Categories
ବିଶେଷ ଖବର

ଆନୁଗତ୍ୟ ଓ ଚାଟୁକାରିତା କାରଣରୁ ଉଚ୍ଚ ପଦବୀକୁ ଯାଉଥିବା ଓଡିଆଙ୍କୁ ନେଇ ଗର୍ବ କରିବାର ସେମିତି କିଛି କାରଣ ସତରେ ଅଛି କି?

କେଦାର ମିଶ୍ର

ଆଉ ଜଣେ ଓଡିଆ ଏବେ ଗୋଟେ ବଡ ସାମ୍ବିଧାନିକ ପଦ ପାଇବାକୁ ଯାଉଛନ୍ତି। ଦେଶର ପ୍ରଥମ ଓଡିଆ ଭାବରେ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର ପରବର୍ତ୍ତୀ ମହାଲେଖା ନିୟନ୍ତ୍ରକ ବା ସିଏଜି ଦାୟିତ୍ଵ ନେବେ ବୋଲି ଖବର ମିଳୁଛି। ଭଲକଥା, ଜଣେ ଓଡିଆ ଭାବରେ ଏକ ସାମ୍ବିଧାନିକ ପଦବୀ ପାଇବା ଯୋଗୁଁ ଆମେ ଓଡିଆମାନେ ଖୁସି। ହେଲେ ଏଥିପାଇଁ ଗର୍ବିତ ହେବାର କିଛି ଅଛି କି? ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ଅନୁଗତ ଓ ତାଙ୍କର ସହାୟକ ସଚିବ ଭାବରେ ସେ ଦୀର୍ଘ ବର୍ଷ କାମ କରିଛନ୍ତି। ତାଙ୍କର ଆନୁଗତ୍ୟ ଲାଗି ଆଜି ଏତେ ବଡ ସାମ୍ବିଧାନିକ ପଦବୀ ତାଙ୍କୁ ମିଳୁଛି। ଏଥିରେ ଗର୍ବ କରିବା ଅପେକ୍ଷା ଲଜ୍ଜିତ ହେବାର ଅନେକ କାରଣ ରହିଛି।

ସିଏଜି ବା ମହାଲେଖା ନିୟନ୍ତ୍ରକ ଏକ ସ୍ଵାଧୀନ-ସାମ୍ବିଧାନିକ ଅନୁଷ୍ଠାନ। ଏହି ଅନୁଷ୍ଠାନ ସରକାର ପାଖରେ ନୁହଁ, ବରଂ ଦେଶର ସଂସଦ ପାଖରେ ଉତ୍ତରଦାୟୀ। ସରକାର କରୁଥିବା ଖର୍ଚ୍ଚର ଲେଖାଯୋଖା ତିଆରି କରିବା ଓ ସରକାରୀ ଖର୍ଚ୍ଚ ଉପରେ ତୀବ୍ର ନଜର ରଖିବା ଲାଗି ଏହି ଅନୁଷ୍ଠାନର ଗୁରୁ ଦାୟିତ୍ଵ ରହିଛି। ସମ୍ବିଧାନର ଧାରା ୧୪୮ ଅନୁଯାୟୀ ସିଏଜି ପୂର୍ଣ୍ଣତଃ ଏକ ସ୍ଵାଧୀନ ଅନୁଷ୍ଠାନ ହୋଇଥିବା ବେଳେ ଏହାର ମୁଖିଆଙ୍କୁ ସରକାର ନିଯୁକ୍ତି ଦେଇଥାନ୍ତି। ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ କ୍ଯାବିନେଟ ସଚିବ ଯୋଗ୍ୟ ବ୍ୟକ୍ତିମାନଙ୍କର ଏକ ତାଲିକା ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରିଥାନ୍ତି। ଅର୍ଥମନ୍ତ୍ରୀ ସେହି ତାଲିକା ପ୍ରଧାନମନ୍ତ୍ରୀଙ୍କୁ ଦିଅନ୍ତି। ସେଥିରୁ ପ୍ରଧାନମନ୍ତ୍ରୀ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ରାଷ୍ଟ୍ରପତିଙ୍କ ପାଖକୁ ପଠାନ୍ତି ଓ ସେହି ଆଧାରରେ ରାଷ୍ଟ୍ରପତି ସିଏଜିଙ୍କୁ ନିଯୁକ୍ତି ଦେଇଥାନ୍ତି। ଏ କ୍ଷେତ୍ରରେ ଚିନ୍ତାର ବିଷୟ ହେଉଛି ପ୍ରଧାନମନ୍ତ୍ରୀ ନିଜର ଏକାନ୍ତ ଅନୁଗତ ଅଧିକାରୀଙ୍କୁ ଏହି ପଦରେ ନିଯୁକ୍ତି ଦେବାଲାଗି ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି। ଅତି ସ୍ପଷ୍ଟ ଭାବରେ କହିଲେ ପ୍ରଧାନମନ୍ତ୍ରୀ ନିଜର ଏକାନ୍ତ ଅନୁଗତ ସହକାରୀଙ୍କୁ ଏଥିଲାଗି ଯୋଗ୍ୟ ବୋଲି ବିଚାର କରି ଏକ ସ୍ଵାଧୀନ ସଂସ୍ଥାକୁ ନିୟନ୍ତ୍ରିତ କରିବାର ଉଦ୍ୟମ କରିଛନ୍ତି।

ନିଜର ବିଶ୍ଵସ୍ତ ଓ ଅନୁଗତ ଅଧିକାରୀଙ୍କୁ ନିଜ ସରକାରର ଅଡିଟର ଭାବେ ନିଯୁକ୍ତି ଦେବାର ଏ ପ୍ରକ୍ରିୟା ଘୋର ଅନୈତିକ। ୨୦୧୪ ପୂର୍ବରୁ ସିଏଜିଙ୍କର କୌଣସି ବି ରିପୋର୍ଟ ସରକାରକୁ କାଠଗଡାରେ ଛିଡା କରାଉଥିଲା। ମନମୋହନ ସିଂ ସରକାର ଅମଳରେ ତତ୍କାଳୀନ ସିଏଜି ବିନୋଦ ରାୟ ୨-ଜି ଘୋଟାଲା ଏବଂ କୋଇଲା ଖଣି ଘୋଟାଲାକୁ ନେଇ ସରକାରକୁ ଅଡୁଆରେ ପକାଇଥିଲେ। ୨-ଜି ମାମଲାରେ ଦୁର୍ନୀତିର ପ୍ରତ୍ଯକ୍ଷ୍ୟ ପ୍ରମାଣ ନଥିବା ସତ୍ତ୍ୱେ ଏକ ଆନୁମାନିକ ଆକଳନ ଜରିଆରେ ସିଏଜି ସରକାରକୁ ଭ୍ରଷ୍ଟାଚାରୀ ବୋଲି କହିଥିଲେ। ୨୦୧୪ରେ ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ସିଏଜି ରିପୋର୍ଟକୁ ନେଇ ଆଉ କୌଣସି ଚର୍ଚ୍ଚା ହେଉନାହିଁ। ଏକଦା ସିଂହ ପରି ଗର୍ଜନ କରୁଥିବା ଏହି ଅନୁଷ୍ଠାନ ଏବେ ସରକାରଙ୍କ ପୋଷା ବିଲେଇ ଭଳି ବ୍ୟବହାର କରୁଛି। ଏହା କେବଳ ସାଧାରଣ ଅଭିଯୋଗ ନୁହେଁ, ନିର୍ଦ୍ଦିଷ୍ଟ ଭାବରେ ଗତ କିଛି ବର୍ଷ ହେଲାଣି ସିଏଜି ନିଜର ରିପୋର୍ଟ ପ୍ରକାଶ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି। ଦେଶର ଆୟବ୍ୟୟ ସମ୍ପର୍କରେ ସିଏଜି ନିଜର ଚୂଡାନ୍ତ ରିପୋର୍ଟ ବଜେଟ ଅଧିବେଶନ ପୂର୍ବରୁ ଦାଖଲ କରିବା କଥା ଓ ସରକାର ତାହା ସଂସଦରେ ଉପସ୍ଥାପନ କରିବା କଥା। ଗତ ଦୁଇ ବର୍ଷ ହେଲାଣି ଏହି ରିପୋର୍ଟ କୁ ଜାଣିଶୁଣି ବିଳମ୍ବିତ କରାଯାଉଛି।

ଗତ କିଛି ବର୍ଷ ଭିତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଡିଟ ରିପୋର୍ଟ ସଂଖ୍ୟା ୫୦% ଅଧିକ କମିଯାଇଛି। ଅର୍ଥାତ ସିଏଜି ଓ ରାଜ୍ୟର ଏଜି ମାନେ ପୂର୍ବ ତୁଳନାରେ ରିପୋର୍ଟ ପ୍ରସ୍ତୁତି କମାଇ ଦେଇଛନ୍ତି। ବିନୋଦ ରାୟ ସିଏଜି ଥିବା ସମୟରେ ୨୦୧୦-୧୧ ବର୍ଷରେ ସଂସଦରେ ଓ ବିଭିନ୍ନ ବିଧାନସଭାରେ ୨୨୧ଟି ରିପୋର୍ଟ ଦାଖଲ ହୋଇଥିଲା। ଏହି ସଂଖ୍ୟା ବର୍ତ୍ତମାନର ସିଏଜି ରାଜୀବ ମେହେର୍ଷିଙ୍କ ବେଳକୁ ୯୮କୁ କମି ଆସିଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରତ୍ଯେକ ବିଭାଗର ଲେଖାଯୋଖା ପାଇଁ ସ୍ଵତନ୍ତ୍ର ଅଡିଟ ରିପୋର୍ଟ ସାଂସଦ ତଥା ବିଧାନସଭାରେ ଉପସ୍ଥାପିତ ହେଉଥିଲା। ବର୍ତ୍ତମାନ ତାହା ଏକ ପ୍ରକାର କାମଚଳା ବ୍ୟବସ୍ଥା ପାଲଟି ଯାଇଛି।

ସିଏଜି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ନିଜ କବଜାରେ ରଖିବାକୁ ଏଥିରେ ସରକାର ନିଜର ଅନୁଗତ ଆଇଏଏସ ଅଧିକାରୀମାନଙ୍କୁ ନିଯୁକ୍ତି ଦେଉଛନ୍ତି। ଅଡିଟ ବ୍ୟବସ୍ଥା ଏକ ସ୍ଵତନ୍ତ୍ର ଦକ୍ଷତାର ଆବଶ୍ୟକତା କରୁଥିବା ବେଳେ ମୋଦୀ ସରକାରରେ ଏଥିଲାଗି ଏକମାତ୍ର ଯୋଗ୍ୟତା ହେଉଛି ଆନୁଗତ୍ୟ। ଏହି ଆନୁଗତ୍ୟ କାରଣରୁ ଇତିହାସର ଛାତ୍ର ଶକ୍ତିକାନ୍ତ ଦାସ ରିଜର୍ଭ ବ୍ଯାଙ୍କର ଗଭର୍ଣ୍ଣର ହୋଇଛନ୍ତି ଓ ସେହି ସମାନ କାରଣରୁ ରାଜନୀତି ବିଜ୍ଞାନର ଛାତ୍ର ନୂଆ ସିଏଜି ହେବାକୁ ଯାଉଛନ୍ତି। ଭାରତୀୟ ଅଡିଟ ସେବା ପାଇଁ ଏକ ନିର୍ଦ୍ଦିଷ୍ଟ କ୍ୟାଡର ରହିଥିବା ବେଳେ ଉଦ୍ଦେଶ୍ଯମୂଳକ ଭାବରେ ସେହି ସେବାରେ ଆଇଏଏସ ଅଧିକାରୀଙ୍କୁ ଲଦି ଦିଆ ଯାଉଛି।

ଓଡିଆ ଭାବରେ ନିଜର ଦକ୍ଷତା ବଳରେ ଶକ୍ତିକାନ୍ତ ଦାସ ବା ଗିରିଶଚନ୍ଦ୍ର ମୁର୍ମୁ ଉଚ୍ଚ ପଦବୀକୁ ଯାଇନାହାନ୍ତି। ଶକ୍ତିକାନ୍ତ ଦାସଙ୍କର ଇତିହାସ ଓ ଗିରିଶ ଚନ୍ଦ୍ର ମୁର୍ମୁଙ୍କର ରାଜନୀତି ବିଜ୍ଞାନ ସହିତ ସେମାନେ କାମ କରୁଥିବା ଅନୁଷ୍ଠାନର କୌଣସି ସମ୍ପର୍କ ନାହିଁ। ମୋଦୀ ସରକାର ର ଏକାଧିପତ୍ୟକୁ ସ୍ଵୀକାର କରିବାକୁ ନ ଚାହିଁବାରୁ ଓ ରିଜର୍ଭ ବ୍ଯାଙ୍କର ସ୍ବାଧିନତାକୁ ସରକାର ପାଖରେ ବନ୍ଧା ପକାଇବାକୁ ସୁଯୋଗ ନ ଦେବାରୁ ଅର୍ଥନୀତିର ଦୁଇ ଦକ୍ଷ ବିଦ୍ଵାନ ରଘୁରାମ ରାଜନ ଓ ଉର୍ଜିତ ପଟେଲଙ୍କୁ ସରକାର ଏହି ପଦରୁ ବିଦା କରିଥିଲେ। ସେହି ଜାଗାରେ ସରକାରଙ୍କ ସଖୀ କଣ୍ଢେଇ ସାଜି ଶକ୍ତିକାନ୍ତ ଦାସ ବସିଛନ୍ତି। ବର୍ତ୍ତମାନ ସିଏଜି ବା ଭାରତର ମହାଲେଖା ନିୟନ୍ତ୍ରକ ପଦବୀରେ ପ୍ରଧାନମନ୍ତ୍ରୀଙ୍କର ଆଉଜଣେ ଅନୁଗତ ସଖୀ କଣ୍ଢେଇ ପୁରସ୍କୃତ ହେବାକୁ ଯାଉଛନ୍ତି।

ଏମିତି ଏକ ପୃଷ୍ଠଭୂମିରେ ଏହି ସୌଖୀନ ସଖୀ କଣ୍ଢେଇମାନେ ଓଡିଆ ବୋଲି ଗର୍ବ କରିବା ପାଇଁ ଆମ ପାଖରେ  କୌଣସି ବିଶେଷ କାରଣ ନାହିଁ।