Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡରେ ଆସନ୍ତା ସପ୍ତାହରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ୍, ଦେଶରେ ପ୍ରଥମ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ଦୀପାବଳି ପରେ ତୁରନ୍ତ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ବିଲ୍ ଉପରେ ଆଲୋଚନା କରି ପାରିତ କରିବେ ବୋଲି ସୂତ୍ରରୁ ପ୍ରକାଶ।

ଏହି ରିପୋର୍ଟରେ ପୈତୃକ ସମ୍ପତ୍ତିରେ ଲିଙ୍ଗଗତ ସମାନତା ଏବଂ ଝିଅମାନଙ୍କ ପାଇଁ ସମାନ ଅଧିକାର ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଏଥିରେ ମହିଳାଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇନାହିଁ। କମିଟିର ସୁପାରିସ ଅନୁଯାୟୀ ମହିଳାଙ୍କ ବିବାହ ବୟସ ୧୮ ବର୍ଷ ରଖାଯିବା ଦରକାର।

ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ମାମଲାରେ ସବୁ ଧର୍ମ ପାଇଁ ଲାଗୁ ହେଉଥିବା ଏକ ଆଇନ ପ୍ରସ୍ତୁତ କରିବାକୁ କୁହାଯାଇଛି। ସେହି ଅନୁଯାୟୀ ବିବାହ ପଞ୍ଜୀକରଣ, ଛାଡ଼ପତ୍ର, ସମ୍ପତ୍ତି ଅଧିକାର, ଆନ୍ତଃରାଜ୍ୟ ସମ୍ପତ୍ତି ଅଧିକାର, ଭରଣପୋଷଣ, ପିଲାଙ୍କ ହେପାଜତ, ଏଟିସି ଭଳି ବ୍ୟକ୍ତିଗତ କ୍ଷତିରେ ସମାନତା ଉପରେ ବିଲର ବ୍ରୋଡର୍ ଫୋକସ୍ ରହିଛି।

ତେବେ ପ୍ରସ୍ତାବିତ ଆଇନରେ ବିବାହ ପାଇଁ କୌଣସି ଧାର୍ମିକ ରୀତିନୀତିକୁ ସ୍ପର୍ଶ କରିବା କିମ୍ବା ଅନ୍ୟାନ୍ୟ ରୀତିନୀତି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଲିଭ୍ ଇନ୍ ରିଲେସନ୍ ସିପ୍ ପଞ୍ଜୀକରଣ ମଧ୍ୟ ବାଧ୍ୟତାମୂଳକ ହେବ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିଟି ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।

ଆସନ୍ତା ସପ୍ତାହରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି।

ଚଳିତ ବର୍ଷ ଜୁନ୍ ମାସରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଡ୍ରାଫ୍ଟ କମିଟିର ସଦସ୍ୟ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ କହିଥିଲେ ଯେ ଉତ୍ତରାଖଣ୍ଡ ପାଇଁ ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟ ପ୍ରସ୍ତୁତି ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଏହାକୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ।

ଉତ୍ତରାଖଣ୍ଡର ପ୍ରସ୍ତାବିତ ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟିଂ ଏବେ ଶେଷ ହୋଇଛି ବୋଲି ଆପଣଙ୍କୁ ଜଣାଇବା ମୋତେ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ସେ କହିଛନ୍ତି।

ଜଷ୍ଟିସ ଦେଶାଇ କହିଛନ୍ତି, ଡ୍ରାଫ୍ଟ ସହ ବିଶେଷଜ୍ଞ କମିଟିର ରିପୋର୍ଟ ଛପାଯାଇ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଦାନ କରାଯିବ।

ଏହାବ୍ୟତୀତ ଉତ୍ତରାଖଣ୍ଡର ପଦାଙ୍କ ଅନୁସରଣ କରି ଗୁଜରାଟ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।
ଏହି ପଦକ୍ଷେପ ସହିତ ଗୁଜରାଟ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବାରେ ଦ୍ୱିତୀୟ ରାଜ୍ୟ ହେବ।

Categories
ବିଶେଷ ଖବର

ଏକକ ନାଗରିକ ସଂହିତାର କାର୍ଯ୍ୟକାରିତାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧ କ୍ଷତିଗ୍ରସ୍ତ ହେବ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌ (ୟୁସିସି) ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ। ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ। ଆଜି ଆସାମର ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି ଯେ ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ( ଡିପିଏସ୍‌ପି)ର ମୌଳିକ ଭୂମିକା ରହିଛି। ତଦନୁସାରେ ଆଇନ/ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ। ଏହି ଡିପିଏସ୍‌ପି ଅଧୀନରେ ପଞ୍ଚାୟତ, ସମବାୟ, ଶିକ୍ଷାଧିକାର ଭଳି କେତେକ ନୀତି  ଆଇନର ରୂପ ନେଇଛି। ତେଣୁ ଏବେ ସମ୍ବିଧାନର ଧାରା-୪୪ର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନ  ସମୟ ଆସିଯାଇଛି।

ଭାରତର ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିବା ଭଳି ଅପଚେଷ୍ଟା ଓ ବାରମ୍ବାର ଦେଶ ବିରୋଧୀ କାହାଣୀର ଅବତାରଣାକୁ ସେ ନିନ୍ଦା କରିବା ସହ ଏଭଳି କାର୍ଯ୍ୟରେ ଲିପ୍ତ ତତଙ୍କୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ଭାରତ  ବିରୋଧୀ କାହାଣୀ କହୁଥିବା ତତ୍ୱମାନଙ୍କୁ ଠିକଣା ଜବାବ ଦେବାର ସମୟ ଆସିଛି।

ଉପରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ,’ ଆମ ଦେଶର ସାର୍ବଭୌମତ୍ୱ ଓ ପ୍ରତିଷ୍ଠାକୁ ଦୁର୍ବଳ କରିବା ପାଇଁ କୌଣସି ବିଦେଶୀ ଶକ୍ତିକୁ ସୁଯୋଗ ଦିଆଯିବ ନାହିଁ। ସେ ଭାରତର ଗଣତନ୍ତ୍ରକୁ ପ୍ରାଚୀନତମ, ବୃହତ୍ତମ, ସବୁଠୁ ସଫଳ ଓ ଜୀବନ୍ତ ଗଣତନ୍ତ୍ର ଭାବେ ବର୍ଣ୍ଣନା କରି ଏହା ବୈଶ୍ୱିକ ଶାନ୍ତି ଓ ସଦ୍‌ଭାବନାକୁ ସୁଦୃଢ କରୁଛି ବୋଲି କହିଛନ୍ତି। ଆମର ସାମ୍ବିଧାନିକ ପ୍ରତିଷ୍ଠାନ ସମୂହ ଉତ୍କୃଷ୍ଟ ତଥା ତଥା ପ୍ରସ୍ଫୁଟିତ ଗଣତନ୍ତ୍ରକୁ ଆଘାତ କରିବା ଭଳି କୌଣସି କାମକୁ ଆମେ ବରଦାସ୍ତ କରିିବୁ ନାହିଁ।”

ସେ ଏହା କହିଛନ୍ତି ଯେ ଏବେ ଦେଶରେ ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ। ଦୁର୍ନୀତିଗସ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ସରକାର ଅବଲମ୍ବନ କରୁଛନ୍ତି। ଏବେ ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ ସମସ୍ତେ ଆଗେଇ ଆସିବା ସହିତ ଦୁର୍ନୀତିମୁକ୍ତ ସମାଜଗଠନ ପାଇଁ କାମ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଯେ “ଦୁର୍ନୀତି ଗଣତନ୍ତ୍ର ବିରୋଧୀ। ଏହା କୁଶାସନ ଏବଂ ଆମ ଅଭିବୃଦ୍ଧିର ପରିପନ୍ଥୀ। ଏକ ଦୁର୍ନୀତି ମୁକ୍ତ ସମାଜ ଅଭିବୃଦ୍ଧିର ନିରାପଦ ପଥ।” କିଛି ଲୋକ ଦୁର୍ନୀତି ଅଭିଯୋଗରେ ଧରାପଡିବା ପରେ ଆଇନଗତ ପ୍ରତିକାର ନ କରି ରାସ୍ତାକୁ ଓହ୍ଳାଇ ଯେଉଁ ବିକ୍ଷୋଭ ଓ ପ୍ରତିବାଦ କରୁଛନ୍ତି ଉପରାଷ୍ଟ୍ରପତି ତାହାକୁ ନାପସନ୍ଦ କରିଛନ୍ତି।

ଭାରତୀୟ ହେବାର ଗୌରବ ଅନୁଭବ କରିବା ସହିତ ଛାତ୍ରଛାତ୍ରୀମାନେ ଏହାର ଐତିହାସିକ ଉପଲବ୍ଧିକୁ ନେଇ ଗର୍ବ କରିବାକୁ ଉପରାଷ୍ଟ୍ରପତି କହିଛନ୍ତି। ଛାତ୍ର ସମାଜ ମାନେ ଅର୍ଥନୀତିକୁ ଜାତୀୟତାବାଦ ଓ ଦେଶ ପ୍ରତି ଅଙ୍ଗୀକୃତ ହେବା ସହିତ ରାଷ୍ଟ୍ର ଓ ଜାତୀୟତାକୁ ନ୍ୟୁନ କରି ବ୍ୟକ୍ତିଗତ ଆର୍ଥିକ ଲାଭରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ବାବା ସାହେବ ଆମ୍ବେଦକରଙ୍କ ବାଣୀ ଉଦ୍ଧାର କରି ସେ ବିଦ୍ୟାର୍ଥୀମାନଙ୍କୁ କହିଛନ୍ତି ଯେ “ତୁମେମାନେ ପ୍ରଥମେ ଓ ଶେଷରେ ମଧ୍ୟ ଭାରତୀୟ ହିଁ ହେବା ଉଚିତ। ଭାରତୀୟ ହେବା ଛଡା ଅନ୍ୟ ଗତି ନାହିଁ।”

ସମାବର୍ତ୍ତନ ଭାଷଣରେ ଉପରାଷ୍ଟ୍ରପତି ଶ୍ରୀ ଧନକର ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସହନଶୀଳ ହେବା ଆବଶ୍ୟକ। ସେମାନେ ଅନ୍ୟମାନଙ୍କର ଦୃଷ୍ଟିକୋଣକୁ ଅଧିକ ବିଚାର କରି ଦେଖିବା ଉଚିିତ। ଅନେକ ସମୟରେ ଅନ୍ୟମାନଙ୍କ ଦୃଷ୍ଟିକୋଣ ହିଁ ନିର୍ଭୁଲ ହୋଇଥାଏ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଉପରାଷ୍ଟ୍ରପତି ଶ୍ରୀ ଧନକର ଡକ୍ଟର ସୁଦେଶ ଧନକରଙ୍କୁ ସହିତ ଗୁଆହାଟୀର ପ୍ରଖ୍ୟାତ କାମାଖ୍ୟା ମନ୍ଦିରକୁ ଯାଇ ମା’ କାମାଖ୍ୟା ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ସେ ଆଇଆଇଟି ଗୁଆହାଟିର ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ।

ଆସାମର ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ, ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ଗୁଆହାଟି ଆଇଆଇଟିର ପରିଚାଳନା ମଣ୍ଡଳର ସଦସ୍ୟଗଣ, ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ରାଜୀବ ମୋଦୀ, ବରିଷ୍ଠ ପ୍ରଫେସର ପରମେଶ୍ୱର ଆୟାର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।