Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୫ ପାଳିତ

ଖୋର୍ଦ୍ଧା: ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ପଞ୍ଚାୟତିରାଜ ଦିବସ ଗ୍ରାମ ଠାରୁ ଆରମ୍ଭ କରି ପଂଚାୟତ, ବିଧାନସଭା ଏବଂ ସଂସଦ ପର୍ଯ୍ୟନ୍ତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଶାସନରେ ଆନନ୍ଦ ଉଲ୍ଲାସ ଏବଂ ମୋ ଘରଠାରୁ ଆରମ୍ଭ କରି ଦେଶ ପ୍ରେମ ଆଜି ଭଳି ପବିତ୍ର ଜାତୀୟ ପଞ୍ଚାୟତିରାଜ ଦିବସରେ ଜାଗ୍ରତ ହେବା ଦରକାର। ବିଗତ ମରହଟ୍ଟା, ମୋଗଲ ଓ ଇଂରେଜ ଶାସନ ପରାଧିନତା କବଳରୁ ଦେଶ ମୁକ୍ତହୋଇ ଆଜି ଆମେ ଆମର ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଦୃତଗତିରେ ଏକ ବିକାଶ ଶିଳ ଗ୍ରାମ, ପଂଚାୟତ, ଜିଲ୍ଲା,ରାଜ୍ୟ ଓ ଦେଶ ଗଠନ ପାଇଁ ଆମେ ଆଗେଇ ଚାଲିଛେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ସମସ୍ତ କୋଣ ଅନୁକୋଣରେ ଆଜି ସହଭାଗିତା, ସଚେତନତା ଓ ବିଚାର ଧାରାରେ ପରିବର୍ତ୍ତନ, ସାମୁହିକ ଉନ୍ନତିରେ ପରିବର୍ତ୍ତନ,ଜାତି ଧର୍ମ ଲିଙ୍ଗ ଭିତ୍ତିରେ ସମସ୍ତଙ୍କ ଦାୟିତ୍ବ ବୋଧ ରହିଛି। ଯଦି ପ୍ରକୃତ ଜନପ୍ରତିନିଧି କର୍ତ୍ତବ୍ୟନିଷ୍ଟ ହୁଏ ତେବେ ନିଦ ହଜିଯାଏ।

ଉଦ୍ଦେଶ୍ୟ ମହତ ଥିଲେ ସବୁ କାର୍ଯ୍ୟ ସମ୍ପାଦନ ସହଜ ହୋଇଥାଏ। ପଲ୍ଲୀ ଓ ଦିଲ୍ଲୀର ଯୋଜନା ସବୁ ଗାଁ ପାଇଁ। ଖୋର୍ଦ୍ଧା ଜିଲ୍ଲାରେ ୨୦ ହଜାର କୋଟି ଶିଳ୍ପ ବିକାଶ ପାଇଁ ନିୟୋଜିତ ହେଉଛି। ପ୍ରତ୍ୟେକ ନାଗରିକଙ୍କ ଜାତୀୟତା ଭାବ ରହିଲେ ରାଷ୍ଟ୍ର ବିକଶିତ ହୋଇ ପାରିବ। ବର୍ତ୍ତମାନ ସମସ୍ତ ନାଗରିକଙ୍କ ଆତ୍ମ ଅବଲୋକନ କରିବାର ସମୟ ଆସିଯାଇଛି। ଏଣୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଊର୍ଦ୍ଧକୁ ଯାଇ ସଚେତନତା, ସହଭାଗିତା ଏବଂ ଆନ୍ତରିକତା ନେଇ କାର୍ଯ୍ୟ କଲେ ବିକଶିତ ଭାରତ ବିକଶିତ ଖୋର୍ଦ୍ଧା ଏବଂ ରାମରାଜ୍ୟ ସ୍ବପ୍ନ ସାକାର ହେବ ବୋଲି ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସଦରମହକୁମା ହାବେଳୀ ପଡ଼ିଆରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି।

ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ ସମାରୋହରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭାପତି ରୁପଶ୍ରୀରାଣୀ ଗୁମାନ ସିଂହ ଯୋଗଦେଇ କହିଲେ ଯେ ଗାଁ ଓ ଗ୍ରାମ ପଂଚାୟତ ର ଉନ୍ନତିରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଂକୀର୍ଣ୍ଣତା ଭୁଲି କର୍ତ୍ତବ୍ୟ ଦାୟିତ୍ବ ବୁଝି ଗ୍ରାମ ପଂଚାୟତ ଉନ୍ନତିରେ ସମସ୍ତେ ସାରଥୀ ହେବାକୁ ସେ ବକ୍ତବ୍ୟ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଉପସଭାପତି, ଜିଲ୍ଲା ପରିଷଦ ଗୋପୀନାଥ ମହାରଣା ଯୋଗଦେଇ କହିଲେ ଯେ ଶତକଡା ୮୦ ଭାଗ ଲୋକ ଗ୍ରାମରେ ରୁହନ୍ତି। ଏଣୁ ଗାଁର ବିକାଶ ହେଲେ ରାଷ୍ଟ୍ରର ବିକାଶ ହେବ। ଜନପ୍ରତିନିଧି ମାନେ ନିଶ୍ୱାର୍ଥପର ଭାବେ ବିଭିନ୍ନ ଚାପରୁ ଉର୍ଦ୍ଧ୍ବରେ ରହି ଜନମଙ୍ଗଳ କାମ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଯୋଗଦେଇ ଆଜି ଜାତୀୟ ପଞ୍ଚାୟତିରାଜ ଦିବସରେ ନୂତନ ରାଶନ କାର୍ଡ ବଣ୍ଟନ, ଅର୍ଥ କମିଶନ କାର୍ଯ୍ୟରେ ପାରଦର୍ଶିତା ଦେଖାଇଥିବା ପଞ୍ଚାୟତକୁ ସମ୍ମାନିତ କରିବା, ଲକ୍ଷପତି ଦିଦି, ସୁଭଦ୍ରା ଯୋଜନାରେ ହିତାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଏହା ନିଶ୍ଚିତ ଭାବେ ପଞ୍ଚାୟତି ରାଜ ଶାସନକୁ ସୁଦୃଢ କରିବା ସହ ପି ଆର ଆଇ ମେମ୍ବର ମାନେ ପାଣ୍ଠି କେତେ ଅଛି,କର୍ତ୍ତୃପକ୍ଷ କିଏ ଏବଂ କି କି କାର୍ଯ୍ୟକାରିବାକୁ ଅଛି ସେଗୁଡ଼ିକର ସଠିକ୍ ମାର୍ଗରେ ଅନୁଧ୍ୟାନ କରି କାର୍ଯ୍ୟ ସମ୍ପାଦନ କଲେ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା କୁ ସହଜରେ ସମାଧାନ କରାଯାଇପାରିବ ବୋଲି ପରାମର୍ଶ ଦେଇଥିଲେ।

