Categories
ଆଞ୍ଚଳିକ

ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୂଜ୍ୟ ପୂଜା ନମନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ଗୋପାଳପୁର ସର୍କଲରେ ସେବା ନିବୃତ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୂଜ୍ୟ ପୂଜା ନମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସମ୍ମାନିତ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ସଂଯୋଜକ ତଥା ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଭାପତି ଜ୍ୟୋତି ରଞ୍ଜନ ଦାଶ, ଜିଲ୍ଲା ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର, ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଗଠନର କୋଷାଧକ୍ଷ ହେମନ୍ତ କୁମାର ମିଶ୍ର, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ଗୋପାଳପୁର ସର୍କଲ ସଭାପତି ନୀଳମଣି ବେହେରା, ସମ୍ପାଦକ ମହେନ୍ଦ୍ର କୁମାର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ।

ଅତିଥିମାନେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିଥିଲେ। ପ୍ରାୟ ୧୯୫୦ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଶିକ୍ଷକତା କରି ପିଲାମାନଙ୍କୁ ଶିକ୍ଷା ଦାନ କରି ଅବସର ନେଇ ଥିବା ୭୫ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଫୁଲ, ଚନ୍ଦନ, ଉପଢୌକନ ଓ ପୁଷ୍ପ ମାଳ ଦେଇ ପୂଜା କରାଯାଇଥିଲା। ପୂଜ୍ୟ ପୂଜାର ପରମ୍ପରାକୁ ବଜାୟ ରଖିଥିବା ଗୋପାଳପୁର ସର୍କଲର ଶିକ୍ଷକମାନଙ୍କୁ ଅବସର ନେଇଥିବା ଶିକ୍ଷକମାନେ ଧନ୍ୟବାଦ ଜଣାଇ ଥିଲେ।