Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରା ଶୁଭାରମ୍ଭ

ଭୁବନେଶ୍ୱର: ସାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରାର ଶୁଭାରମ୍ଭ କରାଯାଇଛି।

ଟ୍ରୁ-୫ଜି ଜରିଆରେ ଶିକ୍ଷା କ୍ଷେତ୍ରରେ ଆସିବାକୁ ଥିବା ବୈପ୍ଲବିକ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। ରିଲାଏନ୍ସ ଜିଓ ପକ୍ଷରୁ ସୋଆ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନ ଅଡିଟୋରିୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ୫ଜି ସେବା ସମ୍ପର୍କିତ ସୂଚନା ଓ ବିଭିନ୍ନ ବ୍ୟବହାରିକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ରିଲାଏନ୍ସ ଜିଓର ଓଡିଶା ମୁଖ୍ୟ ପ୍ରଦୀପ ରାଉତ, ସୋଆ ଫାକଲ୍ଟି ଅଫ ଏଗ୍ରିକଲଚରାଲ ସାଇନ୍େସସର ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ଅଧିକ ଡାଟା ଆବଶ୍ୟକତା ଓ ବ୍ୟବହାରକୁ ନଜରରେ ରଖି ଜିଓ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଏବଂ ନିରବଚ୍ଛିନ୍ନ ୫ଜି ସଂଯୋଗକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରିଲାଏନ୍ସ ଜିଓ ପକ୍ଷରୁ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକାଧିକ ୫ଜି ନେଟ୍‌ୱର୍କ ସାଇଟ୍ ସ୍ଥାପନ କରାଯାଇଛି।

ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଜିଓ ଓଡ଼ିଶା ଟିମ୍ ପକ୍ଷରୁ ଟ୍ରୁ-୫ଜିର ବହୁମୁଖୀ ଲାଭ ଓ ସମ୍ଭାବନାକୁ ଉପସ୍ଥାପନ କରାଯାଇଥିଲା ଏବଂ ଡିଜିଟାଲ ଶିକ୍ଷାଦାନରେ ବିପ୍ଳବ ଆଣିବା, ନବସୃଜନ, ସହଯୋଗିତା ଓ ଜ୍ଞାନପ୍ରଦାନର ପରିବେଶକୁ ସୁଦୃଢ଼ କରିବା ଦିଗରେ ରହିଥିବା ବ୍ୟାପକ ସମ୍ଭାବନାକୁ ଉପରେ ଗୁରୁତ୍ୱାରୋପ କରି ଟ୍ରୁ-୫ଜିର ରୂପାନ୍ତରଣ ସମ୍ଭାବନା ବିଷୟରେ ବର୍ଣ୍ଣନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ୫ଜିର ବିଭିନ୍ନ ବ୍ୟବହାରିକ ପ୍ରୟୋଗ ଭିଡ଼ିଓ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ କରାଯାଇଥିଲା ଏବଂ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହାର ରହିଥିବା ବ୍ୟାପକ ଅଭିବୃଦ୍ଧି ସୁଯୋଗ ବିଷୟରେ ଅବଗତ କରାଯାଇଥିଲା।

ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ସାରା ରାଜ୍ୟରେ ଏହାର ଟ୍ରୁ-୫ଜି ନେଟ୍‌ୱର୍କକୁ ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଛି ଏବଂ ଏହା ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହାର ଓଡ଼ିଶାର ସମସ୍ତ ଜିଲ୍ଲାରେ ୫ଜି ନେଟ୍‌ୱର୍କ ଉପଲବ୍ଧ ରହିଛି। ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ପାଖରେ ପ୍ରିମିୟମ୍ ୭୦୦ ମେଗାହର୍ଜର ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରହିଛି ଯାହା ୫ଜି-ସ୍ଥାପନ ପାଇଁ ସବୁଠୁ ଉପଯୁକ୍ତ ବିବେଚନା କରାଯାଉଛି। ଟେଲିକମ୍ ବିଭାଗ ପକ୍ଷରୁ ନିକଟରେ ପ୍ରଦାନ କରାଯାଇଥିବା ଜିଲ୍ଲାଭିତିକ ତଥ୍ୟ ଅନୁସାରେ ଓଡ଼ିଶାରେ ସ୍ଥାପନ କରାଯାଇଥିବା ମୋଟ ୭୭୫୬ ଟି ୫ଜି ବିଟିଏସ୍ ମଧ୍ୟରୁ ଜିଓ ସର୍ବାଧିକ ୬୩୪୫ ଟି ୫ଜି ବିଟିଏସ୍ ସ୍ଥାପନ କରିଛି।

ଜିଓ ଟ୍ରୁ-୫ଜିର ତିନି-ସ୍ତରୀୟ ଲାଭ ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି ଯେଉଁଥିରେ ସାମିଲ ରହିଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଢାଂଚା ସହିତ ଉନ୍ନତ ୫ଜି ନେଟ୍‌ୱର୍କ ଯାହାର ୪ଜି ନେଟ୍‌ୱର୍କ ଉପରେ କୌଣସି ନିର୍ଭରଶୀଳତା ନାହିଁ; ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ର ସର୍ବବୃହତ ଓ ଶ୍ରେଷ୍ଠ ୫ଜି ସ୍ପେକ୍ଟ୍ରମ୍ ମିଶ୍ରଣ, କ୍ୟାରିୟର ଏଗ୍ରିଗେସନ ଯାହା କ୍ୟାରିୟର ଏଗ୍ରିଗେସନ ନାମକ ଏକ ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ଏହି ୫ଜି ଫ୍ରିକ୍ୟୁଏନ୍‌ସିଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ମିଶ୍ରଣ କରି ଏକ ସୁଦୃଢ଼ “ଡାଟା ହାଇୱେ’ରେ ପରିଣତ କରିଛି।

ଭାରତର ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ଆଣିବାରେ ଜିଓର ଟ୍ରୁ-୫ଜି ପ୍ରଯୁକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦ୍ରୁତ ଓ ଭରସାଯୋଗ୍ୟ ଯୋଗାଯୋଗ ପ୍ରଦାନ କରି ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରୁଥିବା ବେଳେ ନିଜର ଶ୍ରେଷ୍ଠତା ପ୍ରଦାନ କରିବା ଲାଗି ଫାକଲ୍‌ଟି ସଦସ୍ୟମାନଙ୍କୁ ସଶକ୍ତ କରୁଛି। ଅଧିକ ଶିକ୍ଷାନୁଷ୍ଠାନ ଏହି ପ୍ରଯୁକ୍ତି ବ୍ୟବହାର କରୁଥିବାରୁ ଦେଶର ଶିକ୍ଷା ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବାର ସମ୍ଭାବନା ଏହି ପ୍ରଯୁକ୍ତି ପାଖରେ ରହିଛି ଯାହା ଜ୍ଞାନ ପ୍ରସାରଣ, ନବସୃଜନ ଓ ସହଯୋଗିତାର ଅସୀମ ସମ୍ଭାବନାକୁ ଉଜାଗର କରୁଛି। ସାରା ଭାରତର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ସୁଦୃଢ଼ କରିବା ଏବଂ ପରବର୍ତ୍ତୀ ପିଢ଼ିର ଭବିଷ୍ୟତକୁ ଆକାର ପ୍ରଦାନ କରିବାରେ ଏହାର ପ୍ରତିବଦ୍ଧତାକୁ ଦୋହରାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୦ତମ ‘ଜାତୀୟ ସିଏ ସମ୍ମିଳନୀ’ରେ ଯୋଗଦେଲେ ଅର୍ଥମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗ୍ଲୋବାଲ୍ ଲିଡର ବନାଇବା ପାଇଁ ଭାରତ ସରକାର ସକ୍ରିୟତାର ସହ କାର୍ଯ୍ୟ କରିବା ସହ ଏହାକୁ ସୁନିଶ୍ଚିତ କରୁଛନ୍ତି ବୋଲି ଗୁରୁବାର ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଆୟୋଜିତ  “୨୦ତମ ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ” ସମ୍ମିଳନୀରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗଦେଇ କହିଛନ୍ତି।

‘ସମ୍ଭାବନା : ଡିଜିଟାଲ ଯୁଗରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୃତ୍ତି” କଥାବସ୍ତୁ ଉପରେ ଆୟୋଜିତ ଏହି ସମ୍ମିଳନୀରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ସରକାର ସକ୍ରିୟ ଭାବରେ ସୁନିଶ୍ଚିତ କରୁଛନ୍ତି ଯେ ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ଯେଭଳି ବିଶ୍ୱର ନେତୃତ୍ୱ ନେବା ଦିଗରେ କାମ କରୁଛନ୍ତି ଏବଂ ଏଥିପାଇଁ ଅନ୍ୟ ରାଷ୍ଟ୍ର ମାନଙ୍କ ସହ ମଧ୍ୟ ଯୋଗାଯୋଗ ସ୍ଥାପନ କରୁଛି । ଗତ ମଇ ମାସରେ ଆଇସିଏଆଇ ଇନଷ୍ଟିଚ୍ୟୁଟ୍ ଅଫ୍ ସିଏ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ୍ସ (ଆଇସିଏଇଡବ୍ଲ୍ୟୁ) ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, କାନାଡା, ମାଲେସିଆ, ୟୁଏଇ, ସାଉଦି ଆରବ, କତାର, ବାହାରିନ, ଓମାନ ଏବଂ ଦକ୍ଷିଣ ଆଫ୍ରିକା ସହିତ ପାରସ୍ପରିକ ସ୍ୱୀକୃତି ଏବଂ ଏମଓୟୁକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଭାରତର ଆର୍ଥିକ ଦୃଶ୍ୟପଟ୍ଟରେ ଡିଜିଟାଲାଇଜେସନ କ୍ଷେତ୍ରରେ ମଜଭୂତ ହେଉଛି । ଟାର୍ଟାର୍ଡ ଆକାଉଣ୍ଟାଣ୍ଟ ସମୂହଙ୍କ କୌଶଳ ଏବଂ ପ୍ରତିବଦ୍ଧତା ମଧ୍ୟ ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେମାନଙ୍କ ପାରଦର୍ଶିତା ଏକ ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସାହାଯ୍ୟ କରିଛି।’

ପୂର୍ବରୁ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟି ଟଙ୍କା ଆସିଛି। ଯଦି ଓଡ଼ିଶାର ମହିଳାଙ୍କୁ ପ୍ରଯୁକ୍ତିବିଦ୍ୟା ସହ ଯୋଡାଯିବ ଓ ମୋଦିଜୀ ଓଡ଼ିଶାକୁ ପଠାଇଥିବା ଟଙ୍କାର ସଠିକ୍ କ୍ରିୟାନ୍ୱୟନ ହେବ ତେବେ ଓଡ଼ିଶାର ବିକାଶ ହୋଇପାରିବ ବୋଲି ସେ କହିଥିଲେ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ କନ୍ଧରା ଗ୍ରାମର ବୁଣାକାର ପରିବାରର ମହିଳାମାନେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢୀ ପ୍ରଦାନ କରିବା ସହ ଭାରତ ସରକାରଙ୍କ ୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟି କରିବାର ନିଷ୍ପତି ପାଇଁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ । ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଛି ଜନଭାଗିଦାରୀ କାର୍ଯ୍ୟକ୍ରମ। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ବଲାଙ୍ଗିର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନଙ୍କୁ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ ‘ବାୟୁ’ ସମ୍ମିଳନୀ

ଭୁବନେଶ୍ୱର: ପ୍ରକୃତିରେ ସବୁକିଛି ପାଞ୍ଚଟି ଉପାଦାନ ବା ପଞ୍ଚ ମହାଭୂତ – ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଗଠିତ। ଏଥିମଧ୍ୟରୁ ଗୋଟିଏ ଉପାଦାନରେ ଅସନ୍ତୁଳନ ଦେଖାଦେଲେ କିମ୍ବା କୌଣସି କ୍ଷତି ଘଟିଲେ ମାନବ ଜଗତ ଉପରେ ବିପଦ ଦେଖା ଦେଇଥାଏ। ଜୀବଜଗତର ଦୀର୍ଘସ୍ଥାୟିତ୍ୱ ଓ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଜରୁରି। ଏହି ବାର୍ତ୍ତାର ପ୍ରଚାରପ୍ରସାର ନିମନ୍ତେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ। ଆସନ୍ତା ଡିସେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଠାରେ ସମ୍ମିଳନୀ ଆୟୋଜିତ ହେବ। ‘ସୁମଙ୍ଗଳମ ପଞ୍ଚମହାଭୂତ ସମ୍ମିଳନୀ ଶୃଙ୍ଖଳା’ର ଅଂଶବିଶେଷ ସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ଭାବନା ଅନୁରୂପ ତଥା ଦେଶରେ ସ୍ୱଚ୍ଛ ବାୟୁର ଆବଶ୍ୟକତା ଉପରେ ବିଚାରମନ୍ଥନ କରିବା ଲାଗି ‘ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିରେ ବିଭିନ୍ନ ବାୟୁ ଗୁଣବତ୍ତା ପ୍ରସଙ୍ଗରେ ଆଲୋଚନା ହେବ। ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକ ଆଲୋଚନା ଠାରୁ ଆରମ୍ଭ କରି ପ୍ରାଚୀନ ଶାସ୍ତ୍ର ଓ ଗ୍ରନ୍ଥରେ ବାୟୁ ଗୁଣବତ୍ତା ବଜାୟ ରଖିବା ଲାଗି ଦିଆଯାଇଥିବା ଜ୍ଞାନକୁ ବୁଝିବା ଲାଗି ସମ୍ମିଳନୀରେ ବିଚାରବିମର୍ଶ କରାଯିବ।

ଏହି ତିନି ଦିନିଆ ସମ୍ମିଳନୀରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବେ।

ଏହି ସମ୍ମିଳନୀରେ ୫୦୦ରୁ ଅଧିକ ବିଶେଷଜ୍ଞ, ଛାତ୍ରଛାତ୍ରୀ, ଶିକ୍ଷାବିତ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ କମିଟିର ପ୍ରତିନିଧି, ପୌରପାଳିକା ଆୟୁକ୍ତ, ରାଜ୍ୟ ପରିବେଶ ସଚିବଗଣ, ବୈଜ୍ଞାନିକ, ଇଞ୍ଜିନିୟର ପ୍ରମୁଖ ଅଂଶଗ୍ରହଣ କରିବେ।

ପୃଥିବୀର ଭବିଷ୍ୟତ ଦାୟିତ୍ୱ ଯୁବପିଢ଼ିଙ୍କ ଉପରେ ନ୍ୟସ୍ତ ରହିଛି। ବାୟୁର ମାନ ଖରାପ ହେବା ଜନିତ ସମସ୍ୟାର ସମାଧାନ ଦିଗରେ ଯୁବପିଢ଼ିଙ୍କ ଅଭିନବ ଉପାୟକୁ ଗଠନମୂଳକ ଢଙ୍ଗରେ ବିନିଯୋଗ କରିବା ଗୁରୁତ୍ୱପୂର୍ଣ୍ଣ। ଏହି ଲକ୍ଷ୍ୟ ନେଇ ଡିସେମ୍ବର ୨ ତାରିଖରେ ଯୁବପିଢ଼ିଙ୍କୁ ନେଇ ଏକ ଅଧିବେଶନ ଆୟୋଜନ କରାଯିବ। ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ନେଇ ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ମାନବ ସ୍ୱାସ୍ଥ୍ୟ, ଐତିହ୍ୟ ଅଧ୍ୟୟନ, କୃଷି ପ୍ରସଙ୍ଗ, ପ୍ରଶମନ ପଦକ୍ଷେପ ଆଦି ଉପରେ ବିଚାରବିମର୍ଶ କରାଯିବ।

ଏହି ଅବସରରେ ବାୟୁ ଗୁଣବତ୍ତା, ପ୍ରାକୃତିକ ବିକଳ୍ପ ଏବଂ ଓଡ଼ିଶାର ଐତିହ୍ୟ ଆଦି ବିଷୟକୁ ପ୍ରଦର୍ଶିତ କରୁଥିବା ଏକ ଜନସଚେତନତା ପ୍ରଦର୍ଶନୀ ଆୟୋଜନ କରାଯିବ।

ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ କରୁଥିବା ସହରମାନଙ୍କୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ଦିଆଯିବ। ସ୍ୱଚ୍ଛ ବାୟୁ ସର୍ବେକ୍ଷଣର ଫଳାଫଳ ଆଧାରରେ ବାୟୁ ଗୁଣବତ୍ତା ଲକ୍ଷ୍ୟ ହାସଲ କରିଥିବା ଏବଂ ସୁଧାରମୂଳକ, ନିରାକରଣଯୋଗ୍ୟ ଓ ପ୍ରଶମନ ପଦକ୍ଷେପ ଗ୍ରହଣ କରିଥିବା ୯ଟି ସହରକୁ ଏହି ପୁରସ୍କାର ଦିଆଯିବ। ଏସବୁ ସହରକୁ ଅଧିକ ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ ଲାଗି ୫ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯିବ।

ବାୟୁ ସମ୍ମିଳନୀର ଉଦ୍ଦେଶ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରମାନଙ୍କୁ ଏକତ୍ରିତ କରି ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ଆମର ବାୟୁ ଗୁଣବତ୍ତା ଲକ୍ଷ୍ୟକୁ ହାସଲ କରିବା ଲାଗି ସରକାରଙ୍କ ଦ୍ବାରା କରାଯାଇଥିବା ବହମୁଖି ପ୍ରୟାସ ନିର୍ମାଣ କରିବା।

ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ହେଉଥିବା ସମାରୋହରେ ଜନଭାଗିଦାରୀକୁ ପ୍ରୋତ୍ସାହନ ଦେବା ଲାଗି ଏକ ବିଶାଳ ଭାଗିଦାରୀ ଆଧାରିତ କାର୍ଯ୍ୟକ୍ରମ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆର ଷ୍ଟାନ୍‌ଫୋର୍ଡ ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଖ୍ୟାତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ପୃଥିବୀର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ୨୦୨୨ ମସିହା ତାଲିକାରେ ସ୍ଥାନୀତ ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି।
ସୋଆର ୧୬ ଜଣ ଗବେଷକଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୨ ଜଣ ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗବେଷଣାରେ ସେମାନଙ୍କର ଉତ୍କର୍ଷ ଯୁବ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ।

ଏହି ଉତ୍ସବରେ ଯୋଗ ଦେଇଥିବା ଗବେଷକମାନେ ହେଲେ ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ବର୍ତମାନ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ଗୌତମ ରଥ, ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀ, ଡଃ ମନୋଜ କୁମାର ନାୟକ, ପ୍ରଫେସର ବିନୋଦ କୁମାର ସାହୁ, ଡଃ ସୁସଙ୍ଗିନୀ ନାୟକ, ଡଃ ଦିପ୍ତୀ ପ୍ରଭା ସାହୁ, ଡଃ ସତ୍ୟ ରଞ୍ଜନ ମିଶ୍ର ଏବଂ ଡଃ ମନୋହର ମିଶ୍ର।

ଏହି ଷ୍ଟାନ୍‌ଫୋର୍ଡ ତାଲିକାରେ ସ୍ଥାନୀତ ହୋଇଥିବା ପ୍ରଫେସର ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ରାଜଶ୍ରୀ ଦାସ ଓ ଡକ୍ଟର ସୁଲଗ୍ନା ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇ ପାରି ନଥିଲେ।

ପ୍ରଫେସର ରାୟ କହିଥିଲେ ଯେ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଅନୁଯାୟୀ ୧୬ତମ ସ୍ଥାନ ଅଧିକାର କରିଥିବା ସୋଆରେ ଗବେଷଣା ନିମନ୍ତେ ଓ ବିଶେଷ ଭାବେ ଇଂଟର-ଡିସିପ୍ଲିନାରୀ ଗବେଷଣା ନିମନ୍ତେ ଅନେକ ସୁଯୋଗ ରହିଛି।

ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ବରିଷ୍ଠ କର୍ମକର୍ତା ଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଟକରେ ନଭେମ୍ବର ୮ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ଦିନିଆ ସାମୁଦ୍ରିକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୮ ତାରିଖରୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି। ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ ଥିବା “ସମୁଦ୍ରମନ୍ଥନ’ ଭାବେ ନାମିତ ଏହି ସମ୍ମିଳନୀରେ ଭାରତର ସମୃଦ୍ଧ ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଏହାର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଭବିଷ୍ୟତରେ ଏହାର ସମ୍ଭାବନା ଓ ସମସ୍ୟାକୁ ନେଇ ଆଲୋଚନା କରାଯିବ।

ଏହି ସମ୍ମିଳନୀଟି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି।

ଏହି କାର୍ଯ୍ୟକ୍ରମରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରାଯିବା ସହ ବର୍ତ୍ତମାନ ପରିସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନା ଆଲୋଚନାର ପ୍ରସଙ୍ଗ ହେବ।

ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟ ସୋଆ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ନାମରେ ଏକ ଅନୁଷ୍ଠାନ ସ୍ଥାପନ କରିଛି।

ଏହି ସମ୍ମିଳନୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ନାମ ରଖାଯାଇଛି “ଧାରା:ଆନ୍ ଡେ ଅଡ୍ ଟୁ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌”। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ “ଆଜାଦୀ କା ଅମୃତ ମହୋତ୍ସବ” ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ବାଲିଯାତ୍ରା ଉତ୍ସବର ଏକ ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟି ଶିକ୍ଷାବିତ୍ ବିଦ୍ୱାନ ଓ ଗବେଷକମାନେ ଯୋଗ ଦେବେ। ଏହା ଦ୍ୱାରା ମେରିଟାଇମ୍ ଟ୍ରାଡିସନ୍ – ୨୦୪୭ ନିମନ୍ତେ ଏକ ଭିଜନ୍ ଡକୁମେଂଟ ପ୍ରସ୍ତୁତ କରାଯିବା ସହ ଓଡ଼ିଶାର ମହାନ୍ ସାମୁଦ୍ରିକ ପରମ୍ପରାର ଇତିହାସକୁ ଜନସାଧାରଣଙ୍କ ମନରେ ଉଦ୍‌ଜୀବିତ କରାଯିବ।

ପ୍ରାଚୀନ କାଳରେ ଓଡ଼ିଶାର ବଣିକମାନେ ସମୁଦ୍ର ପଥରେ ବାଣିଜ୍ୟ କରିବା ନିମନ୍ତେ ବିଭିନ୍ନ ଦେଶକୁ ଯାତ୍ରା କରୁଥିଲେ। ଏହା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ ଓ ସମୃଦ୍ଧିକୁ ନେଇ ଓଡ଼ିଶାର ମହାନ ପରମ୍ପରା ରହିଛି। ଦେଶ ଦେଶ ମଧ୍ୟରେ ବାଣିଜ୍ୟ ଦ୍ୱାରା ସଂସ୍କୃତି କ୍ଷେତ୍ରରେ ମଧ୍ୟ ଅନେକ ଆଦାନ ପ୍ରଦାନ ହେଉଥିଲା।

କଟକର ମହାନଦୀ କୂଳରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ପ୍ରସିଦ୍ଧ ବାଲିଯାତ୍ରା ଓଡ଼ିଶାର ଉପକୂଳରୁ ବାଲି ଦ୍ୱୀପ ଏବଂ ସୁଦୂର ଇଣ୍ଡୋନେସିଆ ସହ ସମ୍ପର୍କ ଓ ପରମ୍ପରାକୁ ଉଦ୍‌ଜୀବିତ କରିବା ପାଇଁ ପାଳନ କରାଯାଇଥାଏ।

ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ନଭେମ୍ବର ୮ ରେ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କରାଯିବ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଶେଷ କରି ଭାରତୀୟ ନୌସେନା ପକ୍ଷରୁ ଏକ ଷ୍ଟିଚ୍‌ଡ ବୋଟ ପ୍ରୋଜେକ୍ଟ ଉଦ୍‌ଘାଟନ କରାଯିବ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆ କପ: ସିଏସ୍‌ଇ ଗ୍ରୁପ୍ ଚାମ୍ପିଅନ, ଆଇଏମ୍‌ଏସ୍ ରନର୍ସ

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଆଇଟିଇଆରର ଡିପାର୍ଟମେଂଟ ଅଫ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ଗ୍ରୁପ୍ ଚାମ୍ପିଅନ ହୋଇଥିବାବେଳେ ଆଇଏମ୍‌ଏସ୍ ରନର୍ସ ଅପ୍ ହୋଇଛି।

ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ପ୍ରୋଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କ୍ରୀଡା ଅଧିକାରୀ ସୁନୀତା ବର୍ମା ପ୍ରମୁଖ ଅତିଥି ଭାବେ
ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ। କନିଷ୍ଠ କ୍ରୀଡାଧିକାରୀ ପ୍ରିୟମ ମଲ୍ଲିକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ବାଳକ ଭଲିବଲରେ ଆଇଏମ୍‌ଏସ୍‌, ମହିଳା ବାସ୍କେଟବଲରେ ଆଇଟିଇଆର (ସିଏସ୍‌ଇ), ବାଳକ କବାଡିରେ ଆଇଟିଇଆର (ସିଏସ୍‌ଇ), ମହିଳା କବାଡିରେ ଆଇଟିଇଆର, ପୁରୁଷ କ୍ରିକେଟରେ ଏମ୍‌ସିଏ, ମହିଳା କ୍ରିକେଟରେ ଆଇଏମ୍‌ଏସ୍‌, ଚେସ୍‌ରେ ଅଂଶୁମାନ ପୂଜାରୀ, ଟେବୁଲ ଟେନିସରେ ଅବିନାଶ ତ୍ରିପାଠୀ, ମହିଳା ଟେବୁଲ୍ ଟେନିସ୍‌ରେ ପାୟଲ ପାଣି, ପୁରୁଷ ଲନ୍ ଟେନିସ୍‌ରେ ବି. ନିପୁନ କୁମାର, ମହିଳାରେ ଅଙ୍କିତା ପଣ୍ଡା ଏବଂ ମହିଳା ଥ୍ରୋ ବଲରେ ଏସ୍‌ଏନ୍‌ସି ଚାମ୍ପିଅନ ହୋଇଥିଲା।