Categories
ଆଜିର ଖବର ରାଜ୍ୟ ଖବର

ସାଂସ୍କୃତିକ, ବୌଦ୍ଧିକ ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ ସାଂସ୍କୃତିକ, ବୌଦ୍ଧିକ ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।

ଏହି କ୍ରମରେ ଆଜି ଜଗତସିଂହପୁର ଜିଲ୍ଲାର କାନ୍ତବଲ୍ଲଭପୁର ସରକାର ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ଠାରେ ବସୁଧୈବ କୁଟୁମ୍ବକମ ବିଷୟବସ୍ତକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟଗୀତ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହାୟତାରେ ଜଗତସିଂହପୁର ଜିଲ୍ଲାରେ ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଉପରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ସେମିନାରରେ ଅଂଶଗ୍ରହଣ କରିଥିଲେ।

ଅନ୍ୟପଟେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଅନୁରୂପ ଭାବେ ବୌଦ୍ଧ ସରକାରୀ ପଲିଟେକ୍‌ନିକ୍‌ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଏକ ଯୋଗ ଶିବିର ଓ ଅନଲାଇନ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଜି-୨୦ ଜନଭାଗିଦାରୀ ଅଭିଯାନ ଅଧୀନରେ ଏନଆଇଟି ରାଉରକେଲା ପକ୍ଷରୁ ‘ଡିଜିଟାଲ କାରବାରର ଭବିଷ୍ୟତ’ ବିଷୟବସ୍ତୁକୁ ନେଇ ଏକ ୱେବିନାର ଆୟୋଜନ କରାଯାଇଥିଲା।