Categories
ଆଞ୍ଚଳିକ

ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଶାଳିଆ ଡ୍ୟାମରେ ସଫେଇ କାର୍ଯ୍ୟକ୍ରମ: ୧୦ ବ୍ୟାଗ୍ କାଚ ବୋତଲ ସଂଗୃହିତ

ବେଗୁନିଆପଡା/ବାଣପୁର (ଟୁକୁନା ପ୍ରଧାନ): ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଶାଳିଆ ଡ୍ୟାମ ସରକାରୀ କଳର ଅବହେଳା ହେଉ କିମ୍ବା ପର୍ଯ୍ୟଟକଙ୍କ ବେଖିଆଲ ମନୋଭାବ କାରଣରୁ ଏବେ ଅଳିଆ ଆବର୍ଜନା ଅବସ୍ଥାରେ ପଡିଛି। ବଣଭୋଜି ପାଇଁ ଦୈନନ୍ଦିନ ଶତାଧିକ ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏହି ସ୍ଥାନରେ।

ସରକାରଙ୍କ ତରଫରୁ ନିର୍ମାଣ ହୋଇଥିବା ପିଣ୍ଡି ସ୍ଥାନୀୟ ଜନସାଧାରଣ ମାନେ ଭୋଜି କରି ଖାଇବା ସହ ସେହି ସ୍ଥାନକୁ ସଫା ନ କରି ଅଇଁଠା ପତ୍ର, ବୋତଲ ଆଦି ପକାଇ ଅପରିଷ୍କାର କରୁଛନ୍ତି। ଗମନାଗମନର ଅସୁବିଧା ସହିତ ପରିମଳ ବ୍ୟବସ୍ଥା କଥା ନ କହିବା ଆହୁରି ଭଲ।  ରାସ୍ତା ଉପରେ ବିଦ୍ୟୁତ ତାର ଝୁଲି ରହିଛି କେତେ ବେଳେ ଯେ ଅଘଟଣ ଘଟିବ କିଛି କହିହେବ ନାହିଁ। ଠୁଳ ଠୁଳ ମଦ କାଚ ଓ ପ୍ଲାଷ୍ଟିକ ବୋତଲ ପଡି ରହିଛି।

ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କିଛି ସ୍ଥାନୀୟ ବାସିନ୍ଦା ଆଜି ୱାଚ ଟାୱାର ଠାରେ ଏକ ସଫେଈ କାର୍ଯ୍ୟକ୍ରମ ମାଧ୍ୟମରେ ୧୦ରୁ ଉର୍ଦ୍ଧ୍ଵ ବ୍ୟାଗ କାଚ, ଟିଣ ଓ ପ୍ଲାଷ୍ଟିକ ବୋତଲ ଗୋଟେଇବା ସହ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆହୁରି ସଫା କରିବା ସହ ଡିସ୍ପୋଜ କରିବେ ବୋଲି କହିଛନ୍ତି।

ଏଥିରେ ଗୌତମ ସ୍ୱାଇଁ, ଅମୀୟ ପଣ୍ଡା, ପ୍ରିୟବ୍ରତ ଜେନା, ଅଜୟ ସ୍ୱାଇଁ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ଏଥିସହିତ ଅନ୍ୟ ସ୍ଵେଚ୍ଛାସେବୀଙ୍କୁ ମଧ୍ୟ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି।