Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଇକନିକ ସପ୍ତାହ ପାଳନ କରିବ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଏବଂ ଭାରତର ନାଗରିକ, ସଂସ୍କୃତି ଓ ସଫଳତାର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ କରିବା ଲାଗି ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଇଥିବା ଅଭିଭାଷଣରେ ନିଜ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ଲାଗି ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଆହ୍ବାନ କରିଥିଲେ। ଭାରତର ସମୃଦ୍ଧ ଏବଂ ଗୌରବଶାଳୀ ଇତିହାସ ରହିଛି, ଯେଉଁଥିରେ ଅଭୂତପୂର୍ବ ସାହସ, ବୀରତ୍ୱ, ବଳିଦାନ, ତପସ୍ୟା, ଯୁଦ୍ଧ ଏବଂ ବିଜୟୀ ନାୟକମାନଙ୍କର କାହାଣୀ ପରିପୂର୍ଣ୍ଣ ହୋଇଛି। ମା’ ଭାରତୀର ସେପରି ଜଣେ ମହାନ ସୁପୁତ୍ର ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯାହାଙ୍କର ସ୍ୱାଧୀନତା ଆନ୍ଦୋଳନରେ ଅମୂଲ୍ୟ ଯୋଗଦାନ ରହିଥିଲା ଏବଂ ସେ ଅନେକ ପିଢ଼ିର ଭାରତୀୟଙ୍କୁ ଅନୁପ୍ରାଣିତ କରିବା ସହିତ ଦେଶବାସୀଙ୍କ ମନରେ ଗୌରବର ଭାବନା ସୃଷ୍ଟି କରିଥିଲା।

ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅମୃତ ମହୋତ୍ସବ ଆଇକନିକ କାର୍ଯ୍ୟକ୍ରମ ସପ୍ତାହ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ପାଳନ କରାଯିବ। ସ୍ୱାଧୀନତା ଆନ୍ଦୋଳନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଯୋଗଦାନ ଏବଂ  ତାଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଏହି ଅବସରରେ ଆୟୋଜନ କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ୨୩ ଜାନୁଆରୀ ୨୦୨୩ରେ ଆଣ୍ଡାମାନ ନିକୋବାର ଦ୍ୱୀପ ସମୂହର ପୋର୍ଟବ୍ଲେୟାର ଠାରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏବଂ କେନ୍ଦ୍ରୀ ପୁଲିସ ସଂଗଠନ ସମେତ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହ, ମଣିପୁର, ନାଗାଲାଣ୍ଡ, ଗୁଜରାଟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ନେତାଜୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏସବୁ ସ୍ଥାନ ନେତାଜୀଙ୍କ ଜୀବନ ଓ କାର୍ଯ୍ୟ ସହ ଜଡ଼ିତ। ଜାନୁଆରୀ ୧୭ ତାରିଖରେ ମଣିପୁରର ମନ୍ତ୍ରୀପୁଖରୀ, କେଥାଲମାନବୀ, କାଙ୍ଗୱାଇ, ମୋଇରାଙ୍ଗ ଏବଂ ନାମ୍ବେଲରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜାନୁଆରୀ ୧୮ ତାରିଖରେ ନାଗାଲାଣ୍ଡ କୋହିମାସ୍ଥିତ ରୁଜାଝୋ ଏବଂ ଚେସେଜୁ ଗ୍ରାମରେ, ଜାନୁଆରୀ ୧୯ ତାରିଖରେ ଗୁଜରାଟର ହରିପୁରା, ବର୍ଦୋଲି ଏବଂ ସୁରତ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଓଡ଼ିଶାର କଟକ ଠାରେ ଜାନୁଆରୀ ୨୦ ତାରିଖରେ ଏବଂ ଜାନୁଆରୀ ୨୧ ତାରିଖରେ କୋଲକାତା ଠାରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଇକନିକ ସପ୍ତାହ ଅବସରରେ ଏସବୁ ସ୍ଥାନରେ ଭାରତର ସ୍ୱାଧୀନତାରେ ନେତାଜୀଙ୍କର ଅମୂଲ୍ୟ ଯୋଗଦାନକୁ ଆଧାର କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।

ଜନଭାଗିଦାରୀ ଭାବନାକୁ ନେଇ ଏସବୁ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଜନସାଧାରଣଙ୍କୁ ସାମିଲ କରାଯିବ, ଯାହାଫଳରେ ଦେଶର ନାଗରିକମାନେ ଆମର ଜାତୀୟ ନାୟକଙ୍କ ଠାରୁ ପ୍ରେରଣା ଲାଭ କରିପାରିବେ ଏବଂ ସେମାନଙ୍କ ଆଦର୍ଶକୁ ଅନୁସରଣ କରିବେ।

ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭାରତ ସ୍ୱାଧୀନତା ଲାଭ କରିବାର ଯଥେଷ୍ଟ ପୂର୍ବରୁ ୩୧.୧୨.୧୯୪୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ପାଇଁ ଏହି ସ୍ଥାନରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଯୋଗଦାନ ଏବଂ ତାଙ୍କ ଜୀବନୀର ସ୍ମୃତିଚାରଣ କରିବା ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ତାଙ୍କର ଉଚ୍ଚ ବିଚାରକୁ ସ୍ମରଣ କରିବା ଏବଂ ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀରୁ ପ୍ରେରଣା ଲାଭ କରିବା ଲାଗି ସବୁ ଦେଶବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉଗ୍ରବାଦ ବିରୋଧରେ ଦେଶବ୍ୟାପୀ ଜାରି ରହିଥିବା ସଂଘର୍ଷରେ ସୁରକ୍ଷା ବାହିନୀର ନିର୍ଣ୍ଣାୟକ ବିଜୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାମପନ୍ଥୀ ଉଗ୍ରବାଦ ମୁକ୍ତ ଭାରତ ପରିକଳ୍ପନା ଏବଂ ଆତଙ୍କବାଦ ବିରୋଧରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶୂନ୍ୟ ସହନଶୀଳତା ନୀତିକୁ କାର୍ଯ୍ୟକାରୀ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ସେମାନେ ଦେଶବ୍ୟାପୀ ବାମପନ୍ଥୀ ଉଗ୍ରବାଦ ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇଛନ୍ତି। ମାଓବାଦ ଓ ନକ୍ସଲବାଦ ବିରୋଧରେ ଜାରି ରହିଥିବା ଅନ୍ତିମ ପର୍ଯ୍ୟାୟ ନିର୍ଣ୍ଣାୟକ ଲଢ଼େଇରେ ସୁରକ୍ଷାବାହିନୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

ବାମପନ୍ଥୀ ଉଗ୍ରବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତିକୁ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ‘ବୁଢ଼ାପାହାଡ଼’ ଏବଂ ବିହାରର ସମ୍ପୂର୍ଣ୍ଣ ଅପହଞ୍ଚ ଇଲାକା ଚକ୍ରାବନ୍ଧ ଓ ଭୀମାବନ୍ଧକୁ ସୁରକ୍ଷାବାହିନୀ କବଜାକୁ ଆଣିବାରେ ସଫଳ ହୋଇଛନ୍ତି। ମାଓବାଦୀଙ୍କ ଗଡ଼ ଭୁଶୁଡ଼ିଛି ଏବଂ ସୁରକ୍ଷାବାହିନୀ ଏଠାରେ ସ୍ଥାୟୀ ଶିବିର ପ୍ରତିଷ୍ଠା କରିପାରିଛନ୍ତି। ଏସବୁ ଅଞ୍ଚଳ ଶୀର୍ଷ ମାଓନେତାଙ୍କ ଗଡ଼ ଥିଲା। ସୁରକ୍ଷା ବାହିନୀ ଦ୍ୱାରା ଏହି ତିନୋଟି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ବିଦେଶୀ ଗ୍ରେନେଡ, ଏରୋ ବୋମା ଏବଂ ଆଇଇଡି ଜବତ କରାଯାଇଛି।

୨୦୧୯ ପରଠାରୁ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଏକ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁରକ୍ଷା ଏଜେନ୍ସି ଏବଂ ଏମାନଙ୍କ ସହ ଜଡ଼ିତ ସଂସ୍ଥା ମିଶି ସମନ୍ୱିତ ଉଦ୍ୟମ ଏବଂ ଅଭିଯାନ ଆରମ୍ଭ କରିଥିଲେ। ଏହି ମିଳିତ ପ୍ରୟାସକୁ ଅଭୂତପୂର୍ବ ସଫଳତା ମିଳିଛି। ଦେଶରେ ଅନେକାଂଶରେ ବାମପନ୍ଥୀ ଉଗ୍ରବାଦର ପ୍ରଭାବ ହ୍ରାସ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ନିର୍ଣ୍ଣାୟକ ସଫଳତା ପାଇଁ ସିଆରପିଏଫ ଏବଂ ରାଜ୍ୟ ସୁରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି ଯେ, ବାମପନ୍ଥୀ ଉଗ୍ରବାଦ ଓ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଏହି ଲଢ଼େଇ ଆଗକୁ ଆହୁରି ସକ୍ରିୟ ତଥା ବ୍ୟାପକ ହେବ।

୨୦୨୨ରେ ବାମପନ୍ଥୀ ଉଗ୍ରବାଦୀଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ଅପରେସନ ଅକ୍ଟୋପସ, ଅପରେସନ ଡବଲ ବୁଲ, ଅପରେସନ ଚକ୍ରାବନ୍ଧ ଜରିଆରେ ସୁରକ୍ଷାବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି। ଛତିଶଗଡ଼ରେ ୭ ମାଓବାଦୀ ନିହତ ହୋଇଛନ୍ତି ଏବଂ ୪୩୬ ଜଣ ମାଓବାଦୀଙ୍କ ଗିରଫଦାରୀ/ଆତ୍ମସମର୍ପଣ ହୋଇଛି। ଝାଡ଼ଖଣ୍ଡରେ ୪ ମାଓବାଦୀ ନିହତ ହୋଇଥିବାବେଳେ ୧୨୦ ମାଓବାଦୀ ଗିରଫ ହୋଇଛନ୍ତି କିମ୍ବା ଆତ୍ମସମର୍ପଣ କରିଛନ୍ତି। ବିହାରରେ ୩୬ ମାଓବାଦୀଙ୍କ ଗିରଫଦାରୀ/ ଆତ୍ମସମର୍ପଣ ହୋଇଥିବା ସୁରକ୍ଷାବାହିନୀ ପକ୍ଷରୁ ସୂଚନା ମିଳିଛି। ସେହିପରି ମଧ୍ୟପ୍ରଦେଶରେ ସୁରକ୍ଷାବାହିନୀ ଦ୍ୱାରା ନିହତ ହୋଇଛନ୍ତି ୩ ମାଓବାଦୀ। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ମାଓବାଦୀଙ୍କ ମୁଣ୍ଡ ଉପରେ ଥିଲା ଲକ୍ଷ ଲକ୍ଷ, କୋଟି  କୋଟି ଟଙ୍କାର ପୁରସ୍କାର ରାଶି। ଏମାନଙ୍କ ମଧ୍ୟରେ ଥିଲେ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିବା ମିଥିଲେଶ ମାହତୋ ଭଳି କୁଖ୍ୟାତ ମାଓବାଦୀ।

ଏସବୁ ଅପରେସନକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପଦକ୍ଷେପ କାରଣରୁ ବିହାରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ସୁରକ୍ଷା କ୍ଷେତ୍ରରେ ରହିଥିବା ଶୂନ୍ୟସ୍ଥାନ ଭରଣା କରାଯାଇପାରିଛି ଏବଂ ଏସବୁ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦୀମାନଙ୍କ ଗଡ଼ ଭୁଶୁଡ଼ିଛି। ଏହି ରଣନୀତିକୁ ଅନୁସରଣ କରି, ଅନ୍ୟ ରାଜ୍ୟରେ ମଧ୍ୟ ସୁରକ୍ଷାବାହିନୀର ସ୍ଥିତି ସୁଦୃଢ଼ ହୋଇଛି। ମାଓ ହିଂସା ଘଟଣା ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରବଣ ଭୌଗଳିକ କ୍ଷେତ୍ରର ପରିସୀମା ହ୍ରାସ ପାଇଛି।

୨୦୧୮ ତୁଳନାରେ ବାମପନ୍ଥୀ ଉଗ୍ରବାଦ ଜନିତ ହିଂସା ଘଟଣା ୩୯% ହ୍ରାସ ପାଇବା ସୁରକ୍ଷାବାହିନୀର ଏହି ଲଢ଼େଇ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଥିବାର ପ୍ରମାଣ ଦେଉଛି। ସୁରକ୍ଷାବାହିନୀର ବଳିଦାନ ଘଟଣାରେ ୨୬% ହ୍ରାସ ପାଇଛି। ନାଗରିକଙ୍କ ମୃତ୍ୟୁ ଘଟଣା ୪୪% କମିଥିବା ବେଳେ ମାଓହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୪% ହ୍ରାସ ପାଇବା ସହ ୨୦୨୨ରେ ଏଭଳି ଜିଲ୍ଲା ସଂଖ୍ୟା ୩୯କୁ କମିଛି।

୨୦୧୪ ତୁଳନାରେ ମାଓବାଦୀ ହିଂସା ଘଟଣା ୭୭ ପ୍ରତିଶତକୁ ହ୍ରାସ ପାଇଛି। ୨୦୦୯ରେ ଏଭଳି ୨୨୫୮ଟି ହିଂସା ଘଟଣା ଘଟିଥିଲା ଯାହାକି ୨୦୨୧ରେ ୫୦୯କୁ ହ୍ରାସ ପାଇଛି। ହିଂସାଜନିତ ମୃତ୍ୟୁ ହାର ମଧ୍ୟ ୮୫ ପ୍ରତିଶତ କମିଛି। ୨୦୧୦ରେ ମାଓ ହିଂସା ଜନିତ ମୃତ୍ୟୁ ସଂଖ୍ୟା ୧୦୦୫ ଥିଲା ଯାହାକି ୨୦୨୧ରେ ୧୪୭କୁ ହ୍ରାସ ପାଇଛି। ୨୦୧୦ରେ ଦେଶରେ ୯୬ଟି ମାଓ ପ୍ରଭାବିତ ଜିଲ୍ଲା ଥିବା ବେଳେ ୨୦୨୨ରେ ଏହା ମାତ୍ର ୩୯କୁ ହ୍ରାସ ପାଇଛି।