Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ପୁରୀରେ ହବିଶ୍ୟାଳିଙ୍କ କାର୍ତ୍ତିକ ବ୍ରତ ସେବା କେନ୍ଦ୍ରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ୍ରେସିଂ ଜରିଆରେ ପୁରୀରେ ହବିଶ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତ ସେବା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଶ୍ୟାଳି ମାନେ ଏକତ୍ରିତ ହୋଇଛନ୍ତି।

ବ୍ରତ ପାଇଁ ହବିଶ୍ୟାଳିମାନଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଭଲରେ ବ୍ରତ କରନ୍ତୁ, ଶାନ୍ତିରେ ବ୍ରତ କରନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ। ଆପଣମାନେ ଆଶୀର୍ବାଦ ପାଇଲେ, ସାରା ଓଡିଶାକୁ ଆଶୀର୍ବାଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ତ୍ତିକ ମାସ ଧର୍ମ ମାସ, ବହୁତ ପବିତ୍ର ବୋଲି ମତ ଦେଇ ସେ କହିଲେ ଯେ ଏ ମାସରେ ମା ମାନେ ଆନନ୍ଦରେ ବ୍ରତ ପାଳନ କରିବେ ବୋଲି ତାଙ୍କର ପୁରା ବିଶ୍ୱାସ।

ମା ମାନଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୩୦୦୦ରୁ ଅଧିକ ମା’ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ରହିବାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ପ୍ରଭୃତି ସବୁ ବ୍ୟବସ୍ଥା ହୋଇଛି। ଆପଣମାନଙ୍କ ସେବା ପାଇଁ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିରୁ ଆଜି ମା ମାନଙ୍କ ପାଇଁ ସବୁ ସୁବିଧା ହୋଇ ପାରିଛି। ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ, ସ୍ବେଛାସେବୀ ସମସ୍ତେ ସହଯୋଗ ଯୋଗାଇ ଦେଉଛନ୍ତି।

କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା କହିଲେ ଯେ ମହିଳା କଲ୍ୟାଣକାରୀ ଯୋଜନାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଆଦର୍ଶ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ଯୋଗୁ ଓଡ଼ିଶା ଆଜି ନାରୀ ଶକ୍ତିର ବିକାଶରେ ଅଗ୍ରଣୀ।

ଏହି କାର୍ଯ୍ୟକ୍ରମରେ କଟକର ଅହଲ୍ୟା ଆଚାର୍ଯ୍ୟ, ନବରଙ୍ଗପୁରର ପାର୍ବତୀ ହରିଜନ ଓ ଗଞ୍ଜାମର ରାଧା ଦେବୀ ପଣ୍ଡା ପ୍ରମୁଖ ହବିଶ୍ୟାଳି ମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଲେ ଯେ ପୂର୍ବରୁ କାର୍ତ୍ତିକ ବ୍ରତ ପାଇଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଖାଇବା, ଯିବା ଆସିବା, ଭଜନ କୀର୍ତ୍ତନ ସବୁ ସୁବିଧା କରିଛନ୍ତି । ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ସେମାନେ କାମନା କରିଥିଲେ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୂଚନା ଯୋଗ୍ୟ ଯେ ପୁରୀରେ କାର୍ତ୍ତିକ ମାସରେ ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଶ୍ୟାଳି ମାନେ ଆସିଥାନ୍ତି। ସେମାନଙ୍କ ଅସୁବିଧାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ୨୦୧୬ରୁ ହବିଶ୍ୟାଳି ଯୋଜନା ଆରମ୍ଭ କରିଛନ୍ତି। ଗତ ବର୍ଷ ଠାରୁ ସେମାନଙ୍କ ରହିବାର ସୁବିଧା ପାଇଁ ସାତ ମହଲା ବିଶିଷ୍ଟ ଏକ ଭବନ ନିର୍ମାଣ କରାଯାଇଛି।

ଏହା ବୃନ୍ଦାବତୀ ନିବାସ ନାମରେ ନାମିତ। ଏଠାରେ ରହି ମା ମାନେ ରାଇ ଦାମୋଦର ବ୍ରତ କରିଥାନ୍ତି। ପୁରୀରେ ହବିଶ୍ୟାଳି ମାନଙ୍କ ରହିବା ପାଇଁ ଏହା ସହିତ ବଗଲା ଧର୍ମଶାଳା, ବାଗିଡିଆ ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ରେ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଗଣ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ପୁରୀ ହବିଷ୍ୟାଳିଙ୍କ ବୃନ୍ଦାବତୀ ନିବାସକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ରହିବା ଖାଇବା ମାଗଣା

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ଉପଲକ୍ଷେ ପୁରୀରେ ହବିଷ୍ୟାଳିଙ୍କ ଭିଡ ପରିଲକ୍ଷିତ ହୋଇଛି। ତେବେ ହବିଷ୍ୟାଳିଙ୍କ ସୁବିଧାରେ ରହିବା ଓ ଖାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି। ପୁରୀରେ କରାଯାଇଛି ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ। ଏହି ନିବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୬ଟା ୩୦ ରେ ଲୋକାର୍ପଣ କରିବେ।

ପୁରୀରେ ସରକାରଙ୍କ ତରଫରୁ ୫ଟି ଶିବିର କରାଯାଇଛି। ସବୁଥିରେ ପ୍ରବେଶ ଓ ପ୍ରସ୍ଥାନ ବେଳେ ହବିଷ୍ୟାଳିଙ୍କ ରେକର୍ଡ ରଖାଯିବାର ବ୍ୟବସ୍ଥା ହୋଇଛି ।  ସବୁ ଶିବିରରେ ବାହାର ଲୋକଙ୍କ ଅନୁପ୍ରବେଶ ଉପରେ ନଜର ରଖିବାକୁ ପ୍ରବେଶ ପଥରେ ସିସିଟିଭି ସ୍ଥାପନ ହୋଇଛି । ଏହା ବ୍ୟତୀତ ଶିବିର ପାଖରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲା ଯାଇଛି । ଜ୍ୱର, କାଶ ଭଳି ମାମୁଲି ରୋଗ ପାଇଁ ଏହି ଶିବିରରେ ହବିଷ୍ୟାଳିଙ୍କୁ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି।

ଏହି ଶିବିରରେ ରହିବା ପାଇଁ ପୂର୍ବରୁ ଅନ ଲାଇନରେ ପଂଜିକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେହି ଅନୁସାରେ ରବିବାର ସୁଦ୍ଧା ୨୯୩୫ ହବିଷ୍ୟାଳି ପହଞ୍ଚି ସାରିଛନ୍ତି । ପ୍ରତିଦିନ ହବିଷ୍ୟାଳିଙ୍କ ପାଇଁ ଅନ୍ନ, ଡାଲି, ବେସର, ଖଟା ଆଦି ମହାପ୍ରସାଦ ଶିବିରରେ ମାଗଣା ଦେବାକୁ ବ୍ୟବସ୍ଥା ହୋଇଛି।