Categories
ବିଶେଷ ଖବର

ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ ହବିଷ୍ୟାଳି ମା ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି ମା ମାନଙ୍କୁ ସ୍ବାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍‌ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ମା ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ଓ ସେମାନଙ୍କ ପରିବାର ତଥା ସାରା ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ଓ ସାଂସଦ ଶ୍ରୀ ପିନାକୀ ମିଶ୍ର ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ଓଡିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ଆଜି ମା ମାନଙ୍କ ମନ କଥା ଜାଣି, ସେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ବୃନ୍ଦାବତୀ ନିବାସ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ୩ ଜଣ ହବିଷ୍ୟାଳି ମା ଗଞ୍ଜାମ ର ଉର୍ମିଳା ପଟନାୟକ, ମୟୁରଭଞ୍ଜ ର ସାବିତ୍ରୀ ବିନ୍ଧାଣି ଓ ପୁରୀ ର ଡ଼ଲିମଣି ନାଇଡ଼ୁ ସେମାନଙ୍କ ଏହି ନୂଆ ସୁବିଧା ସଂପର୍କରେ ମତବ୍ୟକ୍ତ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଶୋଇବା, ଖାଇବା କୌଣସିରେ ଅସୁବିଧା ନାହିଁ । ଜଗନ୍ନାଥ ମହାପ୍ରଭୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟିଏ ପରମାୟୁ ଦିଅନ୍ତୁ କହି ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ପୁରୀ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।

ପୁରୀ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ପୁରୀ ହବିଷ୍ୟାଳିଙ୍କ ବୃନ୍ଦାବତୀ ନିବାସକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ରହିବା ଖାଇବା ମାଗଣା

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ଉପଲକ୍ଷେ ପୁରୀରେ ହବିଷ୍ୟାଳିଙ୍କ ଭିଡ ପରିଲକ୍ଷିତ ହୋଇଛି। ତେବେ ହବିଷ୍ୟାଳିଙ୍କ ସୁବିଧାରେ ରହିବା ଓ ଖାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି। ପୁରୀରେ କରାଯାଇଛି ହବିଷ୍ୟାଳିଙ୍କ ପାଇଁ ବୃନ୍ଦାବତୀ ନିବାସ। ଏହି ନିବାସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୬ଟା ୩୦ ରେ ଲୋକାର୍ପଣ କରିବେ।

ପୁରୀରେ ସରକାରଙ୍କ ତରଫରୁ ୫ଟି ଶିବିର କରାଯାଇଛି। ସବୁଥିରେ ପ୍ରବେଶ ଓ ପ୍ରସ୍ଥାନ ବେଳେ ହବିଷ୍ୟାଳିଙ୍କ ରେକର୍ଡ ରଖାଯିବାର ବ୍ୟବସ୍ଥା ହୋଇଛି ।  ସବୁ ଶିବିରରେ ବାହାର ଲୋକଙ୍କ ଅନୁପ୍ରବେଶ ଉପରେ ନଜର ରଖିବାକୁ ପ୍ରବେଶ ପଥରେ ସିସିଟିଭି ସ୍ଥାପନ ହୋଇଛି । ଏହା ବ୍ୟତୀତ ଶିବିର ପାଖରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲା ଯାଇଛି । ଜ୍ୱର, କାଶ ଭଳି ମାମୁଲି ରୋଗ ପାଇଁ ଏହି ଶିବିରରେ ହବିଷ୍ୟାଳିଙ୍କୁ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି।

ଏହି ଶିବିରରେ ରହିବା ପାଇଁ ପୂର୍ବରୁ ଅନ ଲାଇନରେ ପଂଜିକରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ସେହି ଅନୁସାରେ ରବିବାର ସୁଦ୍ଧା ୨୯୩୫ ହବିଷ୍ୟାଳି ପହଞ୍ଚି ସାରିଛନ୍ତି । ପ୍ରତିଦିନ ହବିଷ୍ୟାଳିଙ୍କ ପାଇଁ ଅନ୍ନ, ଡାଲି, ବେସର, ଖଟା ଆଦି ମହାପ୍ରସାଦ ଶିବିରରେ ମାଗଣା ଦେବାକୁ ବ୍ୟବସ୍ଥା ହୋଇଛି।