Categories
ଆଜିର ଖବର ରାଜ୍ୟ ଖବର

ଠିକା ଶିକ୍ଷକ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବ: ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷା ହେଉଛି ଶିଶୁର ସାମଗ୍ରିକ ବିକାଶର ମୂଳଦୁଆ। ଯେଉଁ ଠାରେ ଗୁଣାତ୍ମକ ଓ ଉନ୍ନତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରହିଛି, ସେହି ଦେଶ ବା ରାଜ୍ୟ ସେତିକି ବିକଶିତ ଓ ଉନ୍ନତ। ଉତ୍ତମ ପ୍ରାଥମିକ ଶିକ୍ଷା ଗ୍ରହଣ କଲେ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା, ଧନ୍ଦା ମୂଳକ ବା ଉନ୍ନତ ଜ୍ଞାନ କୌଶଳ ପାଇ ସେହି ଭୂଖଣ୍ଡ ଉନ୍ନ୍ନତ, ଦକ୍ଷ, କୁଶଳୀ ମାନବ ସମ୍ବଳ ପ୍ରାପ୍ତ କରି ସାମଗ୍ରିକ ସ୍ତରରେ ବିକାଶର ଚରମ ସୋପାନରେ ପହଂଚି ପରିବ।

ବର୍ତ୍ତମାନର ଠିକା ଶିକ୍ଷକ ନିଯୁକ୍ତି ଶିକ୍ଷା ବ୍ୟବସ୍ଥାରେ ଘୋର ଅବନତି ର ବାଟ ଫିଟାଇବ ବୋଲି ଓଡ଼ିଶ ଅଭିଭାବକ ମହାସଂଘ ପ୍ରକାଶ କରିଛି। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପୁଣି ଥରେ ଠିକାରେ ୨୦ ହଜାର ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସେମାନଙ୍କୁ ଜିଲ୍ଲାପରିଷଦ ଶିକ୍ଷକ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଜନା ଭିତିକ ବା ସମଗ୍ର ଶିକ୍ଷା ଯୋଜନାରେ ନିଯୁକ୍ତି ଦିଆଯିବ।

ସେହି ଶିକ୍ଷକ ମାନଙ୍କୁ ବର୍ଷିକିଆ ଠିକା ନିଯୁକ୍ତି ଦିଆଯିବ। ବର୍ଷ କୁ ବର୍ଷ ସେମାନଙ୍କ ନିଯୁକ୍ତି ନବୀକରଣ କରାଯିବ। ଏହି ବ୍ୟବସ୍ଥାକୁ ଓଡିଶା ଅଭିଭାବକ ମହାସଂଘ ଘୋର ବିରୋଧ କରିବା ସହିତ ତୁରନ୍ତ ନିଷ୍ପତି ବଦଳାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରିଛି।

ଫିନଲାଣ୍ଡ, ଡେନମାର୍କ, ନାରୱେ ଭଳି ବିକଶିତ ଦେଶର ସ୍ଥାୟୀ ନିଯୁକ୍ତି ଭଳି ଆମ ରାଜ୍ୟରେ ମଧ୍ୟ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାକୁ ଦାବୀ କରିଛି। ନଚେତ ଆଗାମୀ ଦିନରେ ଅଧୋପତନ ଆଡକୁ ଯାଉଥିବା ଓଡିଶାର ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ମହାସଂଘ ଜୋରଦାର ଆନ୍ଦୋଳନ କରିବ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ବିଗତ ବର୍ଷ ମାନଙ୍କରେ ସରକାର ଶିକ୍ଷା ସହାୟକ, ଶିକ୍ଷlକର୍ମୀ, ଗଣ ଶିକ୍ଷକ, ପାରା ଶିକ୍ଷକ, ବ୍ଲକ ଗ୍ରାଣ୍ଟ, ଗ୍ରାଣ୍ଟ ଇନ ଏଡ଼, ଆଦି ଅନେକ ଶିକ୍ଷକ ନିଯୁକ୍ତି ଦେଇ ଥିବାରୁ ସରକାରୀ ଶିକ୍ଷା ବ୍ୟବସ୍ଥା ଆଜି ସମ୍ପୂର୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପହଂଚିଛି।

ଠିକା ନିଯୁକ୍ତି ଦେଲେ ଶିକ୍ଷକ ମାନଙ୍କ ପାଖରେ ଜବାବ ଦେହି, ଉତ୍ତର ଦାୟିତ୍ୱ ଓ ଦାୟିତ୍ୱ ବୋଧ ରହିବ ନାହିଁ। ତେଣୁ ସେମାନଙ୍କର ପିଲାମାନଙ୍କୁ ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆଦୌ ସ୍ପୃହା ରହିବ ନାହିଁ। ଯେହେତୁ ସେମାନେ ମାତ୍ର ବର୍ଷକ ପାଇଁ ନିଯୁକ୍ତି ହେବେ ତେଣୁ ପିଲାମାନଙ୍କ ଶିକ୍ଷା ପ୍ରାପ୍ତିରେ ଏହି ବ୍ୟବସ୍ଥା ଏକ ବିରାଟ ପ୍ରାଚୀର ସହିତ ପ୍ରତିବନ୍ଧକ ହୋଇ ଛିଡା ହେବ।

ଶିକ୍ଷକ ମାନେ ସେମାନଙ୍କ ନିଯୁକ୍ତି ଓ ଦରମା ତଥା ପ୍ରାପ୍ୟ ପାଇଁ ସବୁବେଳେ ସାନ୍ଦିହାନ ଅବସ୍ଥାରେ ରହିବେ। ବର୍ଷର ଅନେକ ସମୟରେ ବିଭିନ୍ନ ବର୍ଗର ଶିକ୍ଷକ ମାନେ ଯେପରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପୁଣି ସେହି ବ୍ୟବସ୍ଥା ଓ ବିଭ୍ରାଟ ରେ ଆଉ ଏକ ଫର୍ଦ୍ଦ ଯୋଡି ହେବ।

ସ୍କୁଲ ବନ୍ଦ କରି ଶିକ୍ଷକ ମାନେ ପୁଣି ଆନ୍ଦୋଳନକୁ ଆସିବେ ସେପଟେ ଶିକ୍ଷା ବ୍ୟବସ୍ଥାରେ ଚରମ ଅବହେଳା ହୋଇ ପିଲାମାନେ ଉତ୍ତମ ଶିକ୍ଷା ପାଇବାରେ ବଂଚିତ ହେବା ସହିତ ଆଗାମୀ ଭବିଷ୍ୟତ ମାନଙ୍କ ଶିକ୍ଷା ଗ୍ରହଣ ପାଇଁ ଅଭିଭାବକ ମାନେ ସନ୍ଦିହାନ ଅବସ୍ଥାରେ ରହିବେ। ଏହା ମଧ୍ୟ ପ୍ରାଇଭେଟ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁହାଇବ।

ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅଭିଭାବକ ମାନେ ଆର୍ଥିକ ଶୋଷଣର ଶିକାର ହେବେ। ସରକାର ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ପାଇଁ ଗତ ଅକ୍ଟୋବର ମାସରେ ଘୋଷଣା କରିସାରିଥିବା ବେଳେ ପୁଣି କାହିଁକି ଠିକା ନିଯୁକ୍ତି ତାହା ପୁଣି ବିକାଶର ଅତ୍ୟନ୍ତ ଉପଯୋଗୀ ଶିକ୍ଷା ବ୍ୟବସ୍ଥାରେ ପୁଣି ଗୁରୁ ମାନଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଆପଣାଇ ଅଛନ୍ତି ତାହା ଆଦୌ ବୁଝା ପଡ଼ୁ ନାହିଁ। ତେଣୁ ଠିକା ଶିକ୍ଷକ ନିଯୁକ୍ତି ବନ୍ଦ କରିବା ସହିତ ଶିକ୍ଷକ ମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜନ ନ କରିବାକୁ ଓଡିଶା ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ସରକାରଙ୍କୁ ଦାବୀ ଜଣାଇଛନ୍ତି।

Categories
ବିଶେଷ ଖବର

୨୦୧୪ରୁ ଏବେ ପର୍ଯ୍ୟନ୍ତ କେତେ ସ୍ଥାୟୀ ନିଯୁକ୍ତି?: ଜାଣନ୍ତୁ ଲୋକସଭାରେ କ’ଣ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ: ୨୦୧୪ରୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଗୁଡିକରେ ୭ ଲକ୍ଷ ୨୨ ହଜାରରୁ ଅଧିକ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି।

ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ), ବିଜ୍ଞାନ ଏବଂ ପ୍ରଯୁକ୍ତି; ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଭୂ ବିଜ୍ଞାନ; ରାଷ୍ଟ୍ରମନ୍ତ୍ରୀ ପିଏମ୍‌ଓ, କାର୍ମିକ, ଜନ ଅଭିଯୋଗ, ପେନ୍‌ସନ୍‌, ପରମାଣୁ ଶକ୍ତି ଏବଂ ମହାକାଶ, ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ନିଯୁକ୍ତି ସୃଷ୍ଟି କରିବା ସହିତ ନିଯୁକ୍ତିରେ ସଂସ୍କାର ସରକାରଙ୍କର ପ୍ରାଥମିକତା ଅଟେ।

ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଏହା ବ୍ୟତୀତ ଭାରତ ସରକାର ଦେଶରେ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ୨୦୨୧- ୨୨ ବଜେଟ୍‌ରେ ୨୦୨୧ – ୨୨ରୁ ଆରମ୍ଭ ହୋଇ ୫ ବର୍ଷର ଅବଧି ନିମନ୍ତେ ୧.୯୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ସହିତ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଗୁଡିକ ଆରମ୍ଭ କରା ଯାଇଛି। ସରକାରଙ୍କ ଦ୍ୱାରା ଲାଗୁ କରା ଯାଇଥିବା ପିଏଲ୍‌ଆଇ ଯୋଜନା ଗୁଡିକରେ ୬୦ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବାର କ୍ଷମତା ରହିଛି। ପିଏଲ୍‌ଆଇ ଯୋଜନା ସମ୍ବନ୍ଧିତ ମନ୍ତ୍ରଣାଳୟ/ବିଭାଗ ଗୁଡିକ ଦ୍ୱାରା ନିର୍ଦ୍ଧାରିତ ସାମଗ୍ରିକ ବିତୀୟ ସୀମା ଭିତରେ କାର୍ଯ୍ୟାନ୍ୱୟନ କରାଯାଇଥାଏ।

ସ୍ୱରୋଜଗାର ସୁବିଧା ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ଲାଗୁ କରା ଯାଉଛି। ପିଏମ୍‌ଏମ୍‌ୱାଇ ଅଧୀନରେ, ସୂକ୍ଷ୍ମ/ଲଘୁ ବ୍ୟବସାୟ ଉଦ୍ୟୋଗ ଗୁଡିକୁ ଏବଂ ବ୍ୟକ୍ତି ମାନଙ୍କୁ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ଗୁଡିକୁ ସ୍ଥାପିତ କରିବା ନିମନ୍ତେ କିମ୍ବା ତାହାର ବିସ୍ତାର କରିବା ପାଇଁ ସକ୍ଷମ କରାଇବା ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣ ପ୍ରଦାନ କରା ଯାଇଥାଏ।

ସରକାର ୧ ଜୁନ୍‌, ୨୦୨୦ରୁ ପ୍ରଧାନମନ୍ତ୍ରୀ ବୁଲା ବିକାଳିଙ୍କ ପାଇଁ ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି ଯୋଜନା)କୁ ଲାଗୁ କରିଛନ୍ତି, ଫଳରେ ରାସ୍ତା – ଘାଟରେ ବୁଲି ବିକ୍ରି କରୁଥିବା ବ୍ୟକ୍ତି ବିଶେଷ, ଯେଉଁମାନେ କୋଭିଡ୍–୧୯ ମହାମାରୀ ସମୟରେ ପ୍ରତିକୂଳ ରୂପରେ ପ୍ରଭାବିତ ହୋଇ ଥିଲେ, ସେମାନଙ୍କର ବ୍ୟବସାୟ ଗୁଡିକୁ ପୁଣି ଥରେ ଆରମ୍ଭ କରିବା ନିମନ୍ତେ ବନ୍ଧକ ମୁକ୍ତ କାର୍ଯ୍ୟଶୀଳ ପୁଞ୍ଜି ଋଣର ସୁବିଧା ପାଇ ପାରିବେ।

କୋଭିଡ୍ – ୧୯ ମହାମାରୀ ସମୟରେ ନୂତନ ରୋଜଗାର ସୃଷ୍ଟି ଏବଂ ହରେଇଥିବା ରୋଜଗାରର ପୁନରୁଦ୍ଧାର କରିବା ନିମନ୍ତେ ନିଯୁକ୍ତି ଦାତା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧ ଅକ୍ଟୋବର, ୨୦୨୦ରୁ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆର୍‌ୱାଇ) ଆରମ୍ଭ କରା ଯାଇଛି। ହିତାଧିକାରୀ ମାନଙ୍କର ପଞ୍ଜୀକରଣର ଅନ୍ତିମ ତାରିଖ ୩୧.୦୩.୨୦୨୨ ଥିଲା। ୧୩.୦୭.୨୦୨୨ ପର୍ଯ୍ୟନ୍ତ ୫୯.୫୪ ଲକ୍ଷ ହିତାଧିକାରୀ ମାନଙ୍କୁ ଲାଭ ପ୍ରଦାନ କରା ଯାଇଛି, ଯେଉଁଥିରେ ୫୩.୨୩ ଲକ୍ଷ ହିତାଧିକାରୀ ନୂତନ ଭାବେ ସାମିଲ୍ ହୋଇଛନ୍ତି।

ଏହି ପଦକ୍ଷେପ ଗୁଡିକ ସମେତ, ସରକାର ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମ, ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ- ଅପ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ସ୍ମାର୍ଟ ସିଟି ମିଶନ, କାୟାକଳ୍ପ ଏବଂ ସହରୀ ପରିବର୍ତନ ନିମନ୍ତେ ଅଟଳ ମିଶନ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି), ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଂଟି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ପଣ୍ଡିତ ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ – ଜିକେୱାଇ), ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ଜାତୀୟ ସହରୀ ଆଜୀବିକା ମିଶନ (ଡିଏୱାଇ – ଏନ୍‌ୟୁଏଲ୍‌ଏମ୍‌) ଇତ୍ୟାଦି ମଧ୍ୟ ରୋଜଗାରର ଅବସର ସୃଷ୍ଟି କରିବା ଦିଗରେ ଉନ୍ମୁଖ ଅଟେ।

ଏହା ସହିତ, ପିଏମ୍ ଗତିଶକ୍ତି ଭାରତ ସରକାରଙ୍କର ଏକ ପରିବର୍ତ୍ତନକାରୀ ଆଭିମୁଖ୍ୟ ଅଟେ, ଯାହା ସ୍ୱଚ୍ଛ ଶକ୍ତି ଏବଂ ସମସ୍ତଙ୍କର ପ୍ରୟାସ ଦ୍ୱାରା ସଂଚାଳିତ ହୋଇଥାଏ, ଯେଉଁଥିରେ ସମସ୍ତଙ୍କ ପାଇଁ ବହୁତ ଚାକିରି ଏବଂ ଉଦ୍ୟମଶୀଳତାର ସୁଯୋଗ ମିଳିଥାଏ।

Categories
ଆଜିର ଖବର ଆଞ୍ଚଳିକ

ଜମିକୁ ଚକ ମୁକ୍ତ କରିବା ଏବଂ ଚକବନ୍ଦୀ ଯୁଗ୍ମ କମିଶନରଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଜମିକୁ ଚକ ମୁକ୍ତ କରିବା ଏବଂ ବ୍ରହ୍ମପୁର ସ୍ଥିତ ଯୁଗ୍ମ କମିଶନରଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଆଜି ଚକବନ୍ଦୀ ଉଚ୍ଛେଦ ସଂଘର୍ଷ ସମିତି ପକ୍ଷରୁ ଆର୍‌ଡ଼ିସି କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବା ସହ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶେଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ଼ ତହସିଲ୍ ଅନ୍ତର୍ଗତ ନରେନ୍ଦ୍ରପୁର ଅଧୀନରେ କିପରି ପ୍ରଜା ବା ଚାଷୀମାନେ ହଇରାଣ ହେଉଛନ୍ତି। ୨ ବର୍ଷ ହେଲା ଚାଷୀ ଚକବନ୍ଦୀ ଉଚ୍ଚେଦ ପାଇଁ ନବୀନ ନିବାସ ଠାରୁ ଆରମ୍ଭ କରି ରାଜସ୍ୱ ପରିଷଦ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ତହସିଲ୍‌ଦାର ଶେରଗଡ଼, ମୁଖ୍ୟମନ୍ତ୍ରୀଙ୍କ ସଚିବ ସବୁ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ୩୪ ବର୍ଷ ପୂର୍ବେ ଚକବନ୍ଦୀ କାର୍ଯ୍ୟକାରୀ ହୋଇ ପଟା ପ୍ରଦାନ କରାଯାଇଥିଲା।

ସଂପୃକ୍ତ ଚକ ଅନୁସାରେ ପ୍ରସ୍ତାବିତ ପଟା ଅନୁଯାୟୀ ଏହା କୌଣସି ପ୍ରଜା ଦଖଲ କରିପାରିନାହାନ୍ତି। ଏଠାରେ ଏହା ସଂପୂର୍ଣ୍ଣ ବିଫଳ ହୋଇଛି। ତେଣୁ ଚକବନ୍ଦୀ ଉଚ୍ଚେଦ କରିବା ପାଇଁ ଆଜି ବିଜେପିର ପୂର୍ବତନ ରାଜ୍ୟ ସଂପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୩୦ ବର୍ଷରୁ ଅଧିକ ହେଲା ରାଜସ୍ୱ କମିଶନରଙ୍କ ଶାଖା ହିସାବରେ ଏକ ଯୁଗ୍ମ କମିଶନର ଅଦାଲତ ଆରମ୍ଭ ହୋଇଥିଲା। ରାଜସ୍ୱ ବିଭାଗର ସର୍ଭେ ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟର ତ୍ରୁଟି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଜାକୁ ଏହି ଅଦାଲତର ଆଶ୍ରୟ ନେବାକୁ ପଡ଼ୁଛି। ଦୁଃଖ ଓ ପରିତାପର ବିଷୟ ଏହିକି ଯେ ହଜାର ହଜାର ମକଦ୍ଦମାର ଫୈସଲା ହୋଇନାହିଁ। ଦୀର୍ଘ ଦୁଇବର୍ଷ ହେବ ଏହି ଅଦାଲତ ଅଚଳ ହୋଇଛି।

ଗତ ମାର୍ଚ୍ଚ ୨୦୧୯ ଠାରୁ ଆଜି ପର୍ଯ୍ୟନ୍ତ ଏକାଧିକ ଅଧିକାରୀଙ୍କୁ ନିଯୁକ୍ତି ଏବଂ ବଦଳି ହୋଇଥିଲେ ମଧ୍ୟ କେହି ଯୋଗଦାନ କରୁନାହାନ୍ତି। କେତେକ ଆସି ଅଳ୍ପ ସମୟ ରହି କୌଣସି କାର୍ଯ୍ୟ ଆରମ୍ଭ ନକରି ବଦଳି ହେଉଛନ୍ତି। ତେଣୁ ଏକ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଜନସାଧାରଣ, ପ୍ରଜାବୃନ୍ଦ, ବୁଦ୍ଧିଜୀବୀ ଏବଂ ଚକବନ୍ଦୀ ଉଚ୍ଛେଦ ସଂଘର୍ଷ ସମିତିର ଆବାହକ ଶ୍ରୀକାନ୍ତ ପାଢ଼ୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଦାବି କରିଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ଶ୍ରୀ ପାଢ଼ୀଙ୍କ ସମେତ ଅରୁଣ ପାଠୀ, ପ୍ରଶାନ୍ତ ପାଣିଗ୍ରାହୀ, ସନ୍ତୋଷ ପାଢ଼ୀ, ଲଡ଼ୁ ପାଣିଗ୍ରାହୀ, ଦଣ୍ଡପାଣି ପାଢ଼ୀ, ସୁଦର୍ଶନ ପାଣିଗ୍ରାହୀ ଏବଂ ବହୁ ସଂଖ୍ୟକ ପ୍ରଜା ସାମିଲ ହୋଇଥିଲେ।