Categories
ଆଜିର ଖବର ରାଜ୍ୟ ଖବର

ପାନୀୟ ଜଳ ଯୋଗାଣ ସମେତ ସତ୍ ଦଫା ଦାବିରେ ଜୁନାଗଡ଼ ବ୍ଲକ ସମ୍ମୁଖରେ ସିପିଆଇର ଗଣବିକ୍ଷୋଭ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ସମ୍ମୁଖରେ ଆଜି ସିପିଆଇ ଜୁନାଗଡ଼ ଜୋନାଲ କମିଟି ପକ୍ଷରୁ ଗଣବିକ୍ଷୋଭ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋରଗୁଡା ଗ୍ରାମର ବିଭିନ୍ନ ସମସ୍ୟା ଯଥା, ତୁରନ୍ତ ପାନୀୟ ଜଳର ସୁବ୍ୟବସ୍ଥା, ଜବକାର୍ଡ ଧାରୀଙ୍କୁ କର୍ମନିୟୋଜନ, ବଞ୍ଚିତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ମରୁଡି ଜନିତ କ୍ଷତିପୂରଣ ପ୍ରଦାନ, ରିହାତି ମୂଲ୍ୟରେ ଖରିପ ଚାଷ ପାଇଁ ସାର ବିହନ ଔଷଧ ଯୋଗାଣ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ବିନାସୂଚନାରେ ବିଦ୍ୟୁତ କାଟ ବନ୍ଦ କରିବା ଦାବି କରିଛନ୍ତି।

ସ୍ଥାନୀୟ ଆରଏମସି ପରିସରରୁ ସିପିଆଇ ନେତା ଦାମୋଦର ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସ୍ଵଭ୍ୟ ହରେକୃଷ୍ଣ ମାଝୀ, ଦୁର୍ଯ୍ୟୋଧନ ମାଝୀଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ଏକ ରାଲି ଯୋଗେ ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିଗୁଡିକ ଯଥାଶୀଘ୍ର ପୂରଣ କରାଯିବାକୁ ସ୍ଥାନୀୟ ବ୍ଲକ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଏକ ସାତଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଚାରୋଟି ବାମପନ୍ଥୀ ଦଳ ତରଫରୁ ଭୁବନେଶ୍ୱରରେ ବିକ୍ଷୋଭ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଓଡ଼ିଶାର ଚାରୋଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମଏଲ୍‌) ଲିବରେସନ ଏବଂ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ନେତୃତ୍ୱରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ସଂଗଠିତ ହୋଇଯାଇଛି।

ମମିତା ମେହେର ହତ୍ୟାକାଣ୍ଡ ତଦନ୍ତର ନିରପେକ୍ଷତା ପାଇଁ ଓଡ଼ିଶାର ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଦ୍ୱାରା ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ କରିବା, ଦିବ୍ୟଶଙ୍କର ମିଶ୍ରଙ୍କୁ ଏସ୍‌ଆଇଟି ତଦନ୍ତ ପରିସରଭୁକ୍ତ କରିବା, ଅପରାଧୀମାନଙ୍କୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଶାସ୍ତିଦେବା, ମମିତାଙ୍କ ପରିବାରକୁ ଏକକୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବାମପନ୍ଥୀ ଦଳମାନେ ଦୃଢ ଭାବେ ଦାବି କରିଛନ୍ତି।

ଏହି ଆନ୍ଦୋଳନରେ ସିପିଆଇ ତରଫରୁ ଆଶୀଷ କୁନନଗୋ, ରାମକୃଷ୍ଟ ପଣ୍ଡା, ଅଭୟ ସାହୁ, ସୁର ଜେନା, କୈଳାସ ପୁହାଣ, ସିପିଆଇ (ଏମ୍‌) ତରଫରୁ ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ଅଭିରାମ ବେହେରା, ଯତୀନ ମହାନ୍ତି, ରାମଚନ୍ଦ୍ର ତ୍ରିପାଠୀ, ସିପିଆଇ (ଏମ୍‌ଏଲ୍‌) ଲିବରେସନ ତରଫରୁ ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡ଼ା ଏବଂ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ପୂର୍ଣ୍ଣଚନ୍ଦ୍ର ପାଢୀ, ପ୍ରମୁଖ ନେତୃତ୍ୱଙ୍କ ସମେତ ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ, ସରୋଜ ନାୟକ, ପ୍ରମୋଦିନୀ ସାହୁ, ବିମଳୀ ନାୟକ, ଜୟପ୍ରକାଶ ଭଞ୍ଜଦେଓ ଏବଂ ବସନ୍ତ ସାହୁ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦେଇ ନେତୃତ୍ୱ ନେଇଥିଲେ।

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବାମପନ୍ଥୀ ଦଳମାନେ ଉପସ୍ଥାପିତ କରିଥିବା ସମସ୍ତ ଦାବିପତ୍ର ନ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି।

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ ସିପିଆଇ ସାଧାରଣ ସଂପାଦକ ଡି. ରାଜା

ସମୀକ୍ଷା ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇ ସାଧାରଣ ସଂପାଦକ ଡି. ରାଜାଙ୍କ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ, କିନ୍ତୁ ନିର୍ବାଚନ ପରେ ସଂପୂର୍ଣ୍ଣ ଭାବେ ତାଙ୍କର ସ୍ବର ବଦଳି ଯାଇଛି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ଅର୍ଥନୀତି ଉପରେ ଆକ୍ରମଣ ଚାଲିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚୁପ୍ ରହୁଛନ୍ତି।’ ଭଗତ ସିଂହଙ୍କ ସହିଦ୍‌ ଦିବସ ଉପଲକ୍ଷେ କଟକରେ ସିପିଆଇ ପକ୍ଷରୁ ଏକ ରାଜ୍ୟ ସାଙ୍ଗଠନିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଯୋଗ ଦେଇ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ନବୀନ ପଟ୍ଟନାୟକ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆହ୍ବାନ ଦେଇଛନ୍ତି । ଦେଶରେ ମାନ୍ଦାବସ୍ଥା ଦେଖାଦେଉଥିବା ବେଳେ ବିରୋଧୀମାନେ ଏହାର ବିରୋଧ କରୁଛନ୍ତି କିନ୍ତୁ ନବୀନ ଏନେଇ ଚୁପ୍ ଅଛନ୍ତି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ସହମତି ପ୍ରକାଶ କରୁଛନ୍ତି। ସବୁବେଳେ ଲୋକଙ୍କୁ ସତ ଲୁଚାଇ ହେବ ନାହିଁ। ତେଣୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଯଦି ହିନ୍ଦୀ ଏକକ ଭାଷୀ ହୁଏ ତେବେ ଓଡିଶା ଲୋକଙ୍କର କଣ ହେବ ବୋଲି କହି ନବୀନଙ୍କୁ ଟାର୍ଗେଟ କରିଛନ୍ତି ଡି. ରାଜା।