Categories
ଜାତୀୟ ଖବର ବିଶେଷ ଖବର

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି: ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଭାରତ ସରକାର ଘୋଷଣା କରିଛନ୍ତି। ଏହି ଉପଲକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି। ରାଞ୍ଚି ଠାରେ ନିର୍ମାଣ କରାଯାଇଥିବା ଏହି ସଂଗ୍ରହାଳୟ ତଥା ଉଦ୍ୟାନକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ। ଝାଡ଼ଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ଏହି ଅମୃତ କାଳରେ, ଭାରତର ଜନଜାତି ପରମ୍ପରା ଏବଂ ଏହାର ଗୌରବଶାଳୀ କାହାଣୀକୁ ଅଧିକ ଅର୍ଥପୂର୍ଣ୍ଣ ଏବଂ ବ୍ୟାପକ ପରିଚୟ ଦେବା ଲାଗି ଦେଶ ନିଷ୍ପତ୍ତି ନେଇସାରିଛି। ଏଥିପାଇଁ, ପ୍ରତି ବର୍ଷ ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଐତିହାସିକ ନିଷ୍ପତ୍ତି ଆଜି ଠାରୁ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଐତିହାସିକ ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଯାହାଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଝାଡ଼ଖଣ୍ଡ ରାଜ୍ୟ ଗଠନ ସମ୍ଭବ ହୋଇପାରିଛି। ଶ୍ରୀ ମୋଦୀ କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀ ହିଁ ପ୍ରଥମ ଥର ଲାଗି ଦେଶର ସରକାରରେ ଜନଜାତିଙ୍କ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିଥିଲେ ଏବଂ ଦେଶର ନୀତି ନିର୍ମାଣ ସହିତ ଜନଜାତିମାନଙ୍କ ସ୍ୱାର୍ଥକୁ ଯୋଡ଼ି ପାରିଥିଲେ।

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପାଇଁ ଦେଶର ଜନଜାତି ସମାଜ, ଭାରତର ପ୍ରତ୍ୟେକ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, “ଏହି ସଂଗ୍ରହାଳୟ ବିବିଧତାରେ ପରିପୂର୍ଣ୍ଣ ଆମ ଜନଜାତି ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ ହେବ, ଏହା ସ୍ୱାଧୀନତା ସଂଗ୍ରାମରେ ଆମ ଜନଜାତି ନାୟକ ଓ ନାୟିକାମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରିବ।”

ଭଗବାନ ବିର୍ସା ମୁଣ୍ଡାଙ୍କ ଦୂରଦୃଷ୍ଟି ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡା ଜାଣିଥିଲେ ଯେ ଆଧୁନିକତାର ନାମରେ ବିବିଧତା, ପ୍ରାଚୀନ ପରିଚୟ ଏବଂ ପ୍ରକୃତିକୁ ନଷ୍ଟ କରିବା ଦ୍ୱାରା ସମାଜର କଲ୍ୟାଣ ହୋଇପାରିବ ନାହିଁ। ଏଥିସହିତ ସେ ଆଧୁନିକ ଶିକ୍ଷାର ଜଣେ ସମର୍ଥକ ଥିଲେ ଏବଂ ନିଜ ସମାଜରେ ରହିଥିବା କଳୁଷତା ଏବଂ କୁପ୍ରଥା ବିରୋଧରେ ମୁହଁ ଖୋଲିବା ଲାଗି ସେ ସାହସ କରିପାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ କ୍ଷମତା ହସ୍ତାନ୍ତର କରିବା ଏବଂ ଭାରତୀୟମାନଙ୍କ ହାତରେ ଭାରତ ପାଇଁ ନିଷ୍ପତ୍ତି ନେବାର ଶକ୍ତି ଦେବା ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ଥିଲା। କିନ୍ତୁ, ଏଥିସହିତ ‘ଧରତୀ ଆବା’ (ବିର୍ସା ମୁଣ୍ଡା)ଙ୍କ ପାଇଁ ସଂଘର୍ଷର ଲକ୍ଷ୍ୟ ଥିଲା ଭାରତୀୟ ଜନଜାତି ସମାଜର ପରିଚୟକୁ ନଷ୍ଟ କରିବା ଲାଗି ହେଉଥିବା ଉଦ୍ୟମ ବିରୋଧରେ ସ୍ୱର ଉତ୍ତୋଳନ କରିବା।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, “ଭଗବାନ ବିର୍ସା ମୁଣ୍ଡା ସମାଜ ପାଇଁ ବଞ୍ଚିଥିଲେ, ନିଜର ସଂସ୍କୃତି ଓ ଦେଶ ପାଇଁ ନିଜ ଜୀବନକୁ ବଳୀଦାନ ଦେଇଥିଲେ। ତେଣୁ ସେ ଆଜି ମଧ୍ୟ ଆମ ବିଶ୍ୱାସରେ, ଆମ ଭାବନାରେ ଆମର ଭଗବାନ ଭାବେ ଜୀବିତ ଅଛନ୍ତି।” ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଯେ, ଧରତୀ ଆବା ଏ ଦୁନିଆରେ ବେଶୀଦିନ ପର୍ଯ୍ୟନ୍ତ ବଞ୍ଚିନଥିଲେ। କିନ୍ତୁ ସେ ସ୍ୱଳ୍ପ ସମୟର ଜୀବନକାଳ ମଧ୍ୟରେ ସେ ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ଇତିହାସ ରଚନା କରିଯାଇଛନ୍ତି ଏବଂ ଭାରତର ଅନେକ ପିଢ଼ିକୁ ମାର୍ଗଦର୍ଶନ କରିଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଭାରତ ସରକାର ଘୋଷଣା କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୫ ତାରିଖ ପୂର୍ବାହ୍ନ ୯ ଟା ୪୫ ମିନିଟ୍ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଞ୍ଚି ଠାରେ ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ ସର୍ବଦା ଜନଜାତି ସମୁଦାୟଙ୍କ ମୂଲ୍ୟବାନ ଯୋଗଦାନ ବିଶେଷ କରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ବିଶେଷ ଭୂମିକା ଉପରେ ଗୁରୁତ୍ୱାରୋପ କରିଆସିଛନ୍ତି। ୨୦୧୬ ରେ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭୂମିକା ଉପରେ ଜୋର ଦେଇଥିଲେ ଏବଂ ସାହସୀ ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ମୃତିରେ ସଂଗ୍ରହାଳୟ ନିର୍ମାଣ କରିବା ଲାଗି ପରିକଳ୍ପନା କରିଥିଲେ। ଯାହାଫଳରେ ପରବର୍ତ୍ତୀ ପିଢ଼ି ଦେଶ ପାଇଁ ସେମାନଙ୍କର ବଳିଦାନ ବିଷୟରେ ଜାଣିବାକୁ ପାଇପାରିବେ। ଏହି ସଂଗ୍ରହାଳୟରେ ବିଭିନ୍ନ ରାଜ୍ୟ ଓ କ୍ଷେତ୍ରର ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ମୃତିର ପ୍ରତୀକ ରହିବ।

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଝାଡ଼ଖଣ୍ଡର ରାଞ୍ଚି ପୁରୁଣା କେନ୍ଦ୍ରୀୟ କାରଗାର ନିକଟରେ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି। ଏହି ଠାରେ ଭଗବାନ ବିର୍ସା ମୁଣ୍ଡା ଦେଶମାତୃକା ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ। ଦେଶ ପ୍ରତି ତାଙ୍କର ଏବଂ ଜନଜାତି ସମୁଦାୟର ବଳିଦାନ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳି ଭାବେ ବିବେଚିତ ହେବ। ଏହି ସଂଗ୍ରହାଳୟ ଜନଜାତି ସମୁଦାୟର ସଂସ୍କୃତି ଓ ଇତିହାସର ସଂରକ୍ଷଣ ଏବଂ ପ୍ରୋତ୍ସାହନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଜନଜାତି ସମୁଦାୟର ଲୋକମାନେ କିଭଳି ଭାବେ ସେମାନଙ୍କର ଜଙ୍ଗଲ, ଜଙ୍ଗଲ ଅଧିକାର, ସେମାନଙ୍କର ସଂସ୍କୃତିର ସଂରକ୍ଷଣ ପାଇଁ ସଂଗ୍ରାମ କରିଥିଲେ ତାହା ପ୍ରଦର୍ଶିତ କରିବ। ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କର ସାହସ ଓ ବଳିଦାନକୁ ମଧ୍ୟ ଏହା ପ୍ରଦର୍ଶିତ କରିବ।

ଏହି ସଂଗ୍ରହାଳୟରେ ଭଗବାନ ବିର୍ସା ମୁଣ୍ଡାଙ୍କ ସମେତ ବିଭିନ୍ନ ଆନ୍ଦୋଳନ ସହ ଜଡ଼ିତ ଅନ୍ୟ ଜନଜାତି ସ୍ୱାଧୀନତା ସଂଗ୍ରାମୀ ଶହୀଦ ବୁଦ୍ଧୁ ଭଗତ, ସିଦ୍ଧୁ-କାହ୍ନୁ, ନୀଳାମ୍ବର-ପିତାମ୍ବର, ଦିୱା-କିସୁନ, ତେଲଙ୍ଗା ଖାଡ଼ିୟ, ଗୟା ମୁଣ୍ଡା, ଯାତ୍ରା ଭଗତ, ପୋଟୋ ଏଚ, ଭଗୀରଥ ମାଞ୍ଝୀ, ଗଙ୍ଗା ନାରାୟଣ ସିଂ ପ୍ରମୁଖଙ୍କ ସ୍ମୃତି ପ୍ରଦର୍ଶିତ ହେବ। ସଂଗ୍ରହାଳୟରେ ମଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୨୫ ଫୁଟର ମୂର୍ତ୍ତି ଏବଂ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜନଜାତି ସ୍ୱାଧୀନତା ସଂଗ୍ରାମୀମାନଙ୍କର ୯ ଫୁଟର ମୂର୍ତ୍ତି ସ୍ଥାପନ କରାଯିବ।

ସଂଗ୍ରହାଳୟ ଚାରି ପାଖରେ ଥିବା ୨୫ ଏକର ସ୍ଥାନରେ ସ୍ମୃତି ଉଦ୍ୟାନ ବିକଶିତ କରାଯାଇଛି ଏବଂ ଏଥିରେ ମ୍ୟୁଜିକାଲ ଫାଉଣ୍ଟେନ, ଫୁଡ୍ କୋର୍ଟ, ଶିଶୁ ଉଦ୍ୟାନ, ଇନଫିନିଟି ପୁଲ, ବଗିଚା ଏବଂ ଅନ୍ୟାନ୍ୟ ମନୋରଞ୍ଜନ ସୁବିଧା ରହିଛି।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ।