Categories
ବିଶେଷ ଖବର ରାଜ୍ୟ ଖବର

ବିଦେଶରେ ଓଡିଶାର ମାଛ ଚିଙ୍ଗୁଡି ବିକ୍ରୀ କରି କେତେ ଟଙ୍କା ମିଳିଛି ଜାଣିଛନ୍ତି ?

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୪୮୦ କିମି ଉପକୂଳ ଓ ବ୍ୟାପକ ଖାରିପାଣି ଅଞ୍ଚଳ ଯୋଗୁ ରାଜ୍ୟରେ ବ୍ୟାପକ ସାମୁଦ୍ରିକ ଖାଦ୍ୟ ଉତ୍ପାଦନ ଓ ରପ୍ତାନୀର ସୁଯୋଗ ରହିଛି । ସାମୁଦି୍ରକ ଖାଦ୍ୟ ରପ୍ତାନୀ ଗତ ୨୦ ବର୍ଷ ମଧ୍ୟରେ ୧୨ ଗୁଣ ବୃଦ୍ଧି ପାଇଛି ।

୨୦୨୧-୨୨ରେ ଏହି ରପ୍ତାନୀ କାରବାର ୪ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପରିମାଣ ଏହି ସମୟରେ ୮ ଗୁଣା ବୃଦ୍ଧି ପାଇ ୧୦,୬୪୪ ମେଟି୍ରକ୍‌ ଟନ୍‌ରୁ ୮୬,୪୮୧ ମେଟି୍ରକ୍‌ ଟନ୍‌ରେ ପହଞ୍ଚିଛି ।

ଆଗାମୀ ଦିନରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀର ଆହୁରି ଅଧିକ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଭୁବନେଶ୍ୱରଠାରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାମୁଦ୍ରିକ ଖାଦ୍ୟ ରପ୍ତାନୀ କର୍ମଶାଳାକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଓଡ଼ିଶା ଭାରତରେ ମାଛ ଉତ୍ପାଦନରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ଖାରିଜଳ ଚିଙ୍ଗୁଡ଼ି ଓ ମାଛ ଉତ୍ପାଦନ ପ୍ରାୟ ୧୨ ଗୁଣ ବୃଦ୍ଧି ପାଇଛି ।

କୃଷକଙ୍କ ରୋଜଗାରକୁ ବହୁଗୁଣିତ କରିବା ସହିତ ଲାଭଦାୟକ ନିଯୁକ୍ତି ସୃଷ୍ଟି, ଜୀବିକାରେ ଉନ୍ନତିକରଣ, ରପ୍ତାନୀ ବୃଦ୍ଧି ଦିଗରେ ମତ୍ସ୍ୟ ଓ ଜଳକୃଷିର ଏକ ପ୍ରମୁଖ ଭୂମିକା ରହିଛି । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଯୋଗୁ ରାଜ୍ୟ ସରକାର ମତ୍ସ୍ୟ କ୍ଷେତ୍ର ପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି ଓ ୧୫ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଓ ଉଦ୍ୟୋଗୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମତ୍ସ୍ୟଚାଷ ସଂପୃକ୍ତ ବ୍ୟକ୍ତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୋତ୍ସାହନ, ପ୍ରକ୍ରିୟାକରଣ ଓ ରପ୍ତାନୀ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିିଭିନ୍ନ ଯୋଜନା ଓ ସାମୁଦି୍ରକ ଖାଦ୍ୟ ରପ୍ତାନୀକାରୀ, ମତ୍ସ୍ୟ ବିଶେଷଜ୍ଞମାନେ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ମାଛ ଉତ୍ପାଦନରେ ବିବିଧିକରଣ ଆଣିବା ଓ ବିମାନ ଯୋଗେ ମଧ୍ୟପ୍ରାଚ୍ୟ, ପଶ୍ଚିମ ଏସିଆ ଓ ପୂର୍ବ ଏସିଆ ଦେଶଗୁଡ଼ିକୁ ଶୀତଳୀକୃତ ସାମୁଦି୍ରକ ଖାଦ୍ୟ ରପ୍ତାନୀ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଉତ୍ପାଦିତ ମତ୍ସ୍ୟର ପ୍ରକ୍ରିୟାକରଣ କରି ମୂଲ୍ୟବୃଦ୍ଧି ଓ ଗଭୀର ସମୁଦ୍ରରେ ଟୁନା ଜାତୀୟ ମୂଲ୍ୟବାନ ମାଛ ଧରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।

କର୍ମଶାଳାରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ସାମୁଦି୍ରକ ଖାଦ୍ୟ ରପ୍ତାନୀ ନିମନ୍ତେ ଏକ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରି ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ କହିଥିବାବେଳେ ମାଛ କାରବାର ବୃଦ୍ଧି ନିମନ୍ତେ ବାଲେଶ୍ୱରଠାରେ ଏକ ହୋଲ୍‌ସେଲ୍‌ ମାର୍କେଟ ନିର୍ମାଣ କରାଯାଉଛି ବୋଲି କହିଥିଲେ ।

ଚାନ୍ଦିପୁରଠାରେ ଏକ ଅତ୍ୟାଧୁନିକ ମାଛଧରା ବନ୍ଦର ନିର୍ମାଣ କରାଯିବ ବୋଲି ସେ କହିଥିଲେ । ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା ରାଜ୍ୟ ସରକାରଙ୍କ ଓଡ଼ିଶା ମତ୍ସ୍ୟନୀତି ୨୦୧୫ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି କହିବା ସହ ସାମୁଦି୍ରକ ଖାଦ୍ୟରେ ଆଣ୍ଟିବାୟୋଟିକ୍‌ ବ୍ୟବହାର ନକରିବା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି କହିଥିଲେ ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ରାଜ୍ୟ ସରକାର ନୂତନ ମାଛଧରା ବନ୍ଦର ନିର୍ମାଣ ଓ ମତ୍ସ୍ୟ ଅବତରଣ କେନ୍ଦ୍ର ସହ ଭିତ୍ତିଭୂମିର ବିକାଶ ଦିଗରେ ପ୍ରାଥମିକତା ପ୍ରଦାନ କରୁଛନ୍ତି । ସାମୁଦ୍ରିକ ମାଛ ଉତ୍ପାଦନ ଦିଗରେ ପାରାଦୀପ, ଧାମରା, ବାହାବଳପୁର ଓ ଗୋପାଳପୁର ମାଛଧରା ବନ୍ଦର ସହ ୬୯ଟି ମତ୍ସ୍ୟ ଅବତରଣ କେନ୍ଦ୍ରର ଉନ୍ନତିକରଣ କରାଯାଉଛି । ୨୦୧୦ରେ ବିଦେଶୀ ଭେନାମାଇ ଚିଙ୍ଗୁଡ଼ି ଚାଷ ଆରମ୍ଭ ପରେ ରାଜ୍ୟରେ ଖାରିଜଳ ଚିଙ୍ଗୁଡ଼ି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ବୋଲି ସେ କହିଥିଲେ ।

