Categories
ଆଜିର ଖବର

ଜାତିଗତ ସର୍ଭେକୁ ନେଇ ସନ୍ତୁଳିତ ଆଭିମୁଖ୍ୟ ଦେଖାଇବ ଆରଏସଏସ, ମାର୍ଚ୍ଚରେ ଆସିପାରେ ପ୍ରସ୍ତାବ

ନୂଆଦିଲ୍ଲୀ: ଜାତିଗତ ସର୍ବେକ୍ଷଣକୁ ବିରୋଧ କରିବାର କିଛିଦିନ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଗୁରୁବାର କହିଛି ଯେ ସମାଜର ସାମଗ୍ରିକ ବିକାଶ ପାଇଁ ଏଭଳି ପଦକ୍ଷେପକୁ ବ୍ୟବହାର କରାଯିବା ଉଚିତ। ଏହା ସହିତ ସାମାଜିକ ସଦ୍ଭାବ ଓ ଏକତାକୁ ଯେପରି କୌଣସି କ୍ଷତି ନ ପହଞ୍ଚେ ସେଥିପ୍ରତି ଧ୍ୟାନ ଦେବା ଦରକାର।

ଆରଏସଏସର ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର କହିଛନ୍ତି ଯେ ସଂଘ କୌଣସି ଭେଦଭାବ ଏବଂ ବୈଷମ୍ୟରୁ ମୁକ୍ତ ସାମାଜିକ ନ୍ୟାୟ ଉପରେ ଆଧାରିତ ଏକ ହିନ୍ଦୁ ସମାଜର ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛି। ଦେଶରେ ଜାତିଗତ ସର୍ବେକ୍ଷଣକୁ ନେଇ ରାଜନୈତିକ ଦଳଗୁଡ଼ିକର ବୟାନ ମଧ୍ୟରେ ସଂଘ ଏହି ବିତର୍କରେ ନିଜକୁ ସାମିଲ କରିବାକୁ ଚାହୁଁନାହିଁ, କିନ୍ତୁ ସଂଘର ଜଣେ କର୍ମକର୍ତ୍ତାଙ୍କ ବୟାନ ପରେ ସଂଘକୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡ଼ିଥିଲା।

ଜାତି ସର୍ବେକ୍ଷଣ ଉପରେ ସଂଘ ସନ୍ତୁଳିତ ଆଭିମୁଖ୍ୟ ଦେଖାଇବାକୁ ଚେଷ୍ଟା କରିଛି। ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚରେ ହେବାକୁ ଥିବା ଆରଏସଏସର ପ୍ରତିନିଧି ସଭାରେ ଜାତିଗତ ସର୍ଭେକୁ ନେଇ ଏକ ପ୍ରସ୍ତାବ ଆସିପାରେ, କିନ୍ତୁ ଏହା ସପକ୍ଷରେ କିମ୍ବା ବିପକ୍ଷରେ ଏକ ସାଧାରଣ ପ୍ରସ୍ତାବ ହେବ ନାହିଁ। କେନ୍ଦ୍ର ପ୍ରତିନିଧି ସଭା ହେଉଛି ସଂଘର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା।

ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ପଷ୍ଟୀକରଣ ଆସିଛି

ଦୁଇଦିନ ତଳେ ସଂଘର ଜଣେ ନେତା କହିଥିଲେ ଯେ ଜାତିଗତ ସର୍ଭେ ହେବା ଉଚିତ ନୁହେଁ। ସେ କହିଛନ୍ତି ଯେ ଏଭଳି ଅଭ୍ୟାସ ରାଜନୈତିକ ଦୃଷ୍ଟିରୁ କିଛି ଲୋକଙ୍କୁ ଫାଇଦା ଦେଇପାରେ କାରଣ ଏହା ଏକ ଜାତିର ଜନସଂଖ୍ୟା କେତେ ତାହାର ତଥ୍ୟ ଦେବ, କିନ୍ତୁ ଏହା ସାମାଜିକ ଏବଂ ଜାତୀୟ ଏକତା ଦୃଷ୍ଟିରୁ ଭଲ ନୁହେଁ। ତାଙ୍କ ବୟାନ ପରେ ଏହା ଉପରେ ଆଲୋଚନା ଆରମ୍ଭ ହୋଇଥିଲା, ଯାହା ପରେ ସଂଘ ପକ୍ଷରୁ ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି।

ଏହାର ଉଦ୍ଦେଶ୍ୟ କ’ଣ ?

ସଂଘ ଦୀର୍ଘ ଦିନ ଧରି ଏକ ସୌହାର୍ଦ୍ଦ୍ୟ ଅଭିଯାନ ଚଳାଇଆସୁଛି। ଏଥିରେ ମନ୍ଦିର, କୂଅ ଓ ଶବଦାହ ଅଭିଯାନ ମଧ୍ୟ ରହିଛି। ସଂଘ ହିନ୍ଦୁ ସମାଜକୁ ଏକଜୁଟ କରିବାକୁ ଚେଷ୍ଟା କରୁଛି ଏବଂ ଅନୁସୂଚିତ ଜାତିମାନଙ୍କ ପାଇଁ ମଧ୍ୟ କ୍ରମାଗତ ଭାବରେ ଏଭଳି ଅଭିଯାନ ଚଳାଇଛି। ଜାତିଜନଗଣନା ନାଁ’ରେ ଯେଉଁଭଳି ରାଜନୀତି କରାଯାଉଛି, ତାହା ସମାଜକୁ ଅଧିକ ବିଭାଜିତ କରିବ ବୋଲି ଆମେ ଆଶଙ୍କା କରୁଛୁ।

ବିଭିନ୍ନ ଜାତିର ତଥ୍ୟ ସାମ୍ନାକୁ ଆସିବା ପରେ ଏହି ବ୍ୟବଧାନ ବଢ଼ିବା ଉଚିତ ନୁହେଁ, ଯାହାକୁ ଦୂର କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ତେଣୁ ଆମେ ଏହି ବିବାଦରେ ନ ପଡ଼ିବାକୁ ଚେଷ୍ଟା କରୁଛୁ।