱାଳ ଉପସ୍ଥିତ ଥିଲେ।

ଶିଶୁର ଅସ୍ତ୍ରୋପଚାର ପରେ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କୁ ତା’ର ପିତାମାତା କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡି: ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ

ସୀତାରାମ ଅଗ୍ରୱାଲ

କୁହୁଡି: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୟଥ ପଲା ଛକ ନିକଟ ରାସ୍ତା କଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ନବଜାତ ଶିଶୁର ମୃତଦେହକୁ କୁହୁଡି ଫାଣ୍ଡି ପୋଲିସ୍ ଉଦ୍ଧାର କରିଛି।

ଆଜି ସକାଳ ସମୟରେ ଏକ ନଵ ଜାତକ ଶିଶୁ ପୁତ୍ର ଏକ ବ୍ୟାଗରେ ପଡି ଥିବାର ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ କୁହୁଡି ଫାଣ୍ଡି ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ କୁହୁଡି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଶିଶୁ ପୁତ୍ର ଥିବା ବ୍ୟାଗକୁ ଜବତ କରିଥିଲା। ନବଜାତ ଶିଶୁକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ।

ପୋଲିସ୍ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଶିଶୁ ପୁତ୍ର ଉଦ୍ଧାର ହେବା ଏହା ଦ୍ୱୀତିୟ ଘଟଣା। ଗତ ୩ ମାସ ତଳେ ଏହି ସମାନ ଢଙ୍ଗରେ ପୁତ୍ର ଉଦ୍ଧାର ହୋଇଥିଲା। ତେଣୁ
ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ୩୦ ଦିନର ନବଜାତ ଶିଶୁର ସଫଳ ହୃଦରୋଗ ଚିକିତ୍ସା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର ମାନଙ୍କ ଦ୍ୱାରା ଜନ୍ମରୁ ହୃଦ ସମସ୍ୟା ଥିବା ଏକ ନବଜାତ ଶିଶୁର ସଫଳ ବେଲୁନ୍ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରିପାରିଛନ୍ତି।

ସମ୍ ହସ୍ପିଟାଲରେ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଚିକିତ୍ସା ଯୋଗୁଁ ୩୦ ଦିନର ଶିଶୁ ପୁତ୍ରକୁ ନୂଆ ଜୀବନ ମିଳିଛି। ହୃଦରୋଗ ଓ ନବଜାତ ଶିଶୁ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ମିଳିତ ଭାବେ ଏହି ଚିକିତ୍ସା କରାଯାଇପାରିଛି । ନିମାପଡ଼ାର ତୁଳସୀପୁର ଗ୍ରାମର ରମାକାନ୍ତ ଭୋଇ ଓ ଦୀପ୍ତିରାଣୀ ଭୋଇଙ୍କ ନବଜାତ ଶିଶୁପୁତ୍ରର ଶ୍ୱାସପ୍ରକ୍ରିୟାରେ ଅସୁବିଧା ଦେଖାଯିବାରୁ ସେମାନେ ଜାନୁୟାରୀ ୨ତାରିଖ ଦିନ ସମ୍ ହସ୍ପିଟାଲରେ ଶିଶୁଟିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଶିଶୁପୁତ୍ରର ଶରୀରରେ କୋ-ଆର୍କଟେସନ୍ ଅଫ୍ ଆଓର୍ଟା ବା ମହାଧମନୀର ସଙ୍କୋଚନ ସମସ୍ୟା ଥିବା ଜଣା ପଡ଼ିଥିଲା।

ଏହି ରୋଗରେ ଶରୀରର ନିମ୍ନ ଅର୍ଦ୍ଧ ଭାଗକୁ ରକ୍ତ ସଂଚାଳନ ବନ୍ଦ ହୋଇଯାଏ। ଯାହାଫଳରେ ଶିଶୁଟି ମୁର୍ମୂଷୁ ଅବସ୍ଥାକୁ ଚାଲିଯାଇଥାଏ ଓ ତୁରନ୍ତ ଚିକିତ୍ସା ଆବଶ୍ୟକ ହୁଏ। ସମ୍ ହସ୍ପିଟାଲ୍‌ର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର କୁମାର ଗୌରବ ବେହେରାଙ୍କ ନେତୃତ୍ୱରେ ଶିଶୁଟିର ବେଲୁନ୍ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ହୃଦରୋଗ ଓ ନବଜାତ ଶିଶୁ ବିଭାଗ ବିଶେଷଜ୍ଞଙ୍କ ସହିତ ଟେକ୍ନିସିଆନ୍ ଷ୍ଟାଫ୍ ତଥା ଏକ ୧୦ ଜଣିଆ ଟିମ୍ ଏହି ଚିକିତ୍ସା କରିବାରେ ସଫଳ ହୋଇଥିଲେ।

ଏହା ଏକ ବିରଳ ସମସ୍ୟା ହୋଇଥିବା ବେଳେ ଲକ୍ଷଣ ଜାଣିବା ମାତ୍ରେ ଚିକିତ୍ସା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ଏହି ଚିକିତ୍ସା ଏବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ମିଳିପାରୁଛି। ଏ ନେଇ ପ୍ରତି ଶିଶୁଙ୍କର ବାପା-ମା ସଜାଗ ରହିବା ସହ ସଚେତନ ହେବା ଜରୁରୀ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଏହି ଚିକିତ୍ସାରେ ଡାକ୍ତର ଅନୁସ୍ପନ୍ଦନା ମହାପାତ୍ର, ଟେକ୍ନିସିଆନ୍ ଶ୍ର୍ରୀ ତାପସ, ଶ୍ରୀ ଅର୍ଘ, କ୍ୟାଥ୍ ଲାବ୍‌ର ନର୍ସିଂ ଅଫିସର୍ ସୁଶ୍ରୀ ସନ୍ଧ୍ୟା ସହଯୋଗ କରିଥିଲେ। ନବଜାତ ଶିଶୁ ବିଭାଗର ଆଇସିୟୁର ନିଓନାଟୋଲୋଜି ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ରତନ ଦାସ, ଡାକ୍ତର ଦେବାଶିଷ ନନ୍ଦ, ଡାକ୍ତର ବିଜୟ ତେଜ କୋଲା, ଡାକ୍ତର ବିନିତ୍ ପାଣିଗ୍ରାହୀ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର କଳ୍ପିତା ସାହୁ , ଡାକ୍ତର ଶିଳ୍ପା, ଡାକ୍ତର ଦେବୀ ପ୍ରସାଦ ସାହୁ ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସମସ୍ତ ଚିକିତ୍ସାର ଭାର ବହନ କରିଥିଲେ। ଏବେ ଶିଶୁ ବିପଦମୁକ୍ତ ଅଛି। ଶିଶୁ ପୁତ୍ରଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାର ପରିବାର ଲୋକ ଏ ନେଇ ସମ୍ ହସ୍ପିଟାଲର ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ୍‌ରେ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଗଲା ବୃହତ ଟ୍ୟୁମର

ଭୁବନେଶ୍ୱର: ଏକ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ଏକ ବଡ଼ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ। ଏ ନେଇ ସମ୍ମମ୍ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।

ଶିଶୁ କନ୍ୟାଟିର ପେଟଟି ଫୁଲିଥିବାର ଦେଖି ତା’ର ପିତାମାତା ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇଥିଲେ। ଜନ୍ମ ସମୟରେ ଶିଶୁଟିର ଓଜନ ଅଢ଼େଇ କେଜି ଥିବା ବେଳେ ଜନ୍ମ ହେବାର ଦ୍ୱିତୀୟ ଦିନରୁ ହିଁ ସ୍ତନ୍ୟପାନ କରିବାରେ ସମସ୍ୟା ଉପୁଜିଥିଲା ବୋଲି କହିଛନ୍ତି ହସ୍ପିଟାଲ୍‌ର ଶିଶୁରୋଗ ଏବଂ ନିଓନାଟୋଲଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ।

ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା ପରେ ଶିଶୁର ପେଟରେ ଏକ ବଡ଼ ଅପରିପକ୍ୱ ଟ୍ୟୁମର (ଇମ୍ୟାଚ୍ୟୁର ଟେରାଟୋମା) ଥିବାର ଜଣାପଡ଼ିଥିଲା। ତେଣୁ ଅସ୍ତ୍ରୋପଚାର ଜରିଆରେ ଟେରାଟୋମାଟିକୁ ବାହାର କରାଯିବା ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଦେ କହିଛନ୍ତି।
ଏହି ଟେରାଟୋମା ହେଉଛି କୋଷିକାଗୁଡ଼ିକୁ ନେଇ ଗଠିତ ଏକ ଟ୍ୟୁମର ଯାହାକି ଯେଉଁଠାରେ ସୃଷ୍ଟି ହୋଇଥିଲା ସାଧାରଣତଃ ସେଠାରେ ଦେଖା ଯାଇନଥାଏ।

