Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମେଲିଓଡୋସିସ୍‌ର ନାମ ଶୁଣିଛନ୍ତି କି? ଏହି ରୋଗରେ ମୃତ୍ୟୁର ହାର ଖୁବ୍ ଅଧିକ

ଭୁବନେଶ୍ୱର: କେବେ ମେଲିଓଡୋସିସ୍‌ର ନାମ ଶୁଣିଛନ୍ତି କି? ଏହା ଏଭଳି ଏକ ମାରାତ୍ମକ ରୋଗ ଯାହାକି ଏକ ସାପ୍ରୋଫାଇଟ୍ (ବ୍ୟାକ୍ଟେରିଆ) ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ ଏହି ରୋଗରେ ମୃତ୍ୟୁର ହାର ଖୁବ୍ ଅଧିକ।

ଏହି ବ୍ୟାକ୍ଟେରିଆ କୌଣସି ଉଦ୍ଭିଦ ବା ଫଙ୍ଗସ୍ ଦ୍ୱାରା ହୋଇଥାଏ ଯାହା ମୃତ ବା ପଡିଯାଇଥିବା ପଦାର୍ଥ ଉପରେ ନିର୍ଭର କରି ବଂଚେ। ଏହାକୁ ବୁର୍ଖୋଲଡେରିଆପସିଉଡୋମାଲି ନାମକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି।

ବିଶ୍ୱରେ ଏଥି ନିମନ୍ତେ ମୃତ୍ୟୁ ହାର ଅଧିକ ଥିବା ବେଳେ ଏ ତଥ୍ୟ ବିଶେଷ ଭାବେ ସାମ୍ନାକୁ ଆସି ନାହିଁ କିମ୍ବା ସ୍ୱାସ୍ଥ୍ୟ ସେବା ସଂଘଗୁଡ଼ିକ ପକ୍ଷରୁ ଏ ନେଇ ସଚେତନତା ମଧ୍ୟ ସୃଷ୍ଟି କରାଯାଇନାହିଁ ବୋଲି କହିଛନ୍ତି ଲଣ୍ଡନ୍ ସ୍କୁଲ୍ ଅଫ୍ ହାଇଜିନ୍‌ର ପ୍ରଫେସର (ଡାକ୍ତର) ଡାଭିଡ ଡାନ୍ସ।

ଗତ ସପ୍ତାହରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭର୍ଚୁଆଲୀ ଆୟୋଜିତ ଏକ ସିଏମ୍‌ଇରେ ପ୍ରଫେସର ଡାନ୍ସ ଏହା କହିଛନ୍ତି।

ଏହି ରୋଗର ଲକ୍ଷଣ ଟିବି, ଟାଇଫଏଡ୍‌, ମ୍ୟାଲେରିଆ, ସ୍କ୍ରବ୍ ଟିପସ୍‌, ଲେପ୍ଟୋସ୍ପିରୋସିସ୍ ଏବଂ ଡେଙ୍ଗି ଭଳି ହୋଇଥିବାରୁ ଏହାକୁ ‘ଗ୍ରେଟ୍ ମିମିକର୍‌’ ବୋଲି କୁହାଯାଇଥାଏ।

ଏହି ସିଏମ୍‌ଇରେ ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ୍ (ମାହେ)ର ପ୍ରଫେସର (ଡକ୍ଟର) ଚିରଞ୍ଜୟ ମୁଖୋପାଧ୍ୟାୟ ମଧ୍ୟ ଯୋଗ ଦେଇଥିଲେ। ଯୋଗ ଦେଇଥିବା ବିଶେଷଜ୍ଞମାନେ ଭାରତ ସମେତ ସାରା ବିଶ୍ୱରେ ଏହି ମାରାତ୍ମକ ରୋଗର ପରିସ୍ଥିତି, ଉପଲବ୍ଧ ପରୀକ୍ଷଣ ବ୍ୟବସ୍ଥା ଏବଂ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ସିଏମ୍‌ଇକୁ ଆଇଏମ୍‌ଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଉଦ୍‌ଘାଟନ କରିବା ସହ ରୋଗକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ଏ ଦିଗରେ ଅଧିକ ଗବେଷଣା କରିବାକୁ ସିଏମ୍‌ଇରେ ସାମିଲ ହୋଇଥିବା ବିଶେଷଜ୍ଞମାନଙ୍କୁ ଅନୁରୋଧ କରିଥିଲେ। ଦେଶର ବିଭିନ୍ନ ମେଡିକାଲ୍ କଲେଜରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଏହି ସିଏମ୍‌ଇରେ ସାମିଲ୍ ହୋଇଥିଲେ। ଏହି ସିଏମ୍‌ଇକୁ ଡାକ୍ତର ପ୍ରଜ୍ଞା ପାରମିତା ଜେନା ପରିଚାଳନା କରିଥିବା ବେଳେ ମାଇକ୍ରୋ ବାୟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) କୁନ୍ଦନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।