Categories
ଆଞ୍ଚଳିକ

ବାଣପୁରରେ ସୋସିଆଲ ମିଡ଼ିଆ ଏବଂ ସାଇବର ଆଇନ ସମ୍ପର୍କରେ ସଚେତନତା ସଭା

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏବଂ ସାଇବର ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପସଭାପତି ରାମଚନ୍ଦ୍ର ପଲାଇ, ବରିଷ୍ଠ ଆଇନଜୀବୀ ଶରତ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ପ୍ରତି ସମାଜରେ ସାଇବର ଅପରାଧ ବଢ଼ିବାରେ ଲାଗିଥିବାବେଳେ ଏହାର ନିରାକରଣ ପାଇଁ ସତର୍କତା ହିଁ ଏକମାତ୍ର ଉପାୟ ବୋଲି ବିଚାରପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। ସୋସିଆଲ ମିଡ଼ିଆ ଆକାଉଣ୍ଟ କୁ ଲଗ ଇନ କଲାପରେ ସଦାବେଳେ ଲଗ ଆଉଟ କରିବା, ନିଜର ଲଗ ଇନ ଆଇଡି ଏବଂ ପାସୱାର୍ଡ ସୁରକ୍ଷିତ ରଖିବା, ବ୍ୟକ୍ତିଗତ ତଥ୍ୟ କୁ ସୋସିଆଲ ମିଡ଼ିଆ କିମ୍ବା ଡିଜିଟାଲ ପ୍ଲାଟଫର୍ମ ରେ ପୋଷ୍ଟ ନ କରିବା, ସୋସିଆଲ ମିଡ଼ିଆ ଓ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର ବେଳେ ସଦାବେଳେ ସତର୍କତା ଅବଲମ୍ବନ କରିବା ଆଦି ବିଷୟରେ ପରାମର୍ଶ ଦେଇଥିଲେ ବିଚାରପତି।

ଅନୁରୂପଭାବେ ସୋସିଆଲ ମିଡ଼ିଆ ପୋଷ୍ଟ କରିବା ସମୟରେ ଆଇନଗତ ଦିଗ ବିଷୟରେ ଅବଗତ ହେବା ନିତାନ୍ତ ଜରୁରି ବୋଲି ବିଚାରପତି ଶ୍ରୀମତୀ ଦାସ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏକାଧିକ ଆଇନଜୀବୀ ଏବଂ କୋର୍ଟକର୍ମଚାରୀ ମାନେ ଯୋଗ ଦେଇଥିଲେ।