Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ନାତକୋତ୍ତର ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ଆବେଦନ ଆହ୍ୱାନ

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏହାର ସମ୍ମାନଜନକ ସ୍ନାତକୋତ୍ତର ଶିକ୍ଷାବୃତ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି। ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୯ଟି କ୍ଷେତ୍ରରେ ଆବେଦନ ଆହ୍ୱାନ କରାଯାଇଛି। ଆବେଦନ ୨୦୨୩ ଡିସେମ୍ବର ୧୭ ପର୍ଯ୍ୟନ୍ତ ଖୋଲା ରହିଛି। ଉଦୀୟମାନ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ କରିବା ହେଉଛି ଏହି ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ।

ଡିଜିଟାଲ, ଅକ୍ଷୟ ଶକ୍ତି ଏବଂ ବାୟୋଟେକ୍ନୋଲୋଜି ଭଳି ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ଦ୍ରୁତ ଗତିରେ ବିକଶିତ ହେଉଛି। ରିଲାଏନ୍ସ ଫାଉଣ୍ଡେସନର ସ୍ନାତକୋତ୍ତର ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ ଭବିଷ୍ୟତର ଲିଡର ବା ନେତୃତ୍ୱ ଦକ୍ଷତା ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଯାହା ଦ୍ୱାରା ସେମାନେ ସମସ୍ତଙ୍କ ହିତ ପାଇଁ ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ ଏବଂ ସମାଧାନ ବିକଶିତ କରିପାରିବେ।

ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି ଯେ, ‘ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ଭାରତର ଯୁବପିଢ଼ି ଦେଶର ପ୍ରଗତିକୁ ରୂପ ଦେବାକୁ ପ୍ରସ୍ତୁତ ଅଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ସ୍ନାତକୋତ୍ତର ଶିକ୍ଷାବୃତ୍ତି ଦେଶର ସବୁଠାରୁ ପ୍ରତିଭାଶାଳୀ ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରିବ ଏବଂ ସଶକ୍ତ କରିବ ଯେଉଁମାନେ ସମାଜର ହିତ ପାଇଁ ବୃହତ୍ତର, ସବୁଜ ଓ ଡିଜିଟାଲ ଭାବନା ବିକାଶ କରିପାରିବେ। ଭାରତର ବିକାଶକୁ ଶକ୍ତି ଦେବା ପାଇଁ ପ୍ରତିବର୍ଷ ଉତ୍କୃଷ୍ଟ ଲୋକମାନଙ୍କ ଏକ ଗୋଷ୍ଠୀ ସୃଷ୍ଟି କରିବା ଆମର ଲକ୍ଷ୍ୟ।’’

୨୦୨୦ ରୁ ଏପର୍ଯ୍ୟନ୍ତ ରିଲାଏନ୍ସ ଫାଉଣ୍ଡେସନ ୧୭୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପାଠପଢ଼ାରେ ଉତ୍କର୍ଷ ପାଇଁ ମେଧାଭିତ୍ତିକ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଛି । ରିଲାଏନ୍ସ ଫାଉଣ୍ଡେସରୁ ଶିକ୍ଷାବୃତ୍ତି ପାଇଥିବା ଏହି ଛାତ୍ରଛାତ୍ରୀମାନେ ଏବେ ଉନ୍ନତ ଭବିଷ୍ୟତ ଆଡକୁ ଅଗ୍ରସର ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାବୃତି ଏକ ପ୍ଲାଟଫର୍ମ ସାବ୍ୟସ୍ତ ହୋଇଛି ଯେଉଁଠାରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରାଯିବା ସହ ସେମାନଙ୍କୁ ଶିଳ୍ପର ଅଗ୍ରଣୀ ପରାମର୍ଶଦାତାଙ୍କ ନିକଟରେ ପହଞ୍ଚାଇବା ତଥା ଦକ୍ଷତା ହାସଲ କରିବାରେ ସହାୟତା ପ୍ରଦାନ ସହ ସଫଳତାର ମାର୍ଗରେ ଦୃଢ଼ ଭାବରେ ପାଦ ଥାପିବାରେ ସାହାଯ୍ୟ କରାଯାଇଥିଲା ।

ଛାତ୍ରବୃତ୍ତି ପାଇଁ ଚୟନ ହୋଇଥିବା ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯିବ । ଏହି ଶିକ୍ଷାବୃତ୍ତି ସମଗ୍ର ଅଧ୍ୟୟନ ଅବଧି ଏବଂ ଏକ ସାମଗ୍ରିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ । ଏଥିରେ ବିଶେଷଜ୍ଞଙ୍କ ସହ ଆଲୋଚନା, ଶିଳ୍ପ ପରିଦର୍ଶନ ଓ ପ୍ରଦର୍ଶନ ଏବଂ ନିଜେ କାମ କରିବାର ସୁଯୋଗ ଅନ୍ତର୍ଭୁକ୍ତ ହେବ । ଏକ କଠୋର ପ୍ରକ୍ରିୟା ପରେ ଛାତ୍ରଛାତ୍ରୀମାନଙ୍କୁ ଚୟନ କରାଯିବ ଯେଉଁଥିରେ ଆବେଦନ ମୂଲ୍ୟାୟନ, ଆପଟିଚ୍ୟୁଡ୍ ପରୀକ୍ଷା ଏବଂ ଅଗ୍ରଣୀ ବିଶେଷଜ୍ଞଙ୍କ ସାକ୍ଷାତକାର ସାମିଲ ରହିଛି ।

ରିଲାଏନ୍ସ ଫାଉଣ୍ଡେସନ ସ୍ନାତକୋତ୍ତର ଶିକ୍ଷାବୃତ୍ତି ସେହି ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବ ଯେଉଁମାନେ ଉତ୍କର୍ଷତା, ନେତୃତ୍ୱ ଦକ୍ଷତା, ସଚ୍ଚୋଟତା, ଗୋଷ୍ଠୀ ପ୍ରତିବଦ୍ଧତା, ଅଭିବୃଦ୍ଧି ମାନସିକତା ଏବଂ ସାହସର ଗୁଣ ପ୍ରଦର୍ଶନ କରିବେ । ଭାରତରେ କମ୍ପ୍ୟୁଟର ବିଜ୍ଞାନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗଣିତ ଏବଂ କମ୍ପ୍ୟୁଟିଂ, ଇଲେକ୍ଟ୍ରିକାଲ ଆଣ୍ଡ/କିମ୍ବା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ଅକ୍ଷୟ ଶକ୍ତି, ପଦାର୍ଥ ବିଜ୍ଞାନ ଓ ଇଞ୍ଜିନିୟରିଂ ଏବଂ ଜୀବବିଜ୍ଞାନରେ ପୂର୍ଣ୍ଣକାଳୀନ ପାଠ୍ୟକ୍ରମରେ ପଢୁଥିବା ପ୍ରଥମ ବର୍ଷର ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏହି ଶିକ୍ଷାବୃତ୍ତି ପାଇଁ ଆବେଦନ କରିପାରିବେ ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ନ ମିଳିବା ପ୍ରସଙ୍ଗ: ବିଜୁ ଛାତ୍ର ଜନତା ଦଳର ଦାବି ପତ୍ର ପ୍ରଦାନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାରେ ପଢୁଥିବା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ଅତ୍ୟନ୍ତ ବିଳମ୍ବ ପର୍ଯ୍ୟନ୍ତ ନ ମିଳିବା ପ୍ରସଙ୍ଗରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ଦଳ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳସଚିବ ପିତାମ୍ବର ଭୋଇ ଏବଂ ପିଜି କାଉନସିଲ ଅଧ୍ୟକ୍ଷ ମେଜର ଡ଼ଃ ଜୟଦେବ ସାହୁଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ ସାହୁ, ରାଜ୍ୟ ଛାତ୍ର ବିଜେଡ଼ି ଉପ ସଭାପତି ଅଭିଷେକ ମହାପାତ୍ର, ଜିତେନ୍ଦ୍ର ବେହେରା, ନବୀନ ନାୟକ, ରୁଦ୍ର ବେହେରା, ପ୍ରକାଶ ସାହୁ, ପ୍ରେମ ତାଣ୍ଡି, ବରୁଣ ରାଉତ ପ୍ରମୁଖ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ଅନୁପସ୍ଥିତିରେ କୁଳସଚିବଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧିନରେ ପାଠ ପଢିଥିବା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର ଶିଘ୍ର ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାକୁ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାର ଉଚ୍ଚ ଶିକ୍ଷା ବିକାଶରେ ଆଉ ଏକ ଫର୍ଦ ଯୋଡ଼ି ୨୦୧୯ ମସିହାରେ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଥିଲେ।

କଳାହାଣ୍ଡି ବିଶ୍ବବିଦ୍ୟାଳୟରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ୫୦ ଟି କଲେଜ ଅନୁବନ୍ଧିତ ହେବାସହ ୨୦୨୦ ମସିହା ଠାରୁ ନୂତନ ପାଠପଢ଼ା ଆରମ୍ଭ ହୋଇଥିଲା। ପୂର୍ବରୁ ୨୦୧୭ରୁ ୨୦୨୦ ମସିହା ମଧ୍ୟରେ ଯେଉଁ ମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇ ୨୦୨୦,୨୦୨୧ ଏବଂ ୨୦୨୨ ମସିହାରେ ସ୍ନାତକ ପାସ୍ କରିଥିଲେ ସେମାନେ ଏ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ପାଇନାହାନ୍ତି। ସେହିପରି ୨୦୧୯-୨୧ ବ୍ୟାଚ୍ ର ସ୍ନାତକୋତ୍ତର ଛାତ୍ର ଛାତ୍ରୀ ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ହୋଇଛନ୍ତି। ପ୍ରମାଣପତ୍ର ନଥିବା ଯୋଗୁଁ ଅନେକ ଛାତ୍ର ଛାତ୍ରୀ ରାଜ୍ୟ ବାହାରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ପିଏଚଡ଼ି ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପଡ଼ିବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଟୁଇଟର ମାଧ୍ୟମରେ ଛାତ୍ର ମାନେ ଖୋଲାଖୋଲି କଳାହାଣ୍ଡି ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ବିରୁଦ୍ଧରେ ନିଜର ଅସନ୍ତୋଷ ଜାହିର କରିଛନ୍ତି।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର କିଭଳି ମିଳିପାରିବ ସେ ନେଇ କୌଣସି ପ୍ରକାର ତ୍ୱରିତ ଏବଂ ଠୋସ ପଦକ୍ଷେପ ନେଉନଥିବାରୁ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି। ଏପରି କି କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅଧିନରେ ସ୍ନାତକୋତ୍ତର ପଢିଥିବା ପ୍ରଥମ ବ୍ୟାଚ୍ ଛାତ୍ର ଛାତ୍ରୀ ମଧ୍ୟ କେବଳ ପ୍ରୋଭିଜିନାଲ ସାର୍ଟିଫିକେଟ ପାଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପାସ୍ କରିଥିବା ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର ପ୍ରସଙ୍ଗରେ କୁଳସଚିବ ଡ଼ଃ ନୃପରାଜ ସାହୁଙ୍କୁ ପଚରାଯିବାରୁ ସେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ତରଫରୁ କୌଣସି ଚିଠି ପାଇନଥିବା ଏବଂ ଭବାନୀପାଟଣା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରୀକ୍ଷା ଫଳ ବାହାର ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ସବିଶେଷ ତଥ୍ୟ ନଦେବା ଆଦି ପାଲଟା ପ୍ରଶ୍ନ କରିଛନ୍ତି।

ଏହି ପ୍ରସଙ୍ଗରେ ଉଭୟ ବିଶ୍ବବିଦ୍ୟାଳୟ କୁଳସଚିବ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଯାହାହେଉ କଳାହାଣ୍ଡି ବିଶ୍ବବିଦ୍ୟାଳୟ କତୃପକ୍ଷ ଏହାର ସମାଧାନ ପାଇଁ ଶିଘ୍ର ପଦକ୍ଷେପ ନେବା ଦରକାର ବୋଲି ବିଜୁ ଛାତ୍ର ଜନତା ଦଳ, ଅଭିଭାବକ ସଂଘ, ପୁରାତନ ଛାତ୍ର ସଂଘ ପକ୍ଷରୁ ଦାବି ହେଉଛି।

ଏହି ସମସ୍ୟାର ସମାଧାନ ୧୫ ଦିନ ମଧ୍ୟରେ ନହେଲେ ଛାତ୍ର ଛାତ୍ରୀ ଧାରଣା ଦେବାସହ ଅନ୍ୟାନ୍ୟ ପନ୍ଥା ଗ୍ରହଣ କରିବେ ବୋଲି ଲିଖିତ ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତିଙ୍କ ଉଦ୍ଦେଶ୍ୟରେ କୁଳସଚିବଙ୍କୁ ଜଣାଇବା ସହ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷା ସଚିବ ପ୍ରମୁଖଙ୍କୁ ଦାବୀପତ୍ର ର ଏକ ନକଲ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ନାତକ ଓ ସ୍ନାତକୋତ୍ତରର ପରୀକ୍ଷା ଏବଂ ଫଳାଫଳ ତାରିଖ ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୯ ତାରିଖ ସୁଦ୍ଧା  ସମସ୍ତ ମହାବିଦ୍ୟାଳୟରେ ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଶେଷ ହେବ। ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷାର ଫଳାଫଳ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ।

ସେହିଭଳି ବିଶ୍ୱବିଦ୍ୟାଳୟରେ ପିଜିରେ ନାମ ଲେଖା ପାଇଁ ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୧ତାରିଖ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୫ ତାରିଖ ସୁଦ୍ଧା ସ୍ନାତକୋତ୍ତର ପ୍ରଥମ ସେମିଷ୍ଟାର ପାଇଁ ନାମଲେଖା ଶେଷ ହେବ। ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ଚାଲିବ।

ସ୍ନାତକୋତ୍ତର ଶେଷ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବା ନେଇ ପ୍ରୟାସ କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।