Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରି ମାମଲା: ୫ ଯୁବକ ଗିରଫ, ମାଲିକଙ୍କୁ ଅଳଙ୍କାର ଫେରସ୍ତ କଲା ଟାଉନ ଥାନା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଟାଉନ ଥାନା ଅନ୍ତର୍ଗତ ତୁଳସୀ ନଗର ୮ ମ ଲାଇନର ସି ଏଚ୍ ଭାସ୍କର ରାଓ ଆଚାରୀଙ୍କ ଘରୁ ଗତ ୨୧ ତାରିଖରେ ଏକ ବଡ଼ ଧରଣର ନଗଦ ଟଙ୍କା, ସୁନା ଓ ରୂପା ଅଳଂକାର ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୋଲିସ ଏକ ଟିମ୍ ଗଠନ କରି କିଛି ପୁରୁଣା ଚୋରି ରାକେଟକୁ ଧରି ପଚରାଉଚରା କରିବା ବେଳେ କିଛି ଅଭିଯୁକ୍ତଙ୍କଙ୍କ ନାମ ଏହି ଚୋରି ଘଟଣାରେ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ। ଏହି ଆଧାରରେ ପୋଲିସ ଅନୁସନ୍ଧାନ ଚଳାଇ ଏହି କାର୍ଯ୍ୟରେ ସଂପୃକ୍ତ ୫ ଜଣ ଅଭିଯୁକ୍ତ ଯଥା ମହମ୍ମଦ ବଶୀର, ଇରଫାନ୍ ବେଗ୍, ଏସ୍ କେ ଆଶୁ ଓ ଏସ୍ କେ ସମୀର ସମେତ ଚୋରି ଅଳଙ୍କାର କିଣି ମରାମତି ଦୋକାନର ମାଲିକ ଜାକିର ହୁସେନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପୋଲିସ ସୁଚନା ଅନୁଯାୟୀ ଅଭିଯୋଗକାରି ଭାସ୍କର ରାଓ ଗତ ୨୧ ତାରିଖରେ ସପରିବାର ଘରେ ତାଲା ପକାଇ ବିଶାଖାପାଟଣା ଚାଲିଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ମାନେ ଘର ତାଲା ଭାଙ୍ଗି ୬୦ ଗ୍ରାମ ସୁନା, ୧୦୦ ଗ୍ରାମ ରୁପା ଓ ନଗଦ ୧୭ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା।

ପ୍ରକାଶ ଥାଉକି ଗତ ୨୪ ତାରିଖରେ ଭାସ୍କର ରାଓ ଙ୍କ ଘରେ କାମ କରୁଥିବା ମହିଳା କର୍ମଚାରୀ ଜଣଙ୍କ ତାଙ୍କ ଘରକୁ ଆସି ଦେଖିଲେ ଯେ ଘରର ତାଲା ଭଙ୍ଗା ହୋଇଛି। ଏହି ବିଷୟରେ ଘର ମାଲିକଙ୍କୁ ମହିଳା ଜଣଙ୍କ ଫୋନ୍ କରି ଜଣାଇଥିଲେ। ଭାସ୍କର ନିଜ ଶଳା ସାଇରାମ୍ କୁ ଫୋନ୍ କରି ଜଣାଇଥିଲେ। ସାଇରାମ୍ ଆସି ଦେଖିଲେ ତାଲା ଭାଙ୍ଗି କବାଟ ଖୋଲା ଅଛି ଓ ସେ ଘର ଭିତରକୁ ଯାଇ ଦେଖିଲା ବେଳକୁ ଚୋରି ହୋଇଥିବା ଜାଣି ଭିଣୋଇ କୁ ଖବର ଦେଇଥିଲେ।

ଭାସ୍କର ତତକ୍ଷଣାତ୍ ବ୍ରହ୍ମପୁର ରେ ପହଞ୍ଚି ଚୋରି ଘଟଣାର ଅଭିଯୋଗ କରିଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହେବା ସହ ଚୋରି ହୋଇଥିବା ଅଳଙ୍କାର ଜବତ କରିଥିଲେ ଓ ଜବତ୍ ଅଳଙ୍କାର କୁ ଅଭିଯୋଗକାରୀ ଭାସ୍କର କୁ ଫେରସ୍ତ କରିଛନ୍ତି।