ସେହିପରି ବର୍ତ୍ତମାନ ଓଡ଼ିଶା ସସକ୍ତ ହୋଇ ଗତି କରୁଛି। ପଂଚାୟତ ଏକ ଘର ବା ପରିବାର।  ଜନପ୍ରତିନିଧି ମାନେ ସମସ୍ତଙ୍କ ମତାମତ ନେଇ କାର୍ଯ୍ୟ କରିବା ସହ ପ୍ରତ୍ୟେକ ମାସରେ ଗ୍ରାମ ସଭା କରିବାକୁ ଜିଲ୍ଲାପାଳ ମଧ୍ୟ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ପାଶ୍ଚାତ୍ୟ ସଭ୍ୟତାରେ ଗ୍ରାମ ସଭା ର ମଧ୍ୟ ପରମ୍ପରା ଥିଲା। ଗ୍ରାମସଭା ହେଉଛି ତୃଣମୂଳ ସ୍ତରର ବିଧାନ ସଭା ସ୍ୱରୂପ। ପ୍ରତ୍ୟେକ ନାଗରିକ ଏବଂ ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି ସଚେତନ ଓ ଜାଗ୍ରତ ହେଲେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ଅଧିକରୁ ଅଧିକ ସରଳୀକରଣ ହୋଇପାରିବ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରିମୟୀ ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ପଞ୍ଚାୟତର ବିକାଶ ହେଲେ ଓଡ଼ିଶାର ବିକାଶ ହେବ।  ତୃଣମୂଳ ସ୍ତରରେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କଲେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥା ସୁଦୃଢ ହେବ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କହିଥିଲେ। ପ୍ରଥମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବୃନ୍ଦ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ଓ ପୁସ୍ପାର୍ଘ୍ୟ ପ୍ରଦାନ କରି ସମାରୋହକୁ ଉଦ୍ଘାଟନ କରିଥିଲେ।

ଶେଷରେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ପାଳତୋଟାପଡା ଜି ପି ର ଭଗବାନ ଜେନା, କୁରଧମାଳ ଜି ପି ର ଜଗନ୍ ପ୍ରଧାନ, ଖୋର୍ଦ୍ଧା ପୌରପରିଷଦ ୱାଡ ନ.୧ର ସୁବାଶିସ ଚାନ୍ଦ, ୱାର୍ଡ ନ.୧୩ର ସତ୍ୟଭାମା ବେହେରାଙ୍କୁ ଉତ୍ତରୀୟ ପ୍ରଦାନ ସ୍ୱରୂପ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜଗଦ୍ଦେବ ରାସନ କାର୍ଡ ବଣ୍ଟନ ସୁଭାରମ୍ଭ କରିଥିଲେ।

ସେହିପରି ରାଜ୍ୟ ପଞ୍ଚମ ଅର୍ଥ କମିଶନର ସଦୂପ ବିନିଯୋଗକରିଥିବା ୩୩ଗୋଟି ପଞ୍ଚାୟତକୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ବୃନ୍ଦ ସମ୍ମାନିତ କରିଥିଲେ। ଲକ୍ଷ ପତି ଦିଦି ଯୋଜନାରେ ସଂଗୀତା ଗୁମାନ ସିଂହ,ଦିପାଞ୍ଜଳି ଛୋଟରାୟ, ଅନିତା ନରେନ୍ଦ୍ର, ଯମୁନା ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ସୁଭଦ୍ରା ଯୋଜନାରେ ଅହଲ୍ୟା ସାହୁ, ତରୁଲତା ନାୟକ, ଶ୍ରୀମତୀ ଗୌରୀ ଓଝା,ରଜନୀ ଜେନା ,ମନୋରମା ଗୁମାନ ସିଂହ, ରେଖା ମହାପାତ୍ର, ଶ୍ରୀମନ୍ତି ମହାପାତ୍ର ଏବଂ ସବିତା ଶ୍ରୀଚନ୍ଦନ ଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଉପସଭାପତି ଶ୍ରୀ ଗୋପୀନାଥ ମହାରଣା, ଖୋର୍ଦ୍ଧା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରିମୟି ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଙ୍କୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସମ୍ବର୍ଦ୍ଧିତ କରିଥିଲେ।

ଶେଷରେ ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।  ପ୍ରକାଶ ଥାଉକୀ ଶ୍ରୀନଗର ପହଲଗାମ ଆତଙ୍କି ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ମିଶନ ଶକ୍ତି, ଯୋଜନାର ହିତାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ଦିବସ ପାଳନ ଅବସରରେ ବିଭାଗୀୟ ସଚେତନତା ଷ୍ଟଲ୍ ଖୋଲାଯାଇଥିଲା।

Categories
ଆଞ୍ଚଳିକ

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ନିକଟସ୍ଥ କରୁଣା ଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ୭୮ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏମ୍. ଅଭିପ୍ସା ଅତିଥି ପରିଚୟ ପ୍ରଦାନ କରି ଉପସ୍ଥାପନା କରିଥିଲେ। ଏଥିରେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ସଂଜିତ୍ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଦିବସର ଶୁଭେଛା ଜଣାଇ ଭାରତର ସ୍ଵାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଉପରେ ଆଲୋଚନା କରିଥିଲେ। ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର କୋଷାଧ୍ୟକ୍ଷ ସଦାନନ୍ଦ ଉଠାନସିଂ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖିଥିଲେ।

ସମ୍ମାନିତ ଅତିଥି ସଲିଡ଼ାରିଟୀ ଫର୍ ଡେଭଲପମେଣ୍ଟ କମୁନିଟିର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ବେହେରା, ସମସ୍ତ ଅଧ୍ୟାପକ ଅଧ୍ୟାପିକା, ସଲିଡର କର୍ମକର୍ତ୍ତା, ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶାତ୍ମକ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପିରାମିଡ୍ ହୋଇଥିଲା। ଶେଷରେ ନିଶିଗନ୍ଧା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ଵାଧୀନତା ଦିବସରୁ ଅଭିନବ ଉପାୟ: ବାଣପୁରକୁ ରାଜସ୍ୱ ଉପଖଣ୍ଡ ପାଇଁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦେଶବ୍ୟାପୀ ସ୍ଵାଧୀନତା ଦିବସ ମହାଧୂମଧାମରେ ପାଳିତ ହୋଇଯାଇଛି। ସମଗ୍ର ଦେଶ ଉତ୍ସବମୁଖର ଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ସ୍ଵାଧୀନତା ଦିବସ ପାଳନ ସହିତ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଏକ ଅଭିନବ ପ୍ରୟାସ କରାଯାଇଛି। ‘ଜୟ ବାଣପୁର ସଂଗ୍ରାମୀ ପରିଷଦ’ ପକ୍ଷରୁ ଉକ୍ତ ଅଭିଯାନକୁ ଆହୁରୀ ତୀବ୍ର କରାଯିବା ବୋଲି ସୂଚନା ରହିଛି। ଆଗାମୀ ଦିନରେ ଏହି ଦସ୍ତଖତ ଅଭିଯାନକୁ ୪ ଟି ପର୍ଯ୍ୟାୟ ଏବଂ ୪ ଟି ସ୍ଥାନରେ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହିପ୍ରରିପ୍ରେକ୍ଷୀରେ ଆଜି ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ବାଣପୁରର ଐତିହାସିକ ସ୍ଥଳ ପଲଟଣ ପଡିଆରେ ଉକ୍ତ ଅଭିଯାନ ଆରମ୍ଭ କରାଯାଇଛି। ଯେଉଁ ସ୍ଥାନରେ ଇଂରେଜମାନଙ୍କ ସହ ବାଣପୁରର ପାଇକମାନେ ଯୁଦ୍ଧ କରି ଗୋରାମାନଙ୍କୁ ଧରାଶାୟୀ କରିଥିଲେ। ସେହି ଐତିହାସିକ ସ୍ଥାନରେ ଆଜି ବାଣପୁରବାସୀ ଏକାଠି ହୋଇ ସେମାନଙ୍କର ନାର୍ଯ୍ୟ ଦାବି ପାଇଁ ଆହ୍ଵାନ ଦେଇଛନ୍ତି।

ଏହି ଅବସରରେ ବାଣପୁରର ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ବୁଦ୍ଧିଜୀବୀ, ଯୁବକ ସଂଘ, ଡ୍ରାଇଭର ମହାସଂଘ, ସାମ୍ବାଦିକ ସଂଘ ପରି ଅନେକ ସଂଗଠନ ସାମିଲ ହୋଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନକୁ ବ୍ୟାପକ କରାଯିବା ସହ ଆଗକୁ ବିଭିନ୍ନ ସ୍ଥାନରେ ଚାଲୁକରାଯିବ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ, ବାଣପୁର ହେଉଛି ଅଭିବକ୍ତ ପୁରୀ ଜିଲ୍ଲାର ପୁରାତନ ସହର। ଏଠାରେ ଅଦାଲତ, ତହସିଲ, ସର୍ବପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିବା ସହ ଏହି ମାଟି ବହୁ ବରପୁତ୍ରମାନଙ୍କୁ ଜନ୍ମଦେଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଠାରୁ ଆରମ୍ଭ କରି ସିବିଆଇ ନିର୍ଦ୍ଦେଶକ ଭଳି ବରପୁତ୍ରମାନଙ୍କୁ ଏହି ମାଟି ଜନ୍ମଦେଇଛି। ଏଠାରେ ଗୋଦାବରୀଶ ମିଶ୍ର, ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, କୃତ୍ତିବାସ ପାଟ୍ଟଶାଣୀଙ୍କ ଭଳି ଅନେକ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ହୋଇଛନ୍ତି। ତଥାପି ଏହି ମାଟି ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।

କିଛି ଦିନ ତଳେ ଯୁବ ସମାଜ ସେବୀ ଶେଷଦେବ ବରାଳଙ୍କ ନେତୃତ୍ଵରେ ଅନେକ ଯୁବକ ପଦଯାତ୍ରା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଥିଲେ। ସେତେବେଳେ ଏହା ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିବା ସହିତ ବାଣପୁରିଆଙ୍କ ମନରେ ଆଗ୍ରହ ଦେଖାଦେଇଥିଲା। ଏହାପରେ ନିର୍ବାଚନ ଆସିବାରୁ ଏହି ଅଭିଯାନ ମନ୍ଥର ପଡିଥିଲା। କିନ୍ତୁ ନିର୍ବାଚନ ସମୟରେ ଅନେକ ନେତା ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିବା ଦେଖାଯାଇଥିଲା।

ଅପରପକ୍ଷେ ଦୁଇଟି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତକୁ ନେଇ ବାଣପୁର ତହସିଲ ଗଠିତ। ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ଏହି ଅଞ୍ଚଳବାସୀଙ୍କୁ କୌଣସି କାର୍ଯ୍ୟ ପାଇଁ ଖୋର୍ଦ୍ଧା ଯିବା କଷ୍ଟକର ହୋଇପଡୁଛି। ତେଣୁ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ବହୁ ବର୍ଷ ଧରି ଦାବି ହୋଇଆସୁଥିଲେ ମଧ୍ୟ ପୂର୍ବ ସରକାରମାନେ ଏହାକୁ କର୍ଣ୍ଣପାତ କରିନାହାନ୍ତି। କିନ୍ତୁ ଏଥର ବାଣପୁର ମାଟିର ପୁଅ ପୃଥ୍ବୀରାଜ ହରିଚନ୍ଦନ ବିଜେପି ସରକାରରେ ଆଇନ ମନ୍ତ୍ରୀ ହୋଇଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଅଶାର କିରଣ ଆଣିଦେଇଛି।

ତେବେ ପୂର୍ବତନ ନେତା ମନ୍ତ୍ରୀଙ୍କ ପରି ଏଥର ବି ବାଣପୁରବାସୀ ଧୋକ୍କା ଖାଉଛନ୍ତି ନା ଚିଲିକା ବିଧାୟକ ତଥା ଓଡିଶା ସରକାରର ମନ୍ତ୍ରୀଙ୍କ ଦ୍ଵାରା ଅଞ୍ଚଳବାସୀଙ୍କ ଆଶା ପୂରଣ ହେଉଛି, ତାହା ଦେଖିବା ବାକି ରହିଲା।

Categories
ଆଞ୍ଚଳିକ

ଟାଙ୍ଗୀ: ସ୍ଵାଧୀନତା ଦିବସରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କଲେ ୧୯୯୭ ବ୍ୟାଚର ବିଦ୍ୟାର୍ଥୀ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମଦେବ ବିଦ୍ୟାପୀଠରେ ସ୍ଵାଧୀନତା ଦିବସ ପ୍ୟାରେଡ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟର ପୁରାତନ (୧୯୯୭ ବ୍ୟାଚ) ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଉକ୍ତ ଉତ୍ସବରେ ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି।

ତେବେ ଷଷ୍ଠ ଶ୍ରେଣୀର ସ୍ଵୟମ ବେହେରା, ସପ୍ତମ ଶ୍ରେଣୀର ଜସ୍ମିନ ପ୍ରଧାନ, ଅଷ୍ଟମ ଶ୍ରେଣୀର ଅଂଶୁମାନ ବେହେରା, ନବମ ଶ୍ରେଣୀର ଶୁଭଲକ୍ଷ୍ମୀ ସାମନ୍ତରାୟ ଏବଂ ଦଶମ ଶ୍ରେଣୀରେ ୫୫୨ ନମ୍ବର ସହ ଏ-୧ ଗ୍ରେଡ ହାସଲ କରି ବିଦ୍ୟାଳୟର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦେବାଶିଷ ବେହେରାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୬୩ ନମ୍ବର ସହ ଏ-୧ ଗ୍ରେଡ ହାସଲ କରି ସମଗ୍ର ଟାଙ୍ଗୀ ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଥିବା ସ୍ୱୟମ୍ ପ୍ରକାଶ ମହାପାତ୍ରଙ୍କୁ ଟ୍ରଫି ସହ ୭ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟର ୧୯୯୭ ବ୍ୟାଚର ପୁରାତନ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି। କେବଳ ପାଠ ପଢାରେ ନୁହେଁ ପିଲାମାନଙ୍କର ଅନ୍ୟ ପ୍ରତିଭା ଯଥା- ଖେଳ, ସଙ୍ଗୀତ, କଳା ଇତ୍ୟାଦି କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଓ ଦକ୍ଷତା ଥିବା ପିଲାମାନଙ୍କୁ ସମ୍ମାନିତ କରିବା ପାଇଁ ସେମାନେ ଗତ କିଛିବର୍ଷ ହେବ ପ୍ରୟାସ ଜାରି ରଖିଛନ୍ତି। ତେଣୁ ସେମାନେ ବିଦ୍ୟାଳୟର ମେଧାବୀ ଏବଂ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଆସୁଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱଜିତ୍ ପଲେଇ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ୧୯୭୮ ବ୍ୟାଚର ପୁରାତନ ଛାତ୍ର ରମେଶ କୁମାର ବଳବନ୍ତରାୟ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ବାରିକ ଓ ଅନ୍ୟମାନେ ଯୋଗ ଦେଇଥିଲେ।

୧୯୯୭ ବ୍ୟାଚର ପୁରାତନ ବିଦ୍ୟାର୍ଥୀମାନେ ପ୍ୟାରେଡ୍ ପରିଦର୍ଶନ କରିବା ସହିତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ପରାଧୀନତାର କଷାଘାତରେ ଜର୍ଜରିତ ଜନତା!

ସୁବାସ କୁମାର ତାରଣିଆଁ

ଗତ ଦୁଇବର୍ଷ ଧରି ସାରା ଦେଶରେ ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି ଆମ କଷ୍ଟଲବ୍‌ଧ ସ୍ୱାଧୀନତା ପ୍ରାପ୍ତିର ୭୭ବର୍ଷ ପୂର୍ତ୍ତି ସମାରୋହ ‘ଆଜାଦୀ କି ଅମୃତ ମହୋତ୍ସବ।’ ଏହି ଐତିହାସିକ ଦିବସ ଅବସରରେ ଦେଶର ପ୍ରତ୍ୟେକଟି ନାଗରିକ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ୍ ହୋଇ, ଘରେ ଘରେ ଜାତୀୟ ପତାକା ଉଡ଼ାଇ ଦେଶ ପାଇଁ ପ୍ରାଣବଳୀ ଦେଇ ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣୀୟ କରାଇବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ମହୋତ୍ସବ ଦେଶବିଦେଶରେ ଭାରତୀୟ ନାଗରିକମାନେ ବିଭିନ୍ନ ପ୍ରକାର ଉତ୍ସବ ମନାଇ ସ୍ୱାଧୀନତା ପ୍ରାପ୍ତିର ଜୟଗାନ କରିଛନ୍ତି। ଆଜିକୁ ଠିକ୍ ୭୭ ବର୍ଷ ପୂର୍ବେ ୧୯୪୭ ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରିରେ ପ୍ରଥମ ଥର ପାଇଁ ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲା ଦୁର୍ଗରେ ସ୍ୱାଧୀନ ଭାରତର ତ୍ରିରଙ୍ଗା ଜାତୀୟ ପତାକା ଉତ୍ତୋଳନ ହେବା ସହ ସମଗ୍ର ଦେଶ ହୋଇ ଉଠିଥିଲା ଉତ୍ସବମୁଖର। ଦେଶର କୋଣ ଅନୁକୋଣରେ ସୁସଜ୍ଜିତ ଆଲୋକମାଳା ସାଙ୍ଗକୁ ଆତସବାଜି ଫୁଟାଇ ସ୍ୱାଧୀନତାର ସୂର୍ଯ୍ୟୋଦୟକୁ ସ୍ୱାଗତ ଜଣାଇଥିଲେ କୋଟି କୋଟି ଭାରତୀୟ ଜନତା।

ଆମ ଦେଶ ଭାରତ ଯେତେବେଳେ ବ୍ରିଟିଶ କବଳରେ କରାୟତ ଥିଲା, ସେତେବେଳେ ଇଂରେଜମାନେ ଭାରତୀୟଙ୍କୁ ବହୁ ନିର୍ଯ୍ୟାତନା ଦେଉଥିଲେ, ଭାରତୀୟମାନଙ୍କ ମୌଳିକ ଓ ସାମାଜିକ ଅଧିକାର ଛଡ଼ାଇନେଇ, ସେମାନଙ୍କୁ ନିଜର ଗୋଲାମୀ କରି ରଖିଥିଲେ। ଅନେକ ଲୋକ ସେମାନଙ୍କ ନିର୍ଯ୍ୟାତନା ସହିନପାରି ଜୀବନ ହାରୁଥିଲେ। ତେଣୁ ବ୍ରିଟିଶଙ୍କ କ୍ରୁର ଶାସନ କବଳରୁ ଦେଶକୁ ଛଡ଼ାଇ ଆଣିବାକୁ ଦୀର୍ଘବର୍ଷ ଧରି ଯେଉଁ ଲଢେଇ ଚାଲିଥିଲା, ସେଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକଟି ମହାମାନବ, ଦେଶପ୍ରେମୀ ସାମିଲ୍ ହୋଇ ନିଜ ତ୍ୟାଗ, ନିଷ୍ଠା ଓ ସଂଘର୍ଷର ପ୍ରମାଣ ଦେଇଥିଲେ। ହିନ୍ଦୁ ହେଉ ବା ମୁସ୍‌ଲିମ୍‌, ଶିଖ୍ ହେଉ ବା ଜୈନ ଅବା ଖ୍ରୀଷ୍ଟିୟାନ, ସମସ୍ତେ ଏଥିରେ ନେତୃତ୍ୱ ନେଇଥିଲେ।

ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ସର୍ଦ୍ଦାର ପଟେଲ, ସୁବାଷ ବୋଷ, ଅବୁଲ୍ କାଲାମ ଆଜାଦ, ଆସଫକୁଲ୍ଲା ଖାଁ, ଡ. ଖାଁ ଅବଦୁଲ ଗଫୁର ଖାନ୍‌, ଆସିଫ ଅଲ୍ଲୀ, ଜାକିର ହୁସେନ ପ୍ରମୁଖ ଦେଶପ୍ରେମୀଗଣ ଏକାଠି ହୋଇ ନିଜ ଜୀବନକୁ ବାଜି ଲଗାଇ ବ୍ରିଟିଶ ବିରୋଧୀ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗାନ୍ଧି ଜଣେ ବ୍ୟକ୍ତି ନଥିଲେ, ବରଂ ଥିଲେ ଜଣେ କାଳଜୟୀ, ବିଶ୍ୱ ବିଜୟୀ ବିଚାରଧାରା। ଗାନ୍ଧୀଙ୍କ ନୀତି, ଆଦର୍ଶ, ମାର୍ଗ ଓ ବିଚାର ସହ ମନାନ୍ତର ଥିଲେ ବି ଗାନ୍ଧିଜୀ ସମସ୍ତଙ୍କୁ ଆପଣାର କରି ନେଉଥିଲେ, ସମସ୍ତଙ୍କ କଥା ବୁଝୁଥିଲେ ଭିନ୍ନ ଭିନ୍ନ ମତକୁ ସମ୍ମାନ ଦେବାରେ ଗାନ୍ଧିଜୀ ଥିଲେ ଦୃଢ ଓ ବଦ୍ଧପରକର।

ସଦାଚାର, ସଦ୍‌ଭାବ ଓ ସଂହତି ତାଙ୍କ ବିଚାରର ପ୍ରାଣକେନ୍ଦ୍ର ଥିଲା। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ୍ୟ ଯେ, ଅହିଂସା ଓ ଅସହଯୋଗର ଅମୋଘ ଅସ୍ତ୍ରରେ ଗାନ୍ଧିଜୀ ବ୍ରିଟିଶ ଶାସନକୁ ବିବସ୍ତ୍ର ଓ କବଳିତ କରି ଦେଇଥିଲେ। ଗାନ୍ଧିଜୀଙ୍କର ମୂଳ ମନ୍ତ୍ର ଥିଲା ଅହିଂସା ପରମ ଧର୍ମ। ସମଗ୍ର ଭାରତ ବର୍ଷକୁ ଅହିଂସା ନୀତିରେ ବାନ୍ଧି ରଖିବାକୁ ଗାନ୍ଧିଜୀ ବଦ୍ଧପରିକର ଥିଲେ।

ସବୁ ପ୍ରକାର ଘାତ ଓ ପ୍ରତିଘାତର ସମ୍ମୁଖୀନ ହୋଇ ଅନେକ ଥର ଜେଲ୍ ଦଣ୍ଡ ଭୋଗି ଶେଷରେ ଭାରତକୁ ସ୍ୱାଧୀନ ଆଣିଦେବାରେ ଥିଲା ଗାନ୍ଧିଜୀଙ୍କ ଅତୁଳନୀୟ ଅବଦାନ। ଠିକ୍ ଭାରତକୁ ସ୍ୱାଧୀନତା ଦେବା ପରେ ପରେ ଆତତାୟୀଙ୍କ ଗୁଳିରେ ହେ ରାମ କହି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେତେବେଳେ ଦେଶ ଓ ଦେଶ ପ୍ରେମରେ ଧର୍ମକୁ ନେଇ ଭେଦଭାବ ବା ପାତର ଅନ୍ତର ଦେଖାଯାଉନଥିଲା ବରଂ ହିନ୍ଦୁ ମୁସଲମାନ, ଶିଖ, ଜୈନ ଏକତା ହିଁ ଭାରତର ମୂଳମନ୍ତ୍ର ବୋଲି ବ୍ରିଟିଶ ଶାସକ ହୃଦ୍‌ବୋଧ କରି ଏହି ବନ୍ଧୁତ୍ୱ ଓ ସମ୍ବଳକୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ ସମସ୍ତ ଷଡ଼ଯନ୍ତ୍ର କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ।

ବ୍ରିଟିଶମାନଙ୍କ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବା ପାଇଁ ଦେଶର କୋଟି କୋଟି ଜନତା ଏହି ମହାନ୍ ସଂଗ୍ରାମରେ ସାମିଲ ହୋଇଥିଲେ। ଫଳରେ ଏମାନଙ୍କ ଅକୁଣ୍ଠ ସମର୍ଥନ ଓ ଦେଶପ୍ରେମୀଙ୍କ ବଳିଦାନ ଯୋଗୁ ଆମ ଦେଶ ଭାରତ ବ୍ରିଟିଶ କବଳରୁ ସବୁଦିନ ପାଇଁ ମୁକ୍ତି ପାଇଥିଲୁ ସତ କିନ୍ତୁ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା କିଛି ବ୍ୟକ୍ତି ବା ସଂଗଠକଙ୍କ ହୀନ ପ୍ରୟାସ ନିଶ୍ଚିତ ଭାବେ ନିନ୍ଦନୀୟ ଥିଲା। ସେମାନଙ୍କୁ ଯେତେ ଭର୍ତ୍ସନା କଲେ ତାହା କମ୍ ହେବ। ଏପରି ବିକୃତ ମାନବିକତା ଓ ସଂକୀର୍ଣ୍ଣତା ଆମ ତମାମ ସମାଜକୁ ଏମିତି ସଂକ୍ରମିତ କରିଦେଇଛି ଯେ ଆମେ ଏକପ୍ରକାର ଦୃଷ୍ଟିଶକ୍ତି ହରାଇ ବସିଛୁ!

ଏହାର ଏକ ଉଦାହରଣ ହେଲା ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ କମଳ ଲୋଚନ ସାର୍। କମଳ ଲୋଚନ ସାର୍ ଥିଲେ ଜଣେ ଆଦର୍ଶ ତଥା ଛାତ୍ରବତ୍ସଳ ଶିକ୍ଷକ। ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ସେ ଥିଲେ ବେଶ୍ ପାରଙ୍ଗମ। ସ୍କୁଲ୍‌ର ସବୁ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକମାନେ ସମସ୍ତେ ତାଙ୍କୁ ଭଲ ପାଉଥିଲେ ଓ ସମ୍ମାନ ମଧ୍ୟ ଦେଉଥିଲେ। ସେଥିପାଇଁ କମଳ ଲୋଚନ ସାର୍‌ଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା। ଏକଦା ସ୍କୁଲ୍‌ରେ ପରୀକ୍ଷା ଚାଲିଥିବା ସମୟରେ ସ୍ଥାନୀୟ ମନ୍ତ୍ରୀଙ୍କ ପୁଅ ପରୀକ୍ଷାରେ କପି କରୁଥିବାର ଦେଖି କମଳ ସାର୍ ମନ୍ତ୍ରୀଙ୍କ ପୁଅଠାରୁ କପି ଜବତ କରିଥିଲେ ଏବଂ ପରୀକ୍ଷାରେ କପି ନ କରି, ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଖବର ମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ଏହାର ଭୟଙ୍କର ପରିଣତି କମଳ ସାର୍‌ଙ୍କୁ ଭୋଗିବାକୁ ପଡ଼ିଥିଲା। ତାଙ୍କୁ ମାର୍ଥାପୁର ନାମକ ଏକ ସମ୍ବେଦନଶୀଳ ତଥା ଉତ୍ତେଜନାପ୍ରବଣ ଅଞ୍ଚଳକୁ ବଦଳି କରି ଦିଆଯାଇଥିଲା ଯେଉଁ ଅଞ୍ଚଳରେ ଭିକି ବୋଲି ଏକ ଦୁର୍ଦ୍ଦାନ୍ତ ଅପରାଧୀ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଆଖପାଖ ୫୦ଟି ଗାଁରେ ନିଜର ଅପରାଧ ସାମ୍ରାଜ୍ୟ ଚଳାଇ ଆସୁଥିଲା। ଏପରିକି ଉକ୍ତ ଅଞ୍ଚଳର ଲୋକମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜ ଗାଁରେ ଥିବା ସରକାରୀ ଜମିରେ ଦୋକାନ ଖଣ୍ଡିଏ କରିବାକୁ ହେଲେ ଭିକି ନାଁରେ ହିଁ ଦୋକାନ ଖୋଲିବାକୁ ହୁଏ ଓ ମାସିକିଆ ଦାଦାବଟି ଦେବାକୁ ପଡ଼େ। ଯିଏ ଦାଦାବଟି ହେଉନଥିଲା, ଭିକି ତାକୁ ହତ୍ୟା କରୁଥିଲା। ସେହି ଅଞ୍ଚଳର ଜଣେ ଗରିବ ଲୋକ ଗାଁରେ ଥିବା ନିଜ ପୈତୃକ ଜମିରେ ଭିକିର ବିନା ଅନୁମତିରେ ତାଙ୍କ ମାଆଙ୍କ ନାମରେ ଏକ ଜଳଖିଆ ଦୋକାନ ଖୋଲିବାରୁ, ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଭିିକି ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ଓ ଉକ୍ତ ଥାନାର ଇନିସ୍‌ପେକ୍ଟର ଏହି ଘଟଣାର ତଦନ୍ତ କରିବାରୁ ତାଙ୍କୁ ମଧ୍ୟ ଭିକିର ଲୋକମାନେ ହତ୍ୟା କରିଥିଲେ।

କମଳ ସାର୍‌ଙ୍କ ପୁଅ ଜୀବନ ଯେ କି ଜଣେ ଶିକ୍ଷିତ ଯୁବକ ଏହି ଘଟଣାକୁ ଘୋର ବିରୋଧ କରୁଥିଲେ ମଧ୍ୟ ବାପାଙ୍କ ଆଦର୍ଶ ଯୋଗୁ ଚୁପ୍ ରହିବାକୁ ବାଧ୍ୟ ହେଉଥିଲେ। ସେହି ଅଞ୍ଚଳରେ ସରକାରୀ ଜାଗାରେ ଜଣଙ୍କ ନାମରେ ଏକାଧିକ ଦୋକାନ ଖୋଲିଥିବାରୁ ଜଣେ ତଦନ୍ତକାରୀ ଅଫିସର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାରୁ ତାଙ୍କୁ ଭିକିର ଲୋକମାନେ ହତ୍ୟା କରିବାକୁ ଗୋଡ଼ାଇବାରୁ ଅଫିସର ଜଣକ ନିଜ ଜୀବନ ବଞ୍ଚାଇବାକୁ ଯାଇ କମଳ ସାର୍‌ଙ୍କ ଘରେ ପଶିଯାଇଥିଲେ। ଭିକିର ଲୋକମାନେ କମଳ ସାରଙ୍କ ଘର ଭିତରକୁ ପଶି, ତାଙ୍କର ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରି ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଅଫିସରଜଣଙ୍କୁ ଭିଡ଼ିଆଣି ସାର୍‌ଙ୍କ ଘର ସମ୍ମୁଖରେ ହତ୍ୟା କରିଥିଲେ।

ଏହି ଘଟଣା ପରେ ଜୀବନ ଆଉ ଚୁପ୍ ନରହି ଭିକିର ଲୋକମାନଙ୍କୁ ପାଲଟା ଆକ୍ରମଣ କରିବାରୁ ଜୀବନକୁ ମଧ୍ୟ ଏକ ମିଥ୍ୟା ହତ୍ୟାକାଣ୍ଡରେ ଫଶାଇ ଦେଇ ଜେଲ୍‌କୁ ପଠାଇ ଦିଆଗଲା। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ସାହସ ଜୁଟାଇ ଜୀବନର ଏଭଳି ସାହାସିକତାକୁ ସମର୍ଥନ ଜଣାଇ କୋର୍ଟରେ ଜୀବନକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିଥିଲେ। ନିର୍ଦ୍ଦୋଷ ପ୍ରମାଣିତ ହେଲା ପରେ ଜୀବନ ଦୁର୍ନୀତି ବିରୁଦ୍ଧରେ ଲଢେଇ ଜାରି ରଖି ଶେଷରେ ସବୁଦିନ ପାଇଁ ମନ୍ତ୍ରୀ ଓ ଭିକିର ଆତଙ୍କରାଜ ବନ୍ଦ କରିଦେଇଥିଲେ। ଫଳରେ ମାର୍ଥାପୁରବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା ଓ ସେହିଦିନ ଠାରୁ ଆଉ ଭିକିକୁ ବଟି ଦେବାକୁ ପଡ଼ିନଥିଲା।

ସେହିପରି ମହାମାରୀ କରୋନା ସମୟରେ ଗୁଜୁରାଟର ସୁରତ ସହରରେ ରାତି କର୍ଫ୍ୟୁ ଜାରି ରହିଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ଏବଂ ତାଙ୍କର ୪ଜଣ ସାଙ୍ଗ ଏହାକୁ ଉଲଂଘନ କରି ବିନା ମାସ୍କରେ ବୁଲୁଥିବା ସମୟରେ ସେଠାରେ ନିୟୋଜିତ ଥିବା ମହିଳା କନେଷ୍ଟବଳ ସୁନୀତା ଯାଦବ ସେମାନଙ୍କୁ ଅଟକାଇଥିଲେ ଏବଂ କାହିଁକି ମାସ୍କ ପିନ୍ଧି ନାହାଁନ୍ତି ଓ ସାମାଜିକ ଦୂରତ୍ୱ ନିୟମ ମାନୁନାହାଁନ୍ତି ବୋଲି ପ୍ରଶ୍ନ କରିବାରୁ ଉତ୍ତରରେ ଗାଳି ଶୁଣିଥିଲେ ଓ ମନ୍ତ୍ରୀଙ୍କ ପୁଅକୁ କ୍ଷମା ମାଗିବା ପାଇଁ ତାଙ୍କୁ ବାଧ୍ୟ କରାଯାଇଥଲା। ଗାଳି ଶୁଣି ମଧ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ କ୍ଷମା ମାଗିନଥିଲେ କନେଷ୍ଟବଳ ସୁନୀତା ଯାଦବ। ପରେ ସୁରଟ ପୋଲିସ୍ କମିଶନର ଆର.ବି. ବ୍ରହ୍ମଭଟ୍ଟ ଏସ୍‌.ପି. ସି.କେ. ପଟେଲଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କନେଷ୍ଟବଳ ସୁନୀତାଙ୍କ ବିରେଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ କନେଷ୍ଟବଳ ସୁନିତା ତାଙ୍କ ଚାକିରୀରୁ ଇସ୍ତଫା ଦେଇଥିଲେ।

କରୋନା ସମୟରେ ଅମ୍ଲଜାନ ଅଭାବରୁ ବହୁ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଏହି ସମୟରେ ଜଣେ ଲୋକ ନିଜ ଜେଜେବାପାଙ୍କ ପାଇଁ ଅମ୍ଲଜାନ ଆବଶ୍ୟକ ଥିବା ଟୁଇଟ କରିବା ଯୋଗୁଁ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା। ବିଗତ ଦିନରେ ହାଥରସ ଗଣଦୁଷ୍କର୍ମକାରୀଙ୍କ ବିରୋଧ ଅନ୍ଦୋଳନ କରିଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୨୨ଜଣଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି ଯାହା ଗଣତନ୍ତ୍ର ରାଷ୍ଟ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

ଯେଉଁମାନେ ଗରିବ, ଅସହାୟ ଓ ଦରିଦ୍ର‌୍ୟର ସୀମାରେଖା ତଳେ ବାସ କରୁଥିବା ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସଂଗ୍ରାମ କରୁଛନ୍ତି, ଗରିବ ଲୋକଙ୍କ ମୌଳିକ ଅଧିକାର ଫେରାଇ ଆଣିବା ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି, ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇ ଜେଲ୍‌ରେ ଭର୍ତ୍ତି କରି ଦିଆଯାଉଛି। ତେଣୁ ଯେତେଦିନ ପର୍ଯ୍ୟନ୍ତ ନିଜର ମୌଳିକ ଓ ସାମ୍ବିଧାନିକ ଅଧିକାର ପାଇଁ ମୁହଁ ନଖୋଲିଛ, ସଂଗ୍ରାମ ନକରିଛ, ସେତେଦିନ ପର୍ଯ୍ୟନ୍ତ ରାଜନୀତିରେ ଗୁଣ୍ଡାରାଜ ଚାଲିଥିବ, ଦେଶରେ ଆତଙ୍କରାଜ ଦୁର୍ନୀତି, ବ୍ୟଭିଚାର ବଢିଚାଲିବ ଆଉ ଧର୍ମ ଧର୍ମ ନାଁରେ ଏବଂ ଜାତି ଜାତି ଭିତରେ ହଣାକଟା ଚାଲିଥିବ। ତେଣୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ହେଲେ ଜୀବନଙ୍କ ଭଳି ଅନେକ ସାହାସୀ ଯୁବକ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିବ, ତେବେ ଯାଇ ଆମେ ସ୍ୱାଧୀନ ବୋଲି ଗର୍ବ ଅନୁଭବ କରିବା। ନଚେତ ସେହି ପରାଧିନତାର କଷାଘାତରେ ଜର୍ଜରିତ ହୋଇ ଚାଲିଥିବା।

ମୋ : ୮୩୨୮୮୪୦୨୧୪

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Categories
ଆଜିର ଖବର ରାଜ୍ୟ ଖବର

ସ୍ଵାଧୀନତା ଦିବସରେ ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଏହି ଦିନ ଛୁଟି ପାଇବେ କର୍ମଜୀବି ମହିଳା

ଭୁବନେଶ୍ଵର: ଆଜି ସ୍ଵାଧୀନତା ଦିବସରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ ଘୋଷଣା କରିଛନ୍ତି। କର୍ମଜୀବି ମହିଳାମାନଙ୍କ ପାଇଁ ଉପ-ମୁଖ୍ୟମନ୍ତ୍ରୀ ଛୁଟି ଘୋଷଣା କରିଛନ୍ତି। ଋତୁସ୍ରାବ ପାଇଁ କର୍ମଜୀବି ମହିଳାମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦିନେ ଛୁଟି ଘୋଷଣା କରିଛନ୍ତି।

କଟକଠାରେ ସ୍ବାଧୀନତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବଡ଼ ଘୋଷଣା କରିଛନ୍ତି। ଏଣିକି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଗୋଟିଏ ଦିନ ଛୁଟି ମିଳିବ। ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ୱାସ୍ଥ୍ୟ ନୀତି ଆଣିବାକୁ ଯାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭଗତ ସିଂଙ୍କ ଏକ ନାଟକର ଅଭ୍ୟାସ ବେଳେ ଅଘଟଣ: ଷ୍ଟୁଲରୁ ଖସି ପଡ଼ିବାରୁ ବେକରେ ଲାଗିଗଲା ରଶି, ନାବାଳକ ମୃତ

ନୂଆଦିଲ୍ଲୀ; ଅଗଷ୍ଟ ୧୫ ତାରିଖ ଉପଲକ୍ଷେ ଶହୀଦ ଭଗତ ସିଂଙ୍କ ଉପରେ ନାଟକ କରିବା ପାଇଁ ଅଭ୍ୟାସ କରୁଥିବା ଜଣେ ନାବାଳକଙ୍କ ବେକରେ ରଶି ଲାଗି ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ଜନପଦ ବନ୍ଦାୟୁ ଜିଲ୍ଲାର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

କୁନୱାରଗାଓଁ ଥାନା ଅଞ୍ଚଳର ବାବାଟ ନିବାସୀ ଭୁରେ ସିଂଙ୍କ ୧୦ ବର୍ଷର ପୁଅ ଶିବମ ଗୁରୁବାର ଦିନ ଘରେ ଏକୁଟିଆ ଥିଲେ। ଏହା ପରେ ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନେ ମଧ୍ୟ ତାଙ୍କ ଘରକୁ ଆସିଥିଲେ। ଏବଂ ସ୍ଵାଧୀନତା ଦିବସ ଉପଲକ୍ଷେ ସର୍ଦ୍ଦାର ଭଗତ ସିଂ ନାଟକ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ସେତେବେଳେ ମୃତ ନାବାଳକଙ୍କ ମାଆ ଆରତୀ ଏବଂ ବାପା କ୍ଷେତକୁ କାମ କରିବାକୁ ଯାଇଥିଲେ। ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଉପଲକ୍ଷେ ପିଲାମାନେ ସର୍ଦ୍ଦାର ଭାଗବତ ସିଂଙ୍କ ସହ ଜଡିତ ଏକ ନାଟକର ଅଭ୍ୟାସ କରୁଥିଲେ। ସର୍ଦ୍ଦାର ଭାଗବତ ସିଂ ଭୂମିକାରେ ଶିବମ ଅଭିନୟ କରୁଥିଲେ। ଏହି ସମୟରେ ରଶି ଯୋଗୁଁ ଶିବମ ଜୀବନ ହରାଇଥିଲେ। ଏହି ଘଟଣା ପରେ ପିଲାମାନେ ସାହାଯ୍ୟ ପାଇଁ ନିକଟସ୍ଥ ଲୋକଙ୍କୁ ଡାକିବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଲୋକେ ପହଞ୍ଚିଥିଲେ ମଧ୍ୟ ନାବାଳକଙ୍କ ଜୀବନ ବଞ୍ଚାଇପାରିନଥିଲେ।