Categories
ଆଜିର ଖବର ଜାତୀୟ ଖବର

ଲୋକସଭାର ସୁରକ୍ଷାରେ ବଡ ତ୍ରୁଟି: ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଯୁବକ, ଗୃହରେ ଭୟର ବାତାବରଣ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ଲୋକସଭା କାର୍ଯ୍ୟ ଚାଲିଥିବାବେଳେ ଦୁଇଜଣ ଯୁବକ ଗୃହଭିତରକୁ ଦର୍ଶକ ଗ୍ୟାଲେରୀରୁ ଡେଇଁ ପ୍ରବେଶ କରିଛନ୍ତି। ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ଡେଇଁପଡ଼ିବା ପରେ ସାଂସଦମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଥିଲା। ଲୋକସଭା ଚାଲିଥିବା ସମୟରେ ପ୍ରବେଶ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ନାମ ସାଗର ବୋଲି କୁହାଯାଉଛି। ଉଭୟ ସାଂସଦଙ୍କ ନାମରେ ଦର୍ଶକ ପାସରେ ଲୋକସଭା ଆସିଥିଲେ।

ଏହି ଘଟଣା ଘଟିବା ସମୟରେ ଗୃହରେ ଜନସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯାଉଥିଲା। ପଶ୍ଚିମବଙ୍ଗର ବିଜେପି ସାଂସଦ ସ୍ୱଗେନ ମୁର୍ମୁ ନିଜ ବକ୍ତବ୍ୟ ରଖୁଥିଲେ। ହଠାତ୍ ଘଟିଥିବା ଏହି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

କ’ଣ ଥିଲା ସେହି ହଳଦିଆ ଗ୍ୟାସ୍?

ଦୁହେଁ ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। ଜଣେ ଯୁବକଙ୍କୁ ଗୃହରୁ ବାହାରକୁ ନିଆଯିବା ପରେ ତାଙ୍କ ଜୋତାରୁ ହଳଦିଆ ଧୂଆଁ ବାହାରୁଥିଲା। ଫଳରେ ଚାରିଆଡ଼େ ଗ୍ୟାସ ବ୍ୟାପି ଯାଇଥିଲା। ତେବେ ଏହି ଗ୍ୟାସ୍ କ’ଣ ଥିଲା, ତାହାର ତଦନ୍ତ ଚାଲିଛି।

ତେବେ ପ୍ରାରମ୍ଭିକ ତଦନ୍ତରୁ ଏଭଳି ଘଟଣାରେ ସାମିଲ ଥିବା ଯୁବକଙ୍କ ପରିଚୟ ମିଳିଛି। ଅମୋଲ ଶିନ୍ଦେ ଏବଂ ସାଗର ଶର୍ମା ନାମ ଦୁଇଜଣ ଯୁବକ ଏହି ଘଟଣାରେ ସାମିଲ ଥିବା ବେଳେ ନୀଲମ ନାମକ ଜଣେ ଯୁବତୀ ମଧ୍ୟ ଏଥିରେ ଜଡିତ ଥିବା କୁହାଯାଉଛି। ସମସ୍ତଙ୍କୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି।