Categories
ବିଶେଷ ଖବର ରାଜ୍ୟ ଖବର

ପୁଣି ଥରେ ବନ୍ଦ ହୋଇପାରେ ସ୍କୁଲ, କରୋନା ସଂକ୍ରାମଣକୁ ଦୃଷ୍ଟିରେ ରଖି ଚାଲିଛି ବିଚାର

ଭୁବନେଶ୍ବର, ପୁଣିଥରେ ସ୍କୁଲ ବନ୍ଦ କରାଯିବ। ଏହିପରି ପରୋକ୍ଷରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଡିଏମଇଟି ସି.ବି କେ ମହାନ୍ତି। ଆଜି ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ବର୍ତ୍ତମାନ ସ୍କୁଲରେ ଥଣ୍ଡାକାଶ ହେଉଥିବା ପିଲାଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଏପରି ରୋଗ ହୋଇଥିଲେ ସ୍କୁଲ ନ ଛାଡିବା ପାଇଁ ନିର୍ଦ୍ଦେଶ ରହିଛି। ତଥାପି ପିତାମାତା ସେମାନଙ୍କୁ ସ୍କୁଲକୁ ଛାଡୁଛନ୍ତି। ଏପରି ପରିସ୍ଥିତିରେ ସରକାର ସ୍କୁଲ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ମହାନ୍ତି କହିଛନ୍ତି।

ସରକାରଙ୍କ ତରଫରୁ ବାରମ୍ବାର ତାଗିଦ କରିବା ସତ୍ବେ ବାପାମା ଥଣ୍ଡାକାସ ହେଉଥିବା ପିଲାମାନଙ୍କୁ ସ୍କୁଲକୁ ଛାଡୁଛନ୍ତି। ବର୍ତ୍ତମାନ ତୃତୀୟ ଲହର ପିଲାମାନଙ୍କୁ ଆକ୍ରାନ୍ତ କରିବ ବୋଲି ସମ୍ଭାବନା ରହିଛି। ଏପରି କ୍ଷେତ୍ରରେ ରାଜ୍ୟ ସରକାର ଏପରି ପରିସ୍ଥିତିକୁ ଗୁରୁତର ସହ ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ 18 ବର୍ଷରୁ କମ ବୟସ୍କ ଆକ୍ରାନ୍ତ ସଂଖ୍ୟା ପରିଲକ୍ଷିତ ହେଉଛି। ଏହି ସଂଖ୍ୟା ବଢି ନ ଥିଲେ ମଧ୍ୟ ଭବିଷ୍ୟତରେ କଣ ସ୍ଥିତି ହେବ ତାହା ଅନୁମାନ କରି ହେଉଛି। ବର୍ତ୍ତମାନ ରିପୋର୍ଟ ଅନୁସାରେ ଓଡିଶାର କୌଣସି ହସପିଟାଲର ଆଇୟିୟୁରେ କମ ବୟସ୍କ ରୋଗୀ ଚିକିତ୍ସିତ ହେଉ ନାହାଁନ୍ତି। ଏପରିକି ଭେଣ୍ଟିଲେଟରରେ 0.2 ପ୍ରତିଶତ କମ ବୟସ୍କ ଚିକିତ୍ସିତ ହେଉଛନ୍ତି। ଏପରି ସ୍ଥଳରେ ସମସ୍ତେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ବୋଲି କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ପୁଣି ଥରେ ଅନିର୍ଦ୍ଦିଷ୍ଠ ସମୟ ପାଇଁ ବନ୍ଦ ହେଲା ସ୍କୁଲ, କରୋନା ଯୋଗୁଁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

ଚେନ୍ନାଇ, କରୋନା ଭୟଭୟତା ପୁଣି ମାଡି ଆସିଛି। ଫଳରେ ପୁଣି ଥରେ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତି କରିଛନ୍ତି ତାମିଲନାଡୁ ସରକାର। ଆସନ୍ତା 22 ତାରିଖଠାରୁ ଅନିର୍ଦ୍ଦିଷ୍ଠ କାଳ ପାଇଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏଥିରେ ନବମ, ଦଶମ ଏବଂ ଏକାଦଶ ଶ୍ରେଣୀ ବନ୍ଦ ହେବ ବୋଲି କୁହାଯାଇଛି। ପୂର୍ବରୁ ଅନ୍ୟ ଶ୍ରେଣୀଗୁଡିକ ବନ୍ଦ ରହିଛି। କେବଳ ବୋର୍ଡ ପରୀକ୍ଷା ପାଇଁ 12ଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯାଇଛି।

ତାମିଲନାଡୁରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ରାଜୀବ ରଂଜନ କହିଛନ୍ତି। ତେବେ 12ଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରୀକ୍ଷା ବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛି। ଏଥିସହିତ ହଷ୍ଟେଲଗୁଡିକ ମଧ୍ୟ ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

କରୋନା ପାଇଁ ତାମିଲ ନାଡୁରେ ସ୍କୁଲଗୁଡିକ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ରହିଥିଲା। ଗତ ଜାନୁୟାରୀ ମାସ 19 ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ସ୍କୁଲଗୁଡିକ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ମାତ୍ର ଦୁଇ ମାସ ପରେ ପୁଣିଥରେ ସ୍କୁଲ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ କୁକୁଡ଼ାଖଣ୍ଡି ବିଇଓ ଅଫିସ୍ ଘେରାଉ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁମ୍ଭଝରି, ବାଉଁସିଆପଲ୍ଲୀ, ଲୋଚାପଡ଼ା, ବେଲପଡ଼ା, ନୁଣିଘରା, କୁଣ୍ଡରିଗୁଡ଼ା ଆଦି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମେତ କୁକୁଡ଼ାଖଣ୍ଡି ବ୍ଲକ୍‌ର ୨୨ଟି ସ୍କୁଲ, ରାଜ୍ୟର ୧୪୩୭୯ଟି, ଗଂଜାମ ଜିଲ୍ଲାର ୪୩୩ଟି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଅଲ୍ ଇଣ୍ଡିଆ ଡ଼ିଏସ୍‌ଓ ଗଂଜାମ ଜିଲ୍ଲା କମିଟି ନେତୃତ୍ୱରେ ଉପରୋକ୍ତ ସ୍କୁଲଗୁଡ଼ିକର ସୁରକ୍ଷା କମିଟି ତରଫରୁ ବିକ୍ଷୋଭ ଅନୁଷ୍ଠିତ ହେବା ସହ ବିଇଓ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ସୂଚନଯୋଗ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତିରେ କମ୍ ପିଲା ଥିବା ସ୍କୁଲଗୁଡ଼ିକ ବନ୍ଦ କରାଯାଉଛି। ରାଜ୍ୟ ସରକାର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷାକୁ ନ ସଜାଡ଼ି ପ୍ରାୟ ସମସ୍ତ ସରକାରୀ ସ୍କୁଲ ବନ୍ଦ କରି ସ୍କୁଲ ଶିକ୍ଷାକୁ ସଂପୂର୍ଣ୍ଣ ଘରୋଇକରଣ କରିବାର ରାସ୍ତାରେ ଅଗ୍ରସର ହେଉଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ସରକାର କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡ଼ିକୁ ଅବହେଳା କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ହେତୁ ଆଜି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମିଛି। ୫ଟି ଶ୍ରେଣୀକୁ କେବଳ ଗୋଟିଏ ଶିକ୍ଷକ, ବିଦ୍ୟାଳୟ କୋଠା ଜରାଜୀର୍ଣ୍ଣ, ଖେଳପଡ଼ିଆ, ଲାଇବ୍ରେରୀ ଅଭାବ ଆଦି ବହୁ ସମସ୍ୟା ରହିଛି।

ସ୍କୁଲ ବବ୍ଦ ହେବା ଯୋଗୁଁ ଗରିବ ପିଲା ଘରୋଇ ସ୍କୁଲର ମୋଟା ଫି ଦେଇ ପଢ଼ିପାରିବ ନାହିଁ ଏବଂ ସ୍କଲପଢ଼ାରେ ଡ଼ୋରି ବନ୍ଧା ହେବ। ତେଣୁ କୁକୁଡ଼ାଖଣ୍ଡି ବ୍ଲକ୍‌ର ୨୨ଟି ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ବାତିଲ କରିବା ସହ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ତଥା ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଡ଼ିଏସ୍‌ଓ ଓଡ଼ିଶା ରାଜ୍ୟ ଉପସଭାପତି ସୋମନାଥ ବେହେରା, ଗଂଜାମ ଜିଲ୍ଲା କମିଟି ସଭାପତି ଶିବାନୀ ଶଙ୍କର ମିଶ୍ର, ସଂପାଦକ ନିମାଇଁ ଚରଣ ସାହୁ ସମେତ ନାରାୟଣ ସାହୁ, ପପୁନ ସାହୁ, କାମରାଜୁ ପାତ୍ର, ଶୁଭସ୍ମିତା ପାଣିଗ୍ରାହୀଙ୍କ ସହ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଗର୍ଜିଲେ ଗ୍ରାମବାସୀ: ଡ଼ିଇଓ ଅଫିସ୍ ଘେରାଉ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବୁଗୁଡ଼ା ବ୍ଲକ୍ ବାଲିପଦର ପଞ୍ଚାୟତ ସଦାଶିବପୁର ଗ୍ରାମର ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଏଠାରେ ପଢ଼ୁôଥବା କୋମଳମତି ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ଆଜି ଗର୍ଜିଛନ୍ତି ଗ୍ରାମବାସୀ। ବିଭିନ୍ନ ସ୍ଥାନରେ ଅପିଲ୍ କରି ନିରାଶ ହେବା ପରେ ଆଜି ଗ୍ରାମ୍ୟ ପରିଚାଳନା କମିଟି, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀମାନେ ବ୍ରହ୍ମପୁର ଡ଼ିଇଓ ଅଫିସ୍ ପହଞ୍ଚି ଘେରାଉ କରିବା ସହ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଜିଲ୍ଲା ଡ଼ିଇଓ ଅମୂଲ୍ୟ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ ମଧ୍ୟ କରିଛନ୍ତି।

ପୂର୍ବରୁ ଗ୍ରାମବାସୀମାନେ ବୁଗୁଡ଼ା ବିଇଓ, ବିଡ଼ିଓ, ସରକାରଙ୍କ ପ୍ରଦତ୍ତ ଅନ୍‌ଲାଇନ୍ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ଜଣାଇଛନ୍ତି। ବର୍ତ୍ତମାନ ସ୍କୁଲରେ ନାମଲେଖା ହୋଇନଥିବାରୁ ଗ୍ରାମବାସୀମାନେ ନିଜ ପିଲାଙ୍କୁ ଅନ୍ୟତ୍ର ଛାଡ଼ିବୁ ନାହିଁ ବୋଲି ଜିଦ୍‌ରେ ରହିବା ସହ ଗ୍ରାମ ସ୍କୁଲକୁ ତୁରନ୍ତ ଖୋଲିବାକୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସଦାଶିବପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଅନ୍ୟ ପଞ୍ଚାୟତରେ ଥିବା ଦଶିପୁର ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରିଛନ୍ତି। ଏନେଇ ଗ୍ରାମ ସ୍କୁଲରେ ଚଳିତବର୍ଷ ନାମ ଲେଖାଇବା ପାଇଁ ତତ୍କାଳୀନ ବିଇଓ ରସାନନ୍ଦ କର ପ୍ରଧାନଶିକ୍ଷକଙ୍କୁ ବାରଣ କରିଥିଲେ। ପୂର୍ବରୁ ବିଦ୍ୟାଳୟରେ ଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କ ଟିସିକୁ ଜବରଦସ୍ତ ଦଶିପୁର ସ୍କୁଲକୁ ନେଇଛନ୍ତି। କିନ୍ତୁ ସଦାଶିବପୁର ଠାରୁ ଦଶିପୁର ଯିବା ରାସ୍ତାରେ ବହୁ ପ୍ରକାର ବିପଦ ରହିଛି। ଯଥା ରାସ୍ତାଟି ସଂପୂର୍ଣ୍ଣ କଚା ଓ ମାଟି ରାସ୍ତା ତଥା ନିଛାଟିଆ ଜଂଗଲ ରାସ୍ତା ଅଟେ, ଯାହାକି ବର୍ଷା ଋତୁରେ ଯିବା ଆସିବା ସଂପୂର୍ଣ୍ଣ ଅସମ୍ଭବ। ରାସ୍ତା ନିକଟରେ ଏକ ଶ୍ମଶାନ ଓ ଏକ ପୁଷ୍କରିଣୀ ଅଛି। ଯାହା ଛାତ୍ରଛାତ୍ରୀଙ୍କ ମନରେ ଭୟ ବିପଦର କାରଣ ଅଟେ। ରାସ୍ତା ପାଶ୍ୱର୍ରେ ଦୁଇଟି ବିଦ୍ୟୁତ ସବ୍‌ଷ୍ଟେସନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଯାହାକି ଛାତ୍ରଛାତ୍ରୀ ପାଇଁ ନିରାପଦ ନୁହେଁ। ଏହା ନିଛାଟିଆ ରାସ୍ତା ସହ ଦଶିପୁର ଗ୍ରାମଟି ଅନ୍ୟ ପଞ୍ଚାୟତରେ ଅବସ୍ଥିତ।

ତେଣୁ ଅଭିଭାବକମାନେ ଦୃଢ଼ ସଂକଳ୍ପ ନେଇ ସେମାନଙ୍କ ପିଲାଙ୍କୁ ଦଶିପୁର ସ୍କୁଲକୁ ଛାଡ଼ିବେ ନାହିଁ। ପିଲାମାନେ ମୁର୍ଖ ହେଲେ କେବଳ ସରକାର ହିଁ ଦାୟୀ। ତେଣୁ ଏହିଭଳି ଅବସ୍ଥାର ଅନୁସନ୍ଧାନ ନକରି ବିଇଓ ଶ୍ରୀ କର କିଭଳି ସ୍କୁଲ ବନ୍ଦ ପାଇଁ ସୁପାରିଶ ଦେଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସହ ଚଳିତ ବର୍ଷ ସ୍କୁଲରେ ଅଧିକ ପିଲା ଜଏନ୍ ହେବେ ଏବଂ ସବୁ ପିଲାକୁ ମିଶାଇ ୨୬ ଜଣ ଛାତ୍ରଛାତ୍ରୀଙ୍କ ନାମ ଅଭିଯୋଗ ପତ୍ରରେ ଦର୍ଶାଯାଇଅଛି। ଯାହାକୁ ସରକାରୀ ନିର୍ଦ୍ଦେଶ ଠାରୁ ଅଧିକ ପିଲା ହେବେ। ତେଣୁ ଏହି ସ୍କୁଲକୁ ସ୍ଥାନାନ୍ତରିତ ନକରିବା ପାଇଁ ସେମାନେ ଡ଼ିଇଓଙ୍କୁ ନିବେଦନ କରିଥିଲେ। ନଚେତ୍ ଗରିବ ବ୍ରାହ୍ମଣ ଶିକ୍ଷାର୍ଥୀ ଅଧାରୁ ପାଠ ଛାଡ଼ିବା ଆଶଙ୍କା ରହିଛି।

ଦାବି ପତ୍ର ପ୍ରଦାନ ସମୟରେ ବିଦ୍ୟାଳୟ ସୁରକ୍ଷା ମଂଚ ଆବାହକ କାହ୍ନୁଚରଣ ଖାଡ଼ଙ୍ଗା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୋଶ ରଥ, ପ୍ରବୋଧ ରଥ, ତପନ କୁମାର ରଥ, ଗ୍ରାମର ଯୁବକ ସଂଘର ସଦସ୍ୟ ହରମୋହନ ଖାଡ଼ଙ୍ଗା, ଶଶୀଭୂଷଣ ରଥ, ଆଶୁତୋଷ ଖାଡ଼ଙ୍ଗା, ଆଶିଷ ଖାଡ଼ଙ୍ଗା, ଟିନୁ ଖାଡ଼ଙ୍ଗା, ଶିବାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

କରୋନା ଟୀକା ନ ବାହାରିଲା ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ, ସ୍ବାସ୍ଥ୍ୟ ମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ, ଯେପର୍ଯ୍ୟନ୍ତ କରୋନା ଟୀକା ବଜାରକୁ ନ ଆସିଛି ସେ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିବ। ଏପରି ଏକ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ କହିଛନ୍ତି ଯେ, ବର୍ତ୍ତମାନ କରୋନା ପରିସ୍ଥିତି ଯେପରି ଅଛି ସେ ନେଇ ସ୍କୁଲ ଖୋଲିବା ନେଇ କୌଣସି ଚିନ୍ତା କରାଯାଇ ନାହିଁ। ବର୍ତ୍ତମାନ ଏତେବଡ ମହାମାରୀ ଭିତରେ ଆମେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବୁ ନାହିଁ। ତେଣୁ ଯେଉଁମାନେ ସ୍କୁଲ ଖୋଲିବା ପାଇଁ ଦାବୀ କରୁଛନ୍ତି ତାହାକୁ ସରକାର ଗ୍ରହଣ କରିବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆତ୍ମହତ୍ୟାର ଧମକ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ଭୁବନେଶ୍ବର : ସ୍କୁଲ ବନ୍ଦ ପ୍ରସଙ୍ଗରେ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି । ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ତାରା । ସ୍କୁଲ ବନ୍ଦ ନିଷ୍ପତ୍ତି ପରିବର୍ତ୍ତନ ନ ହେଲେ ବାଚସ୍ପତିଙ୍କ ସମ୍ମୁଖରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ସ୍କୁଲ ବନ୍ଦ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ସମାଲୋଚନା କରିଥିଲେ ତାରା ବାହିନୀପତି । ପାହାଡ଼ିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ଼ ଡେଇଁ ଯିବାକୁ ପଡ଼ିବ । ଫଳରେ ଯେତିକି ପିଲା ଅଛନ୍ତି, ସେମାନେ ଡ୍ରପ ଆଉଟ ହେବେ ।  ଯିଏ ଏ ନିଷ୍ପତ୍ତି ନେଇଛନ୍ତି ପୁନର୍ବିଚାର କରନ୍ତୁ ବୋଲି  ତାରା ବାହିନୀପତି କହିଛନ୍ତି ।

ସୂଚନାଯୋଗ୍ୟ, ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି । ବିଧାନସଭାକୁ 3ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ-୧୯ର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ପରୀକ୍ଷା ଓ ମୂଲ୍ୟାଙ୍କନ କାମ ଜାରି ରହିବ। ଏହାସହ ଅନଲାଇନ କ୍ଲାସ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲକୁ ଡକାଯାଇପାରେ। ଡିସେମ୍ବର ଦ୍ଵିତୀୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ ଲହର ଆସିବାର ଆଶଙ୍କା ରହିଛି। ଆନ୍ଧ୍ର ପ୍ରଦେଶରେ ସ୍କୁଲରେ କରୋନା ବ୍ୟାପିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ସୂଚନା ଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ମାତ୍ର ୩ ଦିନରେ ଛାତ୍ର ଓ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିଲେ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରେ ୨୬୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୬୦ ଶିକ୍ଷକ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ବନ୍ଦ ନେଇ ତେଜୁଛି ଜନଅସନ୍ତୋଷ: ଚଳିତବର୍ଷ ଗଂଜାମରେ ବନ୍ଦ ହେବ ୪୩୩ ବିଦ୍ୟାଳୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଏକ ଅଭାବନୀୟ ନିଷ୍ପତ୍ତି କ୍ରମେ ସରକାରୀ ସ୍କୁଲଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସାରା ରାଜ୍ୟରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ସୂଚନାଯୋଗ୍ୟ ରାଜ୍ୟ ସରକାର ନିଷ୍ପତ୍ତି କ୍ରମେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ। ଯଦି ୨୦ରୁ ସାମାନ୍ୟ ଅଧିକ ପିଲା ଥିବେ ଓ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ହେବ।

ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଥା କହିଲେ ୫୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ତାହାକୁ ବନ୍ଦ କରିବା ବା ଅନ୍ୟ ସ୍କୁଲ ସହ ମିଶ୍ରଣ ପ୍ରସ୍ତାବ ରହିଛି। ଏହି ନିର୍ଦ୍ଦେଶ ସରକାର ମାର୍ଚ୍ଚ ମାସଠାରୁ ଦେଇଥିଲେ ମଧ୍ୟ କରୋନା ଯୋଗୁଁ ଏହା ସାମୟିକ ପାଇଁ ସ୍ଥଗିତ ଥିବାବେଳେ ବର୍ତ୍ତମାନ ଏହା ଜୋର୍‌ସୋର୍‌ରେ ଆରମ୍ଭ ହେବାରେ ଲାଗିଛି। ଏହିକ୍ରମରେ ଗଂଜାମ ଜିଲ୍ଲାରେ ପ୍ରାୟ ୪୩୩ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବା ଡ଼ିଇଓ ଅମୂଲ୍ୟ ପ୍ରଧାନ ସୂଚନା ଦେଇଛନ୍ତି।

ତେବେ ଏଠାରେ ଗୋଟିଏ କଥା ଲକ୍ଷ୍ୟ କରାଯାଏ ଗତ ୫ ବର୍ଷ ମଧ୍ୟରେ ୧୬୫ ସ୍କୁଲ ବନ୍ଦ ହୋଇଥିବାବେଳେ ଚଳିତ ବର୍ଷ ୪୩୩ ସ୍କୁଲ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଗଂଜାମ ଜିଲ୍ଲାରେ ଜନ ଅସନ୍ତୋଷ ତେଜିବାରେ ଲାଗିଲାଣି। ଅଭିଭାବକ ତଥା ବୁଦ୍ଧିଜୀବୀଙ୍କ କହିବା କଥା ସରକାରୀ ସ୍କୁଲରେ ପିଲା କାହିଁକି କମୁଛନ୍ତି ତାହାର ତର୍ଜମା ନ କରି ସରକାର ସ୍କୁଲ ବନ୍ଦକୁ ପ୍ରତ୍ସୋହନ ଦେବା ଦୁର୍ଭାଗ୍ୟଜନକ। କେତେକ ସ୍କୁଲରେ କେବଳ ଗୋଟିଏ ଶିକ୍ଷକ ଥିବାବେଳେ ବିଷୟ ଭିତ୍ତିକ ଶିକ୍ଷକ ଅଭାବ ରହୁଛନ୍ତି। ଯଦି ଉକ୍ତ ଶିକ୍ଷକଙ୍କ ଦେହ ଖରାପ ହୁଏ ତେବେ ପିଲାମାନଙ୍କ ପାଠପଢ଼ା ଠପ୍। ଏପଟେ ଯଦି ଜଣେ ଶିକ୍ଷକ ସରକାରୀ କାର୍ଯ୍ୟ, ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ କରନ୍ତି ତେବେ ପିଲାଙ୍କ ପାଠପଢ଼ା ବାଧା ହେବା ନିଶ୍ଚୟ। ତେଣୁ ପିଲା କମିବାର ମୁଖ୍ୟ କାରଣ ଶିକ୍ଷକ ଅଭାବ।

ଅନ୍ୟ କେତେକ କଥାକୁ ଦେଖିଲେ କିଛି ବେସରକାରୀ ବିଦ୍ୟାଳୟର ଭିତ୍ତିଭୂମି ନଥିବା, ଏନ୍‌ଓସି ଓ ସିଓଆର୍ ନଥିବାବେଳେ ସେମାନେ ଅଭିଭାବକମାନଙ୍କୁ ଆକୃଷ୍ଟ କରି ସେମାନଙ୍କ ପିଲାଛୁଆକୁ ସେମାନଙ୍କ ସ୍କୁଲରେ ପଢ଼ାଇବାକୁ ଏକରକମ ଚେଷ୍ଟିତ ଥାଆନ୍ତି। ଅଭିଭାବକମାନେ ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷକ ଅଭାବକୁ ଦେଖି ସେମାନଙ୍କ ପିଲାଙ୍କୁ ବେସରକାରୀ ସ୍କୁଲରେ ପଢ଼ାଇବାକୁ ବାଧ୍ୟ ହୁଅନ୍ତି। କେତେକ ସ୍କୁଲର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ କେଉଁଠି ଶୌଚାଳୟ ନାହିଁ, କେଉଁଠି ପାନୀୟ ଜଳର ସୁବିଧା ନାହିଁ, କେତେକ ସ୍ଥାନରେ ବିଦ୍ୟୁତ ସଂଯୋଗ ନାହିଁ।

ଗଂଜାମ ଜିଲ୍ଲାରେ ପାତ୍ରପୁର ବ୍ଲକ୍‌ର କେତେକ ତେଲୁଗୁ ଅଂଚଳରେ ତେଲୁଗୁ ଜାଣିଥିବା ଶିକ୍ଷକ ନାହାନ୍ତି। ତେଣୁ ଉକ୍ତ ଅଂଚଳର ୪ଟି ବିଦ୍ୟାଳୟ ବନ୍ଦ ହେବ। ଏହିଭଳି ବିଭିନ୍ନ ଅଂଚଳରେ ବିଭିନ୍ନ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ସରକାର ଏହି ସମସ୍ୟାଗୁଡ଼ିକୁ ସମାଧାନ ନ କରି କେବଳ ପିଲା ଅଭାବର ଆଳ ଦେଖାଇ ସ୍କୁଲ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଏପଟେ କେତେକ ଅଭିଭାବକ ନିଜର ଆର୍ଥିକ ଅବସ୍ଥା ଖରାପ କାରଣରୁ ସେମାନଙ୍କ ପିଲାଛୁଆଙ୍କୁ ବେସରକାରୀ ବିଦ୍ୟାଳୟରେ ପଢ଼ାଇପାରିବେ ନାହିଁ। ଏପଟେ ସରକାରୀ ସ୍କୁଲ ବନ୍ଦ ହୋଇଯାଇଥିବ। ବିଚରା ଦଳିତ, ଆଦିବାସୀ, ଆର୍ଥିକ ଅନଗ୍ରସର ପିଲାଟିର ପାଠପଢ଼ାରେ ଡ଼ୋରି ବନ୍ଧା ହେବ।

ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ରେ ୪୨, ପୋଲସରାରେ ୧୨, ପୁରୁଷୋତ୍ତମପୁରରେ ୯, ରଙ୍ଗେଇଲୁଣ୍ଡାରେ ୧୭, ସାନଖେମୁଣ୍ଡିରେ ୧୧, ଶେରଗଡ଼ରେ ୧୧, ସୋରଡ଼ାରେ ୫, ଆସିକାରେ ୧୭, ବେଗୁନିଆପଡ଼ାରେ ୧୧, ବେଲଗୁଣ୍ଠାରେ ୨୨, ବ୍ରହ୍ମପୁରରେ ୧୨, ଭଂଜନଗରରେ ୪୧, ବୁଗୁଡ଼ାରେ ୧୫, ଛତ୍ରପୁରରେ ୧୫, ଚିକିଟିରେ ୩୨, ଧରକୋଟରେ ୨୨, ଦିଗପହଣ୍ଡିରେ ୩୪, ଗଂଜାମରେ ୧୨, ହିଂଜିଳିକାଟୁରେ ୮, ଜଗନ୍ନାଥପ୍ରସାଦରେ ୨୭, କବିସୂର୍ଯ୍ୟନଗରରେ ୧୧, ଖଲିକୋଟରେ ୨୨ ଏବଂ କୁକୁଡ଼ାଖଣ୍ଡିରେ ୨୨ ଗୋଟି ସ୍କୁଲ ବନ୍ଦ ହେବାକୁ ନିର୍ଦ୍ଦେଶ ହୋଇଛି। ଚଳିତବର୍ଷ ଏହି ସ୍କୁଲଗୁଡ଼ିକରେ ନାମଲେଖା ହେବ ନାହିଁ। ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଆନ୍ଦୋଳନ ତେଜିବାରେ ଲାଗିଲାଣି।

ଗତ କିଛି ଦିନ ତଳେ ବୁଗୁଡ଼ା ବ୍ଲକ୍‌ର ୮ଟି ବିଦ୍ୟାଳୟ ବନ୍ଦ ନେଇ ନିଷ୍ପତ୍ତି ହୋଇଥିବାବେଳେ ଗୋଟିଏ ସ୍କୁଲର ଅଭିଭାବକ ଏବଂ ପିଲାମାନେ ଶିକ୍ଷକଙ୍କୁ ଅଟକ ରଖିବା ସହ ସ୍କୁଲରେ ତାଲା ପକାଇ ଦେଇଥିଲେ। ସେହିପରି ଚିକିଟି ବ୍ଳକ୍‌ର ଆମ୍ବଗାଁ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ଶୁଣି ଅଭିଭାବକ ମାନେ ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟ ଶିକ୍ଷକ ପୀତାମ୍ବର ମଳିଙ୍କୁ ଅଟକ ରଖିଥିଲେ। ଏହାପରେ ଏବିଇଓ ଆର୍ତ୍ତତ୍ରାଣ ବେହେରା, ସିଆର୍‌ସିସି ଭବାନୀ ଶଙ୍କର ମହାପାତ୍ର ମଧ୍ୟ ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଅଟକ ରଖିଥିଲେ।

ବ୍ରହ୍ମପୁରରେ ମଧ୍ୟ ସୁକୁଣ୍ଡା ବାଉରୀ ସାହିରେ ସ୍କୁଲ ବନ୍ଦ ତଥା ମିଶ୍ରଣକୁ ନେଇ ଜନଅସନ୍ତୋଷ ଉଠିଥିବା ରଙ୍ଗେଇଲୁଣ୍ଡା ବିଇଓ ଡ. ପ୍ରଭାତୀ ମହାପାତ୍ର କହିଛନ୍ତି। ସେହିପରି ଗଂଜାମ ବ୍ଲକ୍‌ରେ ମଧ୍ୟ ଏକ ସ୍କୁଲ ବନ୍ଦ ହେବାକୁ ଯାଉଥିବାରୁ ସେଠାର ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ସ୍କୁଲ ବନ୍ଦ ନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ସବୁ ବ୍ଲକ୍‌ର ଅଭିଭାବକଙ୍କ କହିବା କଥା ପିଲାମାନେ ଦୂର ସ୍କୁଲକୁ ଗଲେ ମୁଖ୍ୟରାସ୍ତା ପାର ହୋଇ ଯିବାକୁ ହେବ। ଏ ମଧ୍ୟରେ ଯଦି ପିଲାଙ୍କ କୌଣସି ଅସୁବିଧା ହେବ ତେବେ ସରକାର କ’ଣ ଦାୟୀ ରହିବେ।

ଏନେଇ ଆମ ପ୍ରତିନିଧି ଗଂଜାମ ଡ଼ିଇଓ ଶ୍ରୀ ପ୍ରଧାନଙ୍କ ସହ ଯୋଗଯୋଗ କରିବାରୁ ସେ କହିଥିଲେ ପୂର୍ବରୁ ଗଂଜାମ ଜିଲ୍ଲାରେ ପ୍ରାୟ ୯୩୩ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଥିଲା। କିନ୍ତୁ ସେଥିରୁ କେବଳ ୪୩୩ ସ୍କୁଲ ବନ୍ଦ ହେବ। ଯଦି ଗ୍ରାମବାସୀ ତଥା ଅଭିଭାବକଙ୍କ କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସରକାରଙ୍କ ପ୍ରଦତ୍ତ ଫର୍ମରେ ଆବେଦନ କରିପାରିବେ। ଜିଲ୍ଲା କମିଟି ଗଠନ କରି ଆସିଥିବା ଆପତ୍ତିଗୁଡ଼ିକର ବିଚାର କରାଯିବ। ଅଭିଯୋଗ ଯଦି ପ୍ରକୃତ ତେବେ ଜିଲ୍ଲାପାଳ ସଠିକ୍ ନିଷ୍ପତ୍ତି ନେବେ। କିନ୍ତୁ ଲୋକେ ଆନ୍ଦୋଳନ ନ କରି ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବାକୁ ସେ ଅନୁରୋଧ କରିଥିଲେ। ତେବେ ଏହି ୪୩୩ ବିଦ୍ୟାଳୟରେ ଥିବା ଶିକ୍ଷକମାନେ ଅନ୍ୟ ସ୍କୁଲକୁ ଯିବେ।

ସୂଚନାଯୋଗ୍ୟ ରାଜ୍ୟରେ ଗତ ୨୦୧୬ ଡ଼ିସେମ୍ବର ମାସରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞାପନ ବାହାରିନି। ପ୍ରତିବର୍ଷ ସରକାର ପ୍ରାୟ ୭ ହଜାର ସି.ଟି. ଏବଂ ବି.ଇଡ଼ି ପିଲାଙ୍କୁ ଟ୍ରେନିଂ ଦେଉଛନ୍ତି। ଏହାସହ ବାହାର ରାଜ୍ୟରୁ ହଜାର ହଜାର ପିଲା ବି.ଇଡ଼ି କରି ଅଛନ୍ତି। ପ୍ରତିବର୍ଷ ସରକାର ଓ.ଟି.ଇ.ଟି. ପରୀକ୍ଷା ମଧ୍ୟ କରୁଛନ୍ତି। ବର୍ତ୍ତମାନ ପ୍ରାୟ ୬୦ ରୁ ୭୦ ହଜାର ଶିକ୍ଷକ ଆଶାୟୀ ଯେଉଁମାନେ ସି.ଟି. ବି.ଇଡ଼ି. ଏବଂ ଓଟିଇଟି ପାସ୍ କରି ବେକାର ହୋଇ ଘରେ ବସିଛନ୍ତି। ପାଠ ପଢ଼ିବାକୁ ବହୁ ଟଙ୍କା ବାକି କରିଛନ୍ତି। ସେମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାରକୁ ଚାଲିଯାଇଛି। ଏଭଳି ସ୍କୁଲ ବନ୍ଦ ହେବା ଯୋଗୁଁ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେବ। ବେକାରୀ ସଂଖ୍ୟା ମଧ୍ୟ ବଢ଼ିବ। ଶିକ୍ଷକ ନିଯୁକ୍ତି ନେଇ ମଧ୍ୟ ବହୁବାର ଆଶାୟୀ ମାନେ ଲୋୟର ପିଏମ୍‌ଜିରେ ଧାରଣା ଦେଇସାରିଲେଣି। ସ୍କୁଲ ବନ୍ଦର ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ହାଇକୋର୍ଟରେ ମଧ୍ୟ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ତେଣୁ ଏହି ପରିପ୍ରେକ୍ଷୀରେ ସରକାର ନିଜ ନିଷ୍ପତ୍ତି ବଦଳାଇ ସ୍କୁଲଗୁଡ଼ିକର ମୌଳିକ ସମସ୍ୟା ସମାଧାନ ସହ ବିଷୟଭିତ୍ତିକ ଶିକ୍ଷକ ତଥା କ’ଣ କଲେ ପିଲାସଂଖ୍ୟା ବୃଦ୍ଧି ହେବ ସେ ନେଇ ବିଚାର କରିବାକୁ ବୁଦ୍ଧିଜୀବୀ ତଥା ଅଭିଭାବକମାନେ ଦାବି କରିଛନ୍ତି।