Categories
ଆଞ୍ଚଳିକ

ବାଲୁଗାଁରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ୧୨୦୩୪ ତମ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରକୁ ଭାରତୀୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ଼ାଃ ସମ୍ବିତ ପାତ୍ର ଏବଂ କୋଚ଼ିନ ସିପ ୟାର୍ଡ଼ର ନିର୍ଦ୍ଦେଶକ ପୃଥ୍ୱୀରାଜ ହରିଚ଼ନ୍ଦନ ମିଳିତ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଉକ୍ତ କେନ୍ଦ୍ରର ପରିଚାଳକ କାହ୍ନୁଚ଼ରଣ ପଲାଇଙ୍କ ତତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ଡ଼ାଃ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସମାଜସେବୀ ନିରଞ୍ଜନ ସେଠୀ, ସନାତନ ବଳବନ୍ତରାୟ, ସ୍ବପ୍ନା ବଡ଼ଜେନା ଏବଂ ମମତା ପରିଡ଼ା ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ଦ୍ବାରା ସମସ୍ତ ଜନସାଧାରଣ ଏବଂ ବିଶେଷ କରି ଗରିବ ମା’ ଓ ଭଉଣୀ ମାନେ କିପରି ଏହାର ଲାଭ ଉଠାଇପାରିବେ, ମୁଖ୍ୟ ଅତିଥି ଡ଼ାଃ ପାତ୍ର ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିଥିଲେ। ଏହି କେନ୍ଦ୍ରରେ ୧୭୫୯ ଗୋଟି ଉଚ୍ଚ ଗୁଣବତ୍ତା ଔଷଧ ସହ ୨୮୦ ଗୋଟି ସର୍ଜିକାଲ ଉପକରଣ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ମୂଲ୍ୟରେ ମିଳିବ ବୋଲି ଏହାର ପରିଚାଳକ ଶ୍ରୀ ପଲାଇ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଖିପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉକ୍ତ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ସାମ୍ବାଦିକଙ୍କ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି ନେତା ଡ଼ା ସମ୍ବିତ ପାତ୍ର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ତଥା ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ପିତା ସ୍ବର୍ଗତ ଗଣେଶ ପ୍ରସାଦ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର। ଶ୍ରୀ ପାତ୍ର ଗୁରୁବାର ଦିନ ସୀତାରାମଙ୍କ ବାସଭବନକୁ ଯାଇ ସ୍ବର୍ଗତ ଗଣେଶ ପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହାସହିତ ସେ ସୀତାରାମଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କ ପରିବାରବର୍ଗଙ୍କ ସହ ବହୁ ସମୟ ବିତାଇଛନ୍ତି।

ସେହିପରି ଭାବେ ଉକ୍ତଦିନ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପ୍ରଦେଶ ସଂଗଠନ ସମ୍ପାଦକ ତନ୍ମୟ ଦାସ ଏବଂ ପୂର୍ବତନ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସଂଗଠନ ସମ୍ପାଦକ ଶଶିକାନ୍ତ ମଲିକ ମଧ୍ୟ ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ବିଜେଡି ନେତା ମନୋଜ ବାରିକୀ ମଧ୍ୟ ଆଜି ସଂନ୍ଧ୍ୟାରେ ସୀତାରାମଙ୍କ ବାସଭବନକୁ ଯାଇ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସୂଚନା ଥାଉକି ସୀତାରାମଙ୍କ ପିତାଙ୍କ ଦେହାନ୍ତ ଗତ ୧୮ ତାରିଖରେ ଘଟିଥିଲା ଏବଂ ଏହିଭିତରେ ବହୁ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ଏବିଭିପି ଓ ଆରଏସଏସ କର୍ମକର୍ତ୍ତାମାନେ ସୀତାରାମଙ୍କ ଘରକୁ ଯାଇ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଆସୁଛନ୍ତି।