Categories
ବିଶେଷ ଖବର

ଏସସିଓ ଯୁବ ପରିଷଦର ୧୬ ତମ ବୈଠକକୁ ଉଦଘାଟନ କଲେ ଅନୁରାଗ ସିଂହ ଠାକୁର

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ହାଇବ୍ରିଡ୍ ମୋଡରେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ଯୁବ ପରିଷଦର ୧୬ତମ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏସସିଓ ଯୁବ ପରିଷଦ ବୈଠକକୁ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉଦଘାଟନ କରିଛନ୍ତି। ଯୁବ ବ୍ୟାପାର ବିଭାଗ ସଚିବ ମିତା ରାଜୀବଲୋଚନ୍ ମୁଖ୍ୟ ଅତିଥି ଏବଂ ଏସସିଓ ସଦସ୍ୟ ରାଷ୍ଟ୍ରର ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ।

ଏହି ବୈଠକରେ ଭାରତ ସରକାରଙ୍କ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ନୀତେଶ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରେ ଦଳଗୁଡିକ ୨୦୨୨-୨୦୨୩ ରେ ଏସସିଓ ଯୁବ ପରିଷଦର ଜାତୀୟ କାର୍ଯ୍ୟକଳାପ ବିଷୟରେ ସୂଚନା ସେୟାର କରିଥିଲେ। ୧୩ ମାର୍ଚ୍ଚ, ୨୦୨୩ ରେ ଭର୍ଚୁଆଲ୍ ମୋଡରେ ଆୟୋଜିତ ହୋଇଥିବା ଏସସିଓ ଯୁବ ସମ୍ମିଳନୀ ଉପରେ ପ୍ରସ୍ତୁତ ରିପୋର୍ଟ “ପ୍ରଭାବଶାଳୀ ଗୋଷ୍ଠି ବିକାଶ କାର୍ଯ୍ୟକଳାପ”ର ବିଷୟବସ୍ତୁ ସମସ୍ତ ଏସ୍‍ସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ଅବଗତ ପାଇଁ ପ୍ରଦାନ କରାଯାଇଥିଲା।

ସମ୍ମିଳନୀରେ ଅବସରରେ ଅନୁଷ୍ଠିତ ଆଲୋଚନାରେ ଏସସିଓ ସଦସ୍ୟ ରାଷ୍ଟ୍ରର ଯୁବ ପ୍ରତିନିଧୀଙ୍କ ଦ୍ୱାରା ଅଂଶଗ୍ରହଣର ଉଚ୍ଚ ସ୍ତରୀୟ ଆଗ୍ରହ ଥିବା ଦର୍ଶାଯାଇଛି। ଯୁବ ପ୍ରତିନିଧୀମାନେ ସମାଜର ଉନ୍ନତି ପାଇଁ ଗୋଷ୍ଠି ବିକାଶ କାର୍ଯ୍ୟକଳାପରେ ନିୟୋଜିତ ହେବା ଲାଗି ଦେଖାଇଥିବା ଉତ୍ସାହକୁ ମଧ୍ୟ ଦଳମାନେ ଉଲ୍ଲେଖ କରିଛନ୍ତି।

ଏହି ସମୟ ମଧ୍ୟରେ ଭାରତର ଏସସିଓ ଯୁବ ପରିଷଦର ଜାତୀୟ କାର୍ଯ୍ୟକୁ ଦଳମାନେ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସସିଓ ଯୁବ ସମ୍ମିଳନୀ ଏବଂ ଏସସିଓ ଯୁବ ପରିଷଦ ବୈଠକର ଆତିଥ୍ୟ ତଥା ଉଚ୍ଚ ସ୍ତରୀୟ ଆୟୋଜନ ପାଇଁ ଭାରତୀୟ ଦଳକୁ କୃତଜ୍ଞତା ଜଣାଇଥିଲେ।

୧୪ ମାର୍ଚ୍ଚ, ୨୦୨୩ ରେ ନୂଆଦିଲ୍ଲୀ ଠାରେ ଋଷ ଏବଂ ଚୀନ ଭାଷାରେ ଆଠଟି କପିରେ ଏହି ପ୍ରୋଟୋକଲ୍ ସ୍ୱାକ୍ଷରିତ ହୋଇଥିଲା।

ଏସସିଓ ହେଉଛି ଏକ ସ୍ଥାୟୀ ଆନ୍ତଃ ସରକାରୀ ସଂଗଠନ ଯାହାକି ୨୦୦୧ ରେ ପ୍ରତିଷ୍ଠିତ ହୋଇଥିଲା। ଏସ୍‍ସିଓରେ ଆଠଟି ସଦସ୍ୟ ରାଷ୍ଟ୍ର ରହିଛନ୍ତି ଯଥା ଭାରତ, କାଜାଗସ୍ତାନ, ଚୀନ୍‍, କିର୍ଗିଜିସ୍ତାନ, ପାକିସ୍ତାନ, ଋଷ, ତାଜାଗିସ୍ତାନ ଏବଂ ଉଜବେକିସ୍ତାନ। ୯ ଜୁନ୍‌, ୨୦୧୭ ରେ ଭାରତ ଏସ୍‍ସିଓ ର ପୂର୍ଣ୍ଣ ସଦସ୍ୟ ହୋଇଥିଲା। ଚାରୋଟି ପର୍ଯ୍ୟବେକ୍ଷକ ରାଷ୍ଟ୍ର ଆଫଗାନିସ୍ତାନ, ବେଲାଋଷ, ଇରାନ ଏବଂ ମୋଙ୍ଗୋଲିଆ ଅଛନ୍ତି। ଏସ୍‍ସିଓ ର ସରକାରୀ କାର୍ଯ୍ୟ ଭାଷା ହେଉଛି ଚାଇନିଜ୍ ଏବଂ ଋଷିଆନ୍‍।