Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି: ମାନସ ମଙ୍ଗରାଜ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ସର୍କିଟ୍ ହାଉସ୍‌ଠାରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆୟୋଜିତ ମିଡ଼ିଆ ସଂପର୍କ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗୀୟ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ସାମ୍ବାଦିକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସଂପ୍ରତି ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଇଥିବାବେଳେ ଗଂଜାମ ଜିଲ୍ଲାର ସ୍ଥିତି ଗମ୍ଭୀର। ତେଣୁ ଏହାକୁ ନେଇ ଉଭୟ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗୁୁୁରୁତର ଭାବରେ ନେଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଗଣମାଧ୍ୟମ ଏବଂ ତା’ର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ। ଜିଲ୍ଲାରେ କରୋନାର ମାତ୍ରା ଅହେତୁକ ଭାବେ ବୃଦ୍ଧିର ମୁଖ୍ୟ କାରଣ କ’ଣ ହୋଇପାରେ ବୋଲି ଆଜି ସାମ୍ବାଦିକମାନଙ୍କଠାରୁ ମତ ମଗାଯାଇଥିଲା।

ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ସାମ୍ବାଦିକ କରୋନା ମହାମାରୀ ଅହେତୁକ ବୃଦ୍ଧିକୁ ନେଇ ନିଜ ନିଜର ମତ ଦେଇଥିଲେ। ଯାହାକି ଆଗାମୀ ଦିନରେ କରୋନାକୁ ମୁକାବିଲା କରିବା ପାଇଁ ଏହା ମୁଖ୍ୟ ଅସ୍ତ୍ର ରୂପେ ବ୍ୟବହାର କରାଯାଇପାରିବ ବୋଲି ସାମ୍ବାଦିକମାନେ ଆଶା ବ୍ୟକ୍ତ କରିଥିଲେ। ଗଂଜାମ ଜିଲ୍ଲାର ମୁଖ୍ୟତଃ ପ୍ରଶାସନିକ ଅଧିକାରୀଙ୍କ ଭିତରେ ସମନ୍ୱୟର ଅଭାବ ଏବଂ ସାମ୍ବାଦିକମାନଙ୍କର ମତକୁ ଜିଲ୍ଲା ପ୍ରଶାସନ ଉପେକ୍ଷା କରିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ସାମ୍ବାଦିକଙ୍କୁ ଅନ୍ଧାରରେ ରଖୁଥିବାକୁ ନେଇ ଆଜି ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ।