ଆଜି ପୁରୀ ହବିଷ୍ୟାଳିଙ୍କ ବୃନ୍ଦାବତୀ ନିବାସକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ରହିବା ଖାଇବା ମାଗଣା

Published: Oct 10, 2022, 10:20 am IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ଉପଲକ୍ଷେ ପୁରୀରେ ହବିଷ୍ୟାଳିଙ୍କ ଭିଡ ପରିଲକ୍ଷିତ ହୋଇଛି। ତେବେ ହବିଷ୍ୟାଳିଙ୍କ ସୁବିଧାରେ ରହିବା ଓ ଖାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି। ପୁରୀରେ କରାଯାଇଛି ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ। ଏହି ନିବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୬ଟା ୩୦ ରେ ଲୋକାର୍ପଣ କରିବେ।

ପୁରୀରେ ସରକାରଙ୍କ ତରଫରୁ ୫ଟି ଶିବିର କରାଯାଇଛି। ସବୁଥିରେ ପ୍ରବେଶ ଓ ପ୍ରସ୍ଥାନ ବେଳେ ହବିଷ୍ୟାଳିଙ୍କ ରେକର୍ଡ ରଖାଯିବାର ବ୍ୟବସ୍ଥା ହୋଇଛି ।  ସବୁ ଶିବିରରେ ବାହାର ଲୋକଙ୍କ ଅନୁପ୍ରବେଶ ଉପରେ ନଜର ରଖିବାକୁ ପ୍ରବେଶ ପଥରେ ସିସିଟିଭି ସ୍ଥାପନ ହୋଇଛି । ଏହା ବ୍ୟତୀତ ଶିବିର ପାଖରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲା ଯାଇଛି । ଜ୍ୱର, କାଶ ଭଳି ମାମୁଲି ରୋଗ ପାଇଁ ଏହି ଶିବିରରେ ହବିଷ୍ୟାଳିଙ୍କୁ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି।

ଏହି ଶିବିରରେ ରହିବା ପାଇଁ ପୂର୍ବରୁ ଅନ ଲାଇନରେ ପଂଜିକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେହି ଅନୁସାରେ ରବିବାର ସୁଦ୍ଧା ୨୯୩୫ ହବିଷ୍ୟାଳି ପହଞ୍ଚି ସାରିଛନ୍ତି । ପ୍ରତିଦିନ ହବିଷ୍ୟାଳିଙ୍କ ପାଇଁ ଅନ୍ନ, ଡାଲି, ବେସର, ଖଟା ଆଦି ମହାପ୍ରସାଦ ଶିବିରରେ ମାଗଣା ଦେବାକୁ ବ୍ୟବସ୍ଥା ହୋଇଛି।

Related posts