Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକମାନଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା ହେଉ: ପୂର୍ବତନ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପ୍ରେସ୍ ଏକାଡ଼େମୀର ୨୬ତମ ବାର୍ଷିକ ଉତ୍ସବ ଏକାଡ଼େମୀର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ ଯେ, ବହୁ ବାଧାବିଘ୍ନ ଓ ପ୍ରତିକୂଳ ବ୍ୟବସ୍ଥାରେ ଦେଶର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରୁଥିବା ଅନ୍ୟ ରାଜ୍ୟମାନଙ୍କ ଭଳି କର୍ମଜୀବୀ ସାମ୍ବାଦିକମାନଙ୍କୁ ମାସିକ ଦଶ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା କରାଯିବା ଆବଶ୍ୟବ ବୋଲି ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିବା ଜଣାଯାଇଛି ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ କଂଗ୍ରେସ ବାର୍ତ୍ତାର ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରି ମୃତ୍ୟୁବରଣ କରୁଥିବା ସମ୍ବାଦିକଙ୍କ ପରିବାରକୁ ପନ୍ଦର ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶା ପ୍ରେସ୍ ଏକାଡ଼େମୀକୁ ଖୁବ୍ ଶୀଘ୍ର ସ୍ୱୀକୃତି ଦେବା ପାଇଁ ଦାବି କରିଥିଲେ।

ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ସାମଲ କହିଲେ ଯେ, ରାଜ୍ୟର କାର୍ଯ୍ୟରତ ଓକିଲମାନଙ୍କ ଭଳି ପେନ୍‌ସନ ବ୍ୟବସ୍ଥା ସହ ଏକକୋଟି ଟଙ୍କାର ମୂଳଧନ ସୃଷ୍ଟି ହୋଇ ସେଥିରୁ ସୁଧ ଆକାରରେ ମିଳୁଥିବା ଧନ ପେନ୍‌ସନ ଆକାରରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ଦିଆଯାଉ ବୋଲି ସରକାରଙ୍କ ନିକଟରେ ନିବେଦନ କରିଥିଲେ।

ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର ଉତ୍ସବରେ ଯୋଗଦେଇ କହିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶାର ସମ୍ବାଦପତ୍ର ରାଜ୍ୟ ସରକାରଙ୍କ ବିନା ସହଯୋଗରେ ତିଷ୍ଠିବା ସମ୍ଭବ ନୁହେଁ। ବଡ଼, ମଧ୍ୟମ, କ୍ଷୁଦ୍ର ସମ୍ବାଦପତ୍ର ମାନଙ୍କ ମଧ୍ୟରେ ବିଜ୍ଞାପନ ଗୁଡ଼ିକ ସମାନଭାବେ ବଣ୍ଟନ କରିବା ଜରୁରୀ ହୋଇପଡ଼ିଛି।

ବରିଷ୍ଠ ସମ୍ବାଦିକ ବିବେକାନନ୍ଦ ଜେନା କହିଲେ ଯେ, କର୍ମଜୀବୀ ସାମ୍ବାଦିକମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ତରଫରୁ କିଛି ଆର୍ଥିକ ଅନୁଦାନ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ବରିଷ୍ଠ ସାମ୍ବାଦିକ ବଳରାମ ପ୍ରସାଦ ନନ୍ଦ ଯୋଗଦେଇ କହିଲେ ଯେ, ବର୍ତ୍ତମାନ ଚତୁର୍ଥ ସ୍ତମ୍ଭ ବିପଦର ସମ୍ମୁଖୀନ ହୋଇଛି। ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବାଦପତ୍ର ଶିଳ୍ପର ଗୁରୁତ୍ୱ ରକ୍ଷା ହେବା ସହ ରାଜ୍ୟର ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଦୟିତ୍ୱ ସୁଚାରୁ ରୂପେ ପାଳନ କରାଯିବା ଆବଶ୍ୟକ।

ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ସ୍ୱାଇଁ କହିଲେ ଯେ, ଗଣତନ୍ତ୍ରରେ ସମ୍ବାଦପତ୍ରର ଭୂମିକା ବହୁ ଗୁରୁତ୍ୱ ବହନ କରେ। ଏହାର ସଦୁପଯୋଗ ହେବା ଆବଶ୍ୟକ। ଶୁଣାକଥାର ସମ୍ପାଦକ  ତୁଷାରକାନ୍ତ ପଟ୍ଟନାୟକ କହିଲେ ଯେ, ସାମ୍ବାଦିକମାନେ ଏକଜୁଟ ହୋଇ କାମ କଲେ ସବୁ ସମସ୍ୟାର ସମାଧାନ ହୋଇପାରିବ।

ଡ଼େଭଲପମେଣ୍ଟ ନ୍ୟୁଜ ନେଟୱର୍କ ପୋର୍ଟାଲର ମୁଖ୍ୟ ସାମ୍ବାଦିକା ଆଲ୍‌ଫା ରାୟ କହିଲେ ଯେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ବହୁ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ସମ୍ପାଦିକା ରିତାଞ୍ଜଳି ଆଚାର୍ଯ୍ୟ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ଵାରା ୬ ହଜାର ୯୪୪ ଜଣ ସାମ୍ବାଦିକ ଉପକୃତ ହେବେ। ଏହି ଅବସରରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ମହାମାରୀ ସମୟରେ ସାମ୍ବାଦିକମାନଙ୍କ ଅନବରତ ସେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

Categories
ବିଶେଷ ଖବର

କରୋନା ମହାମାରୀ ସମୟରେ ସବୁଠୁ ବେଶୀ ଅସହାୟ ଭାରତର ସାମ୍ବାଦିକ ଓ ସାମ୍ବାଦିକତା

କେଦାର ମିଶ୍ର

ଗତ ସୋମବାର ଦିନ ହଠାତ ଦିନ ଦୁଇଟା ବେଳେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ର ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡି ଜଣେ ୩୭ ବର୍ଷର ଯୁବକ ଆତ୍ମହତ୍ୟା କଲେ। ତାଙ୍କ ନାମ ତରୁଣ ଶିଶୋଦିଆ ଓ ସେ ହିନ୍ଦୀ ଖବର କାଗଜ “ଦୈନିକ ଭାସ୍କର” ର ସାମ୍ବାଦିକ ଥିଲେ।କିଛି ଦିନ ଆଗରୁ ତରୁଣ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ବୋଲି ଜଣା ପଡିଥିଲା ଓ ତାଙ୍କର ଚିକିତ୍ସା ଚାଲିଥିଲା। କରୋନା ଆକ୍ରାନ୍ତ ହେବାପରେ ତାଙ୍କର ମାନସିକ ବିଚଳନ ଆରମ୍ଭ ହୋଇଥିଲା ଓ ତାଙ୍କର ଚାକିରି ଚାଲିଯାଇଥିବାର ଭୟ ତାଙ୍କୁ ବିବ୍ରତ କରୁଥିଲା ବୋଲି ଏବେ ସୂଚନ୍ନ ମିଳିଛି। ଏହା କେବଳ ତରୁଣ ଶିଶୋଦିଆଙ୍କର ବ୍ୟକ୍ତିଗତ କାହାଣୀ ନୁହେଁ, ଆପାତତଃ ଏହାକୁ କୋଭିଡ଼-୧୯ ପରବର୍ତ୍ତୀ ଭାରତୀୟ ସାମ୍ବାଦିକତାର କାହାଣୀ ବୋଲି କୁହାଯାଇପାରିବା। ପ୍ରତିଦିନ ଦେଶରେ ଶହ ଶହ ଗରିବ, ସଂକ୍ରମିତ ଏବଂ ଅସହାୟ ଲୋକଙ୍କର କାହାଣୀ କହୁଥିବା ଆମର ସାମ୍ବାଦିକମାନେ ଆଜି ସବୁଠୁ ବେଶୀ ଅସହାୟ। ଶହ ଶହ ସାମ୍ବାଦିକଙ୍କର ଚାକିରି ଚାଲିଯାଇଥିବାର ଖବର ଆଜିର ମୁଖ୍ୟ ଖବର ଅବଶ୍ୟ ନୁହେଁ। ଯେଉଁ ସାମ୍ବାଦିକ ଜଣକ ଟେଲିଭିଜନ ଆଗରେ କରୋନା ସମୟର କରୁଣ କାହାଣୀ କହୁଛି, ସେ ନିଜେ ଯେ କେତେ ଅସହାୟ ସେକଥା କହିବାକୁ କେହି ନାହାନ୍ତି।

କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଦେଶରେ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇଥିଲା, ତାର ଶିକାର ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାର କର୍ମଚାରୀମାନେ ହୋଇଥିଲେ। ଗତ ବର୍ଷେ ଭିତରେ ଅତିକମରେ ୫୦୦୦ରୁ ଅଧିକ ସାମ୍ବାଦିକଙ୍କର ଚାକିରି ଯାଇ ସାରିଥିଲା। ଦେଶର ପ୍ରମୁଖ ଜାତୀୟ ଖବର କାଗଜ ଓ ଟେଲିଭିଜନ ସଂସ୍ଥା ଆଖିବୁଜା ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ। କୋଭିଡ-୧୯ ଛଟେଇ ସୁଯୋଗକୁ ଟିକେ ଅଧିକ ପ୍ରଶସ୍ତ କରିଦେଲା। କୋଭିଡ-୧୯ ସଂକ୍ରମଣ ଆରମ୍ଭ ହେଲାପରେ ଦେଶର ସବୁ ଗଣମାଧ୍ୟମ ସଂସ୍ଥାରେ ଏବେ ଛଟେଇ ପର୍ବ ଆରମ୍ଭ ହୋଇଛି। ସାମ୍ବାଦିକ ନୈତିକତା ଓ ସାମ୍ବାଦିକ ଅଧିକାର ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଦେଶର ଅନ୍ୟତମ   ଶକ୍ତିଶାଳୀ ଗଣମାଧ୍ୟମ ସଂସ୍ଥା “ଦି ହିନ୍ଦୁ” ଗତ ମାସରେ ହଠାତ ନିଜର ଶତାଧିକ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ବ୍ୟବସ୍ଥା ଲାଗୁ କରିଛି। “ଟାଇମ୍ସ ଅଫ ଇଣ୍ଡିଆ” ନିଜର ମାଗାଜିନ ଓ ରବିବାର ସଂସ୍କରଣରେ କାମ କରୁଥିବା ସବୁ ସାମ୍ବାଦିକଙ୍କୁ ହଠାତ ବରଖାସ୍ତ କରି ଦେଇଛି। “ଦି ଇଣ୍ଡିଆନ ଏକ୍ସପ୍ରେସ” କର୍ମଚାରୀଙ୍କ ଦରମାରୁ ୧୦ ରୁ ୩୦% ହ୍ରାସ କରିଛି।

ସାମ୍ବାଦିକମାନେ ବର୍ତ୍ତମାନ ସମୟରେ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଆକ୍ରମଣର ଶିକାର ହେଉଛନ୍ତି। କରୋନା ସଂକ୍ରମଣ ସହିତ ଲଢେଇରେ ସାମ୍ବାଦିକମାନେ ଆଗୁଆ ସୂଚନାଦାତାର ଭୂମିକା ତୁଲାଇ ନିଜେ ସଂକ୍ରମଣର ଶିକାର ହେଉଛନ୍ତି। ଶହ ଶହ ସାମ୍ବାଦିକ ଏବେ କରୋନା ଆକ୍ରାନ୍ତ ହୋଇ ଭୂତାଣୁ ସହିତ ଲଢେଇ କରୁଛନ୍ତି। ଏ ପ୍ରକାର ସଂଘର୍ଷ ସମୟରେ ସେମାନେ କାମ କରୁଥିବା ଗଣମାଧ୍ୟମର ମାଲିକମାନେ ସାମ୍ବାଦିକଙ୍କ ସହିତ ଦୃଢତାର ସହିତ ଠିଆ ହେବା ପରିବର୍ତ୍ତେ ସେମାନଙ୍କୁ ତୁରନ୍ତ ଚାକିରିରୁ ଛଟେଇ କରୁଛନ୍ତି। ବିଭିନ୍ନ ଆଳ ଦେଖାଇ ଏବେ ସାମ୍ବାଦିକଙ୍କୁ ଛଟେଇ କରିବାର ଏକ ଧାରା ସାରା ଭାରତରେ ଅବ୍ଯାହତ ରହିଛି।

ଓଡିଶାରେ ମଧ୍ୟ ସମାନ ଧାରାର ପ୍ରତିଫଳନ ଆମେ ଦେଖୁଛୁ। ଓଡିଶାରେ ଲକ ଡାଉନ ଆରମ୍ଭ ହେଲା କ୍ଷଣି ଓଡିଶାର ପ୍ରମୁଖ ସଂବାଦପତ୍ର ଗୁଡିକ ନିଜର କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସମୟକ୍ରମେ ଏହି ଛୁଟି ସ୍ଵାଭାବିକ ଛଟେଇର ରୂପ ନେଇଛି। ଓଡିଶାର ଅନେକ ଟେଲିଭିଜନ ଚାନେଲ ଓ ଖବର କାଗଜ ଇତିମଧ୍ୟରେ ନିଜର କର୍ମଚାରୀମାନଙ୍କୁ ବିଦା କରିବାର ପ୍ରକ୍ରିୟା ଅବ୍ଯାହତ ରଖିଛନ୍ତି। ବିନା କାରଣରେ କିମ୍ୱା ବିଭିନ୍ନ ଆଳରେ କର୍ମଚାରୀମାନଙ୍କୁ ବିଦା କରାଯାଉଛି। ଏହି ଛଟେଇ ପ୍ରକ୍ରିୟାରେ ସମ୍ପାଦକଙ୍କଠୁ ଆରମ୍ଭ କରି ସହ ସମ୍ପାଦକ ଓ ବିଜ୍ଞାପନ କର୍ମଚାରୀ ପର୍ୟନ୍ତ ସମସ୍ତେ ପ୍ରଭାବିତ ହେଉଛନ୍ତି। ଲକ ଡାଉନ ସମୟରେ ଗଣମାଧ୍ୟମକୁ ବିଜ୍ଞାପନ ରାଜସ୍ୱ କମିଯାଇଛି। ଏହାକୁ ଏକ ଆଧାର ଭାବେ ଗ୍ରହଣ କରି ଏବେ ସାମ୍ବାଦିକମାନଙ୍କ ପେଟରେ ନିତିଦିନ ଗୋଇଠାମାଡ ଚାଲିଛି।

ଅନ୍ୟ ଏକ ଘଟଣାକ୍ରମରେ ଓଡିଶାରେ କାମ କରୁଥିବା ଅନେକ ଜାତୀୟ ସମ୍ବାଦପତ୍ର ଓ ଟେଲିଭିଜନ ଚାନେଲର ସ୍ଥାନୀୟ ବ୍ଯୁରୋ କୁ ବନ୍ଦ କରିଦିଆଯାଇଛି। ଏହି ମାସ ଆରମ୍ଭରୁ “ଦି ବିଜିନେସ  ଷ୍ଟାଣ୍ଡାର୍ଡ” ର ଭୁବନେଶ୍ୱର ସଂସ୍କରଣକୁ ରାତାରାତି ବନ୍ଦ କରି ଦିଆ ଯାଇଛି। ସେହିପରି “ଦି ହିନ୍ଦୁ” ର ଓଡିଶା ଅଫିସକୁ ଏକପ୍ରକାର ବନ୍ଦ କରି ଦିଆଯାଇଛି। ଜୀ ନ୍ଯୁଜ ଏବଂ ନୁଜ-୧୮ ଟେଲିଭିଜନ ଚାନେଲରେ ମଧ୍ୟ କର୍ମଚାରୀ ସଂଖ୍ୟା କମାଯାଉଛି।

ଆର୍ଥିକ ଓ ସାମାଜିକ ଭାବରେ ସାମ୍ବାଦିକଙ୍କ ଜୀବନ ଏବେ ଦୁର୍ବିସହ ହୋଇ ପଡୁଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ଅନେକ ସାମ୍ବାଦିକଙ୍କ ନାମରେ ବର୍ତ୍ତମାନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ପୁଲିସ ଅତ୍ୟାଚାର ବଢୁଛି। ଲକଡାଉନ ସମୟରେ ୧୫ ରୁ ଅଧିକ ସାମ୍ବାଦିକଙ୍କ ନାମରେ ବିଭିନ୍ନ ରାଜ୍ୟ ସରକାର ପୋଲିସ ମାମଲା ରୁଜୁ କରିଛନ୍ତି। କରୋନାର ପ୍ରକୋପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ କ୍ଷେତ୍ର ଭାବରେ ଏବେ ଗଣମାଧ୍ୟମ ମୂମୁର୍ଷୁ ଅବସ୍ଥାକୁ ଚାଲିଆସିଛି। ମନେ ରଖନ୍ତୁ, ଗଣମାଧ୍ୟମ ଉପରେ ଏ ବିପଦ ଭବିଷ୍ୟତରେ ଗଣତନ୍ତ୍ର ପାଇଁ ବିପଦର ସଙ୍କେତ!!

Categories
ଆଞ୍ଚଳିକ

ରେଢାଖୋଲ ଡାକ୍ତରଖାନାରେ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର

ସମୀକ୍ଷା ବ୍ୟୁରୋ

ରେଢାଖୋଲ: ରେଢାଖୋଲ ଡାକ୍ତରଖାନାର ଏକ ଫଟୋ ଉତ୍ତୋଳନ କରୁଥିବା ସମୟରେ ସାମ୍ବାଦିକ କନ୍ଦର୍ପ ବେହେରାଙ୍କୁ ସିକ୍ୟୁରିଟି ଗାର୍ଡ ବା ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଜଣାପଡିଛି।

ଆଜି ସକାଳେ ସାମ୍ବାଦିକ ଜଣକ ରେଢାଖୋଲ ଡାକ୍ତରଖାନାର ସାମ୍ନାପଟୁ ଏକ ଫଟୋ ଉଠାଉଥିବା ସମୟରେ ଜନୈକ ସୁରକ୍ଷାକର୍ମୀ ଏହାକୁ ନେଇ ବିରୋଧ କରିବା ସହ କ’ଣ ପାଇଁ ଫଟୋ ଉଠାଉଛୁ ବୋଲି କହିଥିଲେ। ତା’ପରେ ସାମ୍ବାଦିକଙ୍କ ନିକଟକୁ ଯାଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ସମ୍ପର୍କରେ ଏସଡିଏମ୍‌ଓଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ପୃକ୍ତ ସୁରକ୍ଷାକର୍ମୀ ଜଣକ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଦୁବ୍ୟବହାର ଦେଖାଉଥିବାର ଜଣାପଡିଛି। ସାମ୍ବାଦିକ ଜଣକ ନିଜ ପରିଚୟ ପତ୍ର ଦେଖାଇଥିଲେ ବି ସୁରକ୍ଷାକର୍ମୀ ଏହାକୁ ମାନି ନଥିଲେ। ଡାକ୍ତରଖାନା ପରି ଜାଗାରେ ସୁରକ୍ଷାକର୍ମୀଙ୍କ ଏପରି କାର୍ଯ୍ୟ ନିନ୍ଦନୀୟ। ସୁରକ୍ଷାକର୍ମୀଙ୍କ ଏପରି ବ୍ୟବହାର ପାଇଁ ତାଙ୍କୁ କାର୍ଯ୍ୟରୁ ବାହାର କରିବାକୁ ଦାବି କରିଛନ୍ତି ସମ୍ପୃକ୍ତ ସାମ୍ବାଦିକ ଜଣକ।