ପେଡିଆଟ୍ରିକ୍ ସର୍ଜନ ପ୍ରଫେସର (ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ ଏହି ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ଅଙ୍କୋ ସର୍ଜନ ଡାକ୍ତର ସୁଦାମ ଷଢ଼ଙ୍ଗୀ ସହାୟତା କରିଥିଲେ। ସେହିପରି ଆନେସ୍‌ଥେସିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଦୀପଙ୍କର ପଢ଼ିଆରୀଙ୍କ ସମେତ ଆନେସ୍‌ଥେସିଓଲଜି ବିଭାଗର ସିନିୟର୍ କନସଲଟାଂଟ ଡାକ୍ତର ସ୍ୱରୁପା ଦେବୀପ୍ରଦା, ଡାକ୍ତର ପ୍ରଶାନ୍ତ କୁମାର ବେହେରା ଓ ଡାକ୍ତର ସୋନମ ପଣ୍ଡା ଓ ଟିମ୍ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ।

ପ୍ରଫେସର ପ୍ରଧାନ କହିଛନ୍ତି ଯେ ଶିଶୁର ପେଟର ପ୍ରମୁଖ ଶିରାପ୍ରଶିରା ସହିତ ଏହି ଟ୍ୟୁମରଟି ଅତିମାତ୍ରାରେ ଜଡ଼ିତ ଥିବାରୁ ଏହି ସର୍ଜରଟି ଖୁବ୍ ଜଟିଳ ଥିଲା। ତେଣୁ ଖୁବ୍ ଯତ୍ନର ସହିତ ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଛନ୍ତି।

ଅସ୍ତ୍ରୋପଚାର ପରେ ଶିଶୁଟିକୁ ଭେଂଟିଲେଟରରେ ରଖାଯାଇଥିଲା ଏବଂ ତା’ର ଚିକିତ୍ସା ଡାକ୍ତର ଦେ ଓ ଜୁନିୟର କନ୍‌ସଲଟାଂଟ ଡାକ୍ତର ଅଜୟ କୁମାର ଗାହାଣ କରିଥିଲେ।
ଡାକ୍ତର ଗାହାଣ କହିଛନ୍ତି ଶିଶୁଟିର ସ୍ୱାସ୍ଥ୍ୟରେ ବର୍ତ୍ତମାନ ଅନେକ ଉନ୍ନତି ଘଟିଛି ଏବଂ ସ୍ତନ୍ୟପାନ କରିବାରେ ସକ୍ଷମ ହେଲାଣି। ଏହି ଅସ୍ତ୍ରେପଚାର ହସ୍ପିଟାଲ୍‌ର ଅଭିଜ୍ଞ ସର୍ଜନ୍‌, ଡାକ୍ତର, ନର୍ସିଂ ଷ୍ଟାଫ୍ ଏବଂ ଉତମ ନିଓନାଟାଲ୍ ଇନ୍‌ଟେନ୍‌ସିଭ କେୟାର ୟୁନିଟ୍ (ଏନ୍‌ଆଇସିୟୁ) ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଟିଳ ଅସ୍ତ୍ରୋପଚାର କରି ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଅଲ୍ଟିମେଟ୍ ସର୍ଜନ

ଭୁବନେଶ୍ୱର: ଏକ ନବଜାତ ଶିଶୁର ଶରୀରରେ ଥିବା ଜନ୍ମଗତ ତୃଟି କନ୍‌ଜେନିଟାଲ୍ ଡାୟାଫ୍ରାଗ୍‌ମେଟିକ୍ ହାର୍ନିଆ (ସିଡିଏଚ୍‌) କୁ ଜଟିଳ ଅସ୍ତ୍ରୋପଚାର ଦ୍ଵାରା ଦୂର କରି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ୍।

ମା’ର ଗର୍ଭରେ ଥିବା ସମୟରୁ ହିଁ ଶିଶୁଟିର ଏହି ସମସ୍ୟା ସମ୍ପର୍କରେ ପରୀକ୍ଷାରୁ ଜଣାପଡ଼ିଥିଲା।

ନିର୍ଦ୍ଧାରିତ ସମୟ ପୂର୍ବରୁ ଓ ଶିଶୁର ମା’ ୮ ମାସ ଗର୍ଭବତୀ ଥିବା ସମୟରେ ଅସ୍ତ୍ରୋପଚାର ମାଧ୍ୟମରେ ଡେଲିଭରି କରାଯିବା ପରେ ଶିଶୁଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାକୁ ତୁରନ୍ତ ଭେଂଟିଲେଟର ସାହାଯ୍ୟରେ ୩ ଦିନ ପର୍ଯ୍ୟନ୍ତ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ମମ୍‌ର ପେଡିଆଟ୍ରିକ୍ ଓ ନିଓନାଟୋଲୋଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ।

ଶିଶୁର ଶରୀରରେ ଥିବା ତୃଟିକୁ ସୁଧାରିବା ନିମନ୍ତେ ହସ୍ପିଟାଲ୍ କନ୍‌ସଲ୍‌ଟାଂଟ ତଥା ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତୁରନ୍ତ ସିଡିଏଚ୍ ରିପେୟାର ସର୍ଜରୀର ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଜନ୍ମ ଗ୍ରହଣ କରିବାର ତିନି ଦିନରେ ହିଁ ଅସ୍ତ୍ରୋପଚାର କରାଯାଇଥିଲା।

ଏହି କ୍ଷେତ୍ରରେ ଶରୀରର ଛାତି ଓ ପେଟକୁ ଅଲଗା କରି ରଖୁଥିବା ଡିଆଫ୍ରାମ ଠିକ୍ ଭାବରେ ସୃଷ୍ଟି ହୋଇ ନଥିବାରୁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଏପଟ ସେପଟ ହୋଇ ରହିଥିଲା।

ଏହି ଶିଶୁ କ୍ଷେତ୍ରରେ ଯକୃତର ଏକ ଅଂଶ ଛାତି ଆଡକୁ ଚାଲି ଯାଇଥିବାରୁ ଜଟିଳତା ସୃଷ୍ଟି ହୋଇଥିଲା ବୋଲି ଜୁନିଅର କନ୍ସଲ୍ଟାଣ୍ଟ ଡକ୍ଟର ଅଜୟ ମହାନ୍ତି ଗାହାଣ ପ୍ରକାଶ କରିଥିଲେ।

ସିଡିଏଚ୍ ଭଳି ଜଟିଳ ସମସ୍ୟା ଯାହାକି ୩୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକୁ ହୋଇଥାଏ।

ଆଗାମୀ ମାସରେ ଶିଶୁଟିର ଏମ୍‌ଆର୍‌ଆଇ ସ୍କାନ୍ କରିବା ସହ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୁଇ ମାସରେ ଥରେ ଶିଶୁଟିର ସ୍ନାୟୁଗତ ବିକାଶର ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଦୁଇ ନବଜାତ ଶିଶୁଙ୍କୁ ଭୁଲରେ ଦିଆଗଲା କରୋନା ଟିକା, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦୁଇ ନବଜାତ ଶିଶୁଙ୍କୁ ଭୁଲରେ କରୋନାଭାଇରସ୍ ଟିକା ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। ପରେ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ବ୍ରାଜିଲରେ ଏଭଳି ଘଟଣା ଘଟିଥିବା ଗଣମାଧ୍ୟମର ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁଇ ମାସର କନ୍ୟା ଏବଂ ଚାରି ମାସର ଶିଶୁପୁତ୍ରକୁ ଡାଇରିଆ, ଟିଟାନସ୍, କଫ ଏବଂ ହେପାଟାଇଟିସର ମିଳିତ ମାତ୍ରା ବଦଳରେ ଭୁଲରେ କରୋନାଭାଇରସରୁ ରକ୍ଷା କରିବା ପିଫାଇଜର ଟିକା ଦିଆଯାଉଥିଲା। ଏହି କାରଣରୁ ଉଭୟ ଶିଶୁଙ୍କର ଗୁରୁତର ପ୍ରତିକ୍ରିୟା ପ୍ରକାଶ ପାଇ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ପିଲାମାନଙ୍କୁ କରୋନା ଟିକା ଦେଇଥିବା ନର୍ସଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି।

ଉଲ୍ଲେଖନୀୟ ବିଷୟ ହେଉଛି, ଅନେକ ଦେଶରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ପିଫାଇଜରର ଟିକା ଅନୁମୋଦନ କରାଯାଇଛି। ଜୁନ୍ ମାସରେ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ପିଫାଇଜର କୋଭିଡ-୧୯ ଟିକା ବ୍ୟବହାରକୁ ଅନୁମୋଦନ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁ କନ୍ୟା। ଡେକ୍ସଟ୍ରୋ ଟ୍ରାନ୍ସପୋଜିସନ୍ ଅଫ୍ ଦି ଗ୍ରେଟ୍ ଆର୍ଟେରୀଜ୍ (ଡି-ଟିଜିଏ)ଭଳି ହୃଦରୋଗ ସହିତ ଜନ୍ମ ନେଇଥିବା ଶିଶୁଟିକୁ ସୁସ୍ଥ କରିପାରିଛନ୍ତି ସମ୍ କାର୍ଡିଓଲୋଜିଷ୍ଟ। ମାତ୍ର ୨.୩ କେଜି ଓଜନ ଓ ୫୦ ରୁ କମ୍ ପ୍ରତିଶତ ଅମ୍ଳଜାନ ସ୍ତର ଥିବା ନବଜାତ ଶିଶୁ କନ୍ୟାଟି ସମ୍ ହସ୍ପିଟାଲ୍‌ର ଏର୍ମଜେନ୍ସିରେ ପହଂଚିବା ପରେ ତା’ର ଅମ୍ଳଜାନ ସ୍ତର ଲଗାତାର କମୁଥିବା ଦେଖି ତୁରନ୍ତ ନବଜାତ ଶିଶୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବୋଲି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା କହିଛନ୍ତି।

ଡି-ଟିଜିଏ ଏକ ଜନ୍ମଗତ ତ୍ରୁଟି ଯେଉଁଥିରେ ହୃତପିଣ୍ଡରୁ ରକ୍ତ ସଂଚାଳନ କରୁଥିବା ଦୁଇଟି ମୁଖ୍ୟ ଆର୍ଟେରୀ, ପଲମୋନାରୀ ଆର୍ଟେରୀ ଏବଂ ଆଓର୍ଟା ନିଜର ସ୍ଥାନ ପରିବର୍ତନ କରିଥାନ୍ତି। ଡାକ୍ତର ବେହେରା କହିଛନ୍ତି ଯେ ସେ ଏବଂ ତାଙ୍କ ଟିମ୍ ଜରୁରୀକାଳୀନ ବେଲୁନ୍ ଆଟ୍ରିଆଲ୍ ସେପ୍ଟୋଷ୍ଟୋମି (ବାସ) ସହିତ ପାଟେଂଟ ଡକ୍ଟସ୍ ଆର୍ଟେରୀଓସସ୍ (ପିଡିଏ) ଷ୍ଟେଂଟିଙ୍ଗ୍ ମଧ୍ୟ କରିଥିଲେ। ବାସ୍ ଦ୍ୱାରା ହୃତ୍‌ପିଣ୍ଡରେ ଏକ ଛିଦ୍ର ସୃଷ୍ଟି କରାଯାଇଥିଲା ଏବଂ ପିଡିଏସ୍  ଷ୍ଟେଂଟିଙ୍ଗ୍ ଦ୍ୱାରା ଦୁଇଟି ମୁଖ୍ୟ ରକ୍ତ ନଳୀ ଆଓର୍ଟା ଏବଂ ପଲମୋନାରୀ ଆର୍ଟେରୀକୁ ସଂଯୋଗ କରାଯାଇ ପାରିଥିଲା ବୋଲି ଡାକ୍ତର ବେହେରା କହିବା ସହ ଏହା ଦ୍ୱାରା ଶିଶୁର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲା ଏବଂ ତା’ର ଅମ୍ଳଜାନ ସ୍ତର ୪୦ ପ୍ରତିଶତରୁ ୯୫ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ସେ କହିଥିଲେ। ଶିଶୁଟିକୁ ଭେଂଟିଲେଟରରେ ରଖାଯିବା ସହ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ଯାଏ ୭ ଦିନ ପର୍ଯ୍ୟନ୍ତ ଏନ୍‌ଆଇସିୟୁରେ ରଖାଯାଇଥିଲା।

ଏନ୍‌ଆଇସିୟୁର ଡାକ୍ତର ଜଗଦୀଶ ସାହୁ ଏବଂ ଡାକ୍ତର ଅଭିଲିପ୍‌ସା ଆଚାର୍ଯ୍ୟ ଏବଂ ତାଙ୍କ ଡାକ୍ତରୀ ଟିମ୍ ଶିଶୁଟିକୁ ସୁସ୍ଥ କରାଇବାରେ ସମସ୍ତ ଯତ୍ନ ନେଇଥିଲେ। ଶିଶୁଟି ସୁସ୍ଥ ହେବା ପରେ ତାକୁ ଥିରୁଭାନନ୍ତପୁରମ୍ ସ୍ଥିତ ଶ୍ରୀ ଚିତ୍ରା ତିରୁନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ଟେକ୍ନୋଲୋଜିକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ତା’ର ଆଉ ଏକ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଆମ ରାଜ୍ୟରେ ହୁଏତ ପ୍ରଥମ ଥର ପାଇଁ ଏଭଳି ନବଜାତ ଶିଶୁର ହୃତ ଚିକିତ୍ସା କରାଯାଇଥିବା ଡାକ୍ତର ବେହେରା କହିଛନ୍ତି।

ଡି-ଟିଜିଏ ରୋଗ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହା ଏକ ଜୀବନ ହାନିକାରକ ଜନ୍ମଗତ ହୃଦ୍‌ରୋଗ ଯାହାକି ଜନ୍ମ ହେବାର କିଛି ଦିନ ମଧ୍ୟରେ ଦେଖାଦେଇଥାଏ। ଏଭଳି ପରିସ୍ଥିତିରେ ଶିଶୁଟି ହଠାତ୍ ନୀଳ ପଡିଯାଏ, ଅସୁସ୍ଥ ଅନୁଭବ କରେ ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତା’ର ଅମ୍ଳଜାନ ସ୍ତର ୯୦ % ତଳକୁ ଖସିଯାଏ। ଏଥି ନିମନ୍ତେ ତୁରନ୍ତ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ଓ ଚିକିତ୍ସା କରିବା ଜରୁରୀ।

ଓଡ଼ିଶାରେ ଏଭଳି ନବଜାତ ଶିଶୁଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ନେଇ ଖୁବ୍ କମ୍ ସଚେତନତା ଦେଖାଦେଇଥାଏ ଏବଂ ଅନେକ ଶିଶୁ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ବିନା ମୃତ୍ୟୁବରଣ କରିଥାନ୍ତି ବୋଲି ସେ କହିଛନ୍ତି। ଶିଶୁମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ଏଭଳି ହୃଦରୋଗର ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ। ତେଣୁ ଏହି ସୁଯୋଗ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଂଚାଇହେବ ବୋଲି ସେ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: କେନାଲରେ ଭାସୁଛି ନବଜାତ ଶିଶୁର ମୃତ ଦେହ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିନୂଆଗାଁ କେନାଲରେ ଆଜି ସକାଳେ ଏକ ନବଜାତ ଶିଶୁର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି।

ସୂଚନା ମୁତାବକ ଆଜି ସକାଳୁ ଗ୍ରାମବାସୀମାନେ କେନାଲକୁ ଶୌଚ ହେବା ନିମନ୍ତେ ଯାଇଥିବା ବେଳେ ଏକ ନବଜାତ ଶିଶୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ।  ହେଲେ ଶିଶୁଟି ମୃତ ବୋଲି ଜଣାପଡିଛି। ତେବେ କିଏ ଏବଂ କଣ ପାଇଁ ଶିଶୁକୁ କେନାଲରେ ଭସେଇଲା ତାହା ଏଯାଏଁ ଜଣାପଡ଼ିନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର

ଭୁବନେଶ୍ୱର: କୋଭିଡ୍ ପଜିଟିଭ୍ ମା’ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲା।

ଡାକ୍ତରମାନେ ତାର ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ସହ ଉତ୍ତମ ଚିକିତ୍ସା ପ୍ରଦାନ କରି ଶିଶୁଟିକୁ ସୁସ୍ଥ କରିପାରିଛନ୍ତି। ୩୩ ସପ୍ତାହ ଗର୍ଭବତୀ ଥିବା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ମା ଠାରୁ ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ଶିଶୁଟି ଜନ୍ମହେବାପରେ କାନ୍ଦିଥିଲା ଏବଂ ତାକୁ ମା ନିକଟକୁ ଅଣାଯାଇଥିଲା। ତେବେ ଏହାର ଦ୍ୱିତୀୟ ଦିନରେ ମା’ଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା, ସେପଟେ ଶିଶୁଟି ମଧ୍ୟ ଅସୁସ୍ଥ ହେବା ସହ ତାକୁ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ତାକୁ ତୁରନ୍ତ ଏନଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ମା’ କୁ ତୁରନ୍ତ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇ ଭେଂଟିଲେଟରରେ ରଖାଯାଇଥିଲା। ଶିଶୁଟିର ଅବସ୍ଥା ମଧ୍ୟ ଗୁରୁତର ହୋଇପଡ଼ିବାରୁ ତାକୁ ମଧ୍ୟ ସମ୍ ଅଲ୍ଟିମେଟ୍ ଅଣାଯାଇଥିଲା। ହସ୍ପିଟାଲର ପେଡିୟାଟ୍ରିକ ଓ ନିଓନଟୋଲୋଜି ବିଭାଗର ଆସୋସିଏଟ କନସଲଟାଂଟ ଡ. ବିଚିତ୍ରାନନ୍ଦ ରାଉତ ଏବଂ ତାଙ୍କ ଟିମ୍ ଶିଶୁଟିର ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ।

ତେବେ କୋଭିଡ ସଂକ୍ରମଣ ହେବାପରେ ଶିଶୁମାନଙ୍କ କ୍ଷେତ୍ରରେ ନିଓନାଟାଲ ମଲ୍ଟିସିଷ୍ଟମ ଇନଫ୍ଲାମାଟୋରୀ ସିଣ୍ଡ୍ରୋମ ଭଳି ବିରଳ ଅବସ୍ଥା ଏହି ଶିଶୁଠାରେ ଦେଖାଦେଇଥିବା ଜଣାପଡ଼ିଥିଲା। ପ୍ରାୟତଃ ନବଜାତ କୋଭିଡ ସଂକ୍ରମିତ ଶିଶୁମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଇନଥାଏ ଅଥବା ସାମାନ୍ୟ ଲକ୍ଷଣ ସୃଷ୍ଟି ହୋଇଥାଏ।

ତେବେ ଅତ୍ୟଧିକ ଲକ୍ଷଣ ଅଥବା ନିଓନାଟାଲ ଏମଆଇଏସସି ଦେଖାଯିବା ଖୁବ୍ ବିରଳ
ବୋଲି ଡାକ୍ତର ରାଉତ କହିଛନ୍ତି । ଶିଶୁଟି ଉତମ ଚିକିତ୍ସା ପାଇବା ପରେ ମାତ୍ର ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବାରେ ସକ୍ଷମ ହୋଇଛି। ଚିକିତ୍ସା କରିବାର ଦ୍ୱିତୀୟ ଦିନରେ ହିଁ ଶିଶୁଟି ଖାଦ୍ୟ ଖାଇପାରିଥିଲାବୋଲି ଡାକ୍ତର ରାଉତ କହିଛନ୍ତି।

ସୂଚନାଯୋଗ୍ୟ ଯେ ଶିଶୁଟିର ମା’ଙ୍କର ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସୁଛି ଏବଂ ବର୍ତ୍ତମାନ ତାଙ୍କୁ ଭେଂଟିଲେଟରରୁ ବାହାରକୁ ଅଣାଯାଇଥିବା ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲା ୧୫୦ ଦିନର ଶିଶୁ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଲକ୍ଷ ଲକ୍ଷଙ୍କ ଜୀବନ ନେଇଛି। ପ୍ରତ୍ୟେକ ଦିନ ଦେଶରେ ୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏହି ଭୂତାଣୁ ନବଜାତ ଶିଶୁ ଠାରୁ ଆରମ୍ଭ କରି ବୟଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଜୀବନକୁ ଉଜାଡି ଦେଉଛି। ତେବେ ୧୫୦ ଦିନର ଶିଶୁଟିଏ ମଧ୍ୟ ଏହି କରୋନା ଯୋଗୁଁ ପ୍ରାଣ ହରାଇଛି।

ସୂଚନା ଅନୁଯାୟୀ, ପରୀ ନାମକ ଛୋଟ ଶିଶୁଟି କରୋନାରେ ସଂକ୍ରମଣ ହୋଇ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ତାହାର ଫୁସଫୁସ ସଂପୂର୍ଣ୍ଣ ସଂକ୍ରମିତ ହୋଇଯାଇଥିଲା। ସେ ୬ ଦିନ ଭେଣ୍ଟିଲେଟରେ ରହିବା ପରେ ମଧ୍ୟ ସୁସ୍ଥ ହୋଇପାରିନଥିଲା। ଶେଷରେ ପରୀର ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନାଳରୁ ମିଳିଲା ନବଜାତ ଶିଶୁର ମୃତ ଦେହ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଏକ ହୃଦୟ ବିଦାରକ ଦୃଶ୍ୟ କ୍ରମେ ଏମ୍‌କେସିଜି ମେଡ଼ିକାଲ୍ ପରିସରରେ ଥିବା ଏକ ଦୋକାନ ସଂଲଗ୍ନ ନାଳ ନିକଟରେ ଏକ ଜନ୍ମିତ ମୃତ ଛୁଆ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ଛୁଆଟିକୁ କୁକୁର ଛିନ୍ନ ଭିନ୍ନ କରି ଖାଉଥିଲେ। ତେବେ କିଏ ଏବଂ କାହିଁକି ଏଠାରେ ଜଣେ ଜନ୍ମିତ ମୃତ ଶିଶୁକୁ ଆଣି ପକାଇ ଦେଇଛି ତାହା ଜଣାପଡ଼ିନାହିଁ । ତେବେ ଶିଶୁଟି ମୃତ ଭାବେ ଜନ୍ମିତ ହୋଇ ଏଠାରେ ପକାଯାଇଥାଇପାରେ କିମ୍ବା କୌଣସି ନର୍ସିଂ ହୋମ୍‌ରୁ ପକାଯାଇଛି ତାହା ଜଣାପଡ଼ୁନାହିଁ। ତେବେ ଏଠାରେ ଗୋଟିଏ କଥା ମେଡ଼ିକାଲ୍‌ରେ ଯଦି ମୃତଶିଶୁ ଜନ୍ମ ହୋଇଥାନ୍ତା ତେବେ ତାକୁ ମା’ ବାପା କିମ୍ବା ମେଡ଼ିକାଲ୍ କର୍ମଚାରୀମାନେ ପୋତି ଦେଇଥାନ୍ତେ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ମେଡ଼ିକାଲ୍ ନିକଟରେ ଗୋଟିଏ କୁକୁର ଗୋଟିଏ ମୃତ ଛୁଆକୁ ପାଟିରେ ଧରି ଯାଉଥିବାର ଦୃଶ୍ୟ ଭାଇରାଲ୍ ହୋଇଥିବାବେଳେ ଏହାର ତଦନ୍ତ ନେଇ ମେଡ଼ିକାଲ୍ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ତଦନ୍ତ ଦୁଇଦିନିଆ ଭାଗବତ ପରି ଉଭାନ୍ ହୋଇଗଲା। ଏହାପୂର୍ବରୁ ମଧ୍ୟ ବହୁ ମୃତ ଶିଶୁ ଛୁଆ ଜନ୍ମିତ ହେଉ କିମ୍ବା ପ୍ରି-ମେଚ୍ୟୁଅର୍ ହେଉ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା।

ତେବେ ଏହା କୌଣସି କୁଆଁରୀ ମା’ର ପାପ ଲୁଚାଇବା ପାଇଁ ହେଉଛି କିମ୍ବା କୌଣସି ନର୍ସିଂ ହୋମ୍‌ରେ ଗର୍ଭପାତ କରାଇ ଆଣି ପକାଇ ଦିଆଯାଉଛି ତାହା ତଦନ୍ତ ସାପେକ୍ଷ। ତେଣୁ ଏହି ଘଟଣାଗୁଡ଼ିକୁ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।