କର୍ମଶାଳାର ବୈଷୟିକ ଅଧିବେଶନରେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚର ବୈଜ୍ଞାନିକ, ମାରାଇନ୍‌ ପ୍ରଡକଫସ୍‌ ଏକ୍ସପୋର୍ଟ ଡେଭଲପ୍‌ମେଣ୍ଟ ଅଥରିଟି ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ ସଫଳ ସାମୁଦି୍ରକ ଖାଦ୍ୟ ରପ୍ତାନୀକାରୀମାନେ ଅଂଶଗ୍ରହଣ କରି ବୈଷୟିକ ଜ୍ଞାନକୌଶଳ ଓ ନୀତିନିର୍ଦ୍ଧାରଣ ମାଧ୍ୟମରେ ଓଡ଼ିଶାରେ ସାମୁଦି୍ରକ ଖାଦ୍ୟ ରପ୍ତାନୀର ବିଭିନ୍ନ ଦିଗ ଉପରେ ମତାମତ ରଖିଥିଲେ । କର୍ମଶାଳାରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ସଫଳ ମତ୍ସ୍ୟ ରପ୍ତାନୀକାରୀମାନେ ଯୋଗଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟରେ ସାମୁଦ୍ରିକ ଖାଦ୍ୟର ରପ୍ତାନୀ ଆଶାତିତ ବୃଦ୍ଧି, ସେବେ ୩୭୯, ଏବେ ୪୫୨୬ କୋଟି ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୯୧ ଲକ୍ଷ ମେଟି୍ରକ୍‌ ଟନ୍‌ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି।ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗ ଫଳରେ ମାଛଚାଷରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆସୋଚାମ୍‌ ଦ୍ୱାରା ଆୟୋଜିତ ‘ଭାରତରେ ମାଛଚାଷ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣର ସୁଦୃଢ଼ୀକରଣ’ ଶୀର୍ଷକ ଏକ ୱବିନାର୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ୨୦୦୦-୦୧ରେ ରାଜ୍ୟରେ ୧,୦୪୬ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ପ୍ରାୟ ଦଶଗୁଣା ବୃଦ୍ଧି ପାଇ ୧୦,୮୧୫ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟର ମୋଟ ମୂଲ୍ୟ ଯୋଗଦାନରେ ମତ୍ସ୍ୟ କ୍ଷେତ୍ରର ଅବଦାନ ୨.୪ ପ୍ରତିଶତ ହୋଇପାରିଛି। କ୍ଷାରିପାଣି ଚିଙ୍ଗୁଡ଼ି ଚାଷରେ ମଧ୍ୟ ମତ୍ସ୍ୟ ଉତ୍ପାଦିକା ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ସେହିପରି ରାଜ୍ୟର ୪୮୦ କିମି ଦୀର୍ଘ ସାମୁଦ୍ରିକ ଉପକୂଳର ଉପଯୁକ୍ତ ବିନିଯୋଗ ଯୋଗୁଁ ବିଗତ ୨୦ ବର୍ଷରେ ରାଜ୍ୟର ସାମୁଦି୍ରକ ଖାଦ୍ୟ ରପ୍ତାନୀ ୨୦୦୦-୦୧ରେ ୩୭୯ କୋଟି ଟଙ୍କାରୁ ବାରଗୁଣ ବୃଦ୍ଧି ପାଇ ୨୦୨୧-୨୨ରେ ୪,୫୨୬ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟର ମୋଟ ରପ୍ତାନୀ ଆୟର ୫.୯୦ ପ୍ରତିଶତ ସାମୁଦ୍ରିକ ଖାଦ୍ୟ ରପ୍ତାନୀରୁ ଆସିଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ମତ୍ସ୍ୟ ବିଭାଗ ୱାଲର୍ଡ ଫିସ୍‌ର ବୈଷୟିକ ସହାୟତାରେ ଓଡ଼ିଶା ମତ୍ସ୍ୟଚାଷ ମାଷ୍ଟର ପ୍ଲାନ୍‌-୨୦୩୦ ପ୍ରସ୍ତୁତ କରିଛି, ଯେଉଁଥିରେ ୨୦୩୦ ସୁଦ୍ଧା ରାଜ୍ୟରେ ମୋଟ ୨୨ ଲକ୍ଷ ମେଟି୍ରକ୍‌ ଟନ୍‌ ମତ୍ସ୍ୟ ଉତ୍ପାଦନ ଏବଂ ସାମୁଦି୍ରକ ଖାଦ୍ୟ ରପ୍ତାନୀ ୨୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ଅଧିକ ରୋଜଗାର ସୃଷ୍ଟି କରିବା ଏବଂ ରାଜ୍ୟବାସୀଙ୍କୁ ପୁଷ୍ଟିକର ମାଛ ଯୋଗାଇଦେବା ଓ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ଏବଂ ଭୁବନେଶ୍ୱର ଉପକଣ୍ଠ ଡେରାସଠାରେ ଏକ ବିଶ୍ୱସ୍ତରୀୟ ସି-ଫୁଡ୍‌ ପାର୍କ ପ୍ରତିଷ୍ଠା କରିଛନ୍ତି। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ଓ ପୁଞ୍ଜିନିବେଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଅଧିକରୁ ଅଧିକ ସାମୁଦି୍ରକ ଖାଦ୍ୟ ପ୍ରକି୍ରୟାକରଣ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗେଇ ଆସିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ୱାନ ଦେଇଥିଲେ।

ୱେବିନାର ପ୍ରାରମ୍ଭରେ ଆସୋଚାମ୍‌ର ବରିଷ୍ଠ ନିର୍ଦ୍ଦେଶକ ଶ୍ରୀମତୀ ପରମିନ୍ଦରଜିତ କୌର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଭାରତ ସରକାରଙ୍କ ସାମୁଦି୍ରକ ମତ୍ସ୍ୟ ବିଭାଗର ଯୁଗ୍ମ ସଚିବ ଡ. ଜେ. ବାଲାଜୀ, ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସୁବର୍ଣ୍ଣା ଚନ୍ଦ୍ରାପ୍ପାଗାରି, ଗୋଆର ମତ୍ସ୍ୟ ନିର୍ଦ୍ଦେଶକ ଡ. ଶର୍ମିଳା ମଣ୍ଟେରିଓ, ଓଡ଼ିଶା ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ସଂଘର ସଭାପତି ଡ. କମଳେଶ ମିଶ୍ର, ମୟାଙ୍କ ଆକ୍ୱାକଲଚର ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଡ. ମନୋଜ ଶର୍ମା, ଫାଲକମ୍‌ ମାରାଇନ୍‌ ଏକ୍ସପୋର୍ଟ ଲିମିଟେଡ୍‌ର ନିର୍ଦ୍ଦେଶକ ପ୍ରିୟଙ୍କା ମହାନ୍ତି, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଗ୍ଲୋବାଲ୍‌ ସେଗ୍‌ମେଣ୍ଟ ମୁଖ୍ୟ (ସାମୁଦ୍ରିକ ଖାଦ୍ୟ) ମହେଶ ଲେ, ପ୍ରମୁଖ ଭାଗନେଇ ଭାରତ ତଥା ରାଜ୍ୟର ମତ୍ସ୍ୟ ଚାଷ ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ।