Categories
ଆଜିର ଖବର ରାଜ୍ୟ ଖବର

ପଛପଟୁ ମାଡ଼ିଗଲା ହାଇୱା, ଦୁର୍ଘଟଣାରେ ଝିଅ ମୃତ୍ୟୁ, ମା’ ଗୁରୁତର

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲା ଆସିକା ମୁକୁନ୍ଦପୁର ବଡନଦୀ ବ୍ରିଜରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ପୂଜା ସ୍ମିତା ମହାନ୍ତି ମୃତ ହୋଇ ଥିବା ବେଳେ ଜୟପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ମା’ ଗିତାଞ୍ଜଳୀ ମୋହିନୀଙ୍କ ଗୋଡ କଟି ଗୁରୁତର ଅଵସ୍ଥାରେ ଆସିକା ସବଡିଭିଜନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଉଭୟ ମା’ ଆଉ ଝିଅ ଏକ ସ୍କୁଟି ଯୋଗେ ଆସିକା କଲେଜ ଛକ ଅଞ୍ଚଳକୁ ଯାଉଥିଲେ। ତାଙ୍କ ପଛ ପଟୁ ଏକ ମେଟାଲ ଭର୍ତ୍ତି ହାଇଓ୍ବା ଟ୍ରକ ମାଡିଯାଇଥିଲା। ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ସେମାନେ କୌଣସି ଏକ କାମରେ ବ୍ରହ୍ମପୁରକୁ ଯାଇଥିଲେ। ସେଠାରୁ ନିଜ ଆସିକା କଲେଜଛକ ସ୍ଥିତ ଘରକୁ ଫେରୁଥିଲେ। ଏତିକି ବେଳେ ଆସିକା ବଡନଦୀ ବ୍ରିଜ ମୁକୁନ୍ଦପୁର ଠାରେ ମେଟଲ ବୋଝେଇ ଏକ ହାଇଓ୍ବା ଟ୍ରକ ଗାଡି ତାଙ୍କ ଉପରେ ମାଡିଯାଇଥିଲା। ଘଟଣା ସ୍ଥଳରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଗିତାଞ୍ଜଳୀ ମୋହିନୀ ଗୁରୁତର ହୋଇଛନ୍ତି।

ଘଟଣା ସ୍ଥଳରେ ଆସିକା ପୋଲିସ ପହଁଚି ତଦନ୍ତ ଜାରୀ ରଖିଥିବାବେଳେ ଉକ୍ତ ହାଇୱାକୁ ଜବତ କରିଛି।

ପ୍ରକାଶ ଥାଉ କି, ଶ୍ରୀ ମତି ମୋହିନୀ ଆସିକା ଥାନା ଅନ୍ତର୍ଗତ ଗହଙ୍ଗୁ ଗ୍ରାମର ହୋଇ ଥିବା ବେଳେ ତାଙ୍କ ବାପାଙ୍କ ନାମ ବିନାୟକ ମୋହିନୀ ଅଟେ। ଶ୍ରୀମତୀ ମୋହିନୀ ଧରାକୋଟ ଥାନା ଅନ୍ତର୍ଗତ କୁଶରାବ ଗ୍ରାମରେ ବିବାହ କରିଥିଲେ ଏବଂ ତାଙ୍କ ସ୍ବାମୀ ସେନାବାହିନୀରେ କାର୍ଯ୍ୟ କରୁଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍କିଆ: ବେଆଇନ ପଥର ଖଣି ଉପରେ ଚଢାଉ, ତିନି ହାଇୱା ସମେତ ପୋକଲିନ ଜବତ, ଚାରି ଗିରଫ

ଜଙ୍କିଆ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ଏକ ବେଆଇନ ପଥର ଖଣିରେ ପୋଲିସ ଚଢ଼ାଉ କରି ତିନି ଗୋଟି ମୋରମ ବୋଝେଇ ହାଇୱା ଗାଡ଼ି ସମେତ ଗୋଟାଏ ପୋକଲିନ ମେସିନ ଜବତ କରିଛି। ସୂଚନା ମୁତାବକ ଜଙ୍କିଆ ଅଞ୍ଚଳରେ ବାରମ୍ବାର ବେଆଇନ ପଥର ଚୋରାଚାଲାଣ ଅଭିଯୋଗ ହୋଇଆସୁଥିବା ବେଳେ ନୂତନ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଗତକାଲି ରାତିତମାମ ଚଢ଼ାଉ ଜାରି ରହିଥିଲା।

ଏହି ପରିପ୍ରେକ୍ଷୀରେ ମୁଣ୍ଡାଆମ୍ବା ଗ୍ରାମ ନିକଟରେ ଏକ ବେଆଇନ ପଥର ଖଣିରେ ଚଢ଼ାଉ କରାଯାଇ ଉକ୍ତ ଗାଡିଗୁଡିକ ଜବତ ହୋଇଛି। ତେବେ ଉକ୍ତ ଘଟଣାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାର ଆଇଆଇସି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଗତକାଲି ରାତିରେ ଗୋଡିପଡା ଅଞ୍ଚଳର ଜଣେ ଦେଶୀ ମଦ ବେପାରୀକୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚମ୍ପାଳି ନିକଟରେ ହାଇୱା ଓଲଟି ଡ୍ରାଇଭର ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନରେ ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମ ଚମ୍ପାଳି ନିକଟରେ ଏକ ଚିପସ୍ ବୋଝେଇ ହାଇୱା ଓଲଟି ପଡିବାରୁ ଗାଡି ଡ୍ରାଇଭର ଗୁରତର ଆହତ ହୋଇ ଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ଚିପସ୍ ବୋଝେଇ ହାଇୱା ଗାଡିଟି (ଓଡି ୧୫ଏଲ୍ ୪୪୩୨) ରେଢାଖୋଲରୁ ନାକଟିଦେଉଳ ପଟେ ଯାଉଥିବା ସମୟରେ ପେଣ୍ଠବାହାଳ ନିକଟସ୍ଥ ହାତୀମରା ବୁଲାଣିରେ ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଆହତ ଡ୍ରାଇଭରଙ୍କୁ ଆମ୍ବଲାନସ୍ ରେ ପ୍ରଥମେ ରେଢାଖୋଲ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ମୁଣ୍ଡ ଓ ହାତରେ ଆଘାତ ଲାଗିଥିବାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ଆହତ ଡ୍ରାଇଭରର ଘର ନାକଟିଦେଉଳ ଥାନା ସରାପାଲି ଗ୍ରାମର ସଞ୍ଜୟ ଅଢା ବୋଲି ଜଣା ପଡିଛି।