Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବନ୍ଦର, ଜଳପଥରେ ୨.୨୫ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ସମ୍ଭାବନା,ଭାରତ ସାମୁଦ୍ରିକ ଶିଖର ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମୁଦ୍ରିକ ଭାରତ-୨୦୨୧ ଶିଖର ସମ୍ମିଳନୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ମୁଖୀ ଭାରତର ଏହି ଯାତ୍ରାରେ ସାମିଲ ହେବାକୁ ବିଶ୍ୱକୁ ନିମନ୍ତ୍ରଣ ଜଣାଇଛନ୍ତି । ଭାରତ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ଜାରି ରଖିଥିବାବେଳେ, ବ୍ଲୁ ଅର୍ଥନୀତିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଭିତ୍ତିଭୂମି ଉନ୍ନୀତ କରି ସଂସ୍କାର ଜରିଆରେ ଭାରତ ଆତ୍ମନିର୍ଭର ଭାରତର ରାସ୍ତାକୁ ଆହୁରି ମଜବୁତ କରିବ ।

ଧୀରେ ସୁସ୍ଥେ ହେଲେ ମଧ୍ୟ ସମଗ୍ର କ୍ଷେତ୍ରକୁ ଗୋଟିଏ ଭାବି ଦେଶ ଆଗକୁ ଆଗକୁ ଚାଲିଛି ।
ଦେଶର ପ୍ରମୁଖ ବନ୍ଦରଗୁଡିକର ମାଲପରିବହନ ସାମର୍ଥ୍ୟ ୨୦୧୪ରେ ୮୭୦ ମିଲିୟନ ଟନ୍ ଥିବାବେଳେ, ବର୍ତ୍ତମାନ ତାହା ୧୫୫୦ମିଲିୟନ ଟନ୍‌ରେ ପହଞ୍ଚିଛି । ଭାରତୀୟ ବନ୍ଦର ଗୁଡିକରେ ଏବେ ପ୍ରତ୍ୟକ୍ଷ ମାଲ ଖଲାସ, ମାଲପ୍ରବେଶ ହେବା ସହ ପୋର୍ଟ କମ୍ୟୁନିଟି ସିଷ୍ଟମ(ପିସିଏସ୍‌)କୁ ତଥ୍ୟ ଆଦାନ ପ୍ରଦାନ ପାଇଁ ଉନ୍ନୀତ କରାଯାଇଛି । ପଣ୍ୟବାହୀ ଜାହାଜ ପ୍ରବେଶ ଓ ପ୍ରସ୍ଥାନ ବାବଦ ପ୍ରତୀକ୍ଷା ସମୟ ଆମ ବନ୍ଦରରେ ହ୍ରାସ ପାଉଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ଥାଇ ବୃହତ ବନ୍ଦର ଭାଦୱାନ, ପାରାଦୀପ ଓ ଦିନଦୟାଲ ବନ୍ଦ କାଣ୍ଡଲାକୁ ବିକାଶିତ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମ ସରକାର ଜଳପଥରେ ଯେତେ ପୁଞ୍ଜିନିବେଶ କରୁଛନ୍ତି,
ସେପରି ଆଗରୁ କେବେ ହୋଇ ନ ଥିଲା । ଦେଶୀୟ ଜଳପଥରେ ପରିବହନ କମ୍ ବ୍ୟୟ ସାପେକ୍ଷ ହେବା ସ୍ଥଳେ ପରିବେଶ ଦୃଷ୍ଟିରୁ ମଧ୍ୟ ଅନୁକୂଳ । ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେ ୨୩ଟି ଜଳପଥ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛୁ । ସେ ଆହୁରି କହିଛନ୍ତି ଯେ, ଦେଶରେ ବୃହତ ଉପକୂଳରେ ୧୮୯ଟି ବତୀଘର ରହିଛି । “୭୮ଟି ବତୀଘର ସଂଲଗ୍ନ ଅଂଚଳରେ ଆମେ ପର୍ଯ୍ୟଟନର ବିକାଶ ପାଇଁ ଏହି ଯୋଜନା ତିଆରି କରିଛୁ ।

ବର୍ତ୍ତମାନ ରହିଥିବା ବତୀଘର ଗୁଡିକ ଓ ଏହାର ପାରିପାର୍ଶ୍ଵିକ ଅଞ୍ଚଳକୁ ଏକ ଅନନ୍ୟ ସାମୁଦ୍ରିକ
ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଏପରି ପଦକ୍ଷେପର ମୂଳ ଉଦ୍ଦେଶ୍ୟ” ବୋଲି ଶ୍ରୀ ମୋଦି କହିଛନ୍ତି। କୋଚି୍‌, ମୁମ୍ବାଇ, ଗୁଜରାଟ ଓ ଗୋଆରେ ନଗର ଜଳ ପରିବହନ ପ୍ରଣାଳୀ ଆରମ୍ଭ କରାଯାଇଥିବା ସେ ଘୋଷଣା କରିଥିଲେ । ସରକାର ନିକଟରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ପରିଣତ କରିଥିବାରୁ ସାମୁଦ୍ରିକ କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି ଏବଂ ଏ କ୍ଷେତ୍ରରେ ବିକାଶ ସାମଗ୍ରିକ ଭାବେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ସରକାର ଦେଶରେ ଜାହାଜ ନିର୍ମାଣ ଓ ମରାମତି ବଜାର ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ଭାରତୀୟ ଜାହାଜ କାରଖାନଗୁଡିକୁ ଜାହାଜ ନିର୍ମାଣ ଆର୍ଥିକ
ସହାୟତା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ବନ୍ଦର, ଜାହାଜ ଜଳପଥ ମନ୍ତ୍ରଣାଳୟ ଚାରିଶହ
ବିନିଯୋଗକ୍ଷମ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ପ୍ରକଳ୍ପଗୁଡିକରେ ପ୍ରାୟ ୨ଲକ୍ଷ
୨୫ହଜାର କୋଟି ଟଙ୍କାର ବିନିଯୋଗ ହୋଇପାରିବ । ଭାରତୀୟ ସାମୁଦ୍ରିକ ଦୃଶ୍ୟପଟକୁ ସରକାର ଅଗ୍ରାଧିକାର ଦେଉଥିବା ସେ କହିଛନ୍ତି । ସାଗର ମନ୍ଥନ ସାମୁଦ୍ରିକ ବାଣିଜ୍ୟିକ ଭୂଭାଗ ସଚେତନତା କେନ୍ଦ୍ର ମଧ୍ୟ ଆଜିଠାରୁ ଆରମ୍ଭ କରାଯାଇଛି । ଏହି ତଥ୍ୟ ପଦ୍ଧତି ସାମୁଦ୍ରିକ ସୁରକ୍ଷା, ଖୋଜିବା ଓ ଉଦ୍ଧାର ସାମର୍ଥ୍ୟ ନିରାପତ୍ତା ଓ ସାମୁଦ୍ରିକ ବାତାବରଣ ନିରାପତ୍ତା ଅଧିକ ପ୍ରଭାବୀ ଢଙ୍ଗରେ ପାଳନ କରିବ ।

ସରକାର ବନ୍ଦରଭିତ୍ତିକ ବିକାଶ ନିମନ୍ତେ ସାଗରମାଳା ପ୍ରକଳ୍ପ ୨୦୧୬ରେ ଘୋଷଣା କରିଛନ୍ତି ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ପ୍ରାୟ ଛଅଲକ୍ଷ କୋଟି ଟଙ୍କାର ୫୭୪ଟି ପ୍ରକଳ୍ପ ୨୦୧୫ରୁ ୨୦୩୫ମଧ୍ୟରେ ତ୍ୱରାନ୍ୱିତ କରିବା ପାଇଁ ଚିହ୍ନଟ କରାଯାଇଛି । ୨୦୨୨ ମସିହା ସୁଦ୍ଧା ଉଭୟ ଉପକୂଳରେ ଜାହାଜ ମରାମତି ପୁଞ୍ଜ ନିର୍ମାଣ କରାଯିବ । ଘରୋଇ ଜାହାଜ ପୁନଃପ୍ରକ୍ରିୟାକରଣ ଶିଳ୍ପ ଜରିଆରେ ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି କରାଯିବ । ହଂକଂ ଆର୍ନ୍ତଜାତିକ କନଭେନସନ ଅନୁସାରେ ଭାରତ ପୁନଃପ୍ରକ୍ରିୟାକରଣ ଜାହାଜ ଆଇନ-୨୦୧୯ ପ୍ରଣୟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆମର ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରି
ବିଶ୍ୱର ଶ୍ରେଷ୍ଠ ବିଷୟଗୁଡିକୁ ଆମେ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।
ବିମଷ୍ଟେକ ମାଧ୍ୟମରେ ବାଣିଜ୍ୟ ଓ ଆର୍ଥିକ ସଂଯୋଗ ଉପରେ କାମ ଜାରି ରଖିବା ସହ ଭାରତ ଆଗାମୀ ୨୦୨୬ ମସିହା ସୁଦ୍ଧା ପାରସ୍ପାରିକ ରାଜିନାମା ଲାଗୁ କରିବ ।
ବିଭିନ୍ନ ଦ୍ୱୀପର ଭିତିଭୂମି ଓ ପରିବେଶର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମୁଦ୍ରିକ କ୍ଷେତ୍ରରେ ଅକ୍ଷୟଶକ୍ତିର ଉପଯୋଗ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦେଶର ପ୍ରମୁଖ ବନ୍ଦରଗୁଡିକରେ ସରକାର ସୌର ଓ ପବନ ଶକ୍ତି ସମ୍ପନ୍ନ ଶକ୍ତି ଉପଯୋଗ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦେଶରେ ତିନିଟି ପର୍ଯ୍ୟାୟରେ ଭାରତୀୟ ବନ୍ଦରଗୁଡିକରେ ଏହାର ଉପଯୋଗ ହେଲେ ଆଗାମୀ ୨୦୩୦ ସୁଦ୍ଧା ବ୍ୟବହାରର ଶତକଡା ୬୦ଭାଗ ଅକ୍ଷୟ ଶକ୍ତି ଉତ୍ସରୁ ଉପଯୋଗ ହେବ । ଉପସଂହାରରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ପୁଞ୍ଜିନିବେଶକାରୀଙ୍କୁ ଏତିକି କହୁଛନ୍ତି ଯେ, “ଭାରତର ଦୀର୍ଘ ଉପକୂଳ ଆପଣମାନଙ୍କ ପ୍ରତୀକ୍ଷାରେ ଅଛି, ଭାରତର ପରିଶ୍ରମୀ ଜନସାଧାର ଆପଣମାନଙ୍କ ଅପେକ୍ଷାରେ ଅଛନ୍ତି। ଭାରତ ଆପଣମାନଙ୍କ ବାଣିଜ୍ୟିକ ଲକ୍ଷ୍ୟଭୂମି ହେଉ । ବାଣିଜ୍ୟ ଓ ବ୍ୟବସାୟ ନିମନ୍ତେ ଭାରତୀୟ ବନ୍ଦର ଆପଣଙ୍କ ବନ୍ଦର ବିବେଚିତ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।