Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀ ହତ୍ୟା ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡ ଆଦେଶ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ କଣ୍ଟେଇକୁଳି ଗ୍ରାମର ଏନ୍ ଗଣେଶ ନାମରେ ଜଣେ ବ୍ୟକ୍ତିକୁ ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଗଣେଶ ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଡେରା ସାସିର ଏନ୍ ଲତା ନାମ୍ନୀ ଜଣେ ଝିଅକୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗଣେଶ ତାର ମାଁ ଓ ବଡ଼ ଭାଇ ସମସ୍ତେ ମିଶି ସ୍ତ୍ରୀ ଲତାକୁ ଶାରୀରିକ ଓ ମାନସିକ ନିର୍ଯାତନା ସହ ଅଧିକ ଟଙ୍କା ଓ ସୁନା ବାପଘରୁ ଆଣିବା ପାଇଁ ଚାପ ପକାଉଥିଲେ। ଏହି ଭଳି ପରିସ୍ଥିତି ରେ ଦିନେ ଲତାକୁ ସମସ୍ତେ ମିଶି ଶ୍ଵାସରୁଦ୍ଧ କରି ମାରିଦେବା ସହ ଲତାର ସମ୍ପର୍କୀୟ ଘରକୁ ଖବର ଜଣାଇଦେଇ ତରବରିଆ ଭାବେ ନିଜର କିଛି ବନ୍ଧୁଙ୍କ ସହ ଗାଁ ଶ୍ମଶାନରେ ଶବ ସତ୍କାର କରିଦେଇଥିଲେ। ଏହି ଖବର ଜାଣିବା ପରେ ଲତାର ଭାଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଗ୍ରହଣ କରି ପୋଲିସ ଏତଲା ନଂ ୨୩୧/୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ପ୍ରଥମେ ଅଭିଯୁକ୍ତର ମାଁ, ଭାଇ ଓ ଶବ ସତ୍କାରରେ ସହଯୋଗ କରିବା ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଗଣେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତତ୍କାଳୀନ ଥାନା ଅଧିକାରୀ ତଥା ବର୍ତ୍ତମାନ ପୁରୀ ଏସ୍ ଡି ପି ଓ ଘଟଣା ର ତଦନ୍ତ ଚଳାଇ ଅଭିଯୁକ୍ତ ମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଗଣେଶକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।