ନାଳରୁ ମିଳିଲା ନବଜାତ ଶିଶୁର ମୃତ ଦେହ

Published: Oct 22, 2020, 10:09 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଏକ ହୃଦୟ ବିଦାରକ ଦୃଶ୍ୟ କ୍ରମେ ଏମ୍‌କେସିଜି ମେଡ଼ିକାଲ୍ ପରିସରରେ ଥିବା ଏକ ଦୋକାନ ସଂଲଗ୍ନ ନାଳ ନିକଟରେ ଏକ ଜନ୍ମିତ ମୃତ ଛୁଆ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ଛୁଆଟିକୁ କୁକୁର ଛିନ୍ନ ଭିନ୍ନ କରି ଖାଉଥିଲେ। ତେବେ କିଏ ଏବଂ କାହିଁକି ଏଠାରେ ଜଣେ ଜନ୍ମିତ ମୃତ ଶିଶୁକୁ ଆଣି ପକାଇ ଦେଇଛି ତାହା ଜଣାପଡ଼ିନାହିଁ । ତେବେ ଶିଶୁଟି ମୃତ ଭାବେ ଜନ୍ମିତ ହୋଇ ଏଠାରେ ପକାଯାଇଥାଇପାରେ କିମ୍ବା କୌଣସି ନର୍ସିଂ ହୋମ୍‌ରୁ ପକାଯାଇଛି ତାହା ଜଣାପଡ଼ୁନାହିଁ। ତେବେ ଏଠାରେ ଗୋଟିଏ କଥା ମେଡ଼ିକାଲ୍‌ରେ ଯଦି ମୃତଶିଶୁ ଜନ୍ମ ହୋଇଥାନ୍ତା ତେବେ ତାକୁ ମା’ ବାପା କିମ୍ବା ମେଡ଼ିକାଲ୍ କର୍ମଚାରୀମାନେ ପୋତି ଦେଇଥାନ୍ତେ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ମେଡ଼ିକାଲ୍ ନିକଟରେ ଗୋଟିଏ କୁକୁର ଗୋଟିଏ ମୃତ ଛୁଆକୁ ପାଟିରେ ଧରି ଯାଉଥିବାର ଦୃଶ୍ୟ ଭାଇରାଲ୍ ହୋଇଥିବାବେଳେ ଏହାର ତଦନ୍ତ ନେଇ ମେଡ଼ିକାଲ୍ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ତଦନ୍ତ ଦୁଇଦିନିଆ ଭାଗବତ ପରି ଉଭାନ୍ ହୋଇଗଲା। ଏହାପୂର୍ବରୁ ମଧ୍ୟ ବହୁ ମୃତ ଶିଶୁ ଛୁଆ ଜନ୍ମିତ ହେଉ କିମ୍ବା ପ୍ରି-ମେଚ୍ୟୁଅର୍ ହେଉ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା।

ତେବେ ଏହା କୌଣସି କୁଆଁରୀ ମା’ର ପାପ ଲୁଚାଇବା ପାଇଁ ହେଉଛି କିମ୍ବା କୌଣସି ନର୍ସିଂ ହୋମ୍‌ରେ ଗର୍ଭପାତ କରାଇ ଆଣି ପକାଇ ଦିଆଯାଉଛି ତାହା ତଦନ୍ତ ସାପେକ୍ଷ। ତେଣୁ ଏହି ଘଟଣାଗୁଡ଼ିକୁ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Related posts