Categories
ଆଜିର ଖବର ଆଞ୍ଚଳିକ

ବିବାହ କାର୍ଯ୍ୟରେ କୋଭିଡ ଆଇନ ଉଲଂଘନ ଅଭିଯୋଗ: ଜରିମାନା ଆଦାୟ କଲା ବାଣପୁର ପୋଲିସ୍

ସୀତାରାମ ଅଗ୍ରୱାଲ

ଚିଲିକା: ବାହାଘରରେ କୋଭିଡ ଆଇନ ଉଲଂଘନ କରିବା ଅଭିଯୋଗ ହୋଇଛି। ଯାହାଫଳରେ ବର ପକ୍ଷଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସରଳସିଂହ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଗତ ତିନି ଦିନ ତଳେ ସରଳସିଂହ ଗ୍ରାମରେ ଏକ ବିବାହ ଉତ୍ସବ ଆୟୋଜନ ହୋଇଥିଲା। ଏଥି ପାଇଁ ଉଭୟ ପକ୍ଷ ବାଣପୁର ଥାନାରୁ ଅନୁମତି ନେଇଥିଲେ। ତେବେ ସମ୍ପୃକ୍ତ ବିବାହ ମଧ୍ୟରାତ୍ରି ଯାଏଁ ଚାଲିଥିବାବେଳେ ସେଥିରେ ବାଜା, ପଟୁଆର, ଭୋଜି ଆଦିରେ ୫୦ ରୁ ଊର୍ଦ୍ଧ୍ଵ ଲୋକ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାକି କୋଭିଡ ନିୟମର ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଯୋଗ ପାଇଲା ପରେ ଚିଲିକା ତହସିଲଦାର ଏବଂ ବାଣପୁର ଆଇଆଇସି ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ନାଚୁଣୀ ଫାଣ୍ଡି ଅଧିକାରୀ ସମ୍ପୃକ୍ତ ବର ପକ୍ଷଙ୍କୁ ବାଣପୁର ଥାନାରେ ହଜାର କରିଥିଲେ। ତେବେ କୋଭିଡ଼ ନିୟମ ଉଲଂଘନ ଲାଗି ବାଣପୁର ପୋଲିସ ତାଙ୍କଠାରୁ ୪୦ ହଜାର ଜରିମାନା ଆଦାୟ କରିଛି। ଆଗକୁ ଯଦି କେହି ଏଭଳି କୋଭିଡ଼ ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏବଂ ଯଦି ଜରିମାନା ସମ୍ପୃକ୍ତ ଆଇନ ଉଲଂଘନକାରି ଦେବେନାହିଁ ତେବେ ତାଙ୍କ ନାମରେ ଫୌଜଦାରୀ ମାମଲା ମଧ୍ୟ ରୁଜୁ ହେବ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ଅପରପକ୍ଷେ ଚିଲିକା ତହସିଲଦାର ଆଇନ ଉଲଂଘନକାରୀଙ୍କୁ ଗଣମାଧ୍ୟମ ଜରିଆରେ କଡ଼ା ଚେତାବନୀ ଦେବା ସହ ଯଦି ଆଗକୁ କୌଣସି ବ୍ୟକ୍ତି ବିବାହରେ କୋଭିଡ ନିୟମ ଉଲଂଘନ କରନ୍ତି ତେବେ ତାଙ୍କୁ ମହାମାରୀ ଅଧିନିୟମ